ସ୍ଵର୍ଣ୍ଣତରୀ

 

 

 

 

 

 

 

 

 

 

 

ସ୍ଵର୍ଣ୍ଣତରୀ

ମହେନ୍ଦ୍ର କୁମାର ବେହେରା

 

 

 

 

 

 

 

 

 

ଯେଉଁ ହିତାକାଂକ୍ଷୀ ବନ୍ଧୁଗଣ ମୋର ଉପନ୍ୟାସ ‘‘ଭଗ୍ନତରୀ’’ ପଢ଼ି ଅଶେଷ ପ୍ରଶଂସା ସହ ‘‘ସ୍ଵର୍ଣ୍ଣତରୀ’’ ଲେଖିବାକୁ ଅନୁରୋଧ କରିଥିଲେ, ସେଇ ପରମ ଶୁଭାକାଂକ୍ଷୀ ବନ୍ଧୁମାନଙ୍କ ହାତରେ.....

 

–ଲେଖକ

Image

 

ଏଇ ଲେଖକଙ୍କ ପ୍ରକାଶିତ ଉପନ୍ୟାସ

 

୧.

ଭଗ୍ନତରୀ

୨.

ସ୍ଵର୍ଣ୍ଣତରୀ

୩.

ମଧୁମତୀ

୪.

ବିଷକୁମ୍ଭ

୫.

ଶୁଭରାତ୍ରୀ

୬.

ସୀମନ୍ତ ସିନ୍ଦୂର

୭.

ସୁମିତ୍ରାର ଆତ୍ମଲିପି

୮.

ଏକପଥ ଦୁଇନାରୀ

୯.

ଆସିଥିଲା ଅଭିମାନିନୀ

୧୦.

ଏକ ମନ ଅନେକ ତରଙ୍ଗ

୧୧.

ଗୋଟିଏ ମନ କୋଟିଏ ବେଦନା

୧୨.

ଗଡ଼ିଗଲା ବୟସ ଉଡ଼ିଗଲା ପାଣି

୧୩.

ଗଭୀର ଜଳର ମାଛ (ଯନ୍ତ୍ରସ୍ଥ)

 

ଗଳ୍ପ ସଂକଳନ :

 

ମନ୍ଦ ନୁହେଁ ଛନ୍ଦ ତା’ର

Image

 

।। ୧ ।।

 

ଘନରାତ୍ରିର ଗମ୍ଭୀରତା କ୍ରମେ କ୍ରମେ ବଢ଼ୁଥିଲା ।

 

କେତୋଟି ମୁହୂର୍ତ୍ତ ପୂର୍ବେ ଯେଉଁ ନିର୍ମଳ ମେଘମୁକ୍ତ ଆକାଶରେ ଚୁନି ଚୁନି ତରାଗୁଡ଼ିକ ସ୍ଵପ୍ନର ଇନ୍ଦ୍ରଧନୁ ସୃଷ୍ଟି କରିଥିଲେ ସେଇ ଆକାଶ ବର୍ତ୍ତମାନ ମଳିନ, ନିଷ୍ପ୍ରଭ ହୋଇଉଠିଛି । ରାତ୍ରିର ଗଭୀରତା ସାଥୀରେ ଚନ୍ଦ୍ର-ଚକିତ ରାତ୍ରିର ଜ୍ୟୋସ୍ନାଝରା ରୂପ ବିଲୀନ ହୋଇଯାଇଛି–ଲୀନ ହୋଇଯାଇଛି ମଧୁଝରା ରାତ୍ରିର ମଧୁମାଦକତା ।

 

ମସୀ-କଜ୍ଜ୍ଵଳ ଘନ ଅନ୍ଧାର ରାତ୍ରିରେ ଏକାକୀ ଫେରୁଥିଲା ତରଣୀ । ଏବେ ବି ଟ୍ରେନ୍‌ର ଘୁ-ଘୁ ଶବ୍ଦ କାନପାଖରେ ପ୍ରତିଧ୍ଵନିତ ହେଉଛି । ଏବେ ବି ଦେବକାନ୍ତର ଲୁହବୋଳା ମୁହଁ ଆଖି ଆଗରେ ନାଚି ଉଠୁଛି ।

 

ନୟନଯୁଗଳରୁ ଲୁହ ପୋଛିଲା ତରଣୀ ।

 

ତଥାପି ବନ୍ଦ ହେଉନି ଶ୍ରାବଣୀର ବନ୍ୟା । ହିଡ଼-ବାଡ଼ ଡେଇଁ ବହିଚାଲିଛି ବେଦନା-ଜର୍ଜରିତ ପ୍ରାଣରେ ଅଝରାଝର ଅଶ୍ରୁ । ତେବେ ତା’ର ଏତେ ସାଧନା, ଅଧ୍ୟବସାୟ, ତ୍ୟାଗ କଣ ବୃଥା ହୋଇଗଲା ?

 

ହଁ; କୁମୁଦ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ଦୁରାଶା ଛଡ଼ା ଆଉ କିଛି ନୁହେଁ । ନଗ୍ନ ଜୀବନର ଦୀନତା ନେଇ ଦେବକାନ୍ତ ଭଳି ପାରିଜାତର ସୁଷମାକୁ ଆଶା କରିବା ନିଜର ନିର୍ବୋଧତା ଛଡ଼ା ଆଉ କଣ ବା ହୋଇପାରେ ? ତଥାପି ତା’ର ନିଃସ୍ଵାର୍ଥପର ତ୍ୟାଗର କଣ କିଛି ମୂଲ୍ୟ ନାହିଁ ଏଇ ବସ୍ତୁବାଦୀ ଦୁନିଆରେ ?

 

ଶେଷରେ ଦେବକାନ୍ତ ମଧ୍ୟ ତାକୁ ଏଇଭଳି ପ୍ରତିଦାନ ଦେଇପାରିଲା ?

 

ତରଣୀ ଚାଲିବାକୁ ଲାଗିଲା । ଘର ହୁଏତ ଆଉ ଦେଢ଼ମାଇଲ ବାଟ ବାକୀ ଅଛି, ଅଥଚ ଆସିଲାବେଳକୁ ଏଇ ଦୀର୍ଘପଥ ଖୁବ୍ ଅଳ୍ପବାଟ ପରି ଜଣା ପଡ଼ିଥିଲା–ସମୟ ବି ଖୁବ୍ ଅଳ୍ପ ଲଗିଥିଲା ।

 

ତରଣୀ ଆହୁରି ଦ୍ରୁତଗତିରେ ପାଦ ପକାଇଲା । ମସୀ–କଜ୍ଜ୍ଵଳ ରାତିରେ ମୁହଁକୁ ମୁହଁ ସ୍ପଷ୍ଟ ଦେଖାଯାଉନି । ତଥାପି ଆଗରୁ କିଏ ଜଣେ ଆସିଲା ପରି ମନେହେଉଛି ।

 

ଏଁ, କିଏ ? କିଏ ତୁମେ ! ଆସ ରୂପସୀ, ଆସ ! ଲାଗି ଆସ ମୋର ପାଖକୁ । ଏଇ ନିର୍ଜ୍ୱନ ରାତିରେ ନିବିଡ଼ ଅନ୍ଧକାର ଭିତରେ ତମେ ଆଉ ମୁଁ । କେହି ଜାଣିବେ ନାହିଁ, କେହି ଦେଖିବେ ନାହିଁ । ରାତ୍ରିର ଅନ୍ଧକାର ଭିତରେ ହଜିଯିବ ତା’ର ପଦ ଚିହ୍ନ । ତୁମେ ଥରେ ଆସ ରୂପସୀ !

 

ଚମକି ଉଠିଲା ତରଣୀ । ଚଳଚଞ୍ଚଳ ପାଦ ଦୁଇଟି ଅଜଣା ଭୟରେ ହଠାତ୍ ଥମିଗଲା । ଆଖିରୁ ଲୁହ ପୋଛି ଭଲ କରି ଚାହିଁଲା ସେ । ଅଶ୍ଳୀଳ, ଅଶ୍ରାବ୍ୟ ଗାଳି ସହିତ ମାତାଲ୍ କଣ୍ଠର ଅସଂଯତ, କୁତ୍ସିତ ଗୁଞ୍ଜରଣ । କିନ୍ତୁ....

 

ତମେ ଲୁଚି ଯାଉଛ ରୂପସୀ ! ତମେ ଭୟ କରୁଛ !! ଆସ, ସେଇ ଗଛମୂଳ ତମର ହୁଏତ ନିରାପଦ ସ୍ଥାନ ହୋଇ ନ ପାରେ.....

 

ତରଣୀର ମନେହେଉଥିଲା, ଚିତ୍କାର କରି ଆଶ୍ରୟ ପାଇଁ କାହାର ସାହାଯ୍ୟ ଭିକ୍ଷା କରିବ-। କିନ୍ତୁ କିଏ ବା ତାକୁ ସାହାଯ୍ୟ ଦେବ ! ଯିଏ ସାହାଯ୍ୟ ଦେବାପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲା, ସେଇ ଦେବକାନ୍ତ ଚାଲିଗଲା ଚାଲିଗଲା ତା’ଠାରୁ ଦୂରକୁ....ବହୁ ଦୂରକୁ ।

 

ଆରେ ! ତମେ ଲୁଚି ଯାଉଛ କାହିଁକି ? ଭୟର କୌଣସି କାରଣ ନାହିଁ । ମୋ ବାହୁରେ ଭରି ରହିଛି ଶତ ସିଂହର ବଳ ଐରାବତର ଶକ୍ତି । –ମାତାଲ୍ ଯୁବକ ମାଡ଼ି ଆସୁଥିଲା ଆଗକୁ ।

 

ଶିହରି ଉଠିଲା ତରଣୀ ! ମାତାଲ ଯୁବକର ଅଚାନକ ଅତ୍ୟାଚାରରୁ ରକ୍ଷା ପାଇବାପାଇଁ ମନେ ମନେ ଉପାୟ ଚିନ୍ତା କରୁଥିଲା ।

 

ଏ ପର୍ଯ୍ୟନ୍ତ ବି ତମର ଅଗ୍ନିପରୀକ୍ଷା ସରିନି ଭଗବାନ ! ଏ ପର୍ଯ୍ୟନ୍ତ ବି ତମ ପରୀକ୍ଷାର ଅବସାନ ଘଟି ନାହିଁ ? ତଥାପି ମୁଁ ଶେଷ ପର୍ଯ୍ୟନ୍ତ ବିଜୟୀ ହୋଇ ରହିବି । ତରଣୀ ଗରିବ ହୋଇପାରେ–କିନ୍ତୁ ସେ ଭ୍ରଷ୍ଟା ନୁହେଁ ।

 

ହଠାତ୍ ରାସ୍ତାର ଏକ ଭିନ୍ନପଥ ଆବିଷ୍କାର କଲା ତରଣୀ । ଛପି ଛପି ଗଛ ଉହାଡ଼ରେ ଅନ୍ୟପଥରେ ପାଦ ରଖିଲା ।

 

ଆଖିମଳି ଚାହିଁଲା ଯୁବକ । –ତମେ ଚାଲିଗଲ ? ବେଶ୍ । ଆଜି ହୁଏତ ତମେ ଖସିଗଲ ମୋ ପାଖରୁ; ଆଉ ଯଦି କୌଣସି ଦିନ ଦେଖାହୁଏ....

 

ଘରେ ପହଞ୍ଚିଲା ବେଳକୁ ରାତି ଅନେକ ହୋଇଯାଇଥିଲା । ତଥାପି ଧରଣୀ ଆଉ ଉର୍ବଶୀ ଦେବୀ ପ୍ରତୀକ୍ଷା କରି ଦାଣ୍ଡପିଣ୍ଡାରେ ଚାହିଁ ବସିଥିଲେ ।

 

ଅଜସ୍ର ସ୍ଵେଦବିନ୍ଦୁରେ ଭିଜିଯାଇ ବାରଣ୍ଡା ଉପରକୁ ପାଦ ପକାଇଲା ତରଣୀ ।

 

ତୁ କୁଆଡ଼େ ଯାଇଥିଲୁ ଅପା ? –ହଠାତ୍ ଧରଣୀ କହି ଉଠିଲା ।

 

କିଛି ଉତ୍ତର ନ ଦେଇ ବିଷର୍ଣ୍ଣବଦନରେ ଘର ଭିତରକୁ ପ୍ରବେଶ କଲା ତରଣୀ ।

 

ପଛେ ପଛେ ଆସିଲେ ତା’ର ମାଆ । –ଏତେ ରାତିରେ ତୁ କୁଆଡ଼େ ଯାଇଥିଲୁ ତରଣୀ–ଉର୍ବଶୀ ଦେବୀ ଠିକ୍ ସେଇ ପ୍ରଶ୍ନ ପଚାରି ଉଠିଲେ ।

 

ତରଣୀ କଛି ଉତ୍ତର ଦେଇ ପାରିଲା ନାହିଁ । ବିଛଣାରେ ପଡ଼ିରହି ଉଛୁଳି ଉଛୁଳି କାନ୍ଦିବାକୁ ଲାଗିଲା କେବଳ ।

 

ତରଣୀ ଫେରିବାର ବିଳମ୍ବ ଦେଖି ଉର୍ବଶୀ ଦେବୀ ଭୀଷଣ ବିରକ୍ତ ହୋଇ ଉଠିଥିଲେ । ଭାବିଥିଲେ, ତରଣୀ ଆସିଲେ ତାକୁ କହିବେ–ପାଠ ଦି’ଅକ୍ଷର ପଢ଼ି ଉପାର୍ଜ୍ଜନ କଲୁ ବୋଲି ଏ ବଂଶର ସମ୍ମାନକୁ ତୁ ଅସମ୍ମାନିତ କରି ବସିବୁ ? ତୁ ଏତିକି ଭୁଲି ଯାଆନା ତରୀ, ଏ ବଂଶ ଗରିବ ହୋଇପାରେ କିନ୍ତୁ ଭିକାରୀ ନୁହେଁ । ଏ ବଂଶର ସମ୍ମାନ ନ ଥାଇ ପାରେ କିନ୍ତୁ ଏ ବଂଶର ଇଜ୍ଜତ୍ ଅଛି । ଆଉ ତୁ ସେଥିରେ କଳଙ୍କ ଲଗାଇବାକୁ ଚେଷ୍ଟା କଲେ...

 

ମାଆ ! ତରଣୀ ଚିତ୍କାର କରି ଉଠିଲା ।

 

ଉର୍ବଶୀ ଦେବୀ ଚମକି ଉଠିଲେ । ନିଜର ପୁଞ୍ଜିଭୂତ ରାଗ ରୋଷ, ଅଭିମାନ ନିଜ ମନରେ ମରିଗଲା । ତରଣୀ ଆଖିରେ ଲୁହ ଦେଖି ତାଙ୍କ ଆଖିରେ ବି ଲୁହ ଜକେଇ ଉଠିଲା । ଥର ଥର କଣ୍ଠରେ କହିଲେ–ତୋର କଣ ହୋଇଛି ତରୀ ! ତୁ ଇମିତି କାନ୍ଦୁଛୁ କାହିଁକି ?

 

ତରଣୀ ଅଳ୍ପ ମୁହଁଟେକି ଚାହିଁଲା । କଣ୍ଠ ଥରାଇ କହିଲା–ଦେବକାନ୍ତ ଚାଲିଗଲେ ମାଆ-!

 

ଚାଲିଗଲେ ? ମାନେ ?? ଉର୍ବଶୀ ଦେବୀ ପଚାରିଲେ ।

 

ମୋ ଉପରେ ଅଭିମାନ କରି ସେ ଚାଲିଗଲେ, ମୋତେ ଅପବାଦ ଦେଇ ଚାଲିଗଲେ, ମୋତେ ଭୁଲ୍ ବୁଝି ସେ ଚାଲିଗଲେ । ଯାହାକୁ ଅବଲମ୍ବନ କରି ଜୀବନ ନୌକାର ମଙ୍ଗ ଧରି ମୋର ମନର-ତରୀକୁ ଭରାନଦୀ ବକ୍ଷରେ ପରିଚାଳିତ କରି ସ୍ଵର୍ଣ୍ଣତରୀର ପରିକଳ୍ପନା କରିଥିଲି–ସେଇ କଳ୍ପନାରେ ସେ କୁଠାରଘାତ କରି ଆମେରିକା ଚାଲିଗଲେ ।

 

ଆମେରିକା ? ଚମକି ଉଠି ଉର୍ବଶୀ ଦେବୀ କହିଲେ–ଦେବକାନ୍ତ ଆମେରିକା ଚାଲିଗଲେ, ଅଥଚ ଏଠାରେ କାହାକୁ କହି ଯାଇନି ତ ?

ପ୍ରୟୋଜନ ନ ଥିଲା । ମୋର ଅନୁପସ୍ଥିତିରେ ସେ ଆସି ଧରଣୀକୁ ଚିଠି ଖଣ୍ଡିଏ ଦେଇ ଚାଲିଯାଇଥିଲେ । ଲେଖିଥିଲେ–ଯିବାକୁ ଯଦିଓ ଇଚ୍ଛା ନ ଥିଲା ତଥାପି ଯିବାକୁ ବାଧ୍ୟ ହେଉଛି । ତେଣୁ ଆଜିଠାରୁ ତୁ ମନେକରିବୁ, ତରଣୀ ପାଇଁ ଦେବକାନ୍ତ ମରିଯାଇଛି ।

ତରୀ !

ଦେବକାନ୍ତର ଚିଠିପାଇ ତାଙ୍କ ଘରରୁ ଯାଇଥିଲି । ମାଆ ! ମୁଁ ପହଞ୍ଚିବା ପୂର୍ବରୁ ସେ ଷ୍ଟେସନ ଚାଲିଯାଇଥିଲେ । ସଙ୍ଗେ ସଙ୍ଗେ ମୁଁ ମଧ୍ୟ ଷ୍ଟେସନ ଯାଇଥିଲେ । କିନ୍ତୁ ସେତେବେଳକୁ ଗାଡ଼ି ପ୍ଲାଟଫର୍ମ ଛାଡ଼ିବା ଆରମ୍ଭ କରିଦେଇଥିଲା ତଥାପି ମୁଁ ଠିକ୍ ଦେଖିଛି, ଦେବକାନ୍ତ ଫାଷ୍ଟକ୍ଲାସ କମ୍ପାର୍ଟମେଣ୍ଟ୍ ଭିତରେ ବସି କାନ୍ଦୁଥିଲା ।

କାହିଁକି ? ଉର୍ବଶୀ ଦେବୀ ପଚାରି ଉଠିଲେ ।

ସେ ଗୋଟାଏ ଇତିହାସ ମାଆ ! ମୁଁ ତୋତେ ପରେ ବୁଝାଇ ଦେବି ।

ନିମିଷକ ଭିତରେ ଛୋଟିଆ ପରିବାର ଭିତରେ ଏଇ ଦୁଃସମ୍ବାଦ ଖେଳିଗଲା । ତରଣୀ କାନ୍ଦିଲା, ଧରଣୀ କାନ୍ଦିଲା, ଉର୍ବଶୀ ଦେବୀ କାନ୍ଦିଲେ, ଆଉ କହିଲେ ମୁକ୍ତିରଞ୍ଜନ ।

ଦେବକାନ୍ତ କିଛି ନ ଜଣାଇ ଚାଲିଯିବାର ଦୁଃସମ୍ବାଦ ପାଇ ସେଦିନ ଘରେ ଚୁଲି ଜଳିନି କି କାହାପେଟକୁ ମୁଠାଏ ଭାତ ଯାଇନି । ଦେବକାନ୍ତ ପରି ମହତ, ଉଦାର, ବିଦ୍ଵାନ ଲୋକ ଯଦି ଏ ପରିବାରର ପ୍ରତ୍ୟେକ ମଣିଷକୁ ଭୁଲ ବୁଝେ ତେବେ ଉପାୟ ବା କଣ ?

 

ତଥାପି ସମସ୍ତେ ଦୁଃଖିତ ଦେଉଥିଲେ । ଦେବକାନ୍ତ ଥିଲା ଏଇ ଘରର ମାନଦଣ୍ଡ । ତା’ର ନିର୍ଦ୍ଦେଶରେ ପରିଚାଳିତ ହେଉଥିଲା ଏଇ ଦୁଃସ୍ଥ ପରିବାର । ତା’ରି ଦାନ, ଦୟା, ସ୍ନେହ, ସହାନୁଭୂତି ପାଇ ବଞ୍ଚି ରହିଥିଲା ଏଇ ଦରିଦ୍ର ସଂସାର । ଆଜି ତା’ ବିହୁନେ କଣ ଏଇ ପରିବାର ଧ୍ଵଂସ ପାଇଯିବ ?

 

ସମସ୍ତେ ଶୋଇଗଲେଣି । ତଥାପି ଶୋଇପାରି ନ ଥିଲା ତରଣୀ । ଅନିଶ୍ଚିତ ଭବିଷ୍ୟତର କୁହୁଳ । ନିଆଁ ଭିତରେ କିମିତି ସେ ବଞ୍ଚିରହିବ ସେଇୟା ଚିନ୍ତା କରୁଥିଲା ସେ ।

 

ସତରେ । ଦେବକାନ୍ତ ଉପରେ ସେ କେତେ ଆଶା ରଖିଥିଲା । କେତେ ଭରସା ରଖିଥିଲା । ଦେବକାନ୍ତ ବି ତାକୁ ସାହସ ଦେଇଥିଲା–ଆଶ୍ୱାସନା ଦେଇଥିଲା । –“ତୁ ମୋତେ ବିଶ୍ଵାସ କର ତରୀ ! ଦେବକାନ୍ତ ବଞ୍ଚିଥିବା ପର୍ଯ୍ୟନ୍ତ ତୋର କୌଣସି ଅସୁବିଧା ହେବନି । ତୋ ଆଖିର ଲୁହ ଦେଖି ସେ କେବେ ବରଦାସ୍ତ କରି ରହିପାରିବନି !

 

ଅଥଚ ଆଜି କୁଆଡ଼େ ଗଲା ସେଇ ଦେବକାନ୍ତ ! କୁଆଡ଼େ–ଗଲା ତା’ର ଆଦର୍ଶଭରା ଉପଦେଶ !! ସାମାନ୍ୟ ଭୁଲ ବୁଝି ତା’ କପାଳରେ କଳଙ୍କର ଟିକା ଲେପି ଚାଲିଗଲା, ଆଉ ସାରାଜୀବନ ପାଇଁ ବିଞ୍ଚି ଦେଇଗଲା ଦୁଃଖ, ହା-ହୁତାଶ, ବେଦନାର ଅଗ୍ନି କଣା । ତଥାପି ଦେବକାନ୍ତକୁ ସେ ଅପେକ୍ଷା କରିବ । ଖଣ୍ଡାଧାରରେ ଠିଆହୋଇ ଦେବକାନ୍ତକୁ ସେ ପ୍ରତୀକ୍ଷା କରିବ-। ଆଜୀବନ କୁମାରୀ ବ୍ରତ ପାଳନ କରି, ଦେବକାନ୍ତର ଅମର ସ୍ମୁତିକୁ ପାଥେୟ–କରି ସେ ବଞ୍ଚି ରହିବ, ଆଉ ଦେବକାନ୍ତ ଆମେରିକାରୁ ଫେରିଲେ ତାକୁ ସାକ୍ଷାତ୍ କରି କହିବ ‘କୁହ ଦେବକାନ୍ତ-! ମୋର ଦୋଷ କଣ ? ମୋର ଅପରାଧ କଣ ?? ତମେ ମୋତେ ଯାହା କହିବ ମୁଁ ସହ୍ୟ କରିବି, କିନ୍ତୁ ମୋର ଅନୁପସ୍ଥିତରେ ମୋର କୁତ୍ସାରଟନା କଲେ ମୁଁ ସହ୍ୟକରି ପାରିବି ନାହିଁ । ତମେ ସେଦିନ ଛପି ରହି ଯଦି ସୁଖମୟର କଥା ଶୁଣୁଥିଲ; ତେବେ ଶେଷପର୍ଯ୍ୟନ୍ତ ନ ଶୁଣି କାହିଁକି ଅଧବାଟରୁ ଲେଉଟି ଆସିଲ ? କାହିଁକି ସତୀକନ୍ୟାକୁ ‘ଭ୍ରଷ୍ଟା’ର ଆଖ୍ୟା ଦେଲ ?

 

ତମେ ମୋତେ ଘୃଣାକର, ମୋର ବଦନାମ କର, ମୋତେ ବାରବନିତା, ଭ୍ରଷ୍ଟା, ପତିତାର ଆଖ୍ୟା ଦିଅ, ତଥାପି ମୁଁ ତମରି ଉପଦେଶକୁ ମୋ ଜୀବନର ସିଦ୍ଧି ପାଇଁ ଗ୍ରହଣ କରିନେବି ।

 

ଭାବନା ରାଜ୍ୟରୁ ମୁକୁଳି ଆସି କଡ଼ ଲେଉଟାଇଲା ତରଣୀ । ବେଦନାର ଅଶ୍ରୁଧାର ଆଖିରୁ ଛୁଟିଚାଲିଛି ଅବିରାମ ରାତିରେ । ସେ ବନ୍ଦ ହେବାର ନୁହେଁ କି ବନ୍ଦ ହେବନି ମଧ୍ୟ । ପାହାନ୍ତି ଆକାଶରେ ଉଦ୍‌ଭ୍ରାନ୍ତ ବାୟୁସଗୁଡ଼ିକ କୋଳାହଳ–କରି ଘରର ମଥାନ ଉପରେ ଉଡ଼ିଗଲେ । ହଠାତ୍ ତରଣୀ ଆବିଷ୍କାର କଲା, ଭାବନା ଭିତରେ ତେବେ ରାତିଟି ପାହିଯାଇଛି । ଦରଜା ଖୋଲି ବାହାରକୁ ଆସିଲା ତରଣୀ ।

 

।। ୨ ।।

 

ନିସ୍ତବ୍‌ଧ ରାତ୍ରିର ବୁକୁଚିରି ପୁରୀ ଏକ୍‌ସପ୍ରେସ୍ ଛୁଟିଥିଲା ଭାବନାରାଜ୍ୟରୁ ଫେରିଆସି ବାହାରକୁ ଚାହିଁଲା ଦେବକାନ୍ତ କେଉଁ ଏକ ଷ୍ଟେସନରେ ଗାଡ଼ି ଅଟକ ରହିଛି ।

 

ସିଗାରେଟ୍ କାଢ଼ି ନିଆଁ ଧରାଇଲା ଦେବକାନ୍ତ । ହଠାତ୍ ତା’ର ମନେପଡ଼ିଲା–ତରଣୀ ଥିଲେ ପାଟିରୁ ସିଗାରେଟ୍ ଛଡ଼ାଇ କହିଥାଆନ୍ତା–ଛି, ସିଗାରେଟ୍ ଖାଇ ନିଜର ସୁସ୍ଥସବଳ ଯୌବନଦୀପ୍ତ ଶରୀରକୁ ଧ୍ଵଂସ କରିଦିଅନି । ମୋ ଛୋଟକଥା ମାନ ! ତମେ ସେଇ ଧ୍ଵଂସମୁଖୀ ଜିନିଷର ଅଭ୍ୟାସ ଛାଡ଼ !

 

କିନ୍ତୁ ଆଜି......

 

ସେଇ ଦେବକାନ୍ତ ଅଛି, କିନ୍ତୁ ସେଇ ତରଣୀ ନାହିଁ । ତା’ର ସେଇ ଛୋଟ ଉପଦେଶ ନାହିଁ । କଣ ବା ପ୍ରୟୋଜନ ସେଇ ତରଣୀ ପାଇଁ ? ଯିଏ ଗୋଟିଏ ପୁରୁଷକୁ ଭଲପାଇ ଆଉ ଗୋଟିଏ ପୁରୁଷ ପାଖରେ ନିଜକୁ ସମର୍ପଣ କରିଦେଇପାରେ–ସେଇ ଭ୍ରଷ୍ଟା ପାଇଁ ଏତେ ଚନ୍ତାକରି ଲାଭ କଣ ? ତା’ର ଉପଦେଶ ଗ୍ରହଣ କରି କେଉଁ ସୁଖରେ ସୁଖୀ ହେବ ସେ ?

 

ତରଣୀ ପିଶାଚୀ, ରାକ୍ଷସୀ, ବିଶ୍ଵାସଘାତିନୀ । ଦିନେ ଯୌବନର ଏକ ସୁବର୍ଣ୍ଣ ପ୍ରଭାତରେ ତରଣୀକୁ ସେ ବିଶ୍ଵାସ କରିଥିଲା, ଭରସା କରିଥିଲା, ଭଲ ପାଇଥିଲା ।

 

ଅଥଚ ବିନିମୟରେ ପାଇଲା କଣ ?

 

ସୁନା ପଞ୍ଜୁରୀର ଲୋଭ ଦେଖାଇ ଶାରୀକୁ ରଖି ହୁଏ, କିନ୍ତୁ ତା’ର ମନକୁ ବାନ୍ଧି ହୁଏ ନାହିଁ । ସାମାନ୍ୟ ସୁବିଧା ସୁଯୋଗ ପାଇଲେ ଶାରୀ ଉଡ଼ିଯିବା କିଛି ଅସମ୍ଭବ ନୁହେଁ । ତରଣୀ ହୁଏତ ଆଜି ଠିକ୍ ସେଇୟା କରିଛି । ତୁଣ୍ଡଖୋଲି ଯାହା ପାଖରେ ନିଜର ଅଭାବ ଅସୁବିଧା ଜଣାଇ ପାରୁ ନ ଥିଲା, ଅପରବ୍ୟକ୍ତି ନିକଟରେ ତାହାକୁ ପରିସ୍ଫୁଟ କରାଇ ନିଜର ଅଭାବ ମେଣ୍ଟାଇ ପାରିଲା-। ୟା’ଠାରୁ ବୁଦ୍ଧିମତୀ ନାରୀ ଆଉ କିଏ ବା ଥାଇପାରେ ?

 

ଅଧାଜଳା ସିଗାରେଟ୍‍କୁ ବାହାରକୁ ଫିଙ୍ଗି ଦେଲା ଦେବକାନ୍ତ । ଏକ୍‌ସପ୍ରେସ ଦ୍ରୁତଗତିରେ ମାଡ଼ି ଚାଲିଛି । ବାହାରକୁ ନିରୀକ୍ଷଣ କରି ହେଉନି । ଥଣ୍ଡାପବନ ଆଉ କୋଇଲାଗୁଣ୍ଡ କମ୍ପାର୍ଟମେଣ୍ଟ୍ ଭିତରକୁ ପଶି ଆସୁଛି ।

 

ଝରକା ବନ୍ଦ କରି ଦେବକାନ୍ତ ଚାହିଁଲା । ସାମନା ବର୍ଥ ଉପରେ ଗୋଟିଏ ରୂପସୀ ତରୁଣୀ ନିଘୋଡ଼ ନିଦରେ ଶୋଇଯାଇଛି । ବକ୍ଷର ଶାଢ଼ି ବିପର୍ଯ୍ୟସ୍ତ ଭାବରେ ତଳେ ଲୋଟି ପଡ଼ିଛି-। ଝୀନ ପରିଧେୟ ଅନ୍ତରାଳରେ ଅତୁଳ ଯୌବନର ସୁସ୍ପଷ୍ଟ ପରିପ୍ରକାଶ ।

 

ଏକ ଦୀର୍ଘନିଶ୍ଵାସ ଛାଡ଼ି ପୁଣି ଖଣ୍ଡେ ସିଗାରେଟ୍‌ରେ ନିଆଁ ଧରାଇଲା ଦେବକାନ୍ତ । କେଉଁ ଏକ ଷ୍ଟେସନରେ ଗାଡ଼ି ଅଧିକ ରହିଲା ।

 

ମୁଦା ଆଖିପତା ଦୁଇଟି ଖୋଲି ଯୁବତୀଟି ଚାହିଁଲା । ବିପର୍ଯ୍ୟସ୍ତ ପରିଧେୟକୁ ଅନାବୃତ ଶରୀର ଉପରେ ଆବୃତ କରି ବାଥ୍‌ରୁମ ଭିତରକୁ ସେ ପ୍ରବେଶ କଲା ।

 

ଦେବକାନ୍ତ ଚାହିଁଥିଲା ତା’ର ଚଲାପଥକୁ ।

 

ଅଧୁଆ ମୁହଁରେ ପାଣିର ପ୍ରଲେପ ଦେଇ ବାଥ୍‌ରୁମ ଭିତରୁ ବାହାର ଆସିଲା ତରୁଣୀଟି-। ନିଜ ହ୍ୟାଣ୍ଡବ୍ୟାଗ୍ ଖୋଲି ଟର୍କିସ୍‌ ଟାୱ୍ୟାଲରେ ମୁହଁ ପୋଛି ବସିଲା । ତା’ପରେ ଅଳସ ଅଙ୍ଗଲତା ସଞ୍ଚାଳନ କରି କମ୍ପାର୍ଟମେଣ୍ଟ୍‌ର ଦରଜା ଖୋଲି ବାହାରକୁ ଚାହିଁଲା ।

 

ଦେବକାନ୍ତ ତରୁଣୀଟିକୁ ଚାହିଁଲା । ସତରେ; କି ଅସମ୍ଭବ ଭାବରେ ସୁନ୍ଦର ଦେଖାଯାଉଛି ସେ ! ସୁଗଠିତ ଅଙ୍ଗରେ ଭରା ଲାବଣ୍ୟର ମହୋତ୍ସବ । ରକ୍ତିମ ଅଧର ତଳେ ଅସରା ହସର ବର୍ଣ୍ଣାଢ଼୍ୟ ସମାବେଶ । ମସୀକୃଷ୍ଣ କେଶଗୁଚ୍ଛରୁ ଭାସିଆସୁଚି ସୁବାସିତ ବାସନା-ହେନାର ଭୁରୁ ଭୁରୁ ମହକ । ସୁଗଠିତ ଅଙ୍ଗ ଅବୟବ । ତା’ର ଦେହରେ ଭରି ରହିଛି ଆଶା ଆକାଂକ୍ଷାର ଅଜସ୍ର ଢେଉ ।

 

ଦେବକାନ୍ତ ସେମିତି ଚାହିଁ ରହିଥଲା ।

 

ଅଳ୍ପସମୟ ପରେ ତରୁଣୀ ଦରଜା ବନ୍ଦକରି ନିଜ ସିଟ୍ ରେ ବସିପଡ଼ିଲା । କମ୍ପାର୍ଟମେଣ୍ଟର ଚାରିଆଡ଼କୁ ଦୃଷ୍ଟି ଘୂରାଇ ଆଣି ଦେବକାନ୍ତକୁ ଲକ୍ଷ୍ୟକରି କହିଲା–କୁଆଡ଼େ ଯିବେ ଆପଣ ?

 

ଦେବକାନ୍ତ ଗମ୍ଭୀର କଣ୍ଠରେ କହିଲା–ମୋତେ ପଚାରୁଛନ୍ତି ?

 

ତରୁଣୀଟୀ ହସିଲା । କହିଲା–ଏ କମ୍ପାର୍ଟମେଣ୍ଟ ଭିତରେ ଆପଣଙ୍କ ଛଡ଼ା ଦ୍ଵିତୀୟ ବ୍ୟକ୍ତି ଆଉ ବୋଧେ କେହି ନାହାନ୍ତି–ଯାହା ସଙ୍ଗେ ମୁଁ କଥାଭାଷା କରିବି !

 

ଏତେ ଉଚ୍ଛୁରରେ ଦେବକାନ୍ତ ହୃଦୟଙ୍ଗମ କଲା, ସତରେ ସେଇ କମ୍ପାର୍ଟମେଣ୍ଟ ଭିତରେ ସେଇ ଦୁହିଁଙ୍କ ଛଡ଼ା ତୃତୀୟ ବ୍ୟକ୍ତି କେହି ନାହାନ୍ତି । ତଥାପି ଲଘୁ ପରିହାସରେ କହିଲା–ମୁଁ ଯଦି ଆପଣଙ୍କୁ ସେଇ ପ୍ରଶ୍ନ ପଚାରେ ?

 

ଯୁବତୀଟି ମୃଦୁ ହସି କହିଲା–ମୁଁ ଅନେକଦୂର ଯିବି ।

 

ତଥାପି ଯିବାର ଏକ ନିର୍ଦ୍ଦିଷ୍ଟ ସ୍ଥାନ ଥିବ ନିଶ୍ଚୟ ? ହଁ

 

ତେବେ କହୁନାହାନ୍ତି କୁଆଡ଼େ ଯିବେ ? ଦେବକାନ୍ତ କହି ଉଠିଲା ।

 

ଯୁବତୀ ମୃଦୁ ହସିଲା । କହିଲା, ମୁଁ ଯେଉଁ ପ୍ରଶ୍ନ ପଚାରିଥିଲି, ସେଇ ପ୍ରଶ୍ନକୁ ଆପଣ ମୋତେ ପଚାରି ବସିଲେ । ହଉ; ମୁଁ କହୁଛି, କିନ୍ତୁ ଆପଣଙ୍କୁ ମଧ୍ୟ ମୋ ପ୍ରଶ୍ନର ଉତ୍ତର ଦେବାକୁ ହେବ । ହଁ, ମୁଁ ନିଶ୍ଚୟ କହିବି । ଦେବକାନ୍ତ ଉତ୍ତର ଦେଲା ।

 

ଯୁବତୀ କହିଲା–ମୋଟେ ବାରଟି ଘଣ୍ଟା କଲିକତାରେ ରହି ରାତି ବିମାନରେ ମୁଁ ଆମେରିକା ଯିବି ।

 

ଆମେରିକା ! ଦେବକାନ୍ତ ଚମକି ଉଠିଲା ।

 

କୁହନ୍ତୁ ? ଆପଣ କୁଆଡ଼େ ଯିବେ ? –ଯୁବତୀଟି ପଚାରିଲା ।

 

ମୁଁ ମଧ୍ୟ ଆମେରିକା ଯିବି । –ଦେବକାନ୍ତ ଉତ୍ତର ଦେଲା । ଖିଲି ଖିଲି ହୋଇ ହସି ଉଠିଲା ତରୁଣୀଟୀ । ଭାବିଲା ଯୁବକଟି ତା’ ସାଥୀରେ ପରିହାସ କରୁଛି । ନିରୋଳା ମୂହୁର୍ତ୍ତ ଦେଖି ଆତ୍ମୀୟତା ବାନ୍ଧିବାକୁ ଚେଷ୍ଟାକରୁଛି ।

 

କିନ୍ତୁ ପରିଧାନରୁ ମନେହେଉଛି, ଶିକ୍ଷିତ ଆଭିଜାତ୍ୟ ପରିବାରର ସନ୍ତାନ । ତଥାପି ଯୁବକ-ମନର ଅନ୍ତରାଳରେ କଣ ଅଛି କିଏ କହିପାରିବ ?

 

ହଠାତ୍ ଦେବକାନ୍ତ କହି ଉଠିଲା, ଗନ୍ତବ୍ୟସ୍ଥଳ ତ କହିଦେଲେ, ଏଥର ନାମଟା କହିବାକୁ କାହିଁକି କୁଣ୍ଠାବୋଧ କରୁଛନ୍ତି ?

 

ମୁଁ ଯଦି ଆପଣଙ୍କୁ ଠିକ୍ ସେଇ ପ୍ରଶ୍ନ ପଚାରେ ? ଯୁବତୀ କହି ଉଠିଲା ।

 

ମୋ ନାମଟା ଶୁଣିବାକୁ ଆପଣଙ୍କର ପ୍ରବଳ ଝୁଙ୍କ୍ ଦେଖି ମୁଁ ନିଜେ ମଧ୍ୟ ବିସ୍ମିତ ହେଉଛି-। ଏକ ଯାତ୍ରୀବାହି ରେଳଗାଡ଼ିରେ ଅନେକ ଯାତ୍ରୀ ଆସିଛନ୍ତି । ତାଙ୍କରି ଭିତରୁ ମୁଁ ମଧ୍ୟ ଜଣେ । ତେଣୁ ଜଣେ ସାଧାରଣ ପଥିକର ନାମଟା ଜାଣିବାକୁ କାହିଁକି ବ୍ୟଗ୍ର ହେଉଛନ୍ତି ?

 

ମାନେ ? ଯୁବତୀଟି କହି ଉଠିଲା ।

 

ନାଁ, କିଛି ନୁହେଁ । ମୋ ନାମ ହେଉଛି ଦେବକାନ୍ତ ପଟ୍ଟନାୟକ ।

 

ଦେବକାନ୍ତ ପଟ୍ଟନାୟକ ! ଚିହିଙ୍କି ଉଠିଲା ତରୁଣୀଟି ।

 

ଚମକି ଉଠିଲେ ଯେ ?

 

ଆପଣ ତେବେ ଏମ୍. ଏ ରେ ଫାଷ୍ଟକ୍ଲାସ ଫାଷ୍ଟ ହୋଇ ସ୍ଵର୍ଣ୍ଣପଦକ ପାଇଛନ୍ତି ? ତାହାହେଲେ ଆପଣ ହେଉଛନ୍ତି ଓଡ଼ିଶାର ଜଣେ କୃତୀ ସନ୍ତାନ !

 

ଦେବକାନ୍ତ ସ୍ମିତ ହସି କହିଲା–ଜାଣି ଖୁସି ହେଲି ଯେ, ଏକ ଅଜ୍ଞାତ କୁଳଶୀଳ ବ୍ୟକ୍ତିର ଏତେଟା ପରିଚୟ ଆପଣ ସଂଗ୍ରହ କରି ପାରିଛନ୍ତି !

 

ତରୁଣୀଟି ଲୁଚାଇ ପାରିଲାନି ନିଜ ମନକଥା । ଦେବକାନ୍ତର ବିରାଟ ବ୍ୟକ୍ତିତ୍ଵ ପାଖରେ ସ୍ଵତଃ ମଥା ତା’ର ନଇଁଗଲା । କହିଲା–ଆପଣଙ୍କ ସଙ୍ଗେ ଚାକ୍ଷୁସ ସାକ୍ଷାତ୍ ନ ହୋଇଥିଲେ ମଧ୍ୟ ଆପଣଙ୍କର ସମସ୍ତ ଖବର ମୁଁ ସଂଗ୍ରହ କରିଛି । ସମ୍ବାଦପତ୍ରରେ ଆପଣଙ୍କର ପ୍ରଶଂସାପତ୍ର ପଢ଼ିଛି । ସତରେ, ଆପଣ ଓଡ଼ିଶାର ଉଜ୍ଜ୍ଵଳ ତାରକା ।

 

ଦେବକାନ୍ତ ମୃଦୁ ହସି କହିଲା—ଥାଉ ଥାଉ; ସମ୍ବାଦ—ଦାତାମାନେ ଏ ଖବର ଶୁଣିଲେ, ହୁଏତ ତାଙ୍କ ସମ୍ବାଦପତ୍ର ବେଶି ବିକ୍ରି ହେବାପାଇଁ ପ୍ରଥମ ପୃଷ୍ଠାର ହେଡ୍‌ଲାଇନରେ ଏହାକୁ ଛାପିଦେବେ ।

 

ଆତ୍ମୀୟତା ଜନ୍ମାଇବା ଉଦ୍ଦେଶ୍ୟରେ ଅତି ଆପଣାର ଭଳି ଯୁବତୀ କହିଲା–ସତରେ ଦେବକାନ୍ତବାବୁ ! ପ୍ରଥମରୁ ଆପଣଙ୍କ ଉପରେ ମୋ ମନରେ କୁତ୍ସିତ ଧାରଣା ଜନ୍ମିଥିଲା । ଭାବିଥିଲି, ଆପଣ ମୋତେ ମିଛ କହୁଛନ୍ତି । କିନ୍ତୁ ବର୍ତ୍ତମାନ ଆପଣଙ୍କ ନାମଟା ଜାଣି ସବୁ ବିଶ୍ଵାସ କରିବାକୁ ବାଧ୍ୟ ହେଉଛି । ସରକାର ତାଙ୍କ ନିଜ ଖର୍ଚ୍ଚରେ ଆପଣଙ୍କୁ ଆମେରିକା ପଠାଇବେ ବୋଲି ସ୍ଥିର କରିଥିଲେ । କିନ୍ତୁ ଆପଣ ମନାକରି ଦେଇଥିଲେ, ଅଥଚ ପୁଣି ମତ ପରିବର୍ତ୍ତନ କରି ଆପଣ ଯେ ଆମେରିକାପଥର ଯାତ୍ରି ହୋଇ ପଡ଼ିବେ, ଏହା କେହି କଳ୍ପନା କରି ନ ଥିଲେ ।

 

ଦେବକାନ୍ତ ଅବାକ୍ ହୋଇ ଉଠିଥିଲା ଏଇ ଛନ୍ଦଚପଳା ତରୁଣୀଟିର ସ୍ପଷ୍ଟ ଅଭିବ୍ୟକ୍ତି ଶୁଣି । ତରୁଣୀଟି ତାହାହେଲେ ତାର ସମସ୍ତ ଇତିହାସ ସଂଗ୍ରହ କରିପାରିଛି । କିନ୍ତୁ କାହିଁକି ?

 

ଏଥର ଯୁବତୀଟି ନିଃସଂକୋଚରେ କହିଲା-“ମୋର ନାମ ଜ୍ୟୋତ୍ସ୍ନା ପଟ୍ଟନାୟକ । ଏମ୍.ଏରେ ମୁଁ ଦ୍ଵିତୀୟ ଶ୍ରେଣୀ ପ୍ରଥମ ହୋଇଛି । ସରକାରଙ୍କ ବୃତ୍ତି ପାଇ ମୁଁ ମଧ୍ୟ ଆମେରିକା ଯାଉଛି ।

 

ଆପଣଙ୍କର ଘର ? ଦେବକାନ୍ତ ପଚାରି ଉଠିଲା ।

 

ନିଜର ଜନ୍ମସ୍ଥାନ ପୁରୀ । ବାପା ମଧ୍ୟ ସେଇଠି ଅଛନ୍ତି । ଅବସରପ୍ରାପ୍ତ ଜିଲ୍ଲା ମାଜିଷ୍ଟ୍ରେଟ ବୈରୀଗଞ୍ଜନ ପଟ୍ଟନାୟକଙ୍କର ଏକମାତ୍ର ସନ୍ତାନ ମୁଁ ।

 

ପରିଚୟର ଆଦାନ-ପ୍ରଦାନ ପରେ ଦୁହେଁ ଦୁହିଁଙ୍କୁ ମୁଗ୍‌ଧ ଦୃଷ୍ଟିରେ ଚାହିଁ ରହିଲେ ।

 

ଫ୍ଲାସ ଭିତରୁ କଫି ବାହାର କରି ଦେବକାନ୍ତ ହାତକୁ ଗୋଟିଏ କପ ବଢ଼ାଇ ଦେଇ କହିଲେ–ଯାହାହେଉ, ଏଥର ଆମର ଯାତ୍ରାଟା ନିଶ୍ଚୟ ରସମୟ ହୋଇଉଠିବ । ଘରୁ ଆସିଲାବେଳେ ଭାବିଥିଲି, ସାଥୀହୀନ ଯାତ୍ରି ହୋଇ କିମିତି ଦୀର୍ଘପଥ ପରିଭ୍ରମଣ କରିବି । କିନ୍ତୁ ଭଗବାନଙ୍କ ଆର୍ଶୀବାଦରୁ ଆମେ ଦୁହେଁ ସାଥୀ ହୋଇଛେ । ଏଥର ଯାତ୍ରାଟା ନିଶ୍ଚୟ ଉପଭୋଗ୍ୟ ହୋଇ ଉଠିବ । ନୁହେଁ ?

 

ଦେବକାନ୍ତ ମୁଗ୍‌ଧ ଦୃଷ୍ଟିରେ ଚାହିଁ ରହିଥିଲା ଜ୍ୟୋତ୍ସ୍ନାକୁ । ଜ୍ୟୋତ୍ସ୍ନା ହସୁଛି । କହୁଛି–ମୋତେ ଆପଣ ନିଶ୍ଚୟ ସାହାଯ୍ୟ କରିବେ । କେବଳ ଏଠାରେ ନୁହେଁ କିମ୍ବା କଲିକତାରେ ନୁହେଁ–ଆମେରିକାରେ ମଧ୍ୟ ।

 

ଦେବକାନ୍ତ ସେମିତି ଚାହିଁ ରହିଥିଲା ସେଇ ପ୍ରଗଳ୍‌ଭା ତରୁଣୀଟିକୁ ।

 

ଆରେ ! ଚାହଁଛନ୍ତି କଣ ? କଫି ଥଣ୍ଡା ହୋଇଯିବ ଯେ ? ଦେବକାନ୍ତ ପ୍ଲେଟରେ ମୁହଁ ଲଗାଇଲା ।

 

ଜ୍ୟୋତ୍ସ୍ନା କହିଲା–ଗୋଟିଏ କଥା ପଚାରିବି ବୋଲି ମନସ୍ଥ କରିଛି । ଯଦି ଅନୁମତି ଦେବେ.....

 

କଣ କୁହନ୍ତୁ ? ଯଦି ବ୍ୟକ୍ତିଗତ ନ ହୋଇଥାଏ ତେବେ ନିଶ୍ଚୟ ଉତ୍ତର ପାଇବେ । ବ୍ୟକ୍ତିଗତ ନିଶ୍ଚୟ, ଯଦିଓ ପଚାରିବା ମୋର ଅନ୍ୟାୟ ତଥାପି ପଚାରିବାକୁ ମୁଁ ବାଧ୍ୟ ହେଉଛି । କିନ୍ତୁ ଆପଣ ମୋତେ ପ୍ରତିଶ୍ରୁତି ଦିଅନ୍ତୁ, ଯେମିତି ନିଶ୍ଚୟ ଉତ୍ତର ଦେବେ ।

 

ପ୍ରଶ୍ନଟା କଣ କୁହନ୍ତୁ ?

 

ଆପଣ ଗାଡ଼ିକୁ ଉଠିବା ପରଠାରୁ ମୁଁ ଆପଣଙ୍କୁ ଲକ୍ଷ୍ୟ କରିଛି ଏବଂ ଆପଣଙ୍କୁ ଚାହିଁ ଚାହିଁ ମୋତେ ନିଦ ମଧ୍ୟ ଆସିଯାଇ–ଥିଲା । ବର୍ତ୍ତମାନ ଆଳାପ, ପରିଚୟ, ବନ୍ଧୁତ୍ଵ ନିବିଡ଼ ହେବାରୁ ମୁଁ କହିବାକୁ ସାହସ କରୁଛି । ମୁଁ ଆପଣଙ୍କୁ କଟକ ଷ୍ଟେସନରୁ ଲକ୍ଷ୍ୟ କରୁଛି । ଆପଣ ଗାଡ଼ିରେ ବସିବା ପରଠାରୁ ଚୁପ୍ ଚୁପ୍ କାନ୍ଦିଛନ୍ତି, ଆଖିରୁ ଲୁହ ପୋଛୁଛନ୍ତି । ମୁହୁର୍ମୁହୁଃ ଦୀର୍ଘନଶ୍ଵାସ ଛାଡ଼ିଛନ୍ତି-। କିନ୍ତୁ କାହିଁକି ? କାହିଁକି ଆପଣ ଏତେ ଦୁଃଖ ଭିତରେ ଆମେରିକାର ଯାତ୍ରୀ ହୋଇପଡ଼ିଲେ ? କାହିଁକି, କ’ଣପାଇଁ ଆପଣ କାନ୍ଦୁଥିଲେ ??

 

ଦୀର୍ଘନିଶ୍ଵାସ ଛାଡ଼ି ସିଗାରେଟ୍‌ ମୁହଁରେ ଧରିଲା ଦେବକାନ୍ତ । ପାଖରେ ପଡ଼ିଥିବା ଦିଆସିଲିଟିକୁ ଉଠାଇ ନେଇ ଜ୍ୟୋତ୍ସ୍ନା ନିଆଁ ଧରାଇଦେଲା ସିଗାରେଟ୍ ରେ ।

 

ତରଣୀ ଥିଲେ ଦେବକାନ୍ତ ମୁହଁ ରୁ ସିଗାରେଟ୍ ଛଡ଼ାଇ କହିଥାଆନ୍ତା–ଛି, ତମେ ସିଗାରେଟ୍ ଖାଅନି । ମୋ ଛୋଟ କଥା ମାନ !

 

କିନ୍ତୁ...

 

ଜ୍ୟୋତ୍ସ୍ନା ଅଭିଯୋଗ କରୁଛି । କଣ୍ଠରେ ମିନିତି ଭରି ରହିଛି ତାର । କିନ୍ତୁ କି ଉତ୍ତର ଦେବ ସେ ? ଯାହାକୁ ଭୁଲିଯିବାକୁ ଚେଷ୍ଟାକରି ସେ ଏତେ ଦୂରକୁ ଛୁଟିଆସିଛି, ସେଇ ପ୍ରଶ୍ନ ଶୁଣିବା–ପାଇଁ ଅଳି କରୁଛି ଜ୍ୟୋତ୍ସ୍ନା ।

 

ଆପଣ କହିବେ ନାହିଁ ? –ଜ୍ୟୋତ୍ସ୍ନା କହିଉଠିଲା । ଏତେ ଘନିଷ୍ଠତା ହେବା ପରେ ମଧ୍ୟ ଆପଣ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି ?

 

ପ୍ରତିବାଦ କଲା ଦେବକାନ୍ତ । ନାଁ ଜ୍ୟୋସ୍ନା ଦେବୀ ! ସେ ଅନେକ କଥା । ମୁଁ ପରେ କହିବି ସବୁ ।

 

ବର୍ତ୍ତମାନ କହୁନାହାନ୍ତି ? ଜ୍ୟୋତ୍ସ୍ନା ଅନୁରୋଧ କଲା । ଦେବକାନ୍ତ ବାହାରକୁ ଚାହିଁଲା । ରାତି ପାହିଗଲାଣି । ସକାଳର ପ୍ରଥମ ଖରା ଧରାବକ୍ଷକୁ ଛୁଇଁବାକୁ ଆରମ୍ଭ କଲାଣି ।

 

ଦେବକାନ୍ତ କହିଲା–ହାଓଡ଼ା ଷ୍ଟେସନ ନିକଟ ହୋଇ ଆସିଲାଣି ଜ୍ୟୋସ୍ନା ଦେବୀ !

 

ମୁଁ ଜାଣେ । ଆପଣ ମୋତେ ଠକିଦେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଅସଲ ସତକଥାଟା ନ ଶୁଣିବା ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ । ମୁଁ ପରେ କହିବି । କିନ୍ତୁ ଆଜି ନୁହେଁ । ଏକ୍‌ସପ୍ରେସ ହାଓଡ଼ା ଷ୍ଟେସନରେ ରହିଲା । ନିଜର ହ୍ୟାଣ୍ଡବ୍ୟାଗ୍ ସଜାଡ଼ିବାରେ ଲାଗିଲା ଜ୍ୟୋତ୍ସ୍ନା ।

 

।। ୩ ।।

 

ଦୀର୍ଘ ଆଠଟିଦିନ ଗଭୀର ଭାବରେ ଚିନ୍ତାରେ ଶେଷ ନିଷ୍ପତ୍ତିରେ ପହଞ୍ଚିଲା ତରଣୀ ! ନିଜକୁ ଅକ୍ଷତ ଆଉ ପବିତ୍ର ରଖିବାକୁ ହେଲେ ତାକୁ ସୁଖମୟ ଦପ୍ତରରୁ ଚାକିରି ଛାଡ଼ିବାକୁ ହେବ । ତାଙ୍କ ପାଖରୁ ଦୂରରେ, ବହୁ ଦୂରରେ ରହିବାକୁ ପଡ଼ିବ । ତାଙ୍କ ସହିତ ସମସ୍ତ ବନ୍ଧନ ଛିନ୍ନ କରିବାକୁ ହେବ ।

 

ପରମୁହୂର୍ତ୍ତରେ ଅନ୍ନ ଚିନ୍ତା ତା’ ମନ ଭିତରେ ଖେଳିଯାଏ । ସୁଖମୟବାବୁଙ୍କ ପାଖରୁ ଚାଲି ଆସିଲେ ସେ ବଞ୍ଚିବ କିମିତି ? ପରିବାର କିମିତି ଚଳିବ ? ମୁଠାଏ ଭାତ ପାଇଁ କଲବଲ ହୋଇ ସମସ୍ତେ କ’ଣ ମୃତ୍ୟୁକୁ ଅଭିନନ୍ଦନ ଜଣାଇବେ ?

 

ନା, ସେ କାମ କରିବ, ଚାକିରି କରିବ, କିନ୍ତୁ ସୁଖମୟର ବିଷାକ୍ତ ଦପ୍ତରରେ ନୁହେଁ–ସୁଖମୟ ପରି କାମାନ୍ଧ ପୁରୁଷ ନିକଟରେ ନୁହେଁ । ମୁଠାଏ ଭାତ ପାଇଁ ନିଜ ସତୀତ୍ୱକୁ ସେ ବଳିଦେଇ ପାରେନା । କାଣିଚାଏ ସୁଖ ସମ୍ଭୋଗ ପାଇଁ ନିଜ ବଂଶର ସମ୍ମାନକୁ ଅସମ୍ମାନିତ କରିପାରେନା ।

 

କ’ଣ ନ କଲା ସତେ ସୁଖମୟ ! ତା’ର କୁସୁମିତ ସୁବର୍ଣ୍ଣ-ଜୀବନକୁ ଧୂଳିସାତ୍ କରିଦେଲେ । ତା’ର କୁମାରୀ ଜୀବନରେ ଅଗ୍ନି ସଂଯୋଗ କଲା । ସୁନେଲୀ ଭବିଷ୍ୟତକୁ ପୋଡ଼ିଜାଳି ପାଉଁଶ କରିଦେଲା । କେବଳ ସୁଖମୟ ପାଇଁ ଦେବକାନ୍ତ ତାକୁ ଭୁଲ୍ ବୁଝି ଆମେରିକା ଚାଲିଗଲା–ଆଉ ତାକୁ ଅସତୀ, ଭ୍ରଷ୍ଟା, ପତିତା କହିପାରିଲା ।

 

ତେବେ ଉପାୟ ?

 

ତରଣୀ ଭାବିଲା–ଯେଉଁ ସୁଖମୟ ପାଇଁ ତା’ ଜୀବନ ବ୍ୟର୍ଥ ହୋଇଯାଇଛି–ସେଇ ସୁଖମୟର କୁସୁମିତ ଯୌବନକୁ ଧ୍ୱଂସ କୁତ୍ସାରଟନା କରିବ । କିନ୍ତୁ ଲାଭ କ’ଣ ପାଇବ ସିଏ ? ଜଣେ ନିଃସ୍ଵା ନାରୀ ଏକ ଧନୀ ପୁରୁଷ ସହିତ କେଉଁ ପ୍ରତିଯୋଗିତାରେ ସମକକ୍ଷ ହୋଇପାରିବ ?

 

କିନ୍ତୁ ଶେଷ ପର୍ଯ୍ୟନ୍ତ ଦେବକାନ୍ତ ଯଦି ତାକୁ ଭୁଲ ବୁଝେ ? ତେବେ ସୁଖମୟ ପ୍ରତି ପ୍ରତିଶୋଧ ନେଇ ଲାଭ କଣ ପାରିବ ? ଜଣେ ଭୁଲ କରିଛି ବୋଲି ସେ କାହିଁକି ଜାଣିଶୁଣି ଭୁଲ କରିବ ?

 

ନା, ସୁଖମୟ ପାଖରୁ ସେ ଦୂରେଇ ରହିବ । ଏକ ମନ, ଏକ ପ୍ରାଣ ନେଇ ଦେବକାନ୍ତର ପ୍ରତ୍ୟାବର୍ତ୍ତନ ପଥକୁ ପ୍ରତିକ୍ଷା କରି ରହିବ ।

 

ତରଣୀ ବାହାରକୁ ଚାହିଁଲା । ପିଣ୍ଡାତଳୁ ଛାଇ ଖସି ଗଲାଣି । ଦଶଟା ବାଜିଗଲାଣି ଅନେକବେଳୁ ।

 

ଆଠଦିନ ହେବ ଅଫିସକୁ ଯାଇନି ସେ । ଚାରିଦିନ କେବଳ ଛୁଟି ନେଇଥିଲା । କିନ୍ତୁ ଚାକିରିରେ ଇସ୍ତଫା ଦେବ ବୋଲି ଯେତେବେଳେ ସ୍ଥିର କଲା, ସେତେବେଳେ ବିନା ଦରଖାସ୍ତରେ ରହିଗଲା ସେ ।

 

କିନ୍ତୁ ଆଜି ସେ ଯିବ ଇସ୍ତଫା ପତ୍ର ହାତରେ ଧରି । ନିଜର ଅସନ୍ନ ଅଙ୍ଗବାସ ଉପରେ ତରଣୀ ଥରେ ଦୃଷ୍ଟି ଘୂରାଇ ଆଣିଲା ।

 

।। ୪ ।।

 

ସୁଖମୟର ପ୍ରାଇଭେଟ୍ ଦପ୍ତରରେ ପାଦଦେଲା ତରଣୀ । ଇଂରାଜୀ ଖବରକାଗଜ ଉପରେ ତୀକ୍ଷ୍‌ଣ ଦୃଷ୍ଟି ନିକ୍ଷେପ କରିଛି ସୁଖମୟ ।

 

ତରଣୀ ନୀରବରେ ଯାଇ ଠିଆହେଲା ।

 

ସୁଖମୟ ମୁହଁଟେକି ଚାହିଁଲା । –ଆରେ ତରଣୀ ଯେ ! ଅନେକଦିନ ପରେ ଦେଖା । ସବୁ ଭଲ ତ ? ଇମିତ ଶୁଖିଯାଇଛ ଯେ କଥା କହିବନି ? ମୋ ଉପରେ ରାଗ କରିଛ ??

 

ଗୋଟି ଗୋଟି କରି ପଚାରି ଥିଲେ ହୁଏତ ମୁଁ ଉତ୍ତର ଦେଇଥାଆନ୍ତି; କିନ୍ତୁ ଏକା ସଙ୍ଗେ ଚୋରୋଟି ପ୍ରଶ୍ନର ଉତ୍ତର କେମିତ ଦେବି ?

 

ହଉ ବସ ! ଇମିତି ଶୁଖିଯାଇଛ କାହିଁକି ? ଦେହ କଣ ଅସୁସ୍ଥ ଥିଲା ?

 

ତରଣୀ ବସିଲା । ଗମ୍ଭୀର କଣ୍ଠରେ କହିଲା–ନାଁ ସାର୍ ! ଦେହ କାହିଁକ ଅସୁସ୍ଥ ହେବ ? ଅନେକଦିନ ପରେ ଦେଖୁଛନ୍ତି ନା, ସେଇଥିପାଇଁ ମୁଁ ଦୁର୍ବଳ ହେଲାପରି ଦେଖାଯାଉଛି ।

 

ମିଛ କଥା ! ଦେହ ଅସୁସ୍ଥ ନ ଥିଲେ ଏତେଦିନ ଛୁଟିନେଇ ବସିଥାଆନ୍ତ କାହିଁକି ?

 

ସେ ମୋର ବ୍ୟକ୍ତିଗତ କଥା ସାର ! ବୋଧହୁଏ ସେ କଥା ନ ପଚାରିଲେ ମୁଁ ଭାରି ଖୁସି ହୁଅନ୍ତି ।

 

ସୁଖମୟ ଖଣ୍ଡେ ସିଗାରେଟ୍‌ରେ ନିଆଁ ଧରାଇଲା ।

 

ହଠାତ୍ ତରଣୀର ଦୃଷ୍ଟିପଡ଼ିଲା–ସେଇ ଟେବୁଲ ଉପରେ ଥିବା ଖଣ୍ଡିଏ ଇଂରାଜୀ ସମ୍ବାଦପତ୍ର ଉପରେ । ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ଦେବକାନ୍ତର ଫଟୋ ପ୍ରକାଶ ପାଇଛି ।

 

ତରଣୀ ଦୀର୍ଘନିଶ୍ଵାସ ଛାଡ଼ିଲା ।

 

ସୁଖମୟର ଶିକାରୀ ଆଖିରୁ ତରଣୀର ମନକଥା ବେଶ୍ ପରିସ୍ଫୁଟ ହୋଇଉଠିଲା । କଥାର ଖିଅ ପାଇ ସୁଖମୟ କହିଉଠିଲା–ସେ ଦିନର ଅଶ୍ଳୀଳ ବ୍ୟବହାର ପାଇଁ ମୁଁ ବାସ୍ତବିକ୍ ଦୁଃଖିତ । ଆଜି ମୁଁ ବେଶ୍ ବୁଝିପାରୁଛି, ଟଙ୍କା ପଇସାର ଲୋଭ ଦେଖାଇ ଅନ୍ୟକୁ ଶାସନ କରିହୁଏ-। କିନ୍ତୁ ଯୁବତୀର ମନକୁ ଜୟ କରିହୁଏ ନାହିଁ । ସେଦିନ ମୋର ଅନ୍ତରର ଅଭିବ୍ୟକ୍ତ ତୁମ ନିକଟରେ ପ୍ରକାଶ କରି ତୁମକୁ ନିଜର କରିନେବି ବୋଲି କଳ୍ପନା କରିଥିଲି । ହେଲେ ମୁଁ ପରାସ୍ତ ହୋଇଯାଇଛି-। ଜୀବନରେ ପ୍ରଥମଥର ପାଇଁ ମଥା ମୋର ଅବନତ ହୋଇଯାଇଛି । ନ ହେଲେ ଯେଉଁଠି, ଯେତେବେଳେ, ଯାହାକୁ ଇଚ୍ଛା କରିଥିଲି ତାକୁ ପାଇଥିଲି । ମୋର ଆଦେଶକୁ ଏଡ଼ାଇ ଦେବାପାଇଁ କେହି ସାହସ କରି ନ ଥିଲେ । ଅଥଚ ସେଦିନ କି ଅଶୁଭ ମୁହୂର୍ତ୍ତରେ ତମ ପାଖରେ ପ୍ରେମ ନିବେଦନ କରିଥିଲି କେଜାଣି.....

 

ତାପରେ ମୁଁ ଅନେକ ଚିନ୍ତା କରିଛି । ହଠାତ୍ ଦିନେ ସମ୍ବାଦପତ୍ରରୁ ଦେଖିଲି ଦେବକାନ୍ତ ଆମେରିକା ଚାଲିଯାଇଛି ।

 

ଫେରୁ ଫେରୁ ହୁଏତ ଦୁଇବର୍ଷ ଲାଗିବ । ତା’ ଛଡ଼ା ସେତେବେଳେ ତାର ମନର ପରଦାରେ ତମର ଅସ୍ତିତ୍ଵ ଥିବ କି ନାହିଁ ସନ୍ଦେହ । ହୁଏତ କୌଣସି ଆମେରିକାନ୍ ଭଦ୍ରମହିଳା ସେତେବେଳକୁ ତାର ଅର୍ଦ୍ଧାଙ୍ଗିନୀ ହୋଇ ସାରିଥିବ !

 

ସାର୍ ! ବାଧାଦେଲା ତରଣୀ ।

 

ମୁଁ କିଛି ଭୁଲ କହୁନି ତରଣୀ । ଅଧିକାଂଶ ଘଟଣା ଏଇ ଭଳି ଘଟିଥାଏ । ଦେବକାନ୍ତ ସେଥିରୁ ବାଦ୍‌ଯିବ ବୋଲି କହି ହେଉନି । ତେଣୁ ଏବେ ବି ସମୟ ଅଛି, ତମେ ମୋ ପ୍ରସ୍ତାବରେ ସ୍ଵୀକୃତି ପ୍ରଦାନ କର । ତା’ ଦ୍ୱାରା ତମର ଲାଭ ଛଡ଼ା କିଛି କ୍ଷତି ହେବନି ।

 

କଥାର ଗତିଧାରା ପରିବର୍ତ୍ତନ କଲା ତରଣୀ । ମୁଁ ଗୋଟାଏ ଜରୁରୀ କାର୍ଯ୍ୟରେ ଆସିଥିଲି ସାର୍‌ ।

 

ଜରୁରୀ ? କଣ କୁହ !

 

ତରଣୀ ଇସ୍ତଫାପତ୍ର ଖଣ୍ଡିକ ବଢ଼ାଇଦେଲା । ସୁଖମୟ ଦରଖାସ୍ତଟିକୁ ପଢ଼ି ଚମକି ଉଠିଲା–ତମେ ଇସ୍ତଫା ଦେବ ?

 

ହଁ ସାର୍ ! ଗମ୍ଭୀର କଣ୍ଠରେ ଉତ୍ତର ଦେଲା ତରଣୀ ।

 

କାରଣ ?

 

ସେ ମୋର ବ୍ୟକ୍ତିଗତ କଥା ସାର୍‍ !

 

ପୁଣି ଖଣ୍ଡେ ସିଗାରେଟରେ ନିଆଁ ଧରାଇ ସୁଖମୟ କହିଉଠିଲା–ବୁଝିଲ ! ସେଦିନର ସେଇ ଅଶ୍ଳୀଳ ବ୍ୟବହାର ପାଇଁ ତମେ ମୋ ଉପରେ ରାଗ କରିଛ । କେବଳ ସେତିକି ନୁହେଁ–ସେହିଦିନଠାରୁ ମୋ ପାଖରେ ଚାକିରି କରିବନି ବୋଲି ଦୃଢ଼ ଶପଥକରି ବିନା ଦରଖାସ୍ତରେ ଛୁଟିରେ ଥିଲ ଏବଂ ଆଜି ଇସ୍ତଫା–ପତ୍ର ହାତରେ ଧରି ଆସିଛ । କନ୍ତୁ ମୁଁ ଗୋଟାଏ କଥା କହିବାକୁ ବାଧ୍ୟ ହେଉଛୁ ତରଣୀ । ମୁଁ ତମ ନିକଟରେ ଅପରଧ କରି ପାରିଥାଏ କିନ୍ତୁ ଚାକିରି ତ କିଛି ଦୋଷ କରିନି । ତେଣୁ ତୁମେ କର କାହିଁକି ଛାଡ଼ିଦେବ ? ତମେ ନିଶ୍ଚୟ ଚାକିରି କରିବ ।

 

ଇମିତି ବାଧ୍ୟକରି ଜଣକୁ ଚାକିରିରେ ରଖି ହୁଏନି ସାର୍ ! ଗଡ଼ିଗଲା ବୟସ ଆଉ ଉଡ଼ିଗଲା ପାଣି ଫେରି ଆସେନା କି ଯେଉଁ ବୀଣାର ତାର ଛାଡ଼ି ଯାଇଛି ସେ ବୀଣାରେ ଆଉ ଝଙ୍କାର ଉଠେନା ।

 

ସୁଖମୟ କହିଲା–ମୁଁ ତମକୁ ବାଧ୍ୟ କରୁନାହିଁ ତରଣୀ । ମୁଁ ଭାବୁଛି ତମ ପରିବାର କଥା-। ଦେବକାନ୍ତ ଥିଲା, ତମମାନଙ୍କୁ ସାହାଯ୍ୟ କରୁଥିଲା । କିନ୍ତୁ ଆଜି ତୁମକୁ ଦେବକାନ୍ତ ଏକୁଟିଆ ଛାଡ଼ି ଚାଲିଗଲା । ତା’ ପରେ ତମେ ଚାକିରି ଛାଡ଼ିଦେଲେ କେମିତି ଚଳିବ ? କେମିତି ମଣିଷ ହେବ ତୁମର ଭଉଣୀ ଧରଣୀ ? ? କଣ ଖାଇ ବଞ୍ଚିବେ ତୁମ ପିତା-ମାତା ?

 

ଶୁଖିଲା ଅଧରରେ ତରଣୀ ହସ ଖେଳାଇଲା । କହିଲା–ଆମ ପରିବାର ପାଇଁ ଆପଣ ଚିନ୍ତାକରି ନିଜର ମୂଲ୍ୟବାନ ସମୟ ନଷ୍ଟ କରନ୍ତୁ ନାହିଁ । ତା’ଛଡ଼ା ଦେବକାନ୍ତ ମୋତେ ଏକୁଟିଆ ଛାଡ଼ି ଯାଇନି । ସେ ମୋତେ ଯେଉଁ ଉପଦେଶ ଦେଇଯାଇଛି, ଦୁର୍ଦ୍ଦିନରେ ସେଇ ଉପଦେଶ ମୋର ଏକମାତ୍ର ସମ୍ବଳ–ତାକୁଇ ପାଥେୟ କରି ମୁଁ ଆଜୀବନ’ ବଞ୍ଚିରହିବି । ତା’ଛଡ଼ା ଆପଣଙ୍କର ମୋ ଉପରେ ତଥା ଆମର ପରିବାର ଉପରେ ଯେଉଁ ଆଶୀର୍ବାଦ ରହିଛି ତାହା ସବୁଦିନ ପାଇଁ ରହିଲେ ମୁଁ ଖୁସି ହେବି । କିନ୍ତୁ ମୋର ଇସ୍ତଫାପତ୍ର ଗ୍ରହଣ କରିବାକୁ ହେବ ଆପଣଙ୍କୁ ।

 

ତମେ ମୋତେ ଭୁଲ ବୁଝିଛ କାହିଁକି ? ତମେ ମତେ ବିଶ୍ଵାସ କର । ମୁଁ ତମର ମଙ୍ଗଳ ପାଇଁ କହୁଛି । ଦେବକାନ୍ତ ମୋର ବନ୍ଧୁ । ତା’ ଚରିତ୍ର ବିଷୟରେ ମୁଁ ଯାହା ଜାଣେ ତାହାର ଶତାଂଶରୁ ଏକାଂଶ ସୁଦ୍ଧା ତମେ ଜାଣନି । ତେଣୁ ନିଜ ଜୀବନକୁ ଜାଣି ଜାଣି ବିପନ୍ନ କରିଦିଅନି । ଏତିକି ଜାଣିରଖ, ଦେବକାନ୍ତ ଆମେରିକାରୁ ଏକା ଫେରୁନି । ସାଥୀରେ ଆମେରିକାନ୍ ମହିଳାଙ୍କୁ ନେଇ ଫେରୁଛି ।

 

ସାର୍ ! ତରଣୀ ବାଧା ଦେଲା ।

 

ସୁଖମୟ ପୁଣି କହିଉଠିଲା–ଦେବକାନ୍ତ ପରି ହୃଦୟହୀନ, ଅବିବେକୀ ପୁରୁଷ ପାଇଁ ତମ ଭଳି ବୁଦ୍ଧିମତୀ ନାରୀ ଅପେକ୍ଷା କରିବା ଆଦୌ ଉଚିତ ହେବନି । ତେଣୁ ମୁଁ କହୁଛି...

 

ସେତିକି ଥାଉ ସାର୍ । ଗୁଡ଼ାଏ ବାଜେକଥା କହି ଲାଭ କଣ ? ପୁଣି ମୁଁ ତ ଏଇକଥା ଶୁଣିବାକୁ ଆସିନି ! ତମେ ଏହାକୁ ବାଜେ କଥା କହିପାରୁଛ ତରଣୀ ?

 

ନୁହେଁ ତ ଆଉ କଣ ? ଦେବକାନ୍ତ ଆପଣଙ୍କର ବନ୍ଧୁ ହୋଇପାରନ୍ତି କିନ୍ତୁ ଯେତିକି ଦିନ ମୁଁ ତାଙ୍କ ସଂସ୍ପର୍ଶରେ ଆସିଛି ସେତିକିରେ ମୁଁ ତାଙ୍କୁ ସ୍ୱର୍ଗର ଦେବତା ଭଳି ଗ୍ରହଣ କରିନେଇଛି । ସେ ତ ମଣିଷ ନୁହନ୍ତି–ସାକ୍ଷାତ୍ ଦେବତା । ତାଙ୍କର ବାଣୀ, ତାଙ୍କର ବ୍ୟବହାର, ତାଙ୍କର ଉପଦେଶ ଚିରଦିନ ମୋର ହୃଦୟ ମନ୍ଦିରରେ ଲିପିବଦ୍ଧ ହୋଇ ରହିଛି । ତେଣୁ ତାଙ୍କର କୁତ୍ସାରଟନା କଲେ ମୁଁ କଦାପି ବରଦାସ୍ତ କରିପାରିବି ନାହିଁ ।

 

କୁଟିଳତାର ହସ ହସିଲା ସୁଖମୟ । କହିଲା–ସୁନ୍ଦର ତରୁଣୀର ମନକୁ ଜୟ କରିବାକୁ ପୁରୁଷ ବହୁମୁଖୀ ଅଭିନୟ କରିପାରେ ତରଣୀ । ବନ୍ଧୁକରୁ ଗୁଳି ବ୍ୟର୍ଥ ହୁଏ, କିନ୍ତୁ ପୁରୁଷ ଅଭିନୟର କଳାଚାତୁରୀ ବ୍ୟର୍ଥ ହୁଏନା । ଆଉ ଦେବକାନ୍ତ ସେଥିରେ ପକ୍କା ଓସ୍ତାଦ୍ । ତମେ ସେଇ ଦେବକାନ୍ତର ଅଭିନୟରେ ବିଭୋର ହୋଇ ସାରା ଜୀବନପାଇଁ ଅମଙ୍ଗଳର ଧୂମକେତୁକୁ ନିମନ୍ତ୍ରଣ କରି ଆଣନା । ତେଣୁ ମୋର ଉପଦେଶ, ତମେ ଦେବକାନ୍ତକୁ ଅପେକ୍ଷା କରିବା ଆଦୌ ଉଚିତ ନୁହେଁ ।

 

ତରଣୀ ହସିଲା । କହିଲା–ଦେବକାନ୍ତ ଭଳି ଆପଣ ବହୁମୁଖୀ ଅଭିନୟ କରୁନାହାନ୍ତି ବୋଲି କିଏ କହି ପାରିବ ??

 

ଏ ପର୍ଯ୍ୟନ୍ତ ତମେ ମୋତେ ଚିହ୍ନି ପାରିଲନି ତରଣୀ ।

 

ଚିହ୍ନିଛି, ଜାଣିଛି, ଆଜି ନୁହେଁ–ସେଇଦିନ । ସେଦିନ ଯଦି ଚମ୍ପାବତୀର ଅନୁରୋଧ ଉପେକ୍ଷା କରି ଆପଣଙ୍କ ଘରକୁ ଯାଇ ନ ଥାନ୍ତି ତେବେ ଆଜି ମୋର ଜୀବନର କୁସୁମିତ ପଥରେ କଣ୍ଟା ବାଜି ନ ଥାନ୍ତା । ସେଦିନ ନିଜ ମନର ଅଭିବ୍ୟକ୍ତି ଜଣାଇବାକୁ ଆପଣ ମୋତେ ପାର୍କକୁ ନେଇ ଆସିଲେ । ଦୁର୍ଭାଗ୍ୟକୁ ଦେବକାନ୍ତ ସେହି ପାର୍କରେ ଥିଲା । ତା’ପରେ ଆପଣ ମନଖୋଲି ମୋତେ ଯାହା କହିଥିଲେ, ସେସବୁ ଦେବକାନ୍ତ ଶୁଣିଲା ।

 

ତା’ପରେ....

 

ସାଧାରଣତଃ ଯାହା ହୁଏ ସେଇୟା ହେଲା । ନିଜ ପ୍ରେମିକା ଅନ୍ୟ ଇତର ପୁରୁଷ ସହିତ କଥାଭାଷା କଲେ ପ୍ରେମିକ କ୍ଷୁବ୍‍ଧ ହୋଇଉଠେ । ତେଣୁ ଦେବକାନ୍ତର ମୋ ଚରିତ୍ର ପ୍ରତି ସନ୍ଦେହ ଆସିଲା । କେବଳ ସେହିକଥା ଶୁଣି ଦେବକାନ୍ତ ମୋତେ ଏକୁଟିଆ ଜୀବନର ମଝିଛକରେ ଛାଡ଼ି ଚାଲିଗଲା । ଯିବା ପୂର୍ବରୁ ସାକ୍ଷାତ କରିବାକୁ ମଧ୍ୟ କୁଣ୍ଠାବୋଧ କଲା । ଆଉ ଖଣ୍ଡିଏ ଚିଠିରେ ମୋତେ ଭ୍ରଷ୍ଟା, ପାପିନୀ, ଅସତୀ ବୋଲି ଆଖ୍ୟା ଦେଇ ଆମେରିକା ଚାଲିଗଲା । ତେଣୁ ଆଜି ଯଦି ମୋର ଏଇ ଶୋଚନୀୟ ଦୁରାବସ୍ଥା ପାଇଁ ମୁଁ ଆପଣଙ୍କୁ ଦାୟୀ କରେ.... ???

 

ସୁଖମୟ ମୃଦୁ ହସିଲା । କହିଲା–ଦେବକାନ୍ତ କାଲିକାର ଶିଶୁ । ଦୁନିଆ ବିଷୟରେ ତା’ର ଅଭିଜ୍ଞତା ଖୁବ୍ କମ୍‍ । ତେଣୁ ଆଜି ପର୍ଯ୍ୟନ୍ତ ତା’ର ମତ ସହିତ ମୋର ମତ କେବେ ମେଳ ଖାଇନି । ନାରୀ ଯଦି ପୁରୁଷ ସହିତ ମନମୁକାଳି ଦୁଇପଦ ଭାଷା ବିନିମୟ କଲା, ହୋଟେଲ କିମ୍ବା ପାର୍କରେ ଗୋଟିଏ ରାତ୍ରି ବିତାଇ ଦେଲା ତେବେ ସେହି ନାରୀ କଣ ଭ୍ରଷ୍ଟା ହୋଇଯାଏ ? ସ୍ରଷ୍ଟାର ସୃଷ୍ଟି’ରେ ନାରୀ ଆଉ ପୁରୁଷର ଜନ୍ମ ଧରି ଦୁହେଁ ଦୁହିଁଙ୍କ ପାଖରୁ ଦୂରେଇ ରହିଲେ ସୃଷ୍ଟିର ମାଦକତା ପୂରି ଉଠେନି ।

 

ଦୁହେଁ ପରସ୍ପରଠାରୁ ଅଲଗା ରହିଲେ କୌଣସି ଆଦର୍ଶ ବଢ଼େନି କମ୍ବା ସେଇ ନାରୀ ନିଜକୁ ଗୌରବାନିତ୍ଵ ନାହିଁ । ଉପଭୋଗମୟ ଦୁନିଆ, ସ୍ଵାଦୁଭରା ଜୀବନ ଜୀବନର ରହଣୀ ଭିତରେ ଏତେଟା ବାଛ–ବିଚାର କରିବା ଆଦୌ ଉଚିତ ନୁହେଁ !

 

ତରଣୀର ମନ ଭିତରଟା ରଡ଼ନିଆଁ ପରି ତାତି ଉଠୁଥିଲା । ଇସ୍ତଫାପତ୍ର ଦାଖଲ କରିବାକୁ ଆସି ଦପ୍ତର ଭିତରେ ସୁଖମୟ ତା’ର ମନକଥା ଜଣାଉଛି । କିନ୍ତୁ ଲାଭ କଣ ସେଥିରେ ! ଲୁଣ ହୀନ ତାରକାରୀରେ ସ୍ଵାଦୁ ନ ଥାଏ କି ମନ ଫାଟିଗଲା ପରେ ସେ ଆଉ ଯୋଡ଼ି ହୁଏନା । ତଥାପି ତାକୁ ପ୍ରସଙ୍ଗ ବଦଳାଇବାକୁ ପଡ଼ିବ । ତେଣୁ ଚେୟାରରୁ ଉଠିପଡ଼ି ତରଣୀ କହିଲା–ମୋର ଇସ୍ତଫାପତ୍ର ରହିଲା ସାର୍ ! କାଲିଠାରୁ ମୁଁ ଆଉ ଅଫିସକୁ ଆସିବିନି ।

 

ତରଣୀର ହାତକୁ ସୁଖମୟ ତୋଳିଧରି କହିଲା–ଶେଷକୁ ମୋ ପ୍ରତି ଇମିତି ନିଷ୍ଠୁର ହୋଇଉଠନି ତରଣୀ ! ମୋ କଥାକୁ ଥରେ ଗଭୀର ଭାବରେ ଚିନ୍ତାକର ।

 

ତରଣୀ ଭାବିଲା, ସୁଖମୟ ଗାଲରେ ଦୁଇ ଚାପୁଡ଼ା ମାରି କହିବ–ଜୋର ଜବରଦସ୍ତ କାହାକୁ ଭଲପାଇ ହୁଏନି କିମ୍ବା କାହାକୁ ନିଜର କରି ହୁଏନି ! ଷୋଡ଼ଶୀର ମନକୁ ଜୟ କରିବାକୁ ହେଲେ ପୁରୁଷର ଉତ୍ତମ ବ୍ୟବହାର ଦରକାର–କାପୁରୁଷତାର ଅଭିନୟ ନୁହେଁ । କିନ୍ତୁ ତରଣୀ କଛି କହିପାରିଲାନି । ହାତ ଦୁଇଟିକୁ ସୁଖମୟର ଉଷ୍ଣ ପାପୁଲି ଭିତରୁ ଖସାଇ ଆଣି କହିଲା–ଚେଷ୍ଟା କରିବି ସାର୍ ! ଆଜି ମୁଁ ଯାଉଛି ।

 

ନା, ନା, ଯିବାପୂର୍ବରୁ ଶେଷ ନିଷ୍ପତ୍ତି କରିଯାଅ ।

 

ନିଷ୍ପତ୍ତି !!! ତରଣୀ କହି ଉଠିଲା ।

 

ହଁ, ନିଷ୍ପତ୍ତି । ତୁମେ ଚାକିରି ଛାଡ଼ିଦେଲେ କେମିତି ଚଳିବେ ତୁମ ପିତା-ମାତା ?

 

ମୋ ପରିବାର ପାଇଁ ମୁଁ ଚିନ୍ତା କରିବି ସାର୍ । ସେଥିପାଇଁ ଆପଣଙ୍କୁ ଭାବିବାକୁ ପଡ଼ିବନି ?

 

ରାଗ କରୁଛି ମୋ ଉପରେ ? ତମେ ଆଜି ବେଶୀ ଉତ୍ୟକ୍ତ ହୋଇ ଉଠିଛ ବୋଧହୁଏ । ଆଜି ତମେ ଯାଅ, ନିରୋଳାରେ ଥରେ ଗଭୀର ଭାବରେ ଚିନ୍ତା କରିବ । ତା’ପରେ ମୋତେ କହିବ-

 

ହଉ ! –ତରଣୀ ଉତ୍ତର ଦେଲା ।

 

ବର୍ତ୍ତମାନ ପାଇଁ ତମର ଇସ୍ତଫାପତ୍ରକୁ ମୁଁ ଗ୍ରହଣ କରିନି ତରଣୀ ।

 

ତରଣୀ ଗମ୍ଭୀର କଣ୍ଠରେ କହିଲା–ଆପଣ ଗ୍ରହଣ ନ କଲେ ବି ମୁଁ କିନ୍ତୁ ଆଉ ଅଫିସକୁ ଆସୁନି । ...ଆଉ କିଛି କହିପାରିଲାନି ତରଣୀ; ଚଟକରି ଚେୟାର ଉପରୁ ଉଠି ବାହାରକୁ ଛୁଟି ଆସିଲା ।

 

ସୁଖମୟ ଚିନ୍ତା କରୁଥିଲା ତାର ଆଗାମୀ ଯୋଜନା ।

 

।। ୫ ।।

 

କାଚ ଝରକା ଉପରେ ଥିବା ପ୍ଲାଷ୍ଟିକ୍ ପରଦା ଆଡ଼େଇ ଦେଇ ବିମୁଗ୍‍ଧ ଦୃଷ୍ଟିରେ ଦେବକାନ୍ତ ବାହାରକୁ ଚାହିଁଲା ।

 

ଯୁକ୍ତରାଷ୍ଟ୍ରରୁ ଆମେରିକାର ଶୁଭ୍ର-ସକାଳର କମ୍ରକିରଣ ନିଉୟର୍କ ସହରର ପ୍ରଧାନ ରାଜପଥ ଫ୍ଲିଟ୍‌ଷ୍ଟୀଟ୍‌ ଉପରେ ବିକ୍ଷିପ୍ତ ଭାବରେ ବିଛାଡ଼ି ହୋଇ ପଡ଼ିଛି । ମେଘମୁକ୍ତ ଆକାଶର ମନୋରମ ସ୍ନିଗ୍‌ଧ କିରଣ ଆଖିକୁ ଚମତ୍କାର ଦିଶୁଚି ।

 

ସକାଳର ବେଡ୍–ଟି ବୟ ଦେଇ ଚାଲିଗଲାଣି ।

 

ଦେବକାନ୍ତ ଝରକା ପାଖରୁ ଫେରି ଆସିଲା । ସାମନା ଟେବୁଲ ଉପରେ ଥିବା ଦୈନିକୀ “ନିଉୟର୍କ ଟାଇମସ୍” ଟି ଉପରେ ଏକ ଆମେରିକାନ ଯୁବତୀର ମନମୁଗ୍‌ଧକର ଛବି ଦେଖି କାଗଜଟିକୁ ଉଠାଇ ନେଲା ।

 

ପଢ଼ିସାରି ମନେ ମନେ ହସିଉଠିଲ ଦେବକାନ୍ତ ।

 

ବିବାହର ତିନିବର୍ଷ ପରେ, ଯେଉଁ ପୁରୁଷକୁ ବିବାହ କରିଥିଲା, ସେଇ ବିବାହିତ ପୁରୁଷକୁ ଛାଡ଼ପତ୍ର ଊନବିଂଶବର୍ଷୀୟା ତରୁଣୀ ମିସେସ୍ ଏଲିଜାବେଥ୍ ଆର୍ଡ଼େନ ।

 

‘ଛାଡ଼ପତ୍ର’ ସମ୍ବାଦଟିକୁ ପଢ଼ି ଦେବକାନ୍ତ ହେଲାନାହିଁ ମୋଟେ । ଯୁକ୍ତରାଷ୍ଟ୍ର ଆମେରିକାରେ ଛାଡ଼ପତ୍ର ଯେପରି ଏକ ସମାଜିକ ବ୍ୟାଧି ହୋଇପଡ଼ିଛି–ବସନ୍ତ ରୋଗ ପରି ସଂକ୍ରାମକ ଜୀବାଣୁ ହୋଇ ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ଗ୍ରାସ କରୁଛି । ଏଇ ରୂପଲାବଣ୍ୟ ଭରା ଆମେରିକାରେ ବର୍ଷକୁ ପ୍ରାୟ ଷୋଳଲକ୍ଷ ନୂତନ ବିବାହ ଅନୁଷ୍ଠିତ ହେଉଥିଲାବେଳେ ପ୍ରାୟ ଚାରିଲକ୍ଷ ସ୍ଵାମୀ-ସ୍ତ୍ରୀଙ୍କ ବୈବାହିକ ଜୀବନରେ ଯବନିକା ପଡ଼ୁଛି । ଆକସ୍ମିକ ସାକ୍ଷାତ, ପରିଚୟ, ବନ୍ଧୁତା ନିବିଡ଼ ହେବାପରେ ପରସ୍ପର ପ୍ରତି ଆକୃଷ୍ଟ ହୋଇପଡ଼ି ବିବାହ କରି ନେଉଛନ୍ତି । ବାସର ରାତିକୁ ଉପଭୋଗ କରିବାକୁ ନିଜ ବାସସ୍ଥାନ ଛାଡ଼ି ବହୁ ଦୂରକୁ ଚାଲିଯାଉଛନ୍ତି ।

 

ତା’ପରେ ଦିନ କେଇଟା ନ ଯାଉଣୁ ସାମାନ୍ୟ ମନୋମାଳିନ୍ୟରୁ ଛାଡ଼ପତ୍ର ପାଇଁ ଅଦାଲତରେ ଦରଖାସ୍ତ ପଡ଼େ । ହଜାର ହଜାର ଦରଖାସ୍ତ ଦେଖି ବିଚାରପତି ବିଚଳିତ ହୁଅନ୍ତି ନାହିଁ-। ଯୁକ୍ତରାଷ୍ଟ୍ର ଲାଓସ ଭେଗାସ୍ ସହର ଛାଡ଼ପତ୍ର ଦେବାପାଇଁ ଯେପରି ବିଶେଷ ତତ୍ପର-। ବିଚାରପତି ରାୟ ଦିଅନ୍ତି । ‘ଛାଡ଼ପତ୍ର’ ମଞ୍ଜୁର । ସ୍ୱାମୀ-ସ୍ତ୍ରୀ ଫେରିଆସନ୍ତି ହସିହସି । ଦୁଃଖ ନାହିଁ, ଚିନ୍ତା ନାହିଁ, ଅନୁଶୋଚନା ନାହିଁ । ଜୀବନଠାରୁ ଯୌବନର ମୁଲ୍ୟ ଖୁବ୍ ବେଶୀ । ଉପଭୋଗମୟ ସଂସାରରେ ସ୍ଵଳ୍ପ ରହଣୀ ଭିତରେ ଜୀବନ ଉପରେ ଅକଥନୀୟ ଅତ୍ୟଚାର କରିବା ଠିକ୍ ନୁହେଁ-। ତେଣୁ ସ୍ଵାମୀ ସହିତ ସ୍ତ୍ରୀର ମତ ନ ମିଳିଲେ ସ୍ତ୍ରୀ ଛାଡ଼ପତ୍ର ଦିଏ । ପୁଣି ବିବାହ କରେ–ପୁଣି ଛାଡ଼ପତ୍ର ଦିଏ-

 

ଦେବକାନ୍ତ ଭାବୁଥିଲା–ଆମ ଓଡ଼ିଶା ହୋଇଥିଲେ...ଛାଡ଼ପତ୍ର ନାଁ ଶୁଣିଲେ ଯେଉଁ ରକ୍ଷଣଶୀଳ ସମାଜ ଘୃଣାରେ ନାସିକା କୁଞ୍ଚନ କରେ, ସେମାନେ ଆମେରିକାର ପ୍ରତି ମୁହୂର୍ତ୍ତରେ ଛାଡ଼ପତ୍ର ସମ୍ବାଦ ଶୁଣି ବିସ୍ମିତ ହେଉଥିବେ ।

 

ଦେବକାନ୍ତ ମନେ ମନେ ଏଇ ଛାଡ଼ପତ୍ର ବ୍ୟବସ୍ଥାକୁ ପ୍ରଶଂସା କରୁଥିଲେ । ଆମେରିକାନ୍ ମାନେ ଏଇ ବ୍ୟବସ୍ଥାକୁ ସମାଜରେ ପ୍ରଚଳନ କରି ବେଶ ଲାଭବାନ ହୋଇଛନ୍ତି । ଆଧୁନିକା ଓ ପ୍ରଗତିଶୀଳା ବୋଲି ସେମାନେ ପୃଥିବୀରେ ବେଶ୍ ସୁପରିଚିତ । ଶୁଣାଯାଏ, ଆମେରିକାନ ବିଂଶବର୍ଷିୟା ତରୁଣୀ ବର୍ଷକ ଭିତରେ ଚାରିଥର ଛାଡ଼ପତ୍ର ଦେଇ ଏବଂ ଏକ ସନ୍ତାନ ପ୍ରସବକରି ନୂତନ ସ୍ଵାମୀ ଅନ୍ଵେଷଣରେ ଘୂରି ବୁଲନ୍ତି । ଏଥିପାଇଁ ସମାଜ ସେମାନଙ୍କୁ ଅସମ୍ମାନିତ କରେନାହିଁ । ବରଂ ସେଇ ବିଷ କନ୍ୟା ପାଇଁ ପ୍ରାର୍ଥୀମାନେ କିଉ କରି ଛିଡ଼ା ହୁଅନ୍ତି । ସମସ୍ତେ ତାକୁ ବିବାହ କରିବାକୁ ତତ୍ପର । ଦୋଷ, ଗୁଣ ଦେଖିବାକୁ କେହି ସମୟ ପାଆନ୍ତି ନାହିଁ ।

 

ଯୁକ୍ତରାଷ୍ଟ୍ର ଆମେରିକାରେ ଯୁବକ ହେଉ କିମ୍ବା ଯୁବତୀ ହେଉ ଖୁବ୍ ବଡ଼ ବଡ଼ ଘଟଣାକୁ ସାମାନ୍ୟ ମନେକରି ସବୁ ଭୁଲିଯାଆନ୍ତି । ତିନିବର୍ଷ ପୂର୍ବେ ଛାଡ଼ପତ୍ର ଦେଇଥିବା କଥା ହୁଏତ ଆଜି ତାଙ୍କ ମନର ଗନ୍ତାଘରେ ସାଇତା ହୋଇ ରହି ନ ଥିବ । କିନ୍ତୁ ଆମ ଓଡ଼ିଶାର ପୁଅ ଝିଅମାନେ ସାମାନ୍ୟ ସ୍ମୃତିକୁ ଜୀବନର ମାଇଲ ଖୁଣ୍ଟ ମନେକରି ଚିରଜୀବନ ପାଇଁ ସେ ସ୍ମୁତିକୁ ମନେ ରଖିଥାଆନ୍ତି ଏବଂ ସେଇ ସ୍ମୃତି ପାଇଁ ଘୃଣା, ଆକ୍ଷେପ, କୁତ୍ସାରଟନା ଶୁଣନ୍ତି–ଜୀବନ ଉପରେ ଅକଥନୀୟ ଅତ୍ୟାଚାର ମଧ୍ୟ କରି ବସନ୍ତି ।

 

ହଠାତ୍ ଦେବକାନ୍ତର ଅଲକ୍ଷରେ ତରଣୀର କଥା ମନେ ପଡ଼ିଗଲେ । ସତରେ ! ବର୍ତ୍ତମାନ କଣ କରୁଥିବ ତରଣୀ । ହୁଏତ ଆଖିରେ ତା’ର ନିଦ ନ ଥିବ । ବିଛଣା ଉପରେ ପଡ଼ିରହି ଆଖି ଲୁହରେ ତକିଆ ଓଦାକରି ଭାବୁଥିବ–ସୁଖମୟ ସାଥୀରେ ପାର୍କକୁ ଆସି ନ ଥିଲେ, ଜୀବନଟା ଆଜି ଇମିତି ଅବହେଳିତ ହୋଇ ନଥାନ୍ତା । କିନ୍ତୁ......

 

ଛାଡ଼, ଅତୀତକୁ ଚିନ୍ତାକରି ଲାଭ କିଛି ନାହିଁ । ପାପକର୍ମର ପ୍ରତିଫଳ ସେ ନିଜେ ଭୋଗ କରିବ । କିନ୍ତୁ ତା’ଭଳି ଗୋଟିଏ ଶିକ୍ଷିତ ଯୁବକ ଗୋଟିଏ ନଷ୍ଟଚରିତ୍ରା ଝିଅ ପାଇଁ କାହିଁକି ଚିନ୍ତା କରିବ ? କାହିଁକି ଗୋଟିଏ ଇତର କନ୍ୟା ପାଇଁ ଚିନ୍ତାକରି ନିଜର ମୂଲ୍ୟବାନ ସମୟ ନଷ୍ଟ କରିବ ?

 

କାନ୍ଧ ଉପରେ ଉଷ୍ଣ ପାପୁଲିର ପରଶ ପାଇ ଘୂରି ଚାହିଁଲା ଦେବକାନ୍ତ ।

 

ପଛପଟରେ ଜ୍ୟୋତ୍ସ୍ନା ଠିଆ ହୋଇ ମିଚି ମିଚି ହସୁଛି । କମ୍ର ତନୁବଲ୍ଲରରେ ପାତଳ ଆବରଣ । ମୁହଁରେ ପାହାନ୍ତି ସ୍ଵପ୍ନର ଚିହ୍ନ ସୁସ୍ପଷ୍ଟ । ବେଶ୍ ଚମତ୍କାର ଦେଖାଯାଉଥିଲା ସେ । ମନେ ହେଉଥିଲା ଜ୍ୟୋସ୍ନାକୁ କୋଳ ଉପରକୁ ଟାଣିଆଣି ତା’ର ଚିକ୍‌କଣ ଅଧରରେ ଗୋଟିଏ ଗାଢ଼ ଚୁମ୍ବନ ଆଙ୍କି ଦେବାକୁ I କିନ୍ତୁ... ଜ୍ୟୋତ୍ସ୍ନା ତୁଣ୍ଡ ଖୋଲିଲା । –କାଲି ରାତିରେ ମୋତେ ନିଦ ହେଲାନି ଦେବକାନ୍ତବାବୁ !

 

ମୃଦୁ ହସି ଦେବକାନ୍ତ ଉତ୍ତର ଦେଲା–ଆମେରିକାରେ ନିଦ ଔଷଧ ଅଭାବ ନାହିଁ ଜ୍ୟୋତ୍ସ୍ନା ! କିନ୍ତୁ କାହିଁକି ତୁମକୁ ନିଦ ହେଲାନାହିଁ ? କାହା କଥା ଚିନ୍ତା କରୁଥିଲ ତୁମେ ?

 

ଜ୍ୟୋତ୍ସ୍ନା ଖିଲି ଖିଲି ହୋଇ ହସିଉଠିଲା । ଲିପଷ୍ଟିକ ବୋଳା ଅଧର ଉପରେ ନିଜର ଚମ୍ପାକଢ଼ୀ ଆଙ୍ଗୁଳି ସଞ୍ଚାଳନ କରୁ କରୁ କହିଲା, ଯୁକ୍ତରାଷ୍ଟ୍ର ଆମେରିକାରେ ମୋର ଆପଣଙ୍କ ଛଡ଼ା ନିଜର ଲୋକ ଆଉ କିଏ ଅଛି ? ଆପଣଙ୍କୁ ବାଦ ଦେଇ ମୁଁ ଆଉ କାହା କଥା ଚିନ୍ତାକରିବି କୁହନ୍ତୁ-?

 

ଅପ୍ରସ୍ତୁତ ହୋଇ ଦେବକାନ୍ତ ତଳକୁ ମୁହଁ ପୋତିଲା । ହଠାତ୍ ଜ୍ୟୋତ୍ସ୍ନା ଚାହା ଟ୍ରେ’କୁ ଚାହିଁ କହିଲା–ବୟ ଅନେକବେଳୁ ଚାହା ହେଇଗଲାଣି ବୋଧହୁଏ ! ବର୍ତ୍ତମାନ ଚାହାଟା ବୋଧେ ଶୀତଳ ହୋଇଯିବଣି ?

 

ଦେବକାନ୍ତ ମୁହଁଟେକି ଚାହିଁଲା । ଠିକ୍ କଥା । ଅନେକ–ବେଳୁ ବନ୍ଧୁ ଚାହା ଦେଇଯାଇଛି-। ଅଥଚ ତରଣୀ କଥା ଚିନ୍ତାକରି ସେ ଚାହା ପିଇବାକୁ ଭୁଲିଯାଇଛି ।

 

ଦେବକାନ୍ତ ଚାହା ଟ୍ରେ ଉପରକୁ ହାତ ବଢ଼ାଇଲା ।

 

ସେ ଶୀତଳ ହୋଇଗଲଣି ଦେବକାନ୍ତବାବୁ ! ପୁଣି ଚାହା ଆଣିବାକୁ ମୁଁ କହିଦେଇ ଆସେ !

 

ଜ୍ୟୋତ୍ସ୍ନା ଚାଲିଗଲେ ।

 

ଦେବକାନ୍ତ ଜ୍ୟୋସ୍ନାର ଚଲାପଥକୁ ଚାହିଁ ରହିଲା ।

 

ସତରେ ! ଜ୍ୟୋସ୍ନାକୁ ଭଲଭାବରେ ବିଶ୍ଳେଷଣ କରି ମଧ୍ୟ ଆଜି ପର୍ଯ୍ୟନ୍ତ ସେ ତାକୁ ଚିହ୍ନି ପାରିଲା ନାହିଁ । ଓଡ଼ିଶାର ପାଣି ପବନରେ ବଢ଼ି ମଧ୍ୟ ଆମେରିକାନ୍ ତରୁଣୀଙ୍କର ଚରମ ଭଳି ସଭ୍ୟତାର ଚରମ ସୀମାକୁ ଅତିକ୍ରମ କରିଯାଇଛି ସେ ।

 

ହଠାତ୍ ଟ୍ରେନ୍ ରେ ସାକ୍ଷାତ୍‌; ନାରୀ ହୋଇ ପ୍ରଥମେ ସେ ତୁଣ୍ଡ ଖୋଲି ତା’ ନିକଟରେ ପରିଚୟ ଲୋଡ଼ି ବସିଥିଲା । ହସ, ପରିହାସ ଭିତରରେ କେତୋଟି ମୂହୁର୍ତ୍ତ ମଧ୍ୟରେ ଅତି ଆପଣାର କରନେଲା । ସତେ ଯେପରି ଧୂଳିଖେଳ ଦିନୁ ଦୁହିଁଙ୍କର ବନ୍ଧୁତା ଘନିଷ୍ଠ ହୋଇ ଆସିଛି ।

 

ସେ ଦିନ ସେମିତି ତାର ଦୁଇହାତକୁ ନିଜର ଉଷ୍ଣପାପୁଲି ଭିତରେ ଚାପିଧରି ଅଭିଯୋଗଭରା କଣ୍ଠରେ କହିଲା–କୁହନ୍ତୁ ଦେବକାନ୍ତବାବୁ ! ଆଜିଠାରୁ ମୋତେ ‘ଆପଣ’ ନ କହି ‘ତୁମେ’ କହିବ । ଶିକ୍ଷା, ସଭ୍ୟତା, ବୟସ ସବୁଥିରେ ଆପଣ ବିରାଟ ବ୍ୟକ୍ତିତ୍ଵ ନେଇ ମୋତେ ଏତେଟା ସମ୍ମାନ ଦେବା ଠିକ୍ ନୁହେଁ ।

 

ଦେବକାନ୍ତ ପ୍ରତିବାଦ କରିଥିଲା ।

 

କିନ୍ତୁ ମାନି ନ ଥିଲା ଜ୍ୟୋତ୍ସ୍ନା । କହିଥିଲା–ମୁଁ ଆପଣଙ୍କର ସମ୍ମାନସ୍ପଦ ଅତିଥି ନୁହେଁ–ଜଣେ ବନ୍ଧୁ ମାତ୍ର । ବନ୍ଧୁ ସହିତ ଏପରି ବ୍ୟବହାର ଶୋଭାପାଏ ନାହିଁ ।

 

ବିମୂଢ଼ ଦୃଷ୍ଟିରେ ଦେବକାନ୍ତ ଚାହିଁଥିଲା କେବଳ । କେତୋଟି ମୂହୁର୍ତ୍ତ ପରେ ଜ୍ୟୋତ୍ସ୍ନା ଫେରିଆସିଲା । ଚେୟାରଟା ଉପରେ ବସିପଡ଼ି କହିଲା–ଗୋଟାଏ ପ୍ରଶ୍ନ ପଚାରିବି ଦେବକାନ୍ତବାବୁ-?

 

କଣ କୁହ ? ଦେବକାନ୍ତ ଉତ୍ତର ଦେଇଥିଲେ ।

 

କାହାର ଭାବନା ଭିତରେ ମଜ୍ଜି ରହି ଚାହା ପିଇବାକୁ ଭୁଲି ଯାଇଥିଲେ ଆପଣ ?

 

ନିଜର ଗୋପନ ଭାବନାକୁ ଲୁଚାଇବାକୁ ଚେଷ୍ଟାକରି ଦେବକାନ୍ତ କହିଲା–ତୁମର କଥା ଭାବୁଥିଲି ଜ୍ୟୋତ୍ସ୍ନା ! ତୁମର ପିତାମାତା ତୁମକୁ ଶହ ଶହ ଯୋଜନ ଦୂରକୁ ପଠାଇଦେଇ କଣ ନିଶ୍ଚିନ୍ତରେ ବସିଥିବେ ? ଝିଅ ବିଦେଶ ଯାଇଛି, ବିଦେଶରୁ ଉଚ୍ଚଡ଼ିଗ୍ରୀ ନେଇ ଫେରିବ; ଯୁକ୍ତରାଷ୍ଟ୍ର ଆମେରିକାରେ ଝିଅ କିମିତି, କାହା ନିକଟରେ ରହିବ ସେମାନେ ତ ଚିନ୍ତା କରି ନ ଥିବେ ?

 

ଜ୍ୟୋତ୍ସ୍ନା ଖିଲି ଖିଲି ହୋଇ ହସିଉଠିଲା । କହିଲା–ଆପଣ ବହୁ ପଛରେ ପଡ଼ି ରହିଛନ୍ତି ଦେବକାନ୍ତବାବୁ ! ଯୁଗ ଅନେକ ପରିବର୍ତ୍ତନ ହୋଇଗଲାଣି ଏ ମଧ୍ୟରେ । ପୁରାତନ ସଭ୍ୟତା ଆତ୍ମଗୋପନ କଲାଣି ଅତୀତର ଅନ୍ଧକାରର ଭରାଗ୍ରହରରେ । ଝିଅକୁ ଆବଦ୍ଧ କୋଠରୀର ଚାରି କାନ୍ଥ ମଧ୍ୟରେ ବନ୍ଦିନୀ କରି ରଖିବାର ସମୟ ଆଉ ନାହିଁ । ଆଜିର ଏଇ ରକେଟ ଯୁଗରେ ନାରୀ ପୁରୁଷର ସାହାଯ୍ୟ-ପାର୍ଥିନୀ ହୋଇ ରହିବାକୁ ପସନ୍ଦ କରେନାହିଁ । ନାରୀ ଆଜି ନିଜ ଗୋଡ଼ରେ ଠିଆ ହେବାକୁ ଦୃଢ଼ ଶପଥ ନେଇ ପଦାକୁ ଗୋଡ଼ କାଢ଼ିଛି । ବିନା ଆଶ୍ରୟ ଅବଲମ୍ବନରେ ନାରୀ ଆଜି ନିଜ ଗୋଡ଼ରେ ଠିଆ ହେବ । ନିଜ ସ୍ଵାମୀ, ନିଜ ପିତାର ଗଳଗ୍ରହ ହେବାକୁ ସେ ଆଜ ଚାହେଁ ନା । ସେ ଚାହେଁ ପୁରୁଷ ସହିତ ପ୍ରତିଦ୍ଵନ୍ଦିତା କରିବ । ମୁକ୍ତଆକାଶରେ ଏକୁଟିଆ ଉଡ଼ିବୁଲିବ । ବାଧା, ବନ୍ଧନ, ଜଞ୍ଜାଳଠାରୁ ଦୂରେଇ ରହିବ । ସେଇଥିପାଇଁ ନାରୀ ଆଜି ପଦାକୁ ଏକୁଟିଆ ପାଦ ବଢ଼ାଇଛି ।

 

ଦେବକାନ୍ତ ମୃଦୁ ହସିଲା । କହିଲା–ତୁମେ ଯାହାକୁ ସଭ୍ୟତା ଆଉ ସଂସ୍କୃତି ବୋଲି କହୁଛ, ତାହା ପ୍ରକୃତରେ ସଭ୍ୟତା ନୁହେଁ ଜ୍ୟୋତ୍ସ୍ନା–ତାହା ହେଉଛି ଉଚ୍ଛୃଙ୍ଖଳତା । ନାରୀ ଯଦି ବିନା ଅବଲମ୍ବନରେ ନିଜ ପାଦରେ ଠିଆହେବ ତେବେ ପୁରୁଷର ପ୍ରୟୋଜନ ହେବନି । ତମେ ପୁରାତନକୁ ଦୃଷ୍ଟି ପକାଅ ଜ୍ୟୋସ୍ନା ? ଯୁଗେ ଯୁଗେ ନାରୀର ପୁରୁଷ ହେଉଛି ଅଭିଷ୍ଟ ଦେବତା–ଏକମାତ୍ର ଅବଲମ୍ବନ । ପୁରୁଷ ବିନା ନାରୀର ମୁକ୍ତି ଅସମ୍ଭବ । ବିନା ଆଶ୍ରୟ, ବିନା ଅବଲମ୍ବନ ଦ୍ଵାରା ନାରୀ ବଞ୍ଚିପାରେନା । ଆଉ ଅତ୍ୟଧିକ ଉଛୃଙ୍ଖଳତା ମାନେ କେବେ ହୋଇ ପାରେନା ନାରୀର ପ୍ରଗତି । ନାରୀ ଯେତେ ରୂପସୀ, ଶିକ୍ଷିତା ହେଉ ପୁରୁଷ ନିକଟରେ ସେ ପରଧୀନ ରହିବାକୁ ବାଧ୍ୟ ।

 

ଜ୍ୟୋତ୍ସ୍ନା ମୃଦୁ ହସିଲା । ଭାବିଲା ଦେବକାନ୍ତବାବୁଙ୍କ ସହିତ ଯୁକ୍ତି କରିବ । କହିବ–ଏଇ ପ୍ରଗତିଶୀଳ ଯୁକ୍ତରାଷ୍ଟ୍ର ଆମେରିକାର ନାରୀ ସଭ୍ୟତାକୁ ଦୃଷ୍ଟି ଦିଅନ୍ତୁ । ଆମେରିକାନ୍ ନାରୀମାନଙ୍କର ମୁଖ୍ୟପତ୍ରିକା ‘‘ଲେଡ଼ିଜ୍ ହୋମ୍ ଜର୍ଣ୍ଣାଲ” ଖଣ୍ଡିଏ ପଢ଼ନ୍ତୁ । ନାରୀ ଜାତିକୁ ଯେଉଁ ଦେଶ ସମ୍ମାନ ଦେଇ ଶିଖିନାହିଁ, ସେ ଦେଶ କେବେ ଉନ୍ନତି କରିପାରିବନି । ନାରୀ ହିଁ ହେଉଛି ଏ ଯୁଗର ପଥ–ପ୍ରବର୍ତ୍ତକ । କେବଳ ନାରୀଙ୍କ ଦ୍ଵାରା ଦେଶର ଉନ୍ନତି ସମ୍ଭବ । ବଜ୍ଞାପନ ଦ୍ଵାରା ବ୍ୟବସାୟୀ ଯେପରି ବହୁଳ ଭାବେ ଲାଭବାନ ହୁଅନ୍ତି ନାରୀ ଦ୍ଵାରା ଦେଶ ସେତିକି ଅଗ୍ରଗତି କରିଥାଏ–ପ୍ରଗତିଶୀଳ ରାଷ୍ଟ୍ର ବୋଲି ପରିଚିତ ହୁଏ । କିନ୍ତୁ ନାରୀଜାତିକୁ ଅସମ୍ମାନିତ କଲେ, ତା’ର ସ୍ଵାଧୀନତା, ଉଚ୍ଛୃଙ୍ଖଳତାକୁ ହୀନ ଦୃଷ୍ଟିରେ ଦେଖିଲେ ଦେଶର ପ୍ରଗତି ଅସମ୍ଭବ ।

 

କିନ୍ତୁ ଜ୍ୟୋତ୍ସ୍ନା କିଛି କହିପାରିଲା ନାହିଁ । ପଛରେ କାହାର ପଦଶବ୍ଦ ଶୁଣି ସେ ଚୁପ ରହିବାକୁ ବାଧ୍ୟ ହେଲେ ।

 

ବୟ ପୁଣି ଚାହା ଟ୍ରେ’ ନେଇ ଆସିଲା ।

 

ଜ୍ୟୋତ୍ସ୍ନା ଟ୍ରେ’ ରୁ ଚା ସରଞ୍ଜାମ ନେଇ ଚାହା ତିଆରି କରୁ କରୁ କହିଲା–ଯୁକ୍ତି, ଆଲୋଚନା, ସମାଲୋଚନା କରିବାକୁ ମୋର ପ୍ରବଳ ଝୁଙ୍କ୍ ଥିଲେ ମଧ୍ୟ ସମୟ ଅଭାବରୁ ତାହା ପ୍ରକାଶ କରି–ପାରୁନି । ହଉ; ପ୍ରଫେସର ଜର୍ଜଙ୍କ ପାଖକୁ କେତେବେଳେ ଯିବା କହିଲେ ? କାଲି ମିସେସ ଜର୍ଜ ଆସି ତାଙ୍କ ବିବାହର ରୌପ୍ୟ ଜୟନ୍ତୀରେ ଯୋଗ ଦେବାକୁ ଅନୁରୋଧ କରିଯାଇଥିଲେ । ଆଉ ଆମେ ନ ଗଲେ ସେମାନେ କଣ ଭାବିବେ ?

 

ଦେବକାନ୍ତର ମନେପଡ଼ିଗଲା ଗତକାଲିର କଥା । ଜର୍ଜ ଆଉ ତାଙ୍କ ସହଧର୍ମିଣୀ କାଲି ପ୍ରଥମଥର ପାଇଁ ଆସିଥିଲେ । ଆଠ ଦିନ ତଳେ କଲମ୍ବିଆ ବିଶ୍ଵବିଦ୍ୟାଳୟରେ ପରିଚୟ ହୋଇଥିଲା । ସେ ଯେତେବେଳେ ଜାଣିପାରିଲେ ଆମେ ଭାରତୀୟ ଛାତ୍ର ଛାତ୍ରୀ, ଆମକୁ ସମ୍ମାନିତ କରିବାପାଇଁ ମଟରରେ ବସାଇ ନିଜ ଘରକୁ ନେଇ ଯାଇଥିଲେ । ଅଳ୍ପସମୟ ଭିତରେ ମିସେସ୍ ଜର୍ଜ ଜ୍ୟୋସ୍ନାକୁ ଆପଣାର କରି ନେଇଥିଲେ । ମିସେସ୍ ଜର୍ଜ କହିଥିଲେ–ଭାରତୀୟମାନଙ୍କ ପ୍ରତି ଆମର ଗଭୀର ଆନ୍ତରିକତା ରହିଛି, କିନ୍ତୁ ଭାରତୀୟମାନଙ୍କର ଗୋଟିଏ କାର୍ଯ୍ୟକୁ ମୁଁ ପସନ୍ଦ କରେ ନାହିଁ ।

 

ଚମକି ଉଠିଥିଲେ ଦୁହେଁ ।

 

ଦେବକାନ୍ତ ଆଉ ଜ୍ୟୋସ୍ନାର ମୁଖମଣ୍ଡଳରେ ମହଳନର ଛାୟା ଦେଖି ମିସେସ୍ ଜର୍ଜ କହିଥିଲେ–ଭାରତୀୟମାନେ ନିଜର ପୁଅ, ଝିଅର ନାମ ଦେବାକୁ ପୁରାପୁରି ଅକ୍ଷମ । ସେମାନେ ଏପରି ନାମକରଣ କରନ୍ତି ଯେ, ତାହା ବିଦେଶୀଙ୍କ ପାଟିରେ ଉଚ୍ଚାରଣ ତ ହୋଇ ପାରେନା । ତା ଛଡ଼ା କାନକୁ ଭଲ ଶୁଭେନାହିଁ; ଦେଖ, ଜ୍ୟୋଛନା ! ଯାହାର ଆମେରିକାନ୍ ପ୍ରତିଶବ୍ଦ ହେଲା ଜେସ୍‍ମିନ୍–ମିସ୍ ଜେସ୍‌ମିନ୍ ! କି ସୁନ୍ଦର ଶୁଣାଯାଉଛି କହିଲେ ?

 

ମିସେସ୍ ଜର୍ଜଙ୍କ କଥା ଶୁଣି ଦେବକାନ୍ତ ଆଉ ଜ୍ୟୋତ୍ସ୍ନା ଦୁହେଁ ହସି ଉଠିଥିଲେ ।

 

ତା’ପରେ ଚାଲିଲା ଟି’ ପାର୍ଟିର ଆୟୋଜନ । ଦୀର୍ଘ ଚାରିଘଣ୍ଟା ରହଣୀ ପରେ ସେମାନେ ଫେରି ଆସିଥିଲେ । ଆସିଲବେଳକୁ ମି. ଏବଂ ମିସେସ୍ ଜର୍ଜ ଅନୁରୋଧ କରିଥିଲେ–ସୁବିଧା ପାଇଲେ ମଝିରେ ମଝିରେ ଆସୁଥିବ ଦେବକାନ୍ତ !

 

ଦେବକାନ୍ତ କାର୍‌ ଉପରେ ବସିପଡ଼ି କହିଥିଲା–ହଁ, ଆମେ ନିଶ୍ଚୟୁ ଆସିବୁ ।

 

ଜ୍ୟୋସ୍ନାକୁ ବିଦାୟ ଦେଇ ମିସେସ୍ ଜର୍ଜ ତାର ଅଧରରେ ଏକ ଗାଢ଼ ଚୁମ୍ବନ ଆଙ୍କି ଦେଇଥିଲେ ।

 

ସେଇ ମିସେସ୍ ଜର୍ଜଙ୍କ ବିବାହ ବାର୍ଷିକ ଆଜି । ବିବାହ ହେବା ଦିନଠାରୁ ପ୍ରତିବର୍ଷ ଜନ୍ମ ବାର୍ଷିକୀ ପାଳିତ ହୋଇ ଆସୁଛି ।

 

ଦଶବର୍ଷ ବୈବାହିକ ଜୀବନ କଟାଇ ସାରିଲେ ଏକ ସ୍ଵତନ୍ତ୍ର ଉତ୍ସବ ପାଳିତ ହୁଏ, ଚାଳିଶ୍ ବର୍ଷରେ ରୌପ୍ୟଜୟନ୍ତୀ ଏବଂ ପଚାଶ ବର୍ଷରେ ସ୍ଵର୍ଣ୍ଣ ଜୟନ୍ତୀ ପାଳିତ ହୁଏ । କିନ୍ତୁ ଆମ ଓଡ଼ିଶା ହୋଇଥିଲେ...

 

ଜୟନ୍ତୀ କଥା ବାଦ୍ ଦିଅ, ବିବାହର ପାଞ୍ଚବର୍ଷ ପରେ ବିବାହର ମାସ ମଧ୍ୟ ଦମ୍ପତ୍ତି ଭୁଲିଯାଆନ୍ତି ।

 

ସେଇ ମିସେସ୍ ଜର୍ଜଙ୍କ ବିବାହର ଚାଳିଶ ବର୍ଷର ରୌପ୍ୟଜୟନ୍ତୀ ଆଜି ପାଳିତ ହେବ ।

 

ଦେବକାନ୍ତ ଉଠିପଡ଼ିଲା । କହିଲା–ତମେ ଶୀଘ୍ର କାମ ସାରିନିଅ ଜ୍ୟୋତ୍ସ୍ନା । । ଡିନରଟା ଆଜି ଯେମିତି ତାଙ୍କର ଘରେ ହେବ ।

 

ଜ୍ୟୋତ୍ସ୍ନା । ଚାଲିଗଲା ।

 

ଦେବକାନ୍ତ ବାହାରକୁ ଆସିଲା ।

 

ଜର୍ଜ କାର ପଠାଇଛନ୍ତି । ଡ୍ରାଇଭର ଖଣ୍ଡେ ଚିଠି ଆଣି ଦେବକାନ୍ତ ହାତକୁ ବଢ଼ାଇଦେଲା-

 

ଦେବକାନ୍ତ ପଢ଼ିଲା । ମିସେସ ଜର୍ଜ ଲେଖିଛନ୍ତି–ଗାଡ଼ି ପଠାଇଲି । ଶୀଘ୍ର ଆସିବ । ଡିନରଟା ଆମଘରେ ହେବ । ଭୁଲିବ ନାହିଁ । ଜେସ୍‌ମିନ୍‌କୁ ସଙ୍ଗରେ ଆଣିବ । ଅପେକ୍ଷା କରି ରହିଲି ।

 

ଟୁଥ୍‌ବ୍ରସ ଧରି ଦେବକାନ୍ତ ବାଥରୁମ୍ ଭିତରେ ପଶିଲା ।

 

ଆରପଟ ବାଥ୍‌ରୁମ୍ ରେ ମିସେସ୍ ଜର୍ଜଙ୍କ ‘ଜେସ୍‌ମିନ୍’ ସ୍ନାନ କରୁଛି । କଣ୍ଠର ଗୁଣୁ ଗୁଣୁ ଅବାଜ ସହିତ ପାଣିର ଛମ୍‌ଛମ୍ ଶବ୍ଦ ଏପଟକୁ ଶୁଣାଯାଉଛି ।

 

ବାହାରେ ଡ୍ରାଇଭର ହର୍ଣ୍ଣ ଦେଉଛି ।

 

ଦେବକାନ୍ତ ଡ୍ରେସିଂ ସାରି ବାହାରକୁ ଆସିଲା ।

 

ଡ୍ରାଇଭର କାରର ଗେଟ୍ ଖୋଲିଦେଲା ।

 

କାରର ପଛଦ୍ଵାର ଖୋଲି ଦେବକାନ୍ତ ବସିପଡ଼ିଲା ସିଟ୍‌ ଉପରେ । ତା’ ପାଖରେ ଜ୍ୟୋତ୍ସ୍ନା । ବସିପଡ଼ି ଦ୍ଵାର ବନ୍ଦକରି କହିଲା–ଷ୍ଟାର୍ଟ କାରର ଇଞ୍ଜିନ୍‌ଟି ଗର୍ଜି ଉଠିଲା । ଆଉ ପର ମୁହୂର୍ତ୍ତରେ କ୍ୟାଡ଼ଲକ୍ ଗାଡ଼ି ନିଉୟର୍କର ସୁପ୍ରଶସ୍ଥ ରାସ୍ତାରେ ଛୁଟିଚାଲିଲା ତୀରବେଗରେ ।

 

ହଠାତ୍ କାରରେ ବ୍ରେକ ଦେଲା ସୁଖମୟ ।

 

ଚମକି ଉଠିଲା ତରଣୀ । ସୁଖମୟବାବୁ ଆଜି ତା’ ଘରକୁ କାହିଁକି ଆସିଛନ୍ତି କାହିଁକି ତା’ ପଛରେ ଛାୟାପରି ଘୂରି ବୁଲୁଛନ୍ତି ? ଯେଉଁ ସୁଖମୟବାବୁଙ୍କ ବିଷାକ୍ତ ପରିବେଶ ଭିତରେ ଆବଦ୍ଧ ରହିବନି ବୋଲି ସେ ଯେତିକି ତାଙ୍କ ପାଖରୁ ଦୂରେଇ ଆସୁଛି, ସୁଖମୟବାବୁ ସେତିକି ତା’ ପାଖକୁ ଲାଗି ଆସୁଛନ୍ତି । କାହିଁକି ସେ ଗୋଟିଏ ସରଳା କୁମାରୀକନ୍ୟାର ଜୀବନକୁ ଧ୍ଵଂସ କରି ଦେବାକୁ ପ୍ରୟାସ କରୁଛନ୍ତି ? ସାରାଜୀବନ ପାଇଁ ତା’ ମୁଣ୍ଡରେ କଳଙ୍କର ଟୀକା ଲେପିଦେଇ, ପୁଣି ଆଜି କାହିଁକି ସେଇ ଭ୍ରଷ୍ଟା ନିକଟକୁ ଆସିଛନ୍ତି ?

 

ମୃଦୁ ହସି ସୁଖମୟବାବୁ ମାଡ଼ି ଆସୁଛନ୍ତି ।

 

ଦୁଇପାହୁଣ୍ଡ ଆଗେଇଯାଇ ତରଣୀ ନମସ୍କାର ଜଣାଇଲା ।

 

ପ୍ରତି ନମସ୍କାର ଜଣାଇଲା ସୁଖମୟ । କଣ୍ଠରେ କରୁଣତା ବୋଳି କହିଲା–ମୁଁ ତମ ପାଖକୁ ଆସିଥିଲି ତରଣୀ !

 

ତାହା ମୁଁ ନିଶ୍ଚୟ ଜାଣିପାରୁଛି । କିନ୍ତୁ କଥାଟା କଣ କହିଲେ ସିନା ବୁଝିବି ?

 

ତମ ବାପାଙ୍କୁ ଦେଖିବାକୁ ଆସିଛି ।

 

ତରଣୀର ମନଭିତରେ ଖେଳିଗଲା କେତେ ପ୍ରକାର କଥା । ମଣିଷରୂପୀ ରାକ୍ଷସ ଆଜି କିମିତି ଦେବତା ହୋଇପାରୁଛି । ଯେଉଁ ସୁଖମୟବାବୁ ତା’ ପରିବାର ବିଷୟରେ ଶୁଣିବାକୁ କେବେ ଆଗ୍ରହ ପ୍ରକାଶ କରି ନାହାନ୍ତି, ସେ କିମିତି ଆଜି ବିନା ନିମନ୍ତ୍ରଣରେ ତା’ ପରିବାରର ଦାୟିତ୍ଵ ଗ୍ରହଣ କରିବାକୁ ଇଚ୍ଛା କରୁଛନ୍ତି ? ସତରେ କଣ ଏଇ କେଇଟା ଦିନ ଭିତରେ ସେ ବଦଳିଗଲେ ?

 

ହଁ, ହୋଇପାରେ । ଦସ୍ୟୁ ରତ୍ନାକର ମଧ୍ୟ ବାଲ୍ମୀକି ପାଲଟି ଯାଇଥିଲେ ।

 

କିନ୍ତୁ ସୁଖମୟବାବୁ ମିଥ୍ୟା ଅଭିନୟ କରୁନାହାନ୍ତି ତ ? ଗୋଟିଏ ନିଃସହାୟା ସରଳା ବାଳିକାର ସର୍ବନାଶ କରୁନାହାନ୍ତି ତ ? ହୋଇପାରେ ସୁଖମୟ ଦସ୍ୟୁ, ତଥାପି ସେ ଯେତେବେଳେ ଆଜି ତାଙ୍କ ଘରକୁ ଆସିଛନ୍ତି, ସେ ତାଙ୍କୁ ଅପମାନିତ କରିବ ନାହିଁ । କିଛି ନ ହେଲେ ମଧ୍ୟ ତା’ର ବଡ଼ ଅଫିସର ତ ?

 

ତରଣୀ ଘର ଭିତରକୁ ଡାକିନେଲା ।

 

ନିଦ୍ରିତ ବୃଦ୍ଧ ପିତାଙ୍କ ଦେହରେ କୋମଳ ଅଙ୍ଗୁଳିର ମୃଦୁ ପରଶ ଦେଇ ତରଣୀ ଡାକିଲା–ବାବା ?

 

କଡ଼ ଲେଉଟାଇଲେ ବୃଦ୍ଧ । କଣ କହିବୁ ମାଆ ?

 

ସୁଖମୟବାବୁ ଆସିଛନ୍ତି ବାବା !

 

ମୁକ୍ତିରଞ୍ଜନବାବୁ ବିଛଣାରୁ ଉଠି ପଡ଼ିଲେ ।

 

ସୁଖମୟ ନମସ୍କାର ଜଣାଇଲା ।

 

ବସ, ବସ ବାପା ! ତରଣୀ ମୁହଁରୁ ତୁମର ପ୍ରଶସ୍ତି ଅନେକଥର ଶୁଣିଚି । ତା’ ଛଡ଼ା ତୁମର ଭଉଣୀ ଚମ୍ପାବତୀ ମଧ୍ୟ ଏ ଘରକୁ ଏକ ପ୍ରକାର ନିଜର କରି ନେଇଥିଲା । ବିଚରା ବିବାହ କଲାବେଳକୁ…

 

ସୁଖମୟ ଘରର ଚତୁର୍ଦ୍ଦିଗରେ ଥରେ ଦୃଷ୍ଟି ଘୂରାଇ ଆଣିଲା ।

 

ଛିଡ଼ା ହୋଇ ରହିଲୁ ଯେ ମାଆ ! ସୁଖମୟବାବୁଙ୍କ ପାଇଁ କପେ ଚାହା ଆଣ ? କଣ ବା ଆମେ ଦେଇପାରିବୁ ତାଙ୍କୁ ?

 

ମଖମଲି ଗଦି ଉପରେ ଶୋଇବା ଯାହାର ଜନ୍ମଗତ ଅଭ୍ୟାସ, ଦାମୀ ଚେୟାର, ତ୍ରିତଳ ପ୍ରସାଦର ଶୀତତାପ ନିୟନ୍ତ୍ରିତ କକ୍ଷରେ ରହିବାକୁ ଯିଏ ଜନ୍ମ ହୋଇଛି, ତାଙ୍କୁ ଆମେ କଣ ବା ଖାଇବାକୁ ଦେଇପାରିବୁ ? ତଥାପି କପେ ଚା ?

 

ମୋତେ ଅପମାନିତ କରନ୍ତୁ ନାହିଁ । ବଡ଼ଲୋକ ହୋଇ ସଂକୀର୍ଣ୍ଣ ମନୋବୃତ୍ତି ନେଇ କାର୍ଯ୍ୟକଲେ, ସେଇ ବଡ଼ଲୋକର କିଛି ମହତ୍ଵ ରହେ ନାହିଁ । ମଣିଷ ସମାଜରେ ପ୍ରତି ମଣିଷକୁ ଆପଣାର କରିବା ହେଉଛି ପ୍ରକୃତ ମଣିଷ-ଜୀବନର ସାର୍ଥକତା ।

 

ତରଣୀ ଚାହା କପଟି ବଢ଼ାଇଦେଲା ।

 

କଥୋପକଥନର ସୁଅ ଛୁଟିଲା ।

 

ଦୀର୍ଘ ଦୁଇଘଣ୍ଟାପରେ ସୁଖମୟ ଉଠିଲା । ମୁକ୍ତିରଞ୍ଜନବାବୁଙ୍କୁ ନମସ୍କାର ଜଣାଇ କହିଲା–ମୁଁ ଯାଉଛି । ସୁବିଧା ଦେଖି ପରେ ଆସିବି ।

 

ହଁ ବାବା ! ବେଳେବେଳେ ଇମିତି ଆସୁଥିବ ।

 

ସୁଖମୟବାବୁ ବିଦାୟ ନେଲେ ।

 

ତରଣୀ ସୁଖମୟର ପଛେ ପଛେ ଆସିଲା ।

 

ଦାଣ୍ଡଘରେ ପଡ଼ିଥିବା ଚେୟାରଟା ଉପରେ ସୁଖମୟ ବସିପଡ଼ି କହିଲା–ତମେ ଅଫିସ୍ ଯାଇନାହଁ ଯେ ?

 

ଯିବାର ଦରକାର ନାହିଁ । ଇସ୍ତଫାପତ୍ର ଦାଖଲ କରସାରିବା ପରେ ସେ ଅଫିସ୍‍ରୁ ମୋର ସମସ୍ତ ସମ୍ପର୍କ ତୁଟି ଯାଇଛି ।

 

କିଏ କହିଲା ? ସବୁ ମୁହୂର୍ତ୍ତରେ ମୋର ଦପ୍ତର ତମପାଇଁ ଉନ୍ନୁକ୍ତ ରହିଛି । ଯେତେବେଳେ ଇଚ୍ଛା କରିବ ତମେ ଚାକିରିରେ ଯୋଗ ଦେଇପାରିବ ।

 

ଚେଷ୍ଟା କରିବ । ଯଦି କେଉଁଦିନ ବିଶେଷ ଦରକାର ପଡ଼େ ତେବେ ନିଶ୍ଚୟ ଯିବ । –ଗମ୍ଭୀର କଣ୍ଠରେ ତରଣୀ ଉତ୍ତର ଦେଲା ମାନେ ? ସତରେ ତୁମେ ଚାକିରି କରିବ ନାହିଁ ?

 

ଇସ୍ତଫାପତ୍ର ଦାଖଲ କରିସାରିବା ପରେ ଚାକିରିର ପ୍ରଶ୍ନ ଉଠୁଛି କେଉଁଠି ?

 

ମୁଁ ଯଦି କହେ ସେଇ

 

ଇସ୍ତଫାପତ୍ର ଗ୍ରହଣ ହୋଇନି ବୋଲି ? ସେଇ ଅନୁପସ୍ଥିତ ଦିନଗୁଡ଼ିକ ମୁଁ ଯଦି ଛୁଟି ବୋଲି ମଞ୍ଜୁର କରିଦିଏ ?

 

ଆପଣ ତା ହେଲେ ଭୁଲ କରୁଛନ୍ତି ? ମୋତେ ଏତେଦିନ ଛୁଟି ଦେଇ ଅନ୍ୟମାନଙ୍କ ପ୍ରତି ଆପଣ ଅନ୍ୟାୟ, ଅବିଚାର କରୁଛନ୍ତି ।

 

ତରଣୀର ସାମାନ୍ୟ ନିକଟକୁ ଘୁଞ୍ଚି ଆସିଲା ସୁଖମୟ । କାନ୍ଧ ଉପରେ ହାତରଖି ଆଶ୍ଵାସନାଭରା କଣ୍ଠରେ କହିଲା ତମେ ମୋତେ ଭୁଲ୍ ବୁଝନାହିଁ ତରଣୀ ! ମୋତେ ବିଶ୍ଵାସ କର । ତମକୁ ଆଉ ତମର ପରିବାରର ଶୋଚନୀୟ ଅବସ୍ଥା ଦେଖିଲେ ସ୍ଵତଃ ମୋ ମନରେ ଦୟା ଆସୁଛି-। ତମେ କିମିତି ଚଳିବ ତମର ପରିବାର ! ସାମାନ୍ୟ ତ୍ରୁଟି ଯୋଗୁ ମୋ ଉପରେ ତମେ ରାଗ କରିଛ, କିନ୍ତୁ ତମର ପିତାମାତା କଣ କରିଛନ୍ତି ? ତୁମପାଇଁ ସେମାନେ କାହିଁକି ଅନାହାରରେ ଦିନ ବିତାଇବେ ? ସେ ତୁମକୁ ଶିକ୍ଷା-ଦୀକ୍ଷାରେ ପରିମାର୍ଜିତ କରି ଗଢ଼ିଥିଲେ କଣ ଏଇଥିପାଇଁ ? ତମେ ମୋର ଛୋଟକଥା ରଖ । ମୋର ସାମାନ୍ୟ ତ୍ରୁଟିକୁ କ୍ଷମା ଦେଇ ତମେ ଚାକିରିରେ ଯୋଗ ଦିଅ-

 

ସାମାନ୍ୟ ତ୍ରୁଟି ! ଆଜି ସୁଖମୟବାବୁ ତା’ର କୁସୁମିତ ଜୀବନପଥରେ ଯେଉଁ ଝଡ଼ଝଞ୍ଜା ଉଠାଇଛନ୍ତି, ସେ ତାକୁ ସାମାନ୍ୟ ବୋଲି ଭାବିପାରିବ ?

 

ତରୀ ! ସୁଖମୟ ଡାକିଲା ।

 

ଦେବକାନ୍ତ ଇମିତି ‘ତରୀ’ ବୋଲି ସମ୍ବୋଧନ କରେ । ଆଜି ସୁଖମୟବାବୁ ସେଇ ସମ୍ବୋଧନ କରୁଛନ୍ତି । ତେବେ ଦୁହିଁଙ୍କ ଭିତରେ କଣ କିଛି ପ୍ରଭେଦ ନାହିଁ ?

 

ତରୀ ! ପୁଣି ସୁଖମୟର କଣ୍ଠସ୍ଵର ଶୁଭିଲା ।

 

ସାର୍ ! ତରଣୀ ଅଳ୍ପ ମୁହଁଟେକି ଚାହିଁଲା ।

 

ମୁଁ ଯାଉଛି । ମୋର ଦୃଢ଼ ବିଶ୍ଵାସ, ତମେ ମୋର ଅନୁରୋଧ ଭାଙ୍ଗି ଦେବ ନାହିଁ । କାଲି ଯେପରି ଅଫିସ୍ ରେ ମୁଁ ତମକୁ ଦେଖିବାକୁ ପାଏ ।

 

ଚେଷ୍ଟା କରିବି ସାର୍ !

 

ନା ନା, ଚେଷ୍ଟା ନୁହେଁ, ତୁମେ ନିଶ୍ଚିତ ଆସିବ ।

 

ମଟରରେ ଷ୍ଟାର୍ଟ ଦେଇ ସୁଖମୟ ଚାଲିଗଲା ।

 

ସୁଖମୟ ଚାଲିଗଲା ପରେ ତରଣୀ ଫେରିଆସିଲା ନିଜ କୋଠରୀକୁ । ନିରୋଳାରେ ବସି ଚିନ୍ତାକଲେ । ସୁଖମୟବାବୁ କିଛି ଭୁଲ କହୁନାହାନ୍ତି । ଚାକିରି ଛାଡ଼ିଦେଲେ କେମିତି ଚଳିବ ନିଜ ପରବାର ! ଯେଉଁ ପିତାମାତା ନିଜେ ନ ଖାଇ ତାକୁ ପରିପୁଷ୍ଟ କରାଇ ଏତେବଡ଼ କରି ଗଢ଼ିଛନ୍ତି, ସେଇ ପିତାମାତାଙ୍କ ପ୍ରତି ସେ କିମିତି ନିଷ୍ଠୁର ହେବ ! ନା, ତା’ ହୋଇ ପାରେ ନା । ସେ ଚାକିରି କରିବ । ପିତାମାତାଙ୍କ ତୁଣ୍ଡରେ ଆହାର ଦେବ । କିନ୍ତୁ....

 

ସୁଖମୟ ମନରେ ଯେଉଁ କୁତ୍ସିତ ଲାଳସା ଖେଳି ବୁଲୁଛି ସେଥୁରୁ କିପରି ଉଦ୍ଧାର ପାଇବ ? ସୁଖମୟ ତା’ ପ୍ରତି ଯେପରି ହିଂସ୍ର ହୋଇ ଉଠିଛି ସେଥିରୁ କିପରି ସେ ନିଜକୁ ରକ୍ଷା କରିବ ? କେମିତି ଦୁନିଆର କଣ୍ଟକିତ ପଥରେ ବାଟ ଚାଲିବ ?

 

କିନ୍ତୁ ଆଜି ଯଦି ଦେବକାନ୍ତ ଥାଆନ୍ତା ?

 

ଦେବକାନ୍ତ ନିଷ୍ଠୁର, ନିର୍ମମ, ପାଷାଣ । ଅନେକ ଦିନରୁ ସେ ଅମେରିକା ଗଲାଣି, ଅଥଚ ଖଣ୍ଡେ ଚିଠି ବି ଦେଇନାହିଁ । ଏଇଥିପାଇଁ କହୁଥିଲା–ପୁରୁଷଠାରୁ ଶତଗୁଣେ ନାରୀ ନିଷ୍ଠୁର, ପାଷାଣୀ; କିନ୍ତୁ ଆଜି କିଏ ନର୍ମମତାର ଅଚଳ ଗହରରେ ତାକୁ ଠେଲି ଦେଇ ଚାଲିଯାଇଛି ? କିଏ ଆଜି ତା’ପ୍ରତି ନଷ୍ଠୁର, ନିର୍ମମ ହୋଇ ଉଠିଛି ?

 

ସତେ କଣ ଦେବକାନ୍ତ ତାକୁ ଭୁଲିଗଲା ? ଭୁଲିଗଲା ଅତୀତରର ସେଇ ସ୍ନେହ, ସୋହାଗ, ଭଲପାଇବାକୁ ? ହଁ, ଭୁଲିଯିବା ଅସମ୍ଭବ କିଛି ନୁହେଁ । ନାରୀଠାରୁ ବେଶି ଅଭିମାନ କରିଜାଣେ ପୁରୁଷ । ପ୍ରେମିକାର ସାମାନ୍ୟ ତ୍ରୁଟି ଦେଖିଲେ ସତ୍ୟ ସତ୍ୟ ନବୁଝି ଚିରଦିନ ପାଇଁ ତା’ଠାରୁ ଦୂରେଇ ଯାଆନ୍ତି ।

 

ବର୍ତ୍ତମାନ ଦେବକାନ୍ତ ହୁଏତ ନିରାପଦରେ ଶୋଇ ଯାଇଥବ, ନଚେତ୍ କୌଣସି ବଦେଶିନୀ ବୈଦେହୀ ସଙ୍ଗେ ନିଭୃତ କୋଠରୀରେ ରାତ୍ରି ଯାପନ କରୁଥିବ ।

 

ଅଥଚ ସେ ନିଜେ...

 

ତରଣୀ ଆଖିରୁ ଝରି ପଡ଼ିଲା ଧାର ଧାର ଲୁହ । ଦୁଃଖ, ଅଭାବ, ଅନଟନ ଭିତରେ ଯାହାର ଜୀବନ ଗଢ଼ି ଉଠିବ ବୋଲି ଭାଗ୍ୟ ଲେଖା ହୋଇଛି, ସେ କିପରି ଦୁନିଆର ସବୁଜ ଆଲୋକ ଦେଖିବାକୁ ଲାଳାୟିତ ହୋଇ ଉଠିବ ?

 

ଆଖିରୁ ଲୁହ ପୋଛିଲା ତରଣୀ । ନାଁ, ଏଣିକି ସେ ଅତୀତକୁ ଭୁଲିଯିବ । ଭୁଲିଯିବ ମଧୁବୋଳା ଅତୀତର ସେହି ସୁଖ ସ୍ମୁତି ବିଜଡ଼ିତ ଦିନଗୁଡ଼ିକୁ । ଏଥର ସେ ଜୀବନକୁ ନୂତନ କରି ଗଢ଼ିବ ।

 

କିନ୍ତୁ ସତେ କଣ ସେ ଭୁଲି ପାରିବ ସେଇ ସ୍ମରଣୀୟ ଅତୀତକୁ ? ଭୁଲି କଣ ପାରିବ ସେ ଦେବକାନ୍ତର ଅଯାଚିତ ଦୟା, ସହାନୁଭୂତ ? ହଁ, ଦେବକାନ୍ତ ଯଦି ତା’ର ବାଲ୍ୟସାଥିକୁ ଭୁଲଯାଇ ପାରିଲା, ତେବେ ସେ କାହିଁକ ତାକୁ ଭୁଲିଯାଇ ପାରିବ ନାହିଁ ।

 

ଅନେକ ସମୟ ଚିନ୍ତାକରି ଶେଷ ନିଷ୍ପତିରେ ପହଞ୍ଚିଲା ତରଣୀ । ଦେବକାନ୍ତକୁ ସେ ଭୁଲି ଯିବାକୁ ଚେଷ୍ଟା କରିବ । ନିଜ ଜୀବନର ସୁଖ ସମ୍ଭୋଗ ପାଇଁ, ବୁଭୁକ୍ଷ ପିତା ମାତା, ସାନ ଭଉଣୀ ମୁଖରେ ହସ ଖେଳାଇବା ପାଇଁ, ନିଜେ ବଞ୍ଚିବା ପାଇଁ ସେ ସୁଖମୟ ଦପ୍ତରରେ ଚାକିରି କରିବ ।

 

।। ୭ ।।

 

ରାତି ଦଶଟା ଅତିକ୍ରମ କରିଯାଇଥିଲା । ତଥାପି ଶୋଇ ପାରି ନ ଥିଲା ଦେବକାନ୍ତ । ଦେହର ସାମାନ୍ୟ ଅସୁସ୍ଥତା ହେତୁ ଭାରାକ୍ରାନ୍ତ ମନକୁ ହାଲ୍‌କା କରିବାପାଇଁ ଖଣ୍ଡିଏ ଇଂରଜୀ ଉପନ୍ୟାସ ପଢ଼ିବାରେ ମନୋନିବେଶ କରିଥିଲା ।

 

ହଠାତ୍ କୋଠରୀ ଭିତରକୁ ଜ୍ୟୋତ୍ସ୍ନା ପଶି ଆସିଲା । ସ୍ପ୍ରିଙ୍ଗ ଖଟର ବହଳେ ମୋଟର ବିଛଣା ଉପରେ ବସିପଡ଼ି ଡାକିଲା–ଦେବକାନ୍ତବାବୁ !

 

ଦେବକାନ୍ତ ମୁହଁଟେକି ଚାହିଁଲା । ରାତି ଯଥେଷ୍ଟ ହୋଇଥିଲେ ମଧ୍ୟ ଜ୍ୟୋତ୍ସ୍ନା ଏ ପର୍ଯ୍ୟନ୍ତ ଶୋଇନି କିମ୍ବା । ଶୋଇବାର କୌଣସି ଲକ୍ଷଣ ତା’ ମୁଖମଣ୍ଡଳରେ ପରିଲକ୍ଷିତ ହେଉନାହିଁ । ଦିନର ବେହରଣ ଏ ପର୍ଯ୍ୟନ୍ତ ଦେହରେ ସେମିତି ରହିଛି । ଭାରତୀୟ ନାରୀଙ୍କର ପୂର୍ଣ୍ଣ ଆବରଣ ଶାଢ଼ି-ବ୍ଲାଉଜ ଦୁଧ-ଅଳତା ଦେହ ଉପରେ ସଂଯତଭାବରେ ଆଚ୍ଛାଦିତ ହୋଇଥିଲେ ମଧ୍ୟ ଜ୍ୟୋତ୍ସ୍ନାକୁ ମୋଟେ ଚାହିଁ ହେଉନି । ନାଇଲନ୍ ବ୍ଲାଉଜ ଉପରେ ଝୀନ ବେହରଣ । ରୋଗ ତକ ତକ ନଗ୍ନବାହୁର ସୌନ୍ଦର୍ଯ୍ୟ ଆଖିରେ କାମନାର ଅଗ୍ନି ଜାଳି ଦେଉଛି । ବକ୍ଷର ଅନୁପମ ଯୌବନ-ଶ୍ରୀ ଯୁବକ ରକ୍ତରେ ଉଷ୍ଣତା ଆଣୁଛି । ଅଭିସନ୍ଧିଭରା କଟାକ୍ଷରୁ ଦୁଷ୍ଟା ରମଣୀର ନଷ୍ଟ ଅଭିପ୍ରାୟ ଝିରି ଝିରି ହୋଇ ଝରି ପଡ଼ୁଛି ।

 

ଜ୍ୟୋତ୍ସ୍ନା ଉପରେ ସତର୍କ ଦୃଷ୍ଟି ଘୂରାଇ ଆଣି ଦେବକାନ୍ତ ପୁଣି ପଢ଼ିବାରେ ମନୋନିବେଶ କଲା ।

 

ଜ୍ୟୋତ୍ସ୍ନା ପୁଣି ଡାକିଲା–ଦେବକାନ୍ତବାବୁ !

 

ଉପନ୍ୟାସ ଉପରେ ନିର୍ଲିପ୍ତ ଦୃଷ୍ଟିଦେଇ ଦେବକାନ୍ତ କହିଲା–ମୋତେ କଣ କହିବ ଜ୍ୟୋସ୍ନା ?

 

ନାଁ, ଆପଣଙ୍କୁ ନୁହେଁ–ଦେବକାନ୍ତବାବୁଙ୍କୁ !

 

ତେବେ କୁହ ? ଦେବକାନ୍ତ କହିଲା ।

 

ଦେବକାନ୍ତ ଧରିଥିବା ଉପନ୍ୟାସଟିକୁ ଛଡ଼ାଇ ଆଣି ଜ୍ୟୋତ୍ସ୍ନା କହିଲା–ଇସ୍ ! କେବେଠାରୁ ଏତେ ଭଦ୍ରାମୀ ଶିଖିଲମ ?

 

ଖୁବ୍ ଶାନ୍ତ, ଭଦ୍ର ପରି କଥାଭାଷା କରୁଛନ୍ତି ତ ?

 

ବିଛଣା ଉପରୁ ଉଠିପଡ଼ି ଦେବକାନ୍ତ କହିଲା–ତମର କୌଣସି କାର୍ଯ୍ୟରେ ମୁଁ ଅବହେଳା କରନାହିଁ ଜ୍ୟୋତ୍ସ୍ନା ! ତମର କୌଣସି ଆଦେଶକୁ ମୁଁ ଅବଜ୍ଞା କରିନାହିଁ । ତମ ସହିତ କେବେ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିନାହିଁ, ତଥାପି ଇମିତି କହିବାର ମାନେ ?

 

ବାସ୍ ! ଏତିକିରେ ରାଗିଗଲେ ? ଏଡ଼େ ଅଭିମାନୀ ଆପଣ ? ପରିହାସରେ ମୁଁ ଆପଣଙ୍କୁ କହିଥିଲି ଅଥଚ ଆପଣ ମୋତେ ଭୁଲ ବୁଝି ବସିଲେ ?

 

ଦେବକାନ୍ତ ହସି ଉଠିଲା । କହିଲା–କୁଆଡ଼େ ଗଲା ତୁମର ବଲିଷ୍ଠ ବ୍ୟକ୍ତିତ୍ଵ ! ପୁରୁଷ ସହିତ ପ୍ରତିଦ୍ଵନ୍ଦତା କରିବ ବୋଲି ଯିଏ ନିଜର ଜନ୍ମମାଟି ଛାଡ଼ି ସୁଦୂର ଯୁକ୍ତରାଷ୍ଟ୍ର ଆମେରିକାକୁ ଏକୁଟିଆ ଆସିଛି, ସେ କିମିତି ନିରୋଳାକକ୍ଷରେ ଗୋଟିଏ ପୁରୁଷ ନିକଟରେ ଆତ୍ମସମର୍ପଣ କରୁଛି-

 

ମାନେ ? ହଠାତ୍ ଜ୍ୟୋସ୍ନା କହିଉଠିଲା ।

 

ନାଁ, କିଛି ନୁହେଁ । ମୁଁ ପରିହାସରେ ତୁମକୁ କହୁଥିଲି ।

 

ହଉ, କଣ କହିବ ପରା !

 

ଓଃ, ତା ହେଲେ ଆପଣ ବି ମୋ ସହ ପରିହାସ କରୁଛନ୍ତି ?

 

କାହିଁକି ? ପରିହାସ ତୁମର ତ ଜନ୍ମଗତ ଅଧିକାର ନୁହେଁ । ତୁମେ ନାରୀ ହୋଇ ଯଦି ପୁରୁଷ ସହିତ ପରିହାସ କରିପାରିବ, ତେବେ ମୁଁ ପୁରୁଷ ହୋଇ କାହିଁକି ପାରିବ ନାହିଁ ?

 

ଜ୍ୟୋତ୍ସ୍ନା କହିଲା–ତା’ହେଲେ ଆପଣ ସମାଲୋଚନା କରିବାକୁ ପ୍ରସ୍ତୁତ ହୋଇ ସାରିଲେଣି । କିନ୍ତୁ ମୁଁ ଯୁକ୍ତି, ଆଲୋଚନା କରିବାକୁ ଆପଣଙ୍କ ପାଖକୁ ଆସିନାହିଁ । ଗୋଟିଏ ପ୍ରଶ୍ନର ନିର୍ଭୂଲ ଉତ୍ତର ପାଇବାକୁ ଆସିଛି ।

 

 

ହଉ ! କଣ କୁହ ? ଦେବକାନ୍ତ ମୃଦୁହସି ଉତ୍ତର ଦେଲା । ତରଣୀର ପ୍ରତୀକ୍ଷା କେବେ ଶେଷ ହେବ ଦେବକାନ୍ତବାବୁ ?

 

ଚମକି ଉଠିଲା ଦେବକାନ୍ତ । ସାମନାରେ ନାଗସାପକୁ ଦେଖିଥିଲେ ହୁଏତ ସେ ଏତେ ଭୟଭିତ ହୋଇ ନ ଥାନ୍ତା !

 

ଯେଉଁ ବିଷକନ୍ୟା ତରଣୀଠାରୁ ଦୂରରେ ରହିବାକୁ ଚେଷ୍ଟାକରି ସେ ଏତେଦୂର ଚାଲିଆସିଛି, ଯେଉଁ ତରଣୀର ଅଶ୍ଳୀଳ ଇତହାସକୁ ଜ୍ୟୋତ୍ସ୍ନା ପାଖରେ ପ୍ରକାଶ କରିବନି ବୋଲି କଥା ପ୍ରସଙ୍ଗରେ ତାକୁ ବାରମ୍ବାର ଭୁଲାଇ ଦେଇଛି, ସେଇ ତରଣୀ କଥା ଆଜି ପଚାରୁଛି ଜ୍ୟୋତ୍ସ୍ନା ।

 

ନୀରବ ରହିଲ ଯେ ? କହିବ ନାହିଁ ବୋଧେ ?? ଜ୍ୟୋତ୍ସ୍ନା କହିଉଠିଲା ।

 

ତମେ କାହାକଥା କହୁଛ ଜ୍ୟୋତ୍ସ୍ନା । ଦେବକାନ୍ତ ପଚାରି ଉଠିଲା ।

 

ବାଃ, ଏତେ ଶୀଘ୍ର ଆପଣ ଭୁଲିଗଲେ ! ମୁଁ ତରଣୀ କଥା କହୁଥିଲି । ତରଣୀ ସାମନ୍ତରାୟ–ଯାହାର ଇତିହାସକୁ ଆପଣ ଆଜି ପର୍ଯ୍ୟନ୍ତ ମୋ ପାଖରେ ଲୁଚାଇ ରଖିଛନ୍ତି ।

 

ଦେବକାନ୍ତ ଦୀର୍ଘନିଶ୍ଵାସ ଛାଡ଼ିଲା ।

 

ଜ୍ୟୋତ୍ସ୍ନାର ମନେ ପଡ଼ିଗଲା ଅନେକଦିନ ତଳର କଥା । ଆମେରିକା ଆସିବା ଦିନ କଟକ ଷ୍ଟେସନରେ ଦେବକାନ୍ତ ସହିତ ସାକ୍ଷାତ୍ ହୋଇଥିଲା । ଦେବକାନ୍ତ କମ୍ପାର୍ଟମେଣ୍ଟ ଭିତରକୁ ପଶି ଆସି ନିଜର ସୁଟ୍‌କେଶ୍ ଆଉ ବେଡ଼ିଂ ରଖି, ଗଭୀର ଦୀର୍ଘନିଶ୍ଵାସ ଛାଡ଼ି ବସିଥିଲା ଆଉ ଚୁପ୍ ଚୁପ କାନ୍ଦିଥିଲା । ପରିଚୟ ଓ ବନ୍ଧୁତା ନିବିଡ଼ ହେବାପରେ ସେ କହିଥିଲା–କୁହନ୍ତୁ ଦେବକାନ୍ତବାବୁ ! ଏତେ ଦୁଃଖ ଭିତରେ ଆପଣ କାହିଁକି ଆମେରିକାର ପଥୁକୀ ହୋଇପଡ଼ିଲେ ?

 

ସେ ଦିନ ଦେବକାନ୍ତ କିଛି ଉତ୍ତର ଦେଇପାରି ନ ଥିଲା ।

 

ତା’ପରେ ଥର ଥର କରି ଅନେକଥର ସେ ଦେବକାନ୍ତକୁ ଅନୁରୋଧ କରିଛି । କିନ୍ତୁ ଦେବକାନ୍ତ ଅନ୍ୟକଥାରେ ନିମଗ୍ନା ରଖି ତାକୁ ଭୁଲାଇ ଦେଇଛି ।

 

ତେବେ ଆଜି ବି କଣ ଭୁଲାଇ ଦେବ ଦେବକାନ୍ତ !

 

ଦେବକାନ୍ତ ଅନ୍ୟମନସ୍କ ଭାବେ ବାହାରକୁ ଚାହିଁ ରହିଛି ।

 

ଜ୍ୟୋତ୍ସ୍ନା ଡାକିଲା–ଦେବକାନ୍ତବାବୁ !

 

ଉଁ ।

 

ଯେଉଁ ତରଣୀର ଇତିହାସ ମୋ ନିକଟରେ ପ୍ରକାଶ କରିବାକୁ କୁଣ୍ଠିତ ହୋଇ, ନାନାପ୍ରକାର ଛଳନା କରି ମୋତେ ଭୁଲାଇ ଦେଇଛନ୍ତି, ସେଇ ତରଣୀର ଇତିହାସ ମୁଁ ଆଜି ଶୁଣିବି-

 

ଦେବକାନ୍ତ କହିଲା, ଆଉ କେଉଁଦିନ ମୁଁ କହିବି ଜ୍ୟୋତ୍ସ୍ନା ! ପ୍ରଥମେ ତୁମେ କୁହ, ତରଣୀର ନାମ ତୁମେ କିପରି ଜାଣିଲ ?

 

ମୁଁ କହିବି ନିଶ୍ଚୟ । କିନ୍ତୁ ଆପଣ ତରଣୀ ଜୀବନର ବ୍ୟକ୍ତିଗତ ଇତିହାସ କହିବେ ବୋଲି ଶପଥ କରନ୍ତୁ ?

 

ମୁଁ ତୁମକୁ ସବୁ କହିବି ଜ୍ୟୋତ୍ସ୍ନା ! କିନ୍ତୁ ଆଦି ନୁହେଁ–ଦେବକାନ୍ତ ନିକଟକୁ ଲାଗିଆସିଲା ଜ୍ୟୋତ୍ସ୍ନା ! ଦେବକାନ୍ତର ଦୁଇହାତକୁ ନିଜର କୋମଳ ପାପୁଲି ଭିତରେ ଚାପିଧରି କହିଲା–ମୋତେ ନିରାଶ କରନ୍ତୁ ନାହିଁ ଦେବକାନ୍ତବାବୁ ! ମଣିଷର ପ୍ରବଳ ଆକାଂକ୍ଷାରେ ବାଧାଦେବା ଉଚିତ ନୁହେଁ ! ଏଇକଥା ମୋତେ କହିବେ ବୋଲି ଅନେକଥର ମିଛର ଛଳନା କରି ଆସିଲେଣି । କିନ୍ତୁ ଆଜି ନ ଶୁଣି ମୁଁ ଛାଡ଼ିଦେବି ନାହିଁ ।

 

ଜ୍ୟୋତ୍ସ୍ନାର କଥାଭାଷାରୁ ଦେବକାନ୍ତ ଉପଲବ୍‌ଧି କଲେ, ସେ ଅଭିମାନ କରିଛି । ପ୍ରକୃତରେ ତରଣୀର ଇତିହାସ ଜ୍ୟୋତ୍ସ୍ନା ନିକଟରେ ପ୍ରକାଶ କରିବନି ବୋଲି ସେ ଶପଥ କରିଥିଲା-। ବର୍ତ୍ତମାନ ଯେତେବେଳେ ତରଣୀ ନାମଟା ସେ ପ୍ରଥମେ ଜାଣି ପାରିଛି ତେଣୁ ସେ କହିବାକୁ ବାଧ୍ୟହେଲା ।

 

ଦେବକାନ୍ତ କହିଲା–ତରଣୀ ଏକ ମଧ୍ୟବିତ୍ତ ପରିବାରର କନ୍ୟା । ବୃଦ୍ଧା ମାତା, ପଙ୍ଗୁ ପିତା ଓ ଗୋଟିଏ ଛୋଟ ଭଉଣୀକୁ ନେଇ ତାର ସଂସାର । ସ୍କୁଲରେ ପାଠ ପଢ଼ୁଥିବା ବେଳେ ମୋର ତା ସହିତ ପରିଚୟ ହୋଇଥିଲା । ତା’ପରେ ବନ୍ଧୁତା ନିବିଡ ହେଲା ।

 

ଚଣ୍ଡିଖୋଲ ପାହାଡ଼ ଉପରୁ ପତିତ ହେବା ସମୟରେ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିଥିଲି ତାକୁ । ତା’ପରେ ଆମ ଦୁହିଁଙ୍କର ଆନ୍ତରିକତା କ୍ରମଶଃ ବଢ଼ି ଉଠିଥିଲା ।

 

ତରଣୀ ବଡ଼ହେଲା, ମାଟ୍ରିକ୍ ପାଶ୍ କରିବା ମୂଳରେ ଥିଲି ମୁଁ ନିଜେ । ନିଜ କଲେଜ ପାଠ ବନ୍ଦକରି ତା’କୁ ପଢ଼ାଇଥିଲି ।

 

ଇମିତି କୌଣସି ଦିନ ନାହିଁ, ତା’ ଘରକୁ ମୁଁ ନ ଯାଇଛି ।

 

ତା’ପରେ ତରଣୀ ପରିବାରର ଅଭାବ ଅନାଟନରେ ଯେତେ ଅର୍ଥ ଦରକାର ହୁଏ ଅଯାଚିତ ଭାବେ, ଅକୁଣ୍ଠିତ ଚିତ୍ତରେ ତାହା ମୁଁ ଦାନ କରୁଥିଲେ । କିନ୍ତୁ କୌଣସିଦିନ ତରଣୀ ହାତପାତି ଗ୍ରହଣ କରି ନ ଥିଲା ମୋର ଅଯାଚିତ ଦାନ ।

 

ହଠାତ୍ ଦିନେ ମୁଁ ଆବିଷ୍କାର କଲି, ତରଣୀ ମୋତେ ନିବିଡ଼ଭାବରେ ଭଲ ପାଉଛି । ସେ ଭଲ ପାଇବାରେ ଆବିଳତା ନାହିଁ, ପଙ୍କିଳତା ନାହିଁ । ନିର୍ମଳ ସ୍ନେହ, ପ୍ରବିତ୍ର ପ୍ରେମ, ଗଭୀର ଆନ୍ତରକତା ନେଇ ସେ ମୋତେ ଏକାନ୍ତ ଭାବେ ଭଲ ପାଉଛି ।

 

ମୁଁ ମଧ୍ୟ ତାକୁ ଭଲ ପାଇଲି । ଦୁହେଁ ବିବାହ କରିବାକୁ ପ୍ରତିଜ୍ଞାବଦ୍ଧ ହେଲୁ । ବାସରରାତିରେ ସ୍ଵର୍ଣ୍ଣତରୀରେ ବସି ନୌ–ବିହାର କରି ଜୀବନ-ତରୀକୁ ସୁଖରେ କଟାଇବୁ ବୋଲି ସେହି ସୂଦିନକୁ ଅପେକ୍ଷା କରି ରହିଲୁ ।

 

ତରଣୀକୁ ମୁଁ ବାଲ୍ୟକାଳରୁ ଚିହ୍ନି ଥିଲି । ତରଣୀ ବିଷକନ୍ୟା ନୁହେଁ । ସେ ମହାକାଳ ଫଳ ନୁହେଁ । ସେ ଅମୃର-କନ୍ୟା, ସେ ସତୀକନ୍ୟା । ଦୀର୍ଘ ଅଠର ବର୍ଷ ଧରି ଦେହକୁ ନିଖୁଣ ଭାବରେ ଗଢ଼ିଆଣିଛି, ଦାରିଦ୍ରତାର ତିଳ ତିଳ ନଷ୍ପେଷିତ ହୋଇ ଅଠର ବର୍ଷର ସଞ୍ଚିତ ଯୌବନଭରା ତନୁଲତାକୁ ପରପୁରୁଷ ନିକଟରେ ବଳିଦେଇନି ଏପରି କି ନିରୋଳା ମୁହୂର୍ତ୍ତରେ ମୋ ପାଖରେ ଉପସ୍ଥିତ ହୋଇନି କିମ୍ବା ମୋ ଶରୀରକୁ ସ୍ପର୍ଶ କରିବାକୁ ଲଳାୟିତ ହୋଇନାହିଁ । ଜୀବନର ଗୋଟିଏ ବ୍ରତ, ଗୋଟିଏ ଲକ୍ଷ୍ୟ ନେଇ ଧ୍ରୁବତାରା ପରି ମୋତେଇ କେବଳ ଚାହିଁ ରହିଛି । ଆମ ବିବାହର ଲଗ୍ନକୁ ପ୍ରତୀକ୍ଷା କରି ରହିଛି । କିନ୍ତୁ....

 

ତା’ପରେ କଣ ହେଲା ଦେବକାନ୍ତବାବୁ ? ଜ୍ୟୋତ୍ସ୍ନା କହି ଉଠିଲା ।

 

ଦେହର ଅସୁସ୍ଥତା ହେତୁ ସାତଦିନ ଅନୁପସ୍ଥିତ ରହି ତା’ ପରଦିନ ତରଣୀ ସହିତ ମୁଁ ସାକ୍ଷାତ କଲି ।

 

ସେଦିନ ତରଣୀ ବେଶ୍ ଉତ୍‍ଫୁଲ୍ଲ ଦେଖାଯାଉଥିଲା । ମୋତେ ଦେଖି କହିଲେ–ଗୋଟାଏ ସୁସମ୍ବାଦ ଶୁଣିବ ଦେବକାନ୍ତି ?

 

କଣ କହ ! ମୁଁ ପଚାରିଥିଲି ।

 

ସେ କହିଲା–ତମର ଦାନ, ଦୟା, ସହାନୁଭୂତି, ଆର୍ଶୀବାଦ ନ ରହିଲେ ମୁଁ ବଞ୍ଚିପାରିବି ନାହିଁ, ତଥାପି ନିଜେ ସୁସ୍ଥସବଳ ଥାଇ ଅନ୍ୟର ଦାନକୁ ଅପେକ୍ଷା କରି ରହିବାକୁ ମୁଁ ଉଚିତ ମନେକଲି ନାହିଁ । ତେଣୁ ମୁଁ ଚାକିରି କରିବାକୁ ବାଧ୍ୟ ହୋଇଛି ।

 

ମୁଁ ଚମକି ଉଠିଥିଲି ତା’ ଉତ୍ତରରେ ।

 

ତରଣୀ କହିଲା–ଅଭାବଗ୍ରସ୍ତ ପରିବାରର ଶୋଚନୀୟ ଅବସ୍ଥା ଦେଖି ମୁଁ ଚୁପ୍ ହୋଇ ବସି ପାରିଲି ନାହିଁ । ଯେଉଁ ପିତାମାତାଙ୍କ ଅର୍ଥରେ ମୁଁ ମଣିଷ ହୋଇଛି, ସେମାନଙ୍କ ଆଖିରେ ଲୁହ ଦେଖି ମୁଁ ନିଶ୍ଚୁପ ହୋଇ କିମିତି ବସି ରହିବି ? ତା’ଛଡ଼ା ବିବାହର ପବିତ୍ର ସମ୍ବନ୍ଧ ସ୍ଥାପିତ ନ ହେବା ପୂର୍ବରୁ ତୁମ ଉପରେ ସ୍ଵତନ୍ତ୍ର ଅଧିକାର ମୋର ନାହିଁ । ଆମ ପରିବାରକୁ ଆଜିପର୍ଯ୍ୟନ୍ତ ତମେ ଚଳାଇ ନେଉଛ । କିନ୍ତୁ ମୋର ଖଣ୍ଡିଏ ବେହରଣ ପାଇଁ ତୁମ ନିକଟରେ ତୁଣ୍ଡଖୋଲି କହିଥିଲେ ତୁମେ କଣ ଖୁସି ହୋଇଥାଆନ୍ତ ? ତେଣୁ ମୁଁ ଚାକିରି କରିବା ଦ୍ଵାରା କିଛି ଭୁଲ କରିନି–ଅପରାଧ କରିନି ।

 

ତରଣୀର ଯୁକ୍ତିରେ ମୁଁ ସେଦିନ ପରାସ୍ତ ହୋଇଥିଲି । ମୋ ମୁହଁରେ ସାମାନ୍ୟ ହସ ଦେଖି ତରଣୀ କହିଥିଲା–

 

ସରକାରୀ ଚାକିରି ମିଳିଲା ନାହିଁ, ତେଣୁ ସୁଖମୟ ଦାସଙ୍କ ପ୍ରାଇଭେଟ୍ ଦସ୍ତରରେ ଚାକିରି କରିବାକୁ ବାଧ୍ୟ ହେଲି ।

 

ତରଣୀର ଆଉ କୌଣସି କଥା ମୁଁ ଶୁଣିପାରି ନ ଥିଲି । ମନଭିତରେ ଯେପରି ପ୍ରବଳ ଭୂମିକମ୍ପ ସୃଷ୍ଟି ହେଉଥିଲା ।

 

କାହିଁକି ? ହଠାତ୍‌ ଜ୍ୟୋସ୍ନା କହି ଉଠିଲା । ଚାକିରି କରି ତରଣୀ କୌଣସି ଅପରାଧ କରନି । ବହୁ ପୂର୍ବରୁ ଚାକିରି କରିବା ତାର ଉଚିତ ଥିଲା ।

 

ସେଦିନ ମୁଁ ତରଣୀ ନିକଟରୁ ଫେରିଆସି ଅନେକ ଚିନ୍ତା କରିଥିଲି । ତରଣୀ ସୁଖମୟର ଶୀକାର ହେବାକୁ ଯାଉଛି । ଯେଉଁ ତରଣୀ ନିଜ ଶରୀରକୁ ପରପୁରୁଷଠାରୁ ଦୂରେଇ ରଖିଛି ସେ ପୁଣି କେମିତି ନଷ୍ଟଭ୍ରଷ୍ଟ ହୋଇଯିବ ତାହା ମୋ ଆଖି ଆଗରେ ଜଳ ଜଳ କରି ନାଚି ଉଠିଲା !

 

ସୁଖମୟ ଥିଲା ମୋର ବାଲ୍ୟସାଥୀ । ଅବିବାହିତ ରହି କେତେ କୁମାରୀ କନ୍ୟାଙ୍କୁ ନିଜର ଶଯ୍ୟାସଙ୍ଗିନୀ କରିଛି, ତାର ହିସାବ ରଖି ହେବ ନାହିଁ । ଅପର୍ଯ୍ୟାପ୍ତ ଅର୍ଥ ବିଞ୍ଚିଦେଇ, କୁମାରୀ କନ୍ୟା ଆଖିରେ ମାୟାର ଅଞ୍ଜନ ଲେପି ଗୋଟିଏ ରାତିର ସାଥୀ କରି ସେମାନଙ୍କୁ ବିଦାୟ ଦେଇଛି । ଜୀବନରେ କେବଳ ଗୋଟିଏ ଲକ୍ଷ୍ୟ ନେଇ ସେ ବଞ୍ଚି ରହିଛି । ଉପଭୋଗ କରିବ, ଅଥଚ ବିବାହ କରିବ ନାହିଁ ।

 

ସୁଖମୟ ଚରିତ୍ରର ଅସଲ ପରିଚୟ ତରଣୀ ଆଗରେ ଖୋଲିଦେବା ପାଇଁ ଦିନେ ଖରାବେଳେ ତା’ ଘର ଦରଜା ପାଖରେ ଉପସ୍ଥିତ ହେଲି । କିନ୍ତୁ ବାହାରେ ଦେଖିଲି ସୁଖମୟର ଗାଡ଼ି ତରଣୀ ଘର ସାମନାରେ ରହିଛି ଏବଂ ଘର ଭିତରୁ କଳକଳ ହସର ପ୍ରତିଧ୍ଵନି ବାହାରକୁ ସ୍ପଷ୍ଟ ଶୁଣାଯାଉଛି ।

 

ତା’ପରେ ମୁଁ ଆଉ ତରଣୀ ନିକଟକୁ ଯାଇନି । ପ୍ରାୟ ଆଠଦିନ ବିତିଯାଇଛି । ଦିନେ ପାର୍କରେ ବସି ତରଣୀ କଥା ଚିନ୍ତା କରୁଛି, ହଠାତ୍‌ ଦେଖିଲି ତରଣୀ ଆଉ ସୁଖମୟ ସାଥୀ ହୋଇ ପାର୍କକୁ ବୁଲି ଆସିଛନ୍ତି ।

 

ମୁଁ ଆତ୍ମଗୋପନ କରି ରହିଲି ।

 

ସନ୍ଧ୍ୟା ମାଡ଼ି ଆସୁଥାଏ । ସୁଖମୟ ତରଣୀ ନିକଟରେ ବସି ପ୍ରେମ ନିବେଦନ କରୁଥାଏ-। ତା’ପରେ ତରଣୀକୁ ନିଜ ବୁକୁ ଉପରକୁ ଭିଡ଼ିଆଣି ତା’ କାନରେ କଣ ଚୁପ୍‌ ଚୁପ୍‌ କରି କହିଲା-। ମୁଁ ଦେଖି ପାରିଲିନି ସେଇ ସୃଷ୍ଟିଛଡ଼ା ଦୃଶ୍ୟ । ମୋର ପ୍ରିୟାକୁ ଆଉ ଜଣେ ଉପଭୋଗ କରିବ ଆଉ ମୁଁ ପୁରୁଷ ହୋଇ ସେହିଠାରେ ବସି ବରଦାସ୍ତ କରି ରହିବି ?

 

ତା’ପରେ ତରଣୀକୁ ମୁଁ ଆଉ ସାକ୍ଷାତ କରିନି । ତରଣୀର ଭଉଣୀ ଧରଣୀକୁ ଖଣ୍ଡେ ଚିଠି ଦେଇ ସେହିଦିନ ରାତି ପୁରୀ ଏକ୍‌ସପ୍ରେସରେ କଲିକତା ବାହାରି ପଡ଼ିଲି । –ଦେବକାନ୍ତ ଆଉ କିଛି କହିପାରିଲା ନାହିଁ । ଆଖିରୁ ଝରି ପଡ଼ିଲା ଧାର ଧାର ଲୁହ ।

 

ଜ୍ୟେସ୍ନା ଆଶ୍ଵାସନା ଦେଲା । ଏଥିପାଇଁ ଏତେ ଦୁଃଖ ? ଆପଣଙ୍କର ତରଣୀ ସହିତ ବନ୍ଧୁତା ଥିଲା ସତ, କିନ୍ତୁ ତାକୁ ଭଲ ଭାବରେ ବିଶ୍ଳେଷଣ କରି ପାରି ନ ଥିଲେ । ସେଥିପାଇଁ ଆଜି ଅନୁତାପ କରିବାକୁ ପଡ଼ୁଛି ।

 

ଦୀର୍ଘ ଏଗାରବର୍ଷ ଧରି ତାକୁ ବିଶ୍ଳେଷଣ କରିବାରେ ମୋର ତେବେ ତ୍ରୁଟି ରହିଯାଇଥିଲା ?

 

ନିଶ୍ଚୟ । ଆପଣ ଗଭୀର ଭାବେ ବିଶ୍ଳେଷଣ କରିଥିଲେ ଜାଣି ପାରିଥାଆନ୍ତେ ଯେ, ସାଧାରଣତଃ ଗରିବ ମଧ୍ୟବିତ୍ତ ପରିବାରର କନ୍ୟାମାନେ ଦାନର ପ୍ରତିଦାନ ଠିକ୍‌ ଦେଇପାରନ୍ତି ନାହିଁ-। ଯାହାକୁ ଭଲପାଆନ୍ତି ତା’ ସହିତ ପ୍ରତାରଣା କରନ୍ତି । ବିଶ୍ଵାସରେ ବିଷ ଦେବାପାଇଁ କୁଣ୍ଠିତ ହୁଅନ୍ତି ନାହିଁ । ପରିଚିତ ଲୋକପାଖରେ ନିଜର ମନକଥା ନ ଜଣାଇ ଅପରିଚିତ ଇତର ବ୍ୟକ୍ତି ନିକଟରେ ନିଜ ହୃଦୟ-କଥା ଜଣାଇ ବେଶ୍‌ ଫାଇଦା ଉଠାଇ ପାରନ୍ତି । ତେଣୁ ମୋର ଅନୁରୋଧ, ଆପଣ ସେଇ ତରଣୀକୁ ଭୁଲି ଯାଆନ୍ତୁ । ମନେକରି ନିଅନ୍ତୁ, ଜୀବନର କଅଁଳ ଗାଧୁଆବେଳେ ଯେଉଁ ଶାନ୍ତ, କୋମଳ, ସରଳ ଝିଅଟିଏ ଦେଖା ଦେଇଥିଲା, ଆକସ୍ମିକ ବଜ୍ରପାତରେ ତା’ର ମୃତ୍ୟୁ ଘଟିଛି-

 

ଜ୍ୟୋସ୍ନା ! ଦେବକାନ୍ତ ଚିତ୍କାର କରି ଉଠିଲା ।

 

ମୁଁ ଭୁଲ କହୁନି ଦେବକାନ୍ତବାବୁ ! ଅଧିକାଂଶ ଘଟଣା ଇମିତି ଘଟିଥାଏ । ଆପଣ ତରଣୀ ପାଇଁ ଏତେ ଚିନ୍ତା କରନ୍ତୁ ନାହିଁ । ପୁରୁଷ ବକ୍ଷର ଉଷ୍ଣତା ଯିଏ ଥରେ ଉପଭୋଗ କରିଛି ସେ ସବୁବେଳେ ନିଜ ଜୀବନର ସୁଖ ଲାଳସା ପାଇଁ ବ୍ୟାକୁଳିତ ହୋଇ ପୁରୁଷର ଛାୟା ସହିତ କାୟାପରି ଘୂରି ବୁଲୁଥିବ । ତେଣୁ ସେଇ ବିଷକନ୍ୟା ତରଣୀ ପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ ।

 

ଦେବକାନ୍ତ କହିଲା–ମୁଁ ତରଣୀ ପାଇଁ ଚିନ୍ତା କରୁନାହିଁ, କିନ୍ତୁ ମୁଁ ଭାବୁଛି, ଯିଏ ଅଭାବ ଅନାଟନ ଭିତରେ ନିଷ୍ପେଷିତ ହୋଇ ଦୀର୍ଘ ଅଠର ବର୍ଷ ବିତାଇ ଦେଇଛି, ସେ କେମିତି ପରପୁରୁଷ ନିକଟରେ ଆତ୍ମତ୍ସୋର୍ଗ କଲା !

 

ଜ୍ୟୋସ୍ନା ଖିଲିଖିଲି ହୋଇ ହସି ଉଠି କହିଲା–ଆତ୍ମତ୍ସୋର୍ଗ ନ କହି ଆତ୍ମସମର୍ପଣ କୁହନ୍ତୁ-। ଯେଉଁ ତରଣୀ ଆପଣଙ୍କ ସହିତ ଦୀର୍ଘଦିନ ମିଳାମିଶା କରି ହାତପାତି ଦାନ ଗ୍ରହଣ କରିବାକୁ କୁଣ୍ଠିତ ହେଉଥିଲା, ସେଇ ତରଣୀ ନଷ୍ଟ ଚରିତ୍ର ସୁଖମୟ ପାଖରେ ନିଜର ନଗ୍ନଯୌବନ ପ୍ରଦର୍ଶନ କରି ଯୌବନର କ୍ଷୁଧା ମେଣ୍ଟାଇ ପାରିଲା । ୟା’ଠାରୁ ବୁଦ୍ଧିମତୀ ନାରୀ ଆଉ କିଏ ଥାଇପାରେ-?

 

ଦେବକାନ୍ତ ଦୀର୍ଘନିଶ୍ଵାସ ଛାଡ଼ି କହିଲା–ହଁ, ତମେ ତରଣୀ ନାମ କିପରି ଜାଣିଲ କହିଲ-?

 

ଜ୍ୟୋସ୍ନା ନିଜ ବ୍ଲାଉଜ ଭିତରୁ ଖଣ୍ଡିଏ ଲଫାପା ବାହାର କରି କହିଲା–ଆଜି ଆପଣଙ୍କ ନାମରେ ଏଇ ଚିଠିଟି ଆସିଥିଲା । କିନ୍ତୁ ଆପଣ ସେତେବେଳେ ଅନୁପସ୍ଥିତ ଥିଲେ । ଚିଠିଟିକୁ ଆପଣଙ୍କୁ ଦେବାକୁ ମୁଁ ଟେବୁଲ ଉପରେ ରଖି ଦେଇଥିଲି । କିନ୍ତୁ ବର୍ତ୍ତମାନ ହଠାତ୍‌ ମନେପଡ଼ିଯିବାରୁ......

 

ଜ୍ୟୋସ୍ନା ଚିଠିଟି ବଢ଼ାଇଦେଲା ।

 

ଦେବକାନ୍ତ କହିଲା–ଯାହାକୁ ଭୁଲିଯିବାକୁ ଚେଷ୍ଟାକରି ତା’ ପାଖରୁ ଦୂରେଇ ଆସିଛି ପୁଣି ଆଜି କାହିଁକି ତା’ ଚିଠି ପଢ଼ି ସେ ସ୍ମୃତି ମନଭିତରେ ସାଇତି ରଖିବି । ତେଣୁ ସେ ଚିଠିଟିକୁ ନଷ୍ଟ କରିଦିଅ ।

 

ନା ନା, ଏତେଦିନପରେ ତରଣୀ ଲେଖିଛି । କଣ ଲେଖିଛି ଥରେ ପଢ଼ନ୍ତୁ ?

 

ତେବେ ତମେ ପଡ଼ ! ମୁଁ ପଡ଼ିବି ନାହିଁ ।

 

ଜ୍ୟୋସ୍ନା ଚିଠିଟିକୁ ଖୋଲିଲା ।

 

ଗୋଲାପି କାଗଜରେ ସୁନ୍ଦର ଅକ୍ଷର । ତରଣୀ ଲେଖିଛି–ଦେବକାନ୍ତ !

 

ଦୀର୍ଘ ଅନେକଦିନ ପରେ ବହୁ କଷ୍ଟରେ ତମ ଠିକଣା ସଂଗ୍ରହ କରି ଆଜି ତମ ପାଖକୁ ଚିଠି ଲେଖୁଛି । ମୁଁ ଜାଣେ, ତୁମେ ମୋର ଚିଠିକୁ ଆଦରରେ ପଢ଼ିପାରିବ ନାହିଁ । ଗୋଟିଏ ଚରିତ୍ରହୀନା, କଳଙ୍କିନୀର ଚିଠି ସ୍ପର୍ଶ କରିବାକୁ ତମେ କୁଣ୍ଠାବୋଧ କରିବ । କିନ୍ତୁ ମୋର ଅନୁରୋଧ, ଶେଷଥର ପାଇଁ ତମେ ଚିଠିଟି ପଢ଼ିବ ।

 

କେତେଦିନ ହେବ ଗଲଣି ତୁମର ମନେଅଛି ? କିନ୍ତୁ ମୁଁ ମନେ ରଖିଛି । ମନର ଗନ୍ତାଘରେ କେବଳ ତମର ସ୍ମୃତି ଆଜି ପର୍ଯ୍ୟନ୍ତ ଜୀବନ୍ତ ହୋଇ ରହିଛି ଆଉ ଚିରଦିନ ରହିଥିବ ମଧ୍ୟ-। ତମେ କେଉଁଦିନ ଲେଉଟିବ–ସେଇ ଦିନକୁ ମୁଁ ପ୍ରତିକ୍ଷା କରି ରହିଛି ।

 

ଅନେକଦିନ ହେବ ତୁମେ ଯାଇଛ, କିନ୍ତୁ ଆଜି ପର୍ଯ୍ୟନ୍ତ ଖଣ୍ଡିଏ ଚିଠି ସୁଦ୍ଧା ଦେଇନାହଁ । କାହିଁକି ବା ଦେବ ? ମୁଁ ବା ତମର କିଏ ? କିନ୍ତୁ ତୁମେ ମୋର ସବୁ ! କୁଆଁରୀ ଜୀବନର ତମେଇ ହେଉଛ ମୋର ଏକମାତ୍ର ଧ୍ରୁବତାରା–ଏକମାତ୍ର ଅଭିଷ୍ଠ ଦେବତା–ଅଭିମାନୀ ଠାକୁର ମୋର । ଅଥଚ ତମ ଆଖିରେ ମୁଁ ବିଷକନ୍ୟା, ଚରିତ୍ରହୀନା । ତେଣୁ ଆଜି ସେଇ ବିଷକନ୍ୟାର ଅଶ୍ଳୀଳ ଇତିହାସ ତମ ପାଖକୁ ଲେଖୁଛି । ଉତ୍ତର ନ ଦେଲେ ମୁଁ ଦୁଃଖ କରିବି ନାହିଁ । କିନ୍ତୁ ମୋର ଅନୁରୋଧ ଯେ, ଚିଠିର ଶେଷଧାଡ଼ି ଦେଖି ଘୃଣାରେ ଫିଙ୍ଗି ଦେବ ନାହିଁ ।

 

ମୋତେ ଭୁଲ ବୁଝି ତମେ ଚାଲିଗଲ ! ଅଥଚ ସତ୍ୟଘଟଣା ଜାଣିବାକୁ ଅପେକ୍ଷା କଲ ନାହିଁ । ସତରେ ଦେବକାନ୍ତ ! ଯାହାର ଚରିତ୍ରକୁ ଗଭୀରଭାବେ ବିଶ୍ଳେଷଣ କରି ଶୁଦ୍ଧ ସୁବର୍ଣ୍ଣ ବୋଲି କହିଥିଲ, ତାକୁ ଆଜି କିମିତି ନଷ୍ଟଚରିତ୍ରା କହି ଦୂରେଇ ଦେଲ ?

 

ମୁଁ ବିଷକନ୍ୟା ନୁହେଁ ଦେବକାନ୍ତ ! ମୁଁ ଚରିତ୍ରହୀନା ନୁହେଁ ! ଏଇ ସୃଷ୍ଟିର ଅନାଘ୍ରାତା, ଅଚୁମ୍ବିତା ଅକ୍ଷତ କନ୍ୟା ମୁଁ । ମୋର ବୁକୁରେ ଭରିରହିଛି ସ୍ୱର୍ଗର ପିୟୁଷଧାରା–ନର୍କର ହଳାହଳ ନୁହେଁ । ଅଥଚ ପାର୍କରେ ସୁଖମୟର କେତେପଦ କଥାଶୁଣି ତୁମେ ମୋତେ ଭୁଲ ବୁଝିଲ । ଲୁଚିରହି ସୁଖମୟର ପ୍ରେମ ନିବେଦନ ଯଦି ଶୁଣୁଥିଲ ତେବେ ଶେଷପର୍ଯ୍ୟନ୍ତ ନ ଶୁଣି ଅଧବାଟରୁ କାହିଁକି ଲେଉଟି ଆସିଲ ? ସୁଖମୟର ସବୁକଥା ଶୁଣିଥିଲେ ଆଜି ହୁଏତ ମୋତେ ଦୋଷୀ ସାବ୍ୟସ୍ତ କରି ନ ଥାଆନ୍ତ !

 

କିନ୍ତୁ ତମେ ଶୁଣି ନ ଥିଲ । ପ୍ରଥମ କେତେପଦ ଉପକ୍ରମଣିକା ଶୁଣି ତୁମେ ଲେଉଟି ଆସିଥିଲ । ସତରେ ଦେବକାନ୍ତ ! ସେ ଥିଲା ମୋ ଜୀବନର ଏକ ଦୁର୍ଘଟଣା । ଜନଗହଳି ରାସ୍ତା ମଝିରେ ଅନ୍ୟମନସ୍କ ହୋଇ ଚାଲୁଥିଲି । ଫଳରେ ଦୁର୍ଘଟଣା ଘଟିଲା । ବଞ୍ଚିଗଲି ସିନା କିନ୍ତୁ ଦୁର୍ଘଟଣାର କ୍ଷତଚିହ୍ନ ନିଭିଲା ନାହିଁ ।

 

ହଉ, ଛାଡ଼ ସେ କଥା । ମୁଁ ଅପରାଧ କରିଥିଲି ଶାସ୍ତି ମଧ୍ୟ ପାଇଲି । କିନ୍ତୁ ମୋର ପିତାମାତା କଣ ଅପରାଧ କରିଥିଲେ ତୁମର ? ଗଭୀର ସ୍ନେହ, ମମତା, ଆନ୍ତରିକତାରେ ତମକୁ ଆପଣାର କରି ନେଇଥିଲେ, ବିନିମୟରେ କଣ ପ୍ରତିଦାନ ଦେଲ ତାଙ୍କୁ ? ଅନ୍ତତଃ ଖଣ୍ଡିଏ ଚିଠି ଲେଖିବାକୁ ହାତ ଚଳିଲା ନାହିଁ ?

 

ମୋର ଚରିତ୍ର ପ୍ରତି ତୁମର ସନ୍ଦେହ ଆସିଛି । ତେଣୁ ଚିଠି ଦ୍ୱାରା କଣ ସନ୍ଦେହ ମୋଚନ କରିପାରିବି । ତେଣୁ ମୁଁ ତମର ପ୍ରତ୍ୟାଗମନ ପଥକୁ ପ୍ରତିକ୍ଷା କରି ରହିଛି ।

 

ସତରେ ଦେବକାନ୍ତ ! ଆମ ‘ସ୍ଵର୍ଣ୍ଣତରୀ’ର କଳ୍ପନା କଣ କେବଳ କଳ୍ପନାରେ ରହିଯିବ ! ବାସ୍ତବରେ ରୂପ ପାଇବ ନାହିଁ ? ସ୍ଵର୍ଣ୍ଣତରୀର କଳ୍ପନାରେ ବିଭୋର ଥିଲାବେଳେ ତମେ ମୋତେ ଭଗ୍ନତରୀଟିଏ ଦେଇଯାଇଛ । ଭଗବାନ କରନ୍ତୁ ସେଇ ଭଗ୍ନତରୀ ଅତୀତର ଅନ୍ଧକାରରେ ଲୀନ ହୋଇଯାଉ ।

 

ହଉ, ତୁମେ କେବେ ଆସୁଛ କହିଲ ? ତମର ଆଗମନୀ ପଥକୁ ମୁଁ ପ୍ରତିକ୍ଷା କରି ରହିଛି । ତୁମଠାରୁ ଲକ୍ଷ ଯୋଜନ ଦୂରରେ ଥିଲେ ବି ମୁଁ ତମର ମଙ୍ଗଳ କାମନା କରୁଛି । ତମେ କୃତକାର୍ଯ୍ୟ ହୋଇ ଶୀଘ୍ର ଲେଉଟି ଆସ ! ଏହାହିଁ ମୋର ଭଗବାନଙ୍କ ନିକଟରେ ଏକମାତ୍ର ପ୍ରାର୍ଥନା-

 

ଆଉ ସେଠାର ଖବର କଣ ? ସବୁ ଭଲତ ! ହଉ, ଆଜି ଏତିକିରେ ଚିଠି ବନ୍ଦ କଲି । ଚିଠି ଦେବ, ନିରାଶ କରିବ ନାହିଁ !

 

। ଇତି ।

ତମର ବିଷକନ୍ୟା

ତରଣୀ

 

ଜ୍ୟୋସ୍ନା ଚିଠିଟିକୁ ଶେଷକରି ଦେବକାନ୍ତକୁ ଚାହିଁଲା ।

 

ଦେବକାନ୍ତ ଆଖିରୁ ଝରୁଛି ଶ୍ରାବଣୀର ବନ୍ୟା ।

 

ଆପଣ କାନ୍ଦୁଛନ୍ତି ଯେ ଦେବକାନ୍ତବାବୁ ! ଏତେ ଦୁର୍ବଳ ଆପଣ ! ନିଜକୁ ପବିତ୍ର, ନିଷ୍କଳଙ୍କ ରଖିବାକୁ ତରଣୀ ମିଥ୍ୟା ଅଭିନୟ କରିଛି । ମନଛୁଆଁ କେତୋଟି ଶବ୍ଦ ସଂଯୋଜନା କରି ଆପଣଙ୍କୁ ପରୀକ୍ଷା କରୁଛି ।

 

ଆଖିରୁ ଲୁହ ପୋଛି ଦେବକାନ୍ତ କହିଲା, ତରଣୀ କଥା ଯଦି ସତ ହୁଏ ? ବିକ୍ଷିପ୍ତ ମନର ଚିନ୍ତାଧାରା ନେଇ ମୁଁ ତାକୁ ଯଦି ଭୁଲ ବୁଝି ଚାଲି ଆସିଥାଏ......

 

ମିଛ ! ତରଣୀ ଭୁଲ ଲେଖିଛି । ଆପଣ ନିଜ ଆଖିକୁ ତ ଅବିଶ୍ୱାସ କରିପାରିବେ ନାହିଁ ।

 

ଦେବକାନ୍ତ କହିଲା–ତରଣୀ ସଂସ୍ପର୍ଶରେ ମୁଁ ଯେତିକି ଆସିଛି, ସେତିକିରେ ମୁଁ ଜାଣିଛି ତରଣୀ ମୋଟେ ମିଛ କହେ ନାହିଁ । ସତ୍ୟର ସନ୍ଧାନୀ ସେ । ମିଥ୍ୟା ଅପେକ୍ଷା ସତ୍ୟକୁ ସେ ଅଧିକ ଆଦର କରେ–ସମ୍ମାନ ଦିଏ ।

 

ଜ୍ୟୋସ୍ନା ମୃଦୁ ହସି କହିଲା–ପୁରୁଷ ମନକୁ ଭୁଲାଇବା ପାଇଁ ନାରୀ ବହୁମୁଖୀ ଅଭିନୟ କରିଜାଣେ ଦେବକାନ୍ତବାବୁ ! ଯିଏ ସେହି ଅଭିନୟରେ ବିଭୋର ହୋଇ ସୁଖର କଳ୍ପନା କରିବସେ, ସେ ହେଉଛି ନିର୍ବୋଧ !

 

ଦେବକାନ୍ତ ଜ୍ୟୋସ୍ନାକୁ ଚାହିଁଲା । ନାରୀ କେବେ ନାରୀର ପ୍ରଶଂସା କରେ ନାହିଁ । ତରଣୀକୁ ନ ଦେଖି ଥିଲେ ମଧ୍ୟ ଜ୍ୟୋସ୍ନା ତା’ର କେଇପଦ କଥା ଚିଠିରୁ ପଢ଼ି ଶେଷ ସିଦ୍ଧାନ୍ତ କରିନେଇଛି ଯେ, ତରଣୀ ହେଉଛି ଚରିତ୍ରହୀନା । କିନ୍ତୁ ଜ୍ୟୋସ୍ନା ଯଦି ତରଣୀର ସଂସ୍ପର୍ଶରେ ଆସିଥାଆନ୍ତା ?

 

ଜ୍ୟୋସ୍ନା ଖଟ ଉପରେ ନଇଁପଡ଼ି ତରଣୀ ଚିଠିକୁ ପୁଣିଥରେ ପଢ଼ୁଥିଲା । ଦେହର ବିପର୍ଯ୍ୟସ୍ତ ବସନ ଅସଂଯତ ଭାବରେ ବିଛଣା ଉପରେ ଲୋଟିପଡ଼ିଛି । ନାଇଲନର ବ୍ଲାଉଜ ତଳୁ ତା’ର ସୁଗଠିତ ଅଙ୍ଗର ସୁଷମା ସ୍ପଷ୍ଟ ଦେଖା ଯାଉଛି । ଉନ୍ନତ ବକ୍ଷର ମନଲୋଭା ରୂପ ଦେହରେ ସିତ୍କାର ଆଣୁଛି । କିନ୍ତୁ କାହାପାଇଁ ଏ ରୂପର ଶୃଙ୍ଗାର ? କିଏ ଉପଭୋଗ କରିବ ତା’ର ସୁଗଠିତ ଅଙ୍ଗର ରୂପ-ଯୌବନ !

 

ଦେବକାନ୍ତ କହିଲା–ରାତି ବାରଟା ବାଜିଲାଣି ଜ୍ୟୋସ୍ନା ! ତମେ ଶୋଇବ ଯାଅ । ମୋତେ ନିରୋଳାରେ ଚିନ୍ତା କରିବାକୁ ସୁଯୋଗ ଦିଅ ।

 

ବିକ୍ଷିପ୍ତ ଭାବରେ ତଳେ ଲୋଟି ପଡ଼ିଥିବା ବେହରଣକୁ ବକ୍ଷ ଉପରକୁ ଟେକି ନେଇ ଜ୍ୟୋସ୍ନା କଣେଇ ଚାହିଁଲା ଦେବକାନ୍ତକୁ ।

 

ଦେବକାନ୍ତ ତଳକୁ ମୁହଁ ପୋତି ପୁଣି କହିଲା–ରାତି ଅନେକ ହେଲାଣି ଜ୍ୟୋସ୍ନା ତମେ ଶୋଇବ ଯାଅ !

 

ଯଦି ମୁଁ ନ ଯାଏ ? ଖଟ ଉପରେ ଢଳିପଡ଼ି ଜବାବ ଦେଲା ଜ୍ୟୋସ୍ନା ।

 

ତା’ହେଲେ ମୁଁ ଚାଲିଯିବାକୁ ବାଧ୍ୟ ହେବି । ମୋର ମନେ ହେଉଛି, ତମେ ଆଜି ଖୁବ୍‌ ଦୁର୍ବଳ ଜଣାପଡ଼ୁଛ ? ରାତି ଅନେକ ହେଲାଣି । ଗୋଟିଏ ନିରୋଳା କୋଠରୀରେ ତମେ ଆଉ ମୁଁ-। ଯଦି ତମର ବିକ୍ଷିପ୍ତ ଚିନ୍ତାଧାରା କୁତ୍ସିତ ରୂପ ଧାରଣ କରେ.....

 

ଜ୍ୟୋସ୍ନା ନିଜକୁ ଅପମାନିତ ମନେକଲା । ଦେବକାନ୍ତର ଆକ୍ଷେପ ତା’ର ମନଗହନକୁ ନିବିଡ଼ ଭାବରେ ସ୍ପର୍ଶ କଲା । ତେଣୁ ଚଟକରି ବିଛଣା ଉପରୁ ଉଠି ଚାଲି ଆସିଲା ନିଜ କୋଠରୀକୁ-!

 

ଜ୍ୟୋସ୍ନାକୁ ଚାହିଁ ଭାବୁଥିଲା ଦେବକାନ୍ତ ।

 

।। ୮ ।।

 

ତରଣୀକୁ ଚାହିଁ ଭାବୁଥିଲା ସୁଖମୟ । ଯେଉଁ ତରଣୀ ଚାକିରି କରିବନି ବୋଲି ଦୃଢ଼ ଶପଥ କରି ଦୀର୍ଘ ପନ୍ଦରଦିନ ଅନୁପସ୍ଥିତ ରହିଥିଲା, ସେ କାଲିଠାରୁ ପୁଣି ଅଫିସରେ ଯୋଗ ଦେଇଛି ।

 

ଅଫିସରେ ଯୋଗ ନ ଦେବା ଛଡ଼ା କଣ ବା ଉପାୟ ଥିଲା ? ଯାହା ଉପରେ ଭରସା କରି ରହିଥିଲି ସେ ଦୂରେଇ ଗଲା । ସ୍ଵର୍ଣ୍ଣତରୀର କଳ୍ପନା କେବଳ କଳ୍ପନାରେ ରହିଗଲା । ମନର ଗର୍ବ, ଅହଙ୍କାର ଭାଙ୍ଗି ଯିବାରୁ ଯେଉଁ ଚାକିରିକୁ ଘୃଣା କରୁଥିଲା ସେଇଥିରେ ପୁଣି ଯୋଗ ଦେଲା ।

 

ସୁଖମୟ ବି ଚାହୁଁଥିଲା ଠିକ୍‌ ଏଇୟା । ତରଣୀର ଯୌବନ-ଭରା ଅଙ୍ଗଲତିକାକୁ କେବଳ ଥରକପାଇଁ ମନଭରି ଉପଭୋଗ କରିବାକୁ ତା’ ପ୍ରତି ସମସ୍ତ କଠୋର ଆଦେଶକୁ କୋହଳ କରିଦେଇଛି । ମିଥ୍ୟା ଅଭିନୟ କରି ତାକୁ ପ୍ରଲୋଭିତ କରିଛି । ଅତି ଆପଣାର ହୋଇ ତା’ ଘରକୁ ଯାଇଛି । ତଥାପି ତଥାପି ତରଣୀ ଯଦି ଆସି ନ ଥାଆନ୍ତା ?

 

ତରଣୀ ଆସିଛି । ଅଫିସରେ ନୂତନ କରି ପୁଣି ଯୋଗ ଦେଇଛି ।

 

ନଚେତ କଣ କରିଥାଆନ୍ତା ସେ ? ଘରେ ପଙ୍ଗୁ ପିତା, ବୃଦ୍ଧା ମାତା ଉପବାସରେ ଛଟପଟ ହେଉ ଥାଆନ୍ତେ ଆଉ ସେ ଗର୍ବ, ଅହଙ୍କାର କରି ବସିରହନ୍ତା ? ପେଟର କ୍ଷୁଧା ପ୍ରବଳ ହେଲେ ଗର୍ବ, ଅହଙ୍କାର, ଅଭିମାନ ସବୁ ଭାଙ୍ଗି ଯାଏ । ସଂଯମୀ ମନ ବାଚାଳ ହୋଇଉଠେ । ସତୀତ୍ଵ ବିନିମୟରେ କ୍ଷୁଧା ନିବାରଣ କରିବାପାଇଁ ନାରୀ ବ୍ୟାକୁଳ ହୋଇଉଠେ ।

 

ତରଣୀର ଅବସ୍ଥା ଆଜି ଠିକ୍‌ ସେଇୟା ହୋଇଛି । କ୍ଷୁଧା ସହ୍ୟକରି ନପାରି ପୁଣି ଅଫିସରେ ଯୋଗ ଦେଇଛି । ସେ ଜାଣେ ତରଣୀ ନିଶ୍ଚୟ ଆସିବ । ତା’ର ସାଧନା, ଅଧ୍ୟବସାୟ କେବେ ବ୍ୟର୍ଥ ହେବାର ନୁହେଁ-ହେବନି ମଧ୍ୟ ।

ତରଣୀକୁ ଚାହିଁ ସୁଖମୟ ଚିନ୍ତା କରୁଥିଲା ଆଗାମୀ ଯୋଜନା ।

ସତରେ ! କି ବଳିଷ୍ଟ ସତୀତ୍ଵ ତାର ! ଯୌବନର ସୃଷ୍ଟିଛଡ଼ା କ୍ଷୁଧା ମରି ଯାଇଛି ମନ ଭିତରେ; ତଥାପି ଶିଉଳି ପଥରରେ ପାଦ ଦେଇନି ସେ । ଏକନିଷ୍ଠ ମନ-ପ୍ରାଣ ନେଇ ଦେବକାନ୍ତକୁ ପ୍ରତୀକ୍ଷା କରି ରହିଛି ।

କିନ୍ତୁ ତରଣୀ ଯଦି ସ୍ଵଇଚ୍ଛାରେ ତା ଜୀବନ ପରିଧି ଭିତରକୁ ଲମ୍ଫ ଦିଏ ?

ଆଗାମୀ ଭବିଷ୍ୟତର ମାୟାଜାଲ ଭିତରେ ଆବଦ୍ଧ କରି କିପରି ତରଣୀକୁ ଉପଭୋଗ କରିବ ସେଇୟା ଚିନ୍ତା କରୁଥିଲା ସୁଖମୟ ।

ଏଥର ସେ ତରଣୀକୁ ଆଭିଜାତ୍ୟର ପ୍ରଲୋଭନରେ ବନ୍ଦିନୀ କରି ରଖିବ । ତା’ ପରେ ତରଣୀର ଅବସ୍ଥାକୁ ସେ ଲକ୍ଷ୍ୟ କରିବ ।

ସତେ କଣ ତରଣୀ ଆଭିଜାତ୍ୟର ଲୋଭ ଛାଡ଼ି ଦାରିଦ୍ରତାର କଷାଘାତ ଭିତରେ ଛନ୍ଦିହୋଇ ରହିବାକୁ ଉଚିତ ମନେ କରିବ ? ନାଁ, ଟିକିଏ ସୁଖପାଇଁ ସମସ୍ତେ ଲାଳାୟିତ ହୁଅନ୍ତି । କଣ୍ଟକିତ ପଥରେ ପାଦ ରଖିବାକୁ କେହି ଭଲପାଆନ୍ତି ନାହିଁ ।

ତରଣୀଆଡ଼କୁ ମୁହଁ ଫେରାଇ ସୁଖମୟ ଦୀର୍ଘନିଶ୍ଵାସ ଛାଡ଼ିଲା ।

କାନ୍ଥ ଘଣ୍ଟାରେ ତିନିଟା ବାଜିଲା ।

ଆରେ ! ତରଣୀ କଥା ଚିନ୍ତା କରୁ କରୁ ଏତେଗୁଡ଼ାଏ ସମୟ ବିତିଗଲା ? ଅଥଚ ଅଫିସ କାମ ସେ ଏ ପର୍ଯ୍ୟନ୍ତ କିଛି କରି ପାରିନି ।

ତରଣୀର କୋଠରୀ ଭିତରକୁ ପାଦ ବଢ଼ାଇଲା ସୁଖମୟ ।

ତରଣୀ ଗୋଟିଏ ଫାଇଲ୍‌ ଉପରେ ଗଭୀର ମନୋନିବେଶ କରି କଣ ଲେଖୁଛି ।

ସୁଖମୟ ଡାକିଲା । –ତରଣୀ !

ତରଣୀ ମୁହଁ ଟେକି ଚାହିଁଲା । ସାମନାରେ ସୁଖମୟକୁ ଦେଖି ଚେୟାର ଛାଡ଼ି ଛିଡ଼ାହେଲା ।

ଆରେ ! ଛିଡ଼ାହେଲ ଯେ ! ବସ ! ତିନିଟା ଯେ ଆସି ବାଜିଲା । ଅଥଚ ତମେ ଘରକୁ ନ ଯାଇ ?

ତରଣୀ କହିଲା–ଆଜି ପର୍ଯ୍ୟନ୍ତ ଦିନ ତିନିଟାରେ ମୁଁ କୌଣସି ଦିନ ଅଫିସ ଛାଡ଼ି ନାହିଁ । ଆପଣ ତ ନିଜେ କହିଥିଲେ–ସାଢ଼େଚାରିଟା ପୂର୍ବରୁ ଅଫିସ ଛାଡ଼ିଦେଲେ ମୁଁ ବୁଝିବି ତମେ ମୋତେ ଠକିବାକୁ ଚେଷ୍ଟା କରୁଛ ! ଆଜିର କାମ ଆଜି ସାରିଦେଲେ ଆସନ୍ତାକାଲିକୁ ବେଶି କାମ ନ ଥିବ କିମ୍ବା ଫାଇଲ୍‌ର ସଂଖ୍ୟା ବଢ଼ିଉଠିବ ନାହିଁ । ଅଥଚ ପୁଣି ଆଜି କହୁଛନ୍ତି......

 

ନାଁ ତରଣୀ ! ତମେ ଆଜି ଖୁବ୍‌ ଶୁଖିଲା ଦେଖାଯାଉଛ ! ମନେହେଉଛି ଆଜି ଯେପରି ଖୁବ୍‌ ତରବରରେ ଅଫିସ୍‌ ଚାଲିଆସିଛ । ପେଟଭରି ଖାଇ ନାହଁ କିମ୍ବା ଉପବାସରେ ଆସିଅଛ । ସେଥିପାଇଁ ମୁଁ କହୁଛି ତମେ–

 

ତରଣୀ କଥା ଛଡ଼ାଇ ନେଇ କହିଲା–ଘରକୁ ଚାଲିଯିବା ପାଇଁ କହୁଛନ୍ତି ? କିନ୍ତୁ ଆଜି ମୁଁ ବେଶ୍‌ ସୁସ୍ଥ ଅଛି ସାର୍‌ । ତା’ଛଡ଼ା ମୁଁ ଉପବାସରେ ଆସିବି କାହିଁକି ? ଯେଉଁଠି ଆପଣ ଅଛନ୍ତି ସେତେବେଳେ ମୋର ଅଭାବ କଣ ? ଦୁଃଖ କଣ ??

 

ତରଣୀର କମ୍ର-ନମ୍ର ତନୁ ବଲ୍ଲରୀ ଉପରେ ଥରେ ଦୃଷ୍ଟି ଘୂରାଇ ଆଣି ସୁଖମୟ ଫେରିଆସିଲା ।

 

ସୁଖମୟ ଚାଲିଯିବା ପରେ ତରଣୀ ଭାବିଲା–ଦସ୍ୟୁ ରତ୍ନାକରକୁ କିମିତି ସେ ବାଲ୍ମୀକି କରି ଗଢ଼ି ତୋଳିବ ? ଗୋଟିଏ ହିଂସ୍ରଜନ୍ତୁ କିମିତି ଶାନ୍ତ ସରଳ ହେବ ?

 

କାନ୍ଥ ଘଣ୍ଟା ଟିକ୍‌ ଟିକ୍‌ ମାଡ଼ିଚାଲିଛି ।

 

ତରଣୀର ଭାବନା ବଢ଼ି ବଢ଼ି ଚାଲିଛି ।

 

ଫାଇଲ୍‌ ବନ୍ଦକରି ତରଣୀ ଅଫିସରୁ ବାହାରି ଆସିଲା ।

 

ରାଜପଥ ଉପରେ ଜନଗହଳି ବଢ଼ି ଚାଲିଛି ।

 

ତରଣୀ ଦ୍ରୁତଗତିରେ ଚାଲିବାକୁ ଲାଗିଲା ।

 

ପଛରେ ଏକ କାର୍‌ ବ୍ରେକ କସିଲା ।

 

ତରଣୀ ପଛକୁ ମୁହଁ ଫେରାଇଲା । କାର୍‌ ଛିଡ଼ାକରି ସୁଖମୟବାବୁ ଇଙ୍ଗିତ ଦେଇ ପାଖକୁ ଡାକୁଛନ୍ତି । ତରଣୀ ଭାବିଲା ସୁଖମୟବାବୁଙ୍କ କଥା କିଛି ନ ଶୁଣି ସେ ଚାଲିଯିବ । କିନ୍ତୁ ଜନଗହଳି ରାସ୍ତା ମଧ୍ୟରେ ତାର ଅଫିସର୍‌ର ଆଦେଶକୁ କିମିତି ସେ ଅବମାନନା କରିବ ? ତେଣୁ କାର୍‌ ନିକଟିକୁ ଆସି କହିଲା–ମୋତେ କ’ଣ କହିବେ ସାର୍‌ ?

 

ସୁଖମୟ କହିଲା–ଘର ଅନେକ ଦୂର ଅଛି । କାର୍‌ରେ ବସ । ମୁଁ ଘରେ ଛାଡ଼ିଦେବି ।

 

ନାଁ ସାର୍‌ ! ଆପଣଙ୍କର ଅକୁଣ୍ଠିତ ଉପକାର ପାଇଁ ମୁଁ ଗଭୀର କୃତଜ୍ଞ । ଅଫିସରେ ଚାକିରି କରିବା ଦିନଠାରୁ ସବୁଦିନେ ମୁଁ ଏମିତି ପାଦରେ ଚାଲି ଚାଲି ଯାଉଛି । କୌଣସିଦିନ କଷ୍ଟ ହୁଏନା ମୋତେ । ଆଉ ଆଜି ଦିନକ ପାଇଁ ମଟରରେ ଚାଲିଗଲେ ମୁଁ କଣ ଆନନ୍ଦିତ ହୋଇପାରିବି-। ମୋତେ କ୍ଷମା କରନ୍ତୁ ସାର୍‌ ! ଆପଣ ଯାଆନ୍ତୁ । ମୁଁ ଚାଲି ଚାଲି ଚାଲିଯିବି । ମୋତେ କୌଣସି କଷ୍ଟ ହେବନି ।

 

ସୁଖମୟ କହିଲା–ତା’ହେଲେ ମୁଁ ବୁଝିବି, ତୁମେ ମୋର କାର୍‌ରେ ବସିବାକୁ କୁଣ୍ଠାବୋଧ କରୁଛି ! ମୋ ସହିତ ବାକ୍ୟ ବିନିମୟ କରିବାକୁ ଘୃଣା କରୁଛ !

 

ନାଁ ସାର୍‌ ! ଘୃଣା କରିବି କାହିଁକି ? ଯାହାର ଜନ୍ମ ଯେଉଁଥିପାଇଁ ସେ ତା ଛଡ଼ା ଅଧିକ ଆଶା କଲେ ଭଗବାନ ଅସନ୍ତୁଷ୍ଟ ହେବେ । ତେଣୁ ମୁହୂର୍ତ୍ତକର ସୁଖସ୍ଵପ୍ନକୁ ଆଶାକରି ମୁଁ ଅନ୍ୟାୟ କରିପାରିବି ନାହିଁ ।

 

ତୁମେ ଅବାଧ୍ୟ ହୁଅନାହିଁ ତରଣୀ ! ଏଇ ପ୍ରଶସ୍ଥ ଜନଗହଳି ରାସ୍ତା ଉପରେ ଆଲୋଚନା, ଯୁକ୍ତି କରିବାର ଉପଯୁକ୍ତ ସ୍ଥାନ ନୁହେଁ । ଲୋକଗହଳି ବଢ଼ି ଚାଲିଛି । ତମେ ଆସ ! ଅବାଧ୍ୟ ହୁଅ ନାହିଁ ।

 

ତରଣୀ ଭାବିଲା–ସୁଖମୟ ବାବୁଙ୍କୁ ସେ ଅପମାନିତ କରିବ; ତାଙ୍କର ଅନୁରୋଧକୁ ସେ ପ୍ରତ୍ୟାଖାନ କରିବ । କିନ୍ତୁ ତରଣୀ କିଛି ଉତ୍ତର ଦେଇପାରିଲା ନାହିଁ । ସୁଖମୟ ଆଭିଜାତ୍ୟ ପରିବାରର ସନ୍ତାନ । ସମ୍ମାନ ଅଛି, ପ୍ରାଚୁର୍ଯ୍ୟ ଅଛି । ସମାଜରେ ପ୍ରତିଷ୍ଠା ରହିଛି । କିନ୍ତୁ ସେ ନିଜେ ଏକ ନିଃସହାୟ ହୀନିମାନୀ କନ୍ୟା ହୋଇ କେଉଁ ସାହସରେ ତାଙ୍କ ସହିତ ପ୍ରତିନ୍ଦ୍ଵନ୍ଦିତା କରିବ ।

 

କଣ ଭାବୁଛ ତରଣୀ ? ଆସ ! ବିଳମ୍ବ ହେଉଛି ଯେ ? ତରଣୀ ଚାରିଆଡ଼କୁ ଦୃଷ୍ଟି ନିକ୍ଷେପ କରି ମଟରର ପଛ ଗେଟ୍‌ ଖୋଲି ବସି ପଡ଼ିଲା ।

 

ଆମ୍ବାସଡ଼ର ଗାଡ଼ି ଆଗକୁ ମାଡ଼ି ଚାଲିଲା ।

 

ତରଣୀ ଘର ସାମନାରେ ଗାଡ଼ି ରହିଲା ।

 

ପଛ ଗେଟ୍‌ ଖୋଲି ତରଣୀ ବାହାରି ପଡ଼ିଲା । କହିଲା–ଆପଣଙ୍କର ଉପକାର ପାଇଁ ମୁଁ ଆଜୀବନ କୃତଜ୍ଞ ସାର୍‌ !

 

ସୁଖମୟ ମୃଦୁ ହସିଲା ।

 

ନମସ୍କାର ଜଣାଇ ତରଣୀ ବୁଲିପଡ଼ିଲା ।

 

ବାରଣ୍ଡା ଉପରେ ଠିଆ ହୋଇ ଉର୍ବଶୀ ଦେବୀ ଚାହିଁ ରହିଥିଲେ । ସୁଖମୟ ସାଥୀରେ ତରଣୀ ଆସିବା ମଧ୍ୟ ଦେଖିଥିଲେ । ତେଣୁ ତରଣୀ ପିଣ୍ଡା ଉପରକୁ ଉଠିବା କ୍ଷଣି ଉର୍ବଶୀ ଦେବୀ କହିଲେ, ସୁଖମୟବାବୁଙ୍କ ସହିତ ତୁ ଗୋଟିଏ ମଟରରେ ଏକାଠି ବୁଲାବୁଲି କରୁଛୁ ? ଯେଉଁ ସୁଖମୟକୁ ନଷ୍ଟଚରିତ୍ର କହି କେତେଗୁଡ଼ାଏ ଦିନ ଘରେ ବସି ରହିଥିଲୁ ଏବଂ ସେଠାରେ ଚାକିରି କରିବୁନି ବୋଲି କହୁଥିଲୁ, ପୁଣି ସେଇ ସୁଖମୟକୁ ଏତେ ଆପଣାର କରିନେଲୁ କେମିତି ?

 

ମାଆ ! ତରଣୀ ଚିତ୍କାର କରି ଉଠିଲା–ତମେ ଏତିକି ଭୁଲିଯାଅନା ଯେ ମୁଁ ତମର ସନ୍ତାନ । ଯେଉଁ ବଂଶରେ କଳଙ୍କ ଲାଗିବନି ବୋଲି ମୁଁ ଏ ପର୍ଯ୍ୟନ୍ତ ସଜାଗ ରହିଆସିଛି ଆଜି କିପରି କ୍ଷଣିକ ସୁଖସମ୍ଭୋଗ ଆଶା କରି ସେଇ ବଂଶରେ କଳଙ୍କ ଲଗାଇବାକୁ ଚେଷ୍ଟାକରିବି ? ତମେ ଏତିକି ବିଶ୍ଵାସ କର, ଯାହାକୁ ଅନ୍ତଫାଡ଼ି ଜନ୍ମ ଦେଇଛି ସେ କେବେ ଚରିତ୍ରହୀନା ହୋଇ ପାରିବନି–ଅନ୍ତତଃ ଏତିକି ମୋ ଉପରେ ଭରସା ରଖ ।

 

କିନ୍ତୁ ସୁଖମୟର ଚରିତ୍ର....

 

ତରଣୀ କଥା ଛଡ଼ାଇନେଇ କହିଲା–ସମସ୍ତେ କୁହନ୍ତି ସୁଖମୟ ନଷ୍ଟଚରିତ୍ର । ମୁଁ ମଧ୍ୟ ସ୍ଵୀକାର କରୁଛି । ତଥାପି ସେଇ ନଷ୍ଟଚରିତ୍ର ପୁରୁଷକୁ କିମିତି ଶୁଦ୍ଧ, ସୁବର୍ଣ୍ଣ, ପବିତ୍ର କରି ଗଢ଼ିବି ତାହାହିଁ ହେଉଛି ମୋର ପ୍ରଧାନ କର୍ତ୍ତବ୍ୟ ।

 

ଉର୍ବଶୀ ଦେବୀ କହିଲେ–ଶେଷରେ ଯଦି ତୁ ତାଙ୍କ ମାୟା ଜାଲରେ ଛନ୍ଦିହୋଇ ତାଙ୍କର ବଶତା ସ୍ଵୀକାର କରୁ ?

 

ନାଁ ମାଆ; ତମେ ଏତିକି ମୋ ଉପରେ ଭରସା ରଖ । ତରଣୀ ଶରୀରରେ ପରପୁରୁଷର ସ୍ପର୍ଶ ହେବା ପୂର୍ବରୁ ସେ ଆତ୍ମହତ୍ୟା କରିପାରିବ; କିନ୍ତୁ ବଞ୍ଚିରହି ଅପବାଦ ଶୁଣିପାରିବନି ।

 

ଉର୍ବଶୀ ଦେବୀ ଆଉ କିଛି କହିପାରିଲେ ନାହିଁ । ଭଗବାନଙ୍କ ପାଖେ ପ୍ରାର୍ଥନା କରୁଥିଲେ ସେ । ହେ ଭଗବାନ ! ତରଣୀକୁ ସଦବୁଦ୍ଧି ଦିଅ । ଜୀବନ ତାର ମଙ୍ଗଳମୟ କର । ଆଲୋକର ପଥ ଦେଖାଇ ଦିଅ ତାକୁ ।

 

ତରଣୀ ଘର ଭିତରକୁ ପ୍ରବେଶ କଲା ।

 

।। ୯ ।।

 

ତହିଁ ଆରଦିନ ଦ୍ୱି ପ୍ରହର ।

 

ଦିନଦୁଇଟା ସୁଦ୍ଧା ସୁଖମୟବାବୁ ଅଫିସ ଆସି ନ ଥିଲେ । ତେଣୁ ଅଫିସ୍‌ରେ ଆଲୋଚନା, ଯୁକ୍ତିତର୍କ କରିବାକୁ ପ୍ରଶସ୍ତ ସମୟ ମିଳିଯାଇଥିଲା । ଦୁଇ ତିନିଜଣ ଏକାଠି ହୋଇ ଘରଠାରୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ଅକୁହା କଥାର ସୁଅ ଛୁଟାଇ ଦେଇଥିଲେ ।

 

କିନ୍ତୁ ତରଣୀ ନିରୋଳାରେ ବସି ଚିନ୍ତା କରୁଥିଲା । ସାଥୀ ଝିଅମାନଙ୍କର କେତେପଦ ଆକ୍ଷେପ ତା’ କାନରେ ବାଜିଛି । ସିଧାସଳଖ ନ ପଚାରି, କିଛି ସତ୍ୟାସତ୍ୟ ନ ବୁଝି ନିଜ ଭିତରେ ଆଲୋଚନା କରୁଛନ୍ତି । କିନ୍ତୁ ସେମାନେ ଇମିତି ଆକ୍ଷେପ କରିବାର ଉଦ୍ଦେଶ୍ୟ କଣ ହୋଇପାରେ-?

 

ସାଥୀ ଝିଅ ମିସ୍‌ କାଦମ୍ବିନୀ ଆସି ତରଣୀ ପାଖରେ ଖାଲି ପଡ଼ିଥିବା ଏକ ଚେୟାରେ ବସି ପଡ଼ିଲା ।

 

ତରଣୀ ମୁହଁଟେକି ଚାହିଁଲା । ଅଫିସରେ କାମକରିବା ଦିନରୁ ଏଇ କାଦମ୍ବିନୀ ତାର ପ୍ରଧାନ ସାଥୀ । ଦୁହିଁଙ୍କ ଭିତରେ ମନର ଭଲ ମେଳ ଅଛି ବୋଲି ସାଥୀ ଝିଅଗୁଡ଼ିକ ଈର୍ଷା କରନ୍ତି–ପରିହାସ କରନ୍ତି । କିନ୍ତୁ କାଦମ୍ବିନୀ ସେମାନଙ୍କୁ ଭୃକ୍ଷେପ କରେ ନାହିଁ । କହେ–ସହିପାରୁନା ଆମର ମିଳାମିଶା । ଈର୍ଷା କାହିଁକି କରୁଛ ? ତମେମାନେ ଯଦି ଆମର ସାଥୀ ହେବାକୁ ଚାହୁଁଛ, ତେବେ ଆସ !

 

ଅଥଚ କେହି ଆଗଭର ହୋଇ ଆସି ନ ଥିଲେ ।

ସେଇ କାଦମ୍ବିନୀ ଆସି ପାଖରେ ବସି ପଡ଼ିବାରୁ ତରଣୀ କହିଲା–ତୋର ଆଜି କିଛି କାମ ନାହିଁ କିଲୋ କାଦୁ । ସୁଖମୟବାବୁ ଏ ପର୍ଯ୍ୟନ୍ତ ଆସିନାହାନ୍ତି ବୋଲି ବେଶ୍‌ ତ ବୁଲୁଛୁ ?

କାଦମ୍ବିନୀ କହିଲା–ମୁଁ ଏକାନୁହେଁ ଲୋ ତରଣୀ ! ଏଇ ଦପ୍ତର ଭିତରେ କାମ କରୁଥିବା ପଇଁତିରିଶି ଜଣ କର୍ମଚାରୀ ଆଜି ବେଶ୍‌ ନିରାପଦରେ ବୁଲି ପାରୁଛନ୍ତି–ଗପ କରୁଛନ୍ତି ।

କିନ୍ତୁ ଏହା କରିବା ଦ୍ୱାରା ସେମାନେ ଠିକ୍‌ କରୁନାହାନ୍ତି । ପ୍ରଥମତଃ ନିଜ କାମରେ ଅବହେଳା କରୁଛନ୍ତି, ଦ୍ଵିତୀୟରେ ସୁଖମୟବାବୁଙ୍କ ଦପ୍ତରରେ କାମ କରି ସୁଖମୟବାବୁଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି ।

ତରଣୀ ପାଟିରେ ହାତଦେଲା କାଦମ୍ବିନୀ । –ତୁ ସେ କଥା ମୋଟେ କହି ନାହିଁ ତରଣୀ-! ସୁଖମୟବାବୁଙ୍କ ପକ୍ଷ ନେଇ ତୁ କେବେ ପ୍ରତିନିଧିତ୍ଵ କରିବୁ ନାହିଁ । ଅଫିସରେ ସମସ୍ତେ ତୋର ବଦନାମ କରୁଛନ୍ତି ।

ବଦନାମ ! ଚମକି ଉଠିଲା ତରଣୀ ।

ହଁ, କାଲି ଘରକୁ ଫେରିଲାବେଳେ ତୋ ପଛେ ପଛେ ସରୋଜା ମଧ୍ୟ ଯାଇଥିଲା । ବାଟରେ ସେ ଦେଖିଲା, ସୁଖମୟବାବୁ କାର୍‌ ରଖି ତୋତେ ଅପେକ୍ଷା କରି ରହିଲେ, ଆଉ ତୁ ପହଞ୍ଚିବା କ୍ଷଣି ସେ ତୋତେ କାର୍‌ରେ ବସାଇ ସିନେମା ଦେଖିବାକୁ ନେଇଗଲେ ।

 

କାଦମ୍ବିନୀ ! ଏ ସବୁ ମିଛ କଥା ! କାଲି ସେ ମୋତେ ବାଧ୍ୟ କରିବାରୁ ମୁଁ ତାଙ୍କ କାର୍‌ରେ ଯାଇଥିଲି କିନ୍ତୁ ସିନେମା ତ ଯାଇ ନ ଥିଲି ?

 

କାରରେ ଯେତେବେଳେ ଯାଇଛୁ ବୋଲି କହୁଛୁ, ସିନେମା ଯାଇଥିଲୁ କି ଭୁବନେଶ୍ଵର, ଖଣ୍ଡଗିରି, ଧଉଳିଗିରି ଯାଇଥିଲୁ ତାହା କିଏ କହିବ । ତେଣୁ ତୋ ଚରିତ୍ର ପ୍ରତି ସେମାନଙ୍କର ସନ୍ଦେହ ଆସିଛି । ସେଇଥିପାଇଁ ସେମାନେ କିଛି କାମ ନ କରି ତୋ ବିଷୟରେ ଆଲୋଚନା କରୁଛନ୍ତି ।

 

ତରଣୀର ମନେ ହେଉଥିଲା ସେ କାନ୍ଦିବ । ଚିତ୍କାର କରିବ । କହିବ–ମୁଁ ତମର ସବୁ କଣ ଅପରାଧ କରିଥିଲି । କାହିଁକି ତୁମେମାନେ ମୋ ସାଥୀରେ ଇମିତି ଲାଗିଛ ? ସୁଖମୟବାବୁଙ୍କ ପାଖରେ ଚାକିରି କରିଛି ବୋଲି ମୁଁ କଣ ଚରିତ୍ରହୀନା ହୋଇଗଲି ।

 

ହଠାତ୍‌ କାଦମ୍ବିନୀ କହି ଉଠିଲା–ତରଣୀ ! ତୋତେ ଗୋଟିଏ କଥା କହିବି ? ତୁ ଏଇ କେଇଟା ମାସ ହେଲା କାମ କରୁଛୁ ! ତେଣୁ ତୁ କିଛି ଜାଣିନୁ । କିନ୍ତୁ ସରୋଜା ଏଇ ଅଫିସର ପ୍ରଥମ କର୍ମଚାରୀ । ସୁଖମୟବାବୁଙ୍କ ଦପ୍ତରରେ ଯେଉଁ କେତେଜଣ କାର୍ଯ୍ୟ କରୁଛନ୍ତି ସେମାନେ ସମସ୍ତେ ସରୋଜା ଦ୍ଵାରା ଏଠାକୁ ଆସିଛନ୍ତି । ସରୋଜା ସେମାନଙ୍କୁ ଆପଣାର କରିଛି । ସୁଖମୟବାବୁଙ୍କ ବ୍ୟକ୍ତିତ୍ଵ, ପ୍ରାଚୁର୍ଯ୍ୟରେ ପ୍ରଲୋଭିତ କରି ସେ ସମସ୍ତଙ୍କୁ ଅନ୍ୟାୟ ପଥରେ ବାଟ କଢ଼ାଇଛି । ମଧ୍ୟବିତ୍ତ ଶ୍ରେଣୀର ଝିଅଗୁଡ଼ିଏ । ଅଭାବ ଅନାଟନ ସମସ୍ତଙ୍କର ଲାଗି ରହିଛି । ଟଙ୍କାର ଲୋଭ, ପ୍ରାଚୁର୍ଯ୍ୟର ମୋହ, ଉପଭୋଗର ଲାଳସା ଦେଖାଇ ସୁଖମୟ କାହାକୁ ଅକ୍ଷତ କନ୍ୟା କରି ରଖି ନାହିଁ ।

 

ସୁଖମୟବାବୁଙ୍କ ପ୍ରଥମ ଶିକାର ସରୋଜା ହେଲାପରେ ସେ ସମସ୍ତଙ୍କୁ ସେଇ ବାଟରେ ଯିବାପାଇଁ ପ୍ରବର୍ତ୍ତାଇଛି । ସମସ୍ତେ ଏଡ଼ି ପାରିନାହାନ୍ତି ଟଙ୍କାର ଲୋଭ, ଉପଭୋଗର ଲାଳସା । କିନ୍ତୁ ଆଜି ସରୋଜାର ରୂପ ବୟସ ଗଡ଼ିଗଲା ପରେ ସୁଖମୟବାବୁ ତାକୁ ଆଉ ଆଖିରେ ଚାହୁଁ ନାହାନ୍ତି କିମ୍ବା ତାକୁ କିଛି କହିପାରୁ ନାହାନ୍ତି । ସୁଖମୟର ଭୟ, ସରୋଜାକୁ ଏଠାରୁ ବିଦାୟ କରି ସାରିବା ପରେ, ସେ ଯଦି ଅପପ୍ରଚାର ଆରମ୍ଭ କରିଦିଏ ? ତେଣୁ ସୁଖମୟବାବୁ ସରୋଜାକୁ ଏଇଠି ରଖି ତାହାର ଏଇ ହୀନ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଆଉ ସରୋଜା ତୋ ନାମରେ ବଦନାମ କରିବାର ଅର୍ଥ ହେଲା ଯେ, ଏହିପରି ତୋର ବଦନାମ ହେଲେ ତୁ ଅନ୍ୟ କୌଣସି ଉପାୟ ନ ପାଇ ସୁଖମୟବାବୁଙ୍କ ପାଖରେ ଆତ୍ମସମର୍ପଣ କରିବୁ !

 

ତରଣୀ ଅବାକ୍ ହୋଇ ଚାହିଁ ରହିଲା କାଦମ୍ବିନୀକୁ ! ଏଇ ଅଫିସ୍ ବିଷୟରେ ସେ ଅଳ୍ପକିଛି ଜାଣିଥିଲା । କିନ୍ତୁ ଆଜି କାଦମ୍ବିନୀ ସବୁ କଥା ଖୋଲି ଦେଇଛି, କିନ୍ତୁ ସେ ବିଷୟରେ ଚିନ୍ତାକରି ଲାଭ କ’ଣ ?

 

ଟିକିଏ ରହିଯାଇ ତରଣୀ କହିଲା–ସବୁ ତ କହିଲ, କିନ୍ତୁ ତୋ ନିଜ କଥା କିଛି ତ କହିଲୁ ନାହିଁ ?

 

ମୋ କଥା ? କାଦମ୍ବିନୀ ପଚାରି ଉଠିଲା ।

 

ହଁ, ତୋ ବ୍ୟକ୍ତିଗତ ଅନୁଭୂତି ।

 

କାଦମ୍ବିନୀ ଆଖି କୋଣରେ ଜମି ଉଠିଲା ଲୁହ । କହିଲା–ସରୋଜାର କଥାରେ ମୁଁ ବି ଭୁଲି ଯାଇଥିଲି । ସୁଖମୟବାବୁଙ୍କ ରୂପ, ଐଶ୍ଚର୍ଯ୍ୟ, ପ୍ରାଚୁର୍ଯ୍ୟରେ ମୁଁ ବି ପ୍ରଲୋଭିତ ହୋଇ ତାଙ୍କ ପାଖକୁ ଦଉଡ଼ି ଯାଇଥିଲି । କିନ୍ତୁ କେତେଦିନ ? ବୟସ ଗଡ଼ିଯିବା ପରେ, ରୂପର ତେଜ ମଳିନ ପଡ଼ିବା ପରେ ସେ ଆଉ ମୋତେ ଚାହିଁଲେ ନାହିଁ । ମୋର ଅଭାବ ସମୟରେ ସାହାଯ୍ୟ କରିବାକୁ କୁଣ୍ଠାବୋଧ କଲେ । ଅନୁପସ୍ଥିତ ଦିନଗୁଡ଼ିକ ଛୁଟିବୋଲି ମଞ୍ଜୁର ହୋଇପାରିଲା ନାହିଁ । ମୋ ପ୍ରତି ସମସ୍ତ ଆଇନ କୋହଳ ଥିବା ସ୍ଥଳେ ହଠାତ୍‌ କଠୋର ହୋଇ ଉଠିଲା । ପରେ ମୁଁ ବୁଝିଲି, ରୂପର ତେଜ କଣ କରିପାରେ ? କିନ୍ତୁ ସେତେବେଳକୁ ମୋର ଆଉ କିଛି ଉପାୟ ନ ଥିଲା । ବିବାହ ବୟସ ଗଡ଼ିଯିବା ପରେ ମୁଁ ବିବାହ କରିପାରିଲି ନାହିଁ କିମ୍ବା ଅନ୍ୟ କେଉଁଠି ଚାକିରି ବନ୍ଦୋବସ୍ତ କରିପାରିଲି ନାହିଁ । –ଆଉ କିଛି କହିପାରିଲାନି କାଦମ୍ବିନୀ । କଇଁ କଇଁ ହୋଇ କାନ୍ଦି ଉଠିଲା ସେ ।

 

ତରଣୀ ମନଟା ସୁଖମୟ ପ୍ରତି ବିଷାକ୍ତ ହୋଇ ଉଠିଥିଲେ ମଧ୍ୟ ସେ କାଦମ୍ବିନୀକୁ ଆଶ୍ୱାସନା ଦେଲା ।–କାନ୍ଦିଲେ ଆଉ କିଛି ଫେରି ଆସିବନି କାଦୁ ! ସେଇ ଗୋଟାଏ ମୁହୂର୍ତ୍ତ, ସେତେବେଳେ ସବୁ ମଣିଷ ଭୁଲ କରେ; ଆଉ ସେଇ ଭୁଲ୍‌ର ଜ୍ଵାଳା ସାରାଜୀବନ ପାଇଁ ମନେ ରହେ । ସୁଖମୟ ନିଜର କାମନା ଲାଳସା ପାଇଁ ଟଙ୍କାର ଲୋଭ ଦେଖାଇ ସମସ୍ତଙ୍କୁ ପ୍ରଲୋଭିତ କରିଛନ୍ତି । ଆଉ ଯିଏ ସେଥିରେ ବଶବର୍ତ୍ତୀ ହୋଇ ଆଗେଇ ଯାଇଛି ସେମାନଙ୍କର ଭାବିବା ଉଚିତ ଥିଲା ଯେ, ଏହାଦ୍ଵାରା ସେମାନେ କିଛି ଭୁଲ କରୁନାହାନ୍ତି ତ ? ଟଙ୍କାର ଲୋଭ କେହି ସମ୍ବରଣ କରି ପାରିନାହାନ୍ତି । ତେଣୁ ସେମାନେ ଆଜି ଅନୁତାପ କରିବାକୁ ବାଧ୍ୟ ହୋଇଛନ୍ତି ।

 

ଆଉ ମୋ ନାମରେ ଅପପ୍ରଚାର କରିବା ପୂର୍ବରୁ ସେମାନଙ୍କର ଭାବିବା ଉଚିତ୍‌ ଥିଲା ଯେ, ମୁଁ ସୁଖମୟବାବୁଙ୍କ ଦ୍ଵାରା ପ୍ରଲୋଭିତ ହୋଇନାହିଁ । ସୁଖମୟବାବୁ ମୋ ରୂପ ଦ୍ଵାରା ପ୍ରଲୋଭିତ ହୋଇଛନ୍ତି । ଏଥର ମୁଁ ସୁଖମୟକୁ ଯାହା ଆଦେଶ ଦେବି ସେ ତାହା ପାଳନ କରିବାକୁ ବାଧ୍ୟ ।

 

ବାହାରେ କାର୍‌ ହର୍ଣ୍ଣ ଶୁଭିଲା ।

 

କାଦମ୍ବିନୀ କହିଲା–ସୁଖମୟବାବୁ ବୋଧେ ଆସିଲେଣି । ଏଥର ମୁଁ ଯାଉଛି ।

 

କାହିଁକି ବସୁନୁ ! ସୁଖମୟବାବୁ ମଣିଷଖିଆ ବାଘ ନୁହଁନ୍ତି । ତାଙ୍କୁ ଏତେ ଭୟ କାହିଁକି ?

 

ସୁଖମୟ କୋଠରୀ ଭିତରକୁ ପଶିଆସିଲା ।

 

ଚେୟାରରୁ ଉଠିପଡ଼ି କାଦମ୍ବିନୀ ନମସ୍କାର ଜଣାଇଲା ।

 

ସ୍ଵର୍ଣ୍ଣତରୀ

ତରଣୀ ସେମିତି ବସିରହିଛି । ନମସ୍କାର କରିବାକୁ ହାତ ଉଠାଇଲା ନାହିଁ କିମ୍ବା ଚେୟାରରୁ ଉଠି ସମ୍ମାନ ପ୍ରଦର୍ଶନ କଲା ନାହିଁ ।

 

ସୁଖମୟବାବୁ କାଦମ୍ବିନୀ ପାଖକୁ ଆସି କହିଲେ–ତମର କାମ ବୋଧେ ସରିଯାଇଛି । ନ ହେଲେ ଏଠି ବସି ଗପ କରୁ ନ ଥାଆନ୍ତି ?

 

ହଠାତ୍‌ ତରଣୀ କହି ଉଠିଲା–ଗପ ନୁହେଁ ସାର୍‌ । ନିଜ ପାରିବାରିକ ଜୀବନର କେତୋଟି ଅଧ୍ୟାୟ ସେ କହୁଥିଲା । ଆଉ ଏଇ କହିବା ମୂଳରେ ଥିଲି ମୁଁ ନିଜେ । ଜୋରକରି ତାକୁ ଏଇଠି ବସାଇ ମୁଁ ଶୁଣୁଥିଲି ।

 

ସୁଖମୟ ବିସ୍ମିତ ହୋଇ ତରଣୀକୁ ଚାହିଁଲେ । ଯେଉଁ ତରଣୀ ବ୍ୟବହାରରେ ସେ ଆଜି ପର୍ଯ୍ୟନ୍ତ ତ୍ରୁଟି ପରିଲକ୍ଷିତ କରି ନଥିଲେ, ସେଇ ତରଣୀ ମୁହଁ ଉପରେ ଜବାବ ଦେଉଛି । କଣ୍ଠରେ ତା’ର ନିର୍ଭୀକତାର ପରିଚୟ ।

 

ଆପଣ ଯାଆନ୍ତୁ ସାର୍‌ ! ଆମର ବ୍ୟକ୍ତିଗତ କଥା ଏପର୍ଯ୍ୟନ୍ତ ସମାପ୍ତ ହୋଇ ନାହିଁ ।

 

ସୁଖମୟ ଫେରିଆସିଲା ।

 

ତରଣୀ କହିଲା–ଦେଖିଲୁ କାଦୁ ! ସୁଖମୟବାବୁଙ୍କୁ ମୁଁ କେମିତି ହାତ ମୁଠାରେ ରଖିଛି । ସମସ୍ତଙ୍କ ପ୍ରତି ସେ ଉଦ୍ଧତ ହେଲେ ମଧ୍ୟ ମୋ ନିକଟରେ ଶାନ୍ତ, ସରଳ, ନିରୀହ, ନମ୍ର । ଆଉ ଏଇଥିରୁ ତୁ ବୁଝିପାରିବୁ ମୋ ଚରିତ୍ରର ଏକନିଷ୍ଠତା ।

 

ହଁ, କେହି ନ ବୁଝିଲେ ମଧ୍ୟ ମୁଁ ସବୁ ବୁଝୁଛି । ତଥାପି ସେମାନେ ତୋର ଅପପ୍ରଚାର କରୁଛନ୍ତି । ଯେଉଁମାନେ ତାଙ୍କ ଦ୍ଵାରା ନଷ୍ଟଭ୍ରଷ୍ଟ ହୋଇଛନ୍ତି, ଆଜି ସେଇମାନେ ତୋତେ ନଷ୍ଟଭ୍ରଷ୍ଟ କରିଦେବାକୁ ଚାହୁଁଛନ୍ତି । ସେମାନଙ୍କ ଭିତରେ ତୁ ଅଫିସ୍‌ରେ ଏକ ବ୍ୟତିକ୍ରମ ହୋଇ ରହିବାକୁ ସେମାନେ ଉଚିତ ମନେକରୁ ନାହାନ୍ତି । କିନ୍ତୁ ମୋର ଉପଦେଶ, ସୁଖମୟବାବୁଙ୍କ ଦ୍ଵାରା ପ୍ରଲୋଭିତ ନ ହୋଇ ନିଜକୁ ନିଷ୍କଳଙ୍କ ରଖିବାକୁ ଚେଷ୍ଟା କରିବୁ । ....ହଉ, ମୁଁ ଯାଉଛି ତରୀ ! ଏ ବିଷୟରେ ପରେ ଆଲୋଚନା କରିବା ।

 

କାଦମ୍ବିନୀ ଚାଲିଗଲା ।

ନିରୋଳାରେ ତରଣୀ ଚିନ୍ତା କଲା । ସୁଖମୟ ମଣିଷଖିଆ ବାଘ ନୁହେଁ–ଏକ ହିଂସ୍ର ବିଷାକ୍ତ ଜାନୁଆର ମଧ୍ୟ । ବାଘଠାରୁ ଆହୁରି ଭୟଙ୍କର, ଚାଲାକ, ଚତୁର ।

ଏତେଦିନ ପରେ ତରଣୀ ବୁଝିପାରିଲା–ସୁଖମୟବାବୁ ରାସକ୍ରୀଡ଼ା କରିବାପାଇଁ ଏକ ଅଫିସ ଖୋଲିଥିଲେ ଆଉ ସେଥିରେ ସରୋଜାକୁ ମୁଖ୍ୟନାୟିକା କରି ସହରର ସୁନ୍ଦରୀ ଝିଅମାନଙ୍କୁ ଚାକିରି ଦେଇ ଗୋଟିକ ପରେ ଗୋଟିଏ ଉପଭୋଗ କରୁଥିଲେ ।

ତରଣୀ ଶପଥ କଲା, ଯେଉଁ ସୁଖମୟବାବୁ ନାରୀ ମାଂସର ସ୍ଵାଦୁ ଉପଭୋଗ କରିବାକୁ ବ୍ୟାକୁଳ ହୋଇ କଣ୍ଟକିତ ପଥରେ ପାଦ ଦେଇଛନ୍ତି, ସେଥିରୁ ତାଙ୍କୁ ସେ ଉଦ୍ଧାର କରିବ । କହିବ–ଦୁନିଆ ନିର୍ବୋଧ ନୁହେଁ, ଭଗବାନ ମୂକ ନୁହଁନ୍ତି । କ୍ରମାନ୍ଵୟରେ ଉପଭୋଗ କରିସାରିଲା ପରେ ଶେଷକୁ ଆପଣ କଣ ହୋଇ ରହିବେ କୁହନ୍ତୁ ତ ? ନାରୀକୁ ପିରତିମିଶା କଥା କହି, ପ୍ରାଚୁର୍ଯ୍ୟର ମୋହ ଦେଖାଇ ମୁହୂର୍ତ୍ତକ ପାଇଁ ନିଜର କରିନେଲେ ପୁରୁଷର ପୌରୁଷ ବଢ଼ିଉଠେ ନାହିଁ । ନାରୀର ମନକୁ ଜୟ କରିବା ପାଇଁ ପୁରୁଷଚିତ୍ତ ବ୍ୟବହାର ପ୍ରୟୋଜନ । ଅର୍ଥର ମୋହ ଦେଖାଇ ଅନ୍ୟକୁ ଠକିବାକୁ ଚେଷ୍ଟାକଲେ ନିଜେ ଠକିହୋଇ ଯିବେ ! ଶେଷରେ କେବଳ ଅନୁତାପ କରିବା ସାର ହୋଇଉଠିବ !

କିନ୍ତୁ ସୁଖମୟବାବୁ ଯଦି ତାର ଉପଦେଶ ଗ୍ରହଣ ନ କରନ୍ତି ?

ତରଣୀ ଭରସା ରଖିଥିଲା । ସୁଖମୟ ବାବୁଙ୍କ ସହିତ ଏଥର ସେ ନିବିଡ଼ ଭାବରେ ମିଳିମିଶି ଚଳିବ । ସୁଖମୟ ଯାହା ଆଦେଶ ଦେବ ସେ ତାକୁ ପାଳନ କରିବ । ତା’ପରେ ତାଙ୍କୁ ଉପଦେଶ ଦେବ । ସତ୍‌ପଥରେ ଚାଲିବାକୁ ପରିଚାଳିତ କରିବ ।

 

ତରଣୀ ଚେୟାର ଉପରୁ ଉଠି ବାହାରକୁ ଆସିଲା ।

 

ଗ୍ୟାରେଜରୁ ମଟରକାର୍‌ ବାହାର କରୁଛନ୍ତି ସୁଖମୟ ବାବୁ ।

 

ତରଣୀ ଅପେକ୍ଷାକରି ରହିଲା ।

 

ସୁଖମୟବାବୁ ଧୀରେ ଧୀରେ କାର୍‌ ଡ୍ରାଇଭିଂ କରି ତରଣୀ ପାଖଦେଇ ଚାଲିଯାଉଥିଲେ-। ହଠାତ୍‌ ତରଣୀ ଡାକିଲା–ସାର୍‌ !

 

ସୁଖମୟ ଗାଡ଼ିରେ ବ୍ରେକ କସିଲା ।

 

ତରଣୀ ଆଗେଇ ଯାଇ କହିଲା–କାଲି ରାସ୍ତା ମଝିରୁ ମଟରରେ ମୋତେ ଉଠାଇ ନେଇ ଘରେ ଛାଡ଼ିଦେଇ ଆସିଥିଲେ ।

 

ଆଉ ଆଜି ଆପଣ ଏକୁଟିଆ ଚାଲିଯାଉଛନ୍ତି ଯେ ମୁହଁରୁ ସିଗାରେଟ୍‌ ବାହାରକରି ସୁଖମୟ ଚାହିଁଲା ତରଣୀକୁ ।

 

ତରଣୀ ପରିହାସ କରୁନାହିଁତ ? ନ ହେଲେ ତରଣୀ କାଲି ମଟରରେ ବସିବାପାଇଁ କୁଣ୍ଠାବୋଧ କରୁଥିଲା । ଅଥଚ ଆଜି ମଟରରେ ବସି ଯିବାପାଇଁ ନିଜେ ଅନୁରୋଧ କରୁଛି !

 

ସୁଖମୟ କହିଲା–ହଉ ଆସ, ବସ !

 

ଦରଜା ଖୋଲି ଫ୍ରଣ୍ଟ ସିଟରେ ବସିପଡ଼ିଲା ତରଣୀ ।

 

ସିଗାରେଟ୍‌ ମୁହଁରେ ଧରି ସୁଖମୟ ଗାଡ଼ି ଛୁଟାଇ ଦେଲା ।

 

ତରଣୀ ଷ୍ଟେରିଂ ପାଖକୁ ଘୁଞ୍ଚିଆସିଲା । ସୁଖମୟବାବୁଙ୍କ ପାଖକୁ ଲାଗିଆସି ତାଙ୍କ ମୁହଁରୁ ସିଗାରେଟ୍‌ ଛଡ଼ାଇନେଇ କହିଲା, ସିଗାରେଟ୍‌ ଆଭିଜାତ୍ୟର ମାନଦଣ୍ଡ ହେଲେ ମଧ୍ୟ ସ୍ଵାସ୍ଥ୍ୟପକ୍ଷରେ ନିଶ୍ଚୟ ଅନିଷ୍ଟକର । ମୋର ଅନୁରୋଧ ସିଗାରେଟ୍‌ ଖାଇ ନିଜର ଅମୂଲ୍ୟ ସ୍ଵାସ୍ଥ୍ୟକୁ ନଷ୍ଟ କରିବେ ନାହିଁ । ଯଦି ଆଉ କୌଣସି ଦିନ ସିଗାରେଟ୍‌ ଖାଇବାର ମୁଁ ଦେଖେ, ତେବେ ।

 

ସୁଖମୟ ତରଣୀକୁ ଚାହିଁଲେ ।

 

ତରଣୀ ଅଧଜଳା ସିଗାରେଟ୍‌ଟିକୁ ବାହାରକୁ ଫିଙ୍ଗି ଦେଇ ସୁଖମୟକୁ ଚାହିଁ କହିଲା–ଏ ମାସରେ ମୁଁ ବଡ଼ ଅସୁବିଧାରେ ପଡ଼ିଯାଇଛି ସାର୍‌ ! ଅନେକଗୁଡ଼ାଏ ଦିନ ଛୁଟିନେଇ ବସିଲି । ତା’ଛଡ଼ା ଏଇ କେଇଟା ଦିନର ଦରମା...

 

ସୁଖମୟ କହିଲା–ତମ ଅନୁପସ୍ଥିତ ଦିନଗୁଡ଼ିକର ଦରମା ମୁଁ ବନ୍ଦୋବସ୍ତ କରିଦେଇଛି ତରଣୀ ! ଆଉ ଯଦି ଅଭାବ ଥାଏ ତେବେ କାଲି ଅଗ୍ରୀମ ନେଇପାର ।

 

ହଉ ସାର୍‌ ! କିନ୍ତୁ....

 

କଣ କୁହ ତରଣୀ !

 

ଗୋଟିଏ ସାମାଜିକ ହିନ୍ଦୀଚିତ୍ରର କାଲି ଶେଷ ରାତ୍ର । ସମ୍ବାଦପତ୍ରରେ ସେଇ ଚିତ୍ରର ପ୍ରଶଂସାପତ୍ର ପଢ଼ି ମୋର ଦେଖିବାକୁ ପ୍ରବଳ ଇଚ୍ଛା ହେଉଛି । କିନ୍ତୁ ଅର୍ଥ ଅଭାବରୁ–

 

ତମେ ବ୍ୟସ୍ତ ହୁଅନାହିଁ ତରଣୀ । ମୁଁ ମଧ୍ୟ କାଲି ସେଇ ଚିତ୍ର ଦେଖିଯିବା ପାଇଁ ମନସ୍ତ କରିଛି । ତମର ଯଦି ଇଚ୍ଛା ଅଛି ତେବେ ସାଥୀ ହୋଇ ଯିବା । ମୁଁ କାଲି ସକାଳେ ଅଗ୍ରୀମ ଟିକେଟ କରି ଆଣିବି ।

 

ତରଣୀ ମନେ ମନେ ହସିଉଠିଲା । ସୁଖମୟବାବୁ ତା’ର ଅନୁରୋଧ ପ୍ରତ୍ୟାଖ୍ୟାନ କରି ନାହାନ୍ତି । ସାଥୀ ହୋଇ ସିନେମା ଯିବାର ଲୋଭ ତୁଟାଇ ପାରିନାହାନ୍ତି ।

 

ତରଣୀ ମନେ ମନେ ହସିଉଠି ସାମନାକୁ ଚାହିଁଲା ।

 

ଆମ୍ବାସଡ଼ର ଗାଡ଼ି ତୀର ବେଗରେ ଆଗକୁ ମାଡ଼ିଚାଲିଛି ।

 

।। ୧୦ ।।

 

ନିଉୟର୍କର ପ୍ରଧାନ ସହର ମାନ୍‌ହ୍ୟାଟନ୍‌ର ଜନଗହଳି ରାଜପଥ ଉପରେ ସେଭ୍ରଲ ମଟରଗାଡ଼ି ତୀର ବେଗରେ ଛୁଟି ଚାଲିଥିଲା ।

 

ଯୁକ୍ତରାଷ୍ଟ୍ର ଆମେରିକାରୁ ବିଦାୟ ନେବା ପୂର୍ବରୁ ସହର, ମଫସଲର ପ୍ରତ୍ୟେକ ସ୍ଥାନ ବୁଲି ଦେଖିବାର ଅଦ୍ୟମ ଆକାଂକ୍ଷା ସମ୍ବରଣ କରି ନ ପାରି ମଟରକାର ଖଣ୍ଡିଏ ଧରି ପ୍ରତ୍ୟେକ ସ୍ଥାନ ବୁଲି ବୁଲି ଫେରି ଆସିଲେ ଦୁହେଁ ।

 

ଆଜି ବି ସେମିତି ଯୁକ୍ତରାଷ୍ଟ୍ର ପଶ୍ଚିମାଞ୍ଚଳ ପରିଦର୍ଶନ ପାଇଁ ଦେବକାନ୍ତ ଆଉ ଜ୍ୟୋସ୍ନା ବାହାରି ଆସିଛନ୍ତି ।

 

ସୁପ୍ରଶସ୍ତ ରାଜପଥ ଉପରେ ମଟରକାର ମାଡ଼ି ଚାଲିଛି ।

 

ଦେବକାନ୍ତ ଆଉ ଜ୍ୟୋସ୍ନା ବିମୁଗ୍‌ଧ ଦୃଷ୍ଟିରେ ବାହାରକୁ ଚାହିଁଲେ । ସହର, ଅଟ୍ଟାଳିକା, ବଣ, ପାହାଡ଼, ନଦୀ, ଝରଣା ଅତିକ୍ରମ କରି ଅନେକଦୂର କାର୍‌ ମାଡ଼ି ଆସିଲାଣି । ମାଇଲ ମାଇଲ ବ୍ୟାପୀ ଶ୍ୟାମଳ କୃଷିକ୍ଷେତ୍ର, ବିଶାଳ ଗହମ କ୍ଷେତ, ସୁଦୀର୍ଘ କମଳା ଲେମ୍ବୁ ବଗିଚା, ଶହ ଶହ ଏକର ପରିମିତ ମକ୍‌କା, କୋବି, ମୂଳା, ବିଲାତିବାଇଗଣ କିଆରୀ ଦେଖି ଦୁହେଁ ବିସ୍ମିତ ହୋଇ ଉଠିଥିଲେ ।

 

ଦେବକାନ୍ତ ଭାବୁଥିଲା ଏଇ ସମ୍ପଦଶାଳୀ ସ୍ଵର୍ଣ୍ଣପ୍ରସୂ ମଫସଲର ଅବସ୍ଥା ଆମ ଭାରତଠାରୁ କେଉଁ ଗୁଣରେ ନ୍ୟୁନ !

 

ଯୁକ୍ତରାଷ୍ଟ୍ରର ପ୍ରସିଦ୍ଧ ସହର ‘ଲସଆଞ୍ଜେଲସ୍‌’ର ପ୍ରଧାନ ରାଜପଥରେ ଥିବା ସୁଉଚ୍ଚ ଅଟ୍ଟାଳିକାର ଫାଟକ ସାମନାରେ କଦଳୀ ବଗିଚା ଦେଖି ଦୁହେଁ ବିସ୍ମିତ ହେଉଥିଲେ । ଯେଉଁ କଦଳୀଗଛ ଆମ ଓଡ଼ିଶାର ଲୋକେ ବାରିପଟରେ ଲଗାଇ ଥାଆନ୍ତି, ତାହା ଏଠାରେ ଅଟ୍ଟାଳିକାର ଫାଟକ ସମ୍ମୁଖରେ ରହି ଶୋଭା ପାଉଛି । ଆଭିଜାତ୍ୟର ପ୍ରତୀକ ବୋଲି ସୂଚନା ଦେଉଛି । ପ୍ରତ୍ୟେକ ଘର ଆଗରେ ସୁନ୍ଦର ଛୋଟ ବଗିଚା । ଏଠାରେ ଏପରି କୌଣସି ଘର ନାହିଁ, ଯାହାଙ୍କର ଫୁଲ ବଗିଚା ନାହିଁ ।

 

କାଲିଫର୍ଣ୍ଣିଆର ମଫସଲ ଉପାଞ୍ଚଳରେ ଗାଡ଼ି ଧୀରେ ଧୀରେ ଗଡ଼ି ଚାଲିଲା ।

 

ରାସ୍ତାକଡ଼ରେ ଏକ ବିଜ୍ଞପ୍ତି ଦେଖି ଜ୍ୟୋସ୍ନା ଗାଡ଼ି ରଖିବାକୁ ନିର୍ଦ୍ଦେଶ ଦେଲା । ଗାଡ଼ି ରହିବାରୁ ଜ୍ୟୋସ୍ନା ବିଜ୍ଞପ୍ତି ଉପରେ ଦୃଷ୍ଟି ଦେଲା । ଚାର୍ମିଂ ପାର୍କ ।

 

ଜ୍ୟୋସ୍ନା କହିଲା–ଏଇ ପାର୍କ ଭିତରକୁ ଯିବା ଚାଲନ୍ତୁ ଦେବକାନ୍ତବାବୁ ! ଅନେକ ସ୍ଥାନ ବୁଲି ଦେଖିଲୁ, କିନ୍ତୁ ଏଭଳି ସୁନ୍ଦର ପାର୍କ କେଉଁଠି ଦେଖି ନ ଥିଲୁ !

 

ଦେବକାନ୍ତ ମଟର ଭିତରୁ ବାହାରି ପଡ଼ିଲା ।

 

ଚାର୍ମିଂ ପାର୍କ ଭିତରେ ପ୍ରବେଶ କଲେ ଦୁହେଁ ।

 

ଅଲିଭ୍‌, ଅଙ୍ଗୁର, ପ୍ରୁନ୍‌, ପିଚ୍‌, ପେୟାର, ଇଉକାଲିପଟାସର ବିଭିନ୍ନ ପ୍ରକାର ବୃକ୍ଷ ଦେଖି ବିସ୍ମିତ ହୋଇ ଉଠିଲା ଜ୍ୟୋସ୍ନା ! ସତରେ ! ଏଇ ସ୍ଵର୍ଣ୍ଣପ୍ରସୂ, ଆମେରିକାରେ କଣ ନାହିଁ ?

 

କିଛିଦୂର ଆଗେଇଯିବା ପରେ ଅସଂଖ୍ୟ ବିଦେଶୀ ଫୁଲଗଛ ଆଖିରେ ପଡ଼ିଲା । ତା’ କିଛି ଦୂରରେ ଭାରତୀୟ ଫୁଲଗଛ ଦେଖି ଦେବକାନ୍ତ ଆଗେଇଲା । ସୂର୍ଯ୍ୟମୁଖୀ, ଗୋଲାପ, ରକ୍ତ କରିବି, କେଳିକୁସୁମ, ମଣ୍ଡାକୁସୁମ ଇତ୍ୟାଦି ପୁଷ୍ପ ଶୋଭା ପାଉଛି ଉଦ୍ୟାନ ମଧ୍ୟରେ ।

 

ଦୀର୍ଘ ତିନିଘଣ୍ଟା ପାର୍କ ଭିତରେ ବୁଲି ବୁଲି, ସବୁଜ ତୃଣ ଭୂମି ଉପରେ ବସିପଡ଼ିଲା ଜ୍ୟୋସ୍ନା । କହିଲା–ଏଇଠି ବସନ୍ତୁ ଦେବକାନ୍ତବାବୁ ! ଘୂରି ଘୂରି ଥକିଗଲିଣି ମୁଁ ।

 

ଦେବକାନ୍ତ ବସିଲା ଜ୍ୟୋସ୍ନା ନିକଟରେ ।

 

ଜ୍ୟୋସ୍ନା କହିଲା–ଏଇ ଆମେରିକାର ଶୋଭା ସମ୍ପଦ ଦେଖିଲେ ଘରକୁ ଫେରିଯିବା ପାଇଁ ମୋଟେ ମନ ଦେଉନି !

 

ତା’ହେଲେ ଏଇଠି ରୁହ ! ଘରକୁ ଫେରିଯିବାର ଦରକାର ନାହିଁ । ପ୍ରଫେସର ଜର୍ଜଙ୍କୁ କହି ଏକ ଆମେରିକାନ ଯୁବକ ସହିତ ବିବାହ ସ୍ଥିର କରିନେବ ।

 

ବିବାହ ! ଜ୍ୟୋସ୍ନା ହସି ଉଠିଲା ।

 

ହଁ ବିବାହ ! କାଲି ସକାଳେ ଚର୍ଚ୍ଚକୁ ଯାଇ ଖ୍ରୀଷ୍ଟଧର୍ମ ଗ୍ରହଣ କରି ସାରିଲେ ଆମେରିକାନ୍‌ ଯୁବକମାନେ ତୁମକୁ ବିବାହ କରିବାକୁ କିଉ କରି ଛିଡ଼ା ହେବେ । ତା’ପରେ ତୁମେ ଯାହାଙ୍କୁ ଇଚ୍ଛା କରିବ ତାଙ୍କୁ ବିବାହ କରିବ ।

 

ମୃଦୁ ହସି ଜ୍ୟୋସ୍ନା କହିଲା–ଜନ୍ମମାଟି ଛାଡ଼ି ବିଦେଶୀ ମାଟିରେ ଆମେରିକାନ୍‌ ଯୁବକକୁ ବିବାହ କରିବି ! ବିବାହର କେତେଦିନ ପରେ ଛାଡ଼ପତ୍ର ଦେଇ, ନୂତନ ସ୍ଵାମୀ ଅନ୍ୱେଷଣରେ ଘୂରି ବୁଲିବି । ତା’ପରେ ପୁଣି ବିବାହ କରିବି । ଏଇୟା ନା ?

 

ହଁ, କିଛି ନ ହେଲେ ଅନୁଭୂତି ତ ନିଶ୍ଚୟ ରହିବ !

 

କିନ୍ତୁ ଆପଣଙ୍କ ବିବାହ ?

 

ଦେବକାନ୍ତ ପରିହାସ କରିବା ପାଇଁ କହିଲା–ମୁଁ ମୋର ଜନ୍ମମାଟିକୁ ଫେରିଯାଇ ବିବାହ କରିବି ଜ୍ୟୋସ୍ନା । କିନ୍ତୁ ସହରର ଅତ୍ୟାଧୁନିକ ରୂପସୀ ତରୁଣୀକୁ ନୁହେଁ–ପାଟ ଅଞ୍ଚଳର ନିପଟ ଗରୀବ, ମଳିମୁଣ୍ଡିଆ, ଅଶିକ୍ଷିତ କୁରୁପୀ କନ୍ୟାକୁ । ଯାହାର ଦି’ବେଳା ଖାଇବାକୁ ମୁଠାଏ ଦାନା ନ ଥିବ, ମଖମଲି ଶାଢ଼ି ପିନ୍ଧିବାକୁ ଯିଏ ଘୃଣା କରୁଥିବ, ବହଳେ ମୋଟର ସ୍ନୋ, ପାଉଡ଼ର ଯିଏ ଲଗାଇ ଜାଣି ନ ଥିବ, ପୁରୁଷ ସହିତ ପ୍ରତିନ୍ଦ୍ଵନ୍ଦିତା କରିବାକୁ ଯିଏ ସାହସ କରୁ ନ ଥିବ, ସେଇଭଳି ଝିଅକୁ ମୁଁ ବିବାହ କରିବି ।

 

ଜ୍ୟୋସ୍ନା ଖିଲିଖିଲି ହୋଇ ହସିଉଠି କହିଲା–ତେବେ ତରଣୀର କଳ୍ପନା କଣ କେବଳ କଳ୍ପନାରେ ରହିଯିବ ? ପ୍ରତୀକ୍ଷା ତାର ବ୍ୟର୍ଥ ହୋଇଯିବ ?

 

ହଁ, ମତେ ଏତିକି ବିଶ୍ଵାସକର, ମୁଁ ତରଣୀକୁ ମୋଟେ ବିବାହ କରୁନାହିଁ ।

 

ଆଉ ତେବେ କାହାକୁ ? ଜ୍ୟୋସ୍ନା ପଚାରି ଉଠିଲା ।

 

ଦେବକାନ୍ତ କିଛି ଉତ୍ତର ନ ଦେଇ ନୀରବ ରହିଲେ ।

 

ଦେବକାନ୍ତ ନିକଟିକୁ ଘୁଞ୍ଚିଆସି ଜ୍ୟୋସ୍ନା କହିଲା–ଗୋଟାଏ ମଜାକଥା ଶୁଣିବେ ଦେବକାନ୍ତବାବୁ !

 

କଣ କୁହ ! ତମର ଯଦି କହିବାକୁ ଆଗ୍ରହ ଅଛି, ମୋର ଶୁଣିବାକୁ ନିଶ୍ଚୟ ଧୈର୍ଯ୍ୟ ଅଛି-

 

ଜ୍ୟୋସ୍ନା କହିଲା–କାଲି ରାତିରେ ମୁଁ ଗୋଟିଏ ସୁନ୍ଦର ସ୍ୱପ୍ନ ଦେଖିଛି । ଆଉ ଭାବୁଛି ସେଇ ସ୍ଵପ୍ନ ଯଦି ସତ ହୁଏ.....

 

ସ୍ଵପ୍ନ କେବେ ସତ ହୁଏନା ଜ୍ୟୋସ୍ନା ! ସ୍ଵପ୍ନ ହେଉଛି ବାଚାଳ ମନର ଦୁର୍ବଳତା । ଦିନରେ ଯେଉଁ ବିଷୟ ଗମ୍ଭୀର ଭାବରେ ଚିନ୍ତା କରିଥିବ, ରାତିରେ ତାହା ସ୍ଵପ୍ନରେ ପରିଣତ ହୁଏ ।

 

ଭୁଲ, ମୋ ମତରେ ସ୍ଵପ୍ନ ହିଁ ହେଉଛି ମଣିଷ ଜୀବନର ଏକମାତ୍ର ସତ୍ୟ । ଆଉ ମୁଁ ଯେଉଁ ସ୍ଵପ୍ନ ଦେଖିଛି ତାହା ନିଶ୍ଚୟ ସତ ହେବ ।

 

ସ୍ଵପ୍ନଟା କଣ ଶୁଣେ ? ଦେବକାନ୍ତ ପଚାରି ଉଠିଲା ।

 

ଜ୍ୟୋସ୍ନା ହସିଲା । କହିଲା, ଆପଣଙ୍କୁ କହିବାକୁ ମୋତେ ସଙ୍କୋଚ ଲାଗୁଛି । ତଥାପି ମୁଁ କହିବି, ମୋ ସ୍ୱପ୍ନର ଏକମାତ୍ର ନାୟକ ହେଉଛନ୍ତି ଆପଣ !

 

ସତେ ନା କଣ ? ଦେବକାନ୍ତ କହି ଉଠିଲା ।

 

ହଁ ଦେବକାନ୍ତବାବୁ ! ଆମେ ଦୁହେଁ ପାଶ୍‌ କରିବାପରେ ନିଜର ଜନ୍ମସ୍ଥାନକୁ ଫେରିଯାଇଛୁ । ତା’ପରେ କଟକରେ ଆମର ବିବାହ ସମାପ୍ତ ହୋଇଛି । ବାସର ରାତି ଉପଭୋଗ କରିବା ପାଇଁ ଆମେ ଯାଇଛୁ ଗୋପାଳପୁର । ଗୋପାଳପୁରର ସମୁଦ୍ର କୂଳରେ ଏକ କୋଠରୀରେ ଆମର ବାସର ରାତି ଉଦ୍‌ଯାପିତ ହୋଇଛି, ଆଉ....

 

ଦେବକାନ୍ତ ବିସ୍ମିତ ହୋଇ ଜ୍ୟୋସ୍ନାକୁ ଚାହିଁଲା । ଜ୍ୟୋସ୍ନା ନାରୀ, ଶିକ୍ଷିତା, ରୂପସୀ । ତଥାପି ନିଃସକୋଂଚରେ ନିଜ ମନର ଅଭିଳାଷ ଜଣାଇ ପାରୁଛି । ପୁରୁଷ ହୋଇ ଯେଉଁ ପ୍ରସଙ୍ଗ କହିବାକୁ ସେ କୁଣ୍ଠାବୋଧ କରୁଛି ନାରୀ ହୋଇ ସେ ତାହା ନିଃସକୋଂଚରେ କହି ପାରୁଛି ।

 

ଦେବକାନ୍ତର ଗଭୀର ଭାବାନ୍ତର ଲକ୍ଷ୍ୟ କରି ଜ୍ୟୋସ୍ନା କହିଲା–ମୁଁ ସତ କହୁଛି ଦେବକାନ୍ତବାବୁ ! ସେ ଦିନଟା ଥିଲା ମୋ ଜୀବନର ଏକ ଶୁଭମୁହୂର୍ତ୍ତ । ଟ୍ରେନ୍‌ରେ ଆପଣଙ୍କ ସହିତ ସାକ୍ଷାତ୍‌ ହେଲାପରେ ମୋ କୁମାରୀ ମନ ନଇଁ ପଡ଼ିଥିଲା ଆପଣଙ୍କ ଚରଣତଳେ । ମନର ଗର୍ବ, ଅହଙ୍କାର, ଅଭିମାନ ସବୁ କିଛି ତୁଟି ଯାଇଥିଲା । ତା’ପରେ ମୁଁ ଆପଣଙ୍କୁ ଭଲ ପାଇବାକୁ ଲାଗିଲି ଏବଂ ଅହରହ କଳ୍ପନାକୁ ବାସ୍ତବରେ ରୂପ ଦେବାପାଇଁ ଚିନ୍ତା କରି କାଲି ରାତିରେ ଆପଣଙ୍କୁ ସ୍ଵପ୍ନରେ ଭେଟିଲି ।

 

ଦେବକାନ୍ତ କହିଲା–ୟା’ ଦ୍ଵାରା ତମେ ଭୁଲ୍‌ କରୁଛ ଜ୍ୟୋସ୍ନା ! ତେଣେ ବାପା ତୁମର ପାତ୍ର ମନୋନୀତ କରି ଚାହିଁ ବସିଥିବେ । ହୁଏତ ନିର୍ବନ୍ଧ ସରିଯାଇଥିବ; ବିବାହର ଲଗ୍ନ ଧାର୍ଯ୍ୟ ହୋଇଥିବ । ଝିଅ ଆମେରିକାରୁ ଫେରିଆସିଲେ ବିବାହ ଦିବସ ଉଦ୍‌ଯାପିତ ହେବ । କିନ୍ତୁ....

 

ନା, ଜାଣି ଜାଣି ବାପା ଏପରି ଭୁଲ କେବେ କରିବେ ନାହିଁ । ନିଜ ଝିଅକୁ ଯେତେବେଳେ ପୂର୍ଣ୍ଣ ସ୍ଵାଧୀନତା ଦେଇ ଆମେରିକା ପଠାଇଛନ୍ତି, ସେଇ ଝିଅର ମତ ନ ନେଇ ସେ ବିବାହ-ଲଗ୍ନ ଧାର୍ଯ୍ୟ କରି ନ ଥିବେ । ଅତ୍ୟନ୍ତ ବିବାହ ପୂର୍ବରୁ ମୋତେ ଥରେ ନିଶ୍ଚୟ ପଚାରିବେ ।

 

ଦେବକାନ୍ତ ଆଉ କିଛି ଉତ୍ତର ଦେଇ ପାରିଲା ନାହିଁ । ଏତେଦିନ ପରେ ସେ ବୁଝିପାରିଲା, ଜ୍ୟୋସ୍ନା ମିଥ୍ୟା ଅଭିନୟ କରୁ ନ ଥିଲା ! କଳ୍ପନାକୁ ରୂପ ଦେବାପାଇଁ ସେ ଯଥାସାଧ୍ୟ ଚେଷ୍ଟା କରୁଥିଲା । ଅଧରାତିରେ କୌଣସି ଏକ ଜିନିଷ ଖୋଜିବାର ଛଳନା କରି ତା’ କୋଠରୀକୁ ବାରମ୍ବାର ଆସୁଥିଲା–ଅବାଧରେ— ମିଳାମିଶା କରିପାରୁଥିଲା । ତା’ ଖଟ ଉପରେ ବସି କାହାଣୀ କହିବାକୁ ଅନୁରୋଧ କରୁଥିଲା । ରୂପ-ଯୌବନ ପ୍ରଦର୍ଶନ କରି ତାକୁ ପ୍ରଲୋଭିତ କରୁଥିଲା ।

 

ଦେବକାନ୍ତ ଭାବିଲା–ଜ୍ୟୋସ୍ନାକୁ ବିବାହ କଲେ କ୍ଷତି କଣ ? ଜ୍ୟୋସ୍ନା ସୁନ୍ଦର, ଶିକ୍ଷିତା, ଧନୀବ୍ୟକ୍ତିର ଏକମାତ୍ର କନ୍ୟା । ବ୍ୟବହାର ଖୁବ୍‌ ସଂଯତ ଆଉ ଭଦ୍ର । ବିବାହ ପରେ ଦୁହିଁଙ୍କର ଜୀବନ ଠିକ୍‌ ସମତାଳ ଭାବରେ ଗତି କରିବ । ଜ୍ୟୋସ୍ନାର ସ୍ଵପ୍ନ ସଫଳ ହେବ । କିନ୍ତୁ....

 

ଦେବକାନ୍ତବାବୁ ! ଜ୍ୟୋସ୍ନା କଣ୍ଠରେ କାରୁଣ୍ୟର ନିର୍ଯ୍ୟାସ । ଦେବକାନ୍ତ ମୁହଁ ଟେକି ଚାହିଁଲା ।

 

ଦେବକାନ୍ତ ଉପରେ ଆଉଜି ପଡ଼ି ଜ୍ୟୋସ୍ନା କହିଲା–ମୋତେ କଥା ଦିଅନ୍ତୁ ଦେବକାନ୍ତବାବୁ ! ମୋର ସ୍ଵପ୍ନକୁ ସଫଳ କରି ଗଢ଼ିବାକୁ ଆପଣ ମୋତେ ନିର୍ଭର ପ୍ରତିଶ୍ରୁତି ଦିଅନ୍ତୁ । ମୁଁ ଆଉ କିଛି ଚାହେଁନା । କେବଳ ଚାହେଁ ଆପଣଙ୍କୁ । ଆପଣ ମୋ ଜୀବନର ଏକମାତ୍ର ଧ୍ରୁବତାରା-

 

ଦେବକାନ୍ତ ଜ୍ୟୋସ୍ନାର କେଶଗୁଚ୍ଛରେ ଅଙ୍ଗୁଳି ସଞ୍ଚାଳନ କରୁ କରୁ କହିଲା–ଅନେକ ବେଳୁ ଆମେ ଆସିଲୁଣି । ଚାଲ, ଫେରିଯିବା ଜ୍ୟୋସ୍ନା !

 

ଦେବକାନ୍ତର କୋଳ ଉପରେ ସେମିତି ନିର୍ଲିପ୍ତ ଭାବରେ ଲୋଟିପଡ଼ି ଜ୍ୟୋସ୍ନା କହିଲା-ଉଁ-ହୁଁ ! ଆପଣ ମୋତେ ପ୍ରତିଶ୍ରୁତି ନ ଦେଲେ ମୁଁ ଉଠିବି ନାହିଁ । ଆପଣ ଏଡ଼େ ନିଷ୍ଠୁର ! ପଦିଏ କଥାର ଉତ୍ତର ଦେବାପାଇଁ ଆପଣ ସମୟ ଲୋଡ଼ି ବସୁଛନ୍ତି ?

 

ଅଭିମାନ କରୁଛ ଜ୍ୟୋସ୍ନା ! ଦେବକାନ୍ତ କହିଲା ।

 

ଜ୍ୟୋସ୍ନା ଦୁଇହାତରେ ଦେବକାନ୍ତର କଟି ବେଷ୍ଟନ କରି କହିଲା–ଅଭିମାନ କାହିଁକି କରିବି ? ଆପଣଙ୍କ ଉପରେ ମୋର ସ୍ଵତନ୍ତ୍ର ଦାବୀ ନାହିଁ, ଅଧିକାର ମଧ୍ୟ ନାହିଁ । ଦୁଇ ଦିନର ପରିଚୟ ଭିତରେ ଏତେ ଆଶା କରିବା ହୁଏତ ମୋର ଅକ୍ଷମଣୀୟ ହୋଇ ପାରିଥାଏ । ତେଣୁ ମୋତେ କ୍ଷମା ଦେବେ ।

 

ତୁମେ କାନ୍ଦୁଛ ଜ୍ୟୋସ୍ନା ! ଏତେ ଦୁର୍ବଳ ତୁମେ ଉଠ; ଚାଲ ଯିବା !

 

ଜ୍ୟୋସ୍ନା ମୁହଁମାଡ଼ି କଇଁ କଇଁ ହୋଇ କାନ୍ଦୁଛି ।

 

ଜ୍ୟୋସ୍ନାର ପେଶଳ ଅଙ୍ଗଲତାକୁ ଦୁଇ ହାତରେ ତୋଳି ଧରି ନିଜ ବୁକୁ ଉପରକୁ ଟାଣିଆଣିଲା ଦେବକାନ୍ତ । ଆଖିରୁ ଝରି ପଡ଼ୁଥିବା ଗଙ୍ଗା-ଯମୁନାର ଦୁଇ ଧାରକୁ ନିଜ ହାତରେ ପୋଛି ଦେଇ କହିଲା–ଏଥର ହସ ତ ଥରେ ଜ୍ୟୋସ୍ନା ?

 

ଦେବକାନ୍ତର ବକ୍ଷ ଉପରେ ମୁହଁରଖି ଜ୍ୟୋସ୍ନା କହିଲା–ପରିହାସ କରୁନାହାଁନ୍ତି ତ ?

 

ନାଁ, ପରିହାସ କରୁନି ! ନିରାଟ ସତକଥା କହୁଛି । ତୁମର ସ୍ଵପ୍ନ ନିଶ୍ଚୟ ସଫଳ ହେବ ।

 

ଦେବକାନ୍ତଠାରୁ ନିର୍ଭର ପ୍ରତିଶ୍ରୁତି ପାଇ ଜ୍ୟୋସ୍ନା ମୁହଁରେ ହସ ଉକୁଟି ଉଠିଲା ।

 

ଦେବକାନ୍ତକୁ ନିଜ ଉନ୍ନତ ବୁକୁ ଉପରେ ନିବିଡ଼ ଭାବରେ ଚାପିଧରି ମନଖୋଲା, ପ୍ରାଣ ଖୋଲା ହସ ହସୁଥିଲା ଜ୍ୟୋସ୍ନା.....

 

।। ୧୧ ।।

 

ମନେ ମନେ ହସି ଉଠିଲା ସୁଖମୟ । ଦୀର୍ଘଦିନ ପରେ ତା’ର ସ୍ଵପ୍ନ ଆଜି ସଫଳ ହୋଇଛି । ସାଧନା, ଅଧ୍ୟବସାୟ ବ୍ୟର୍ଥ ହୋଇନି; ଯେଉଁ ତରଣୀକୁ କରଗତ କରିବାକୁ ସହସ୍ର ଯୋଜନା ପ୍ରସ୍ତୁତ କରିଥିଲା ଅକ୍ଳାନ୍ତ ଚେଷ୍ଟା କରିଥିଲା ତାହା ଆଜି ବାସ୍ତବରେ ରୂପ ପାଇବାକୁ ଯାଉଛି । ଦୀର୍ଘ ଦୁଇବର୍ଷ ପରିଚୟ ଥିବା ସତ୍ତ୍ଵେ ଯେଉଁ ତରଣୀ ପାଖକୁ ଆସି ନ ଥିଲା କି ମନଖୋଲି କଥାଭାଷା କରି ନ ଥିଲା ସେ ଆଜି ଆପେ ଆପେ ପାଖକୁ ଆସିଛି ।

 

ନାରୀ ଇମିତି ଗର୍ବ ଅହଙ୍କାର କେତେଦିନ କରିବ ? ଭାଙ୍ଗି ପଡ଼ିବା ସ୍ଵାଭାବିକ । ତଥାପି ତରୁଣୀ ଆଜି ପର୍ଯ୍ୟନ୍ତ ନତମସ୍ତକ ହୋଇ ନ ଥିଲା, କିନ୍ତୁ ଆଜି...

 

ତରଣୀ ମଧ୍ୟବିତ୍ତ ପରିବାରର କନ୍ୟା । ପରିବାରର ଆର୍ଥିକ ଅବସ୍ଥା ସୁଧାରି ନେବାକୁ ତରଣୀ ଛଡ଼ା ଦ୍ଵିତୀୟ ବ୍ୟକ୍ତି ଆଉ କେହି ନ ଥିଲେ । ଦେବକାନ୍ତ ଏଠାରେ ଥିଲାବେଳେ ସାହାଯ୍ୟ କରୁଥିଲା, ସହାନୁଭୂତି ଦେଖାଉଥିଲା । ତା ଦ୍ଵାରା ତରଣୀର ଗର୍ବ ମଧ୍ୟ ବଢ଼ୁଥିଲା । କିନ୍ତୁ ଦେବକାନ୍ତ ଚାଲିଯିବା ପରେ ତରଣୀ ଭାଙ୍ଗି ପଡ଼ିଲା । ଯାହାର ଛାୟାକୁ ସ୍ପର୍ଶ କରିବନି ବୋଲି ଦୂରେଇ ଯାଇଥିଲା, ସେ ଆଜି ସ୍ୱଇଚ୍ଛାରେ ତା’ ପାଖକୁ ଲାଗି ଆସୁଛି ।

 

ନ ହେଲେ କଣ ବା କରିଥାଆନ୍ତା ସିଏ ? କେତେଦିନ ଆଖିରୁ ଲୁହ ଝରାଇ ଦେବକାନ୍ତକୁ ପ୍ରତୀକ୍ଷା କରି ଥାଆନ୍ତା ?

 

କୁମାରୀ ମନ, ବିକ୍ଷିପ୍ତ ଚିନ୍ତାଧାରା; ମନରେ ଆଶାର ରଙ୍ଗ ରହିଛି, ଉପଭୋଗର ଲାଳସା ରହିଛି । ଶିଉଳୀ ପଥରେ ଛିଡ଼ାହୋଇ ଦୀର୍ଘ ପ୍ରତୀକ୍ଷା କଲାପରେ ମଧ୍ୟ ତା’ର ମନର ଦେବତା ଲେଉଟିଲା ନାହିଁ ।

 

ସୁଖମୟ ମନେ ମନେ ଆନନ୍ଦିତ ହେଉଥିଲା । ଦୀର୍ଘ ଜୀବନକାଳ ମଧ୍ୟରେ ଆଜି ହିଁ ତାର ସୁଭାଗ୍ୟର ଦିନ ଗୌରବର ଦିନ । ଜୀବନରେ ଏପରି ଶୁଭ ମୁହୂର୍ତ୍ତ ଆଉ କେବେ ଆସିଲା ପରି ମନେ ହେଉ ନ ଥିଲା ତା’ର ।

 

ସୁଖମୟ ଭାବିଲା–ଏତେ ଶୀଘ୍ର ତରଣୀ କିମିତି ପରିବର୍ତ୍ତନ ହୋଇଗଲା । ସେଦିନ ବାଟ ମଝିରେ କାର୍‌ ଅଟକାଇ ଡାକିବାରୁ ସେ ସିଧାସଳଖ ମନାକରି ଦେଇଥିଲା । ତା’ପରେ ବହୁ ଅନୁନୟ, ବିନୟ ପରେ ଆସିଥିଲା । ଫ୍ରଣ୍ଟ ସିଟ୍‌ରେ ନ ବସି ପଛ ଦରଜା ଖୋଲି ଭିତରେ ବସିଥିଲା-

 

ଆଉ ଠିକ୍‌ ତା’ ପରଦିନ ରାସ୍ତା ମଝିରେ ଠିଆହୋଇ କାର୍‌ ଅଟକାଇ ବସିବା ପାଇଁ ଅନୁରୋଧ କରିଥିଲା ।

 

ସୁଖମୟ ଅନୁମତି ଦେଇଥିଲା ।

 

ଫ୍ରଣ୍ଟ ସିଟ୍‌ ଦରଜା ଖୋଲି ଭିତରେ ବସିଥିଲା ତରଣୀ । ଷ୍ଟେରିଂ ପାଖକୁ ଲାଗିଆସି ତା’ ପାଟିରୁ ସିଗାରେଟ୍‌ ଛଡ଼ାଇ ନେଇ କହିଥିଲା–ଛି, ସିଗାରେଟ୍‌ ଆଭିଜାତ୍ୟର ମାନଦଣ୍ଡ ହୋଇପାରେ କିନ୍ତୁ ଶରୀର ପକ୍ଷରେ କେତେ କ୍ଷତିକାରକ ତାହା ଜାଣି ମଧ୍ୟ ସେଇ ଅଭ୍ୟାସ ପରିତ୍ୟାଗ କରିପାରୁ ନାହାନ୍ତି ?

 

ସୁଖମୟ ଉତ୍ତର ଦେବା ପୂର୍ବରୁ ତା’ ପାଟିରୁ ସିଗାରେଟ୍‌ ଛଡ଼ାଇ ନେଇ ବାହାରକୁ ଫିଙ୍ଗି ଦେଇଥିଲା ତରଣୀ । ଆହୁରି ନିକଟକୁ ଲାଗିଆସି କହିଥିଲା–କାଲି ସିନେମା ଯିବେ ସାର୍‌ ! ପ୍ରଥମ ଶ୍ରେଣୀର ଚିତ୍ରଟିଏ । କାଲି ଶେଷରାତ୍ର ।

 

ସୁଖମୟ ସୀକୃତି ପ୍ରଦାନ କରିଥିଲା ।

 

ତହିଁ ଆରଦିନ ଠିକ୍‌ ସମୟରେ ପ୍ରସ୍ତୁତ ହୋଇ ଆସିଥିଲା ତରଣୀ । ତା’ପରେ ଗୋଟିଏ ମଟରରେ ଦୁହେଁ ସାଥୀ ହୋଇ ସିନେମା ଯାଇଥିଲେ ।

 

ନିଜର କଳ୍ପିତ ଯୋଜନାରେ ରୂପ ଦେଉ ଦେଉ ହସି ଉଠିଲା ସୁଖମୟ । ତରଣୀ ସ୍ଵଇଚ୍ଛାରେ ତା ପାଖକୁ ଆସିଛି । ଏଥର ସେ ତାକୁ ଆପଣାର କରିନେବ । ଐଶ୍ଚର୍ଯ୍ୟର ଲୋଭ ଦେଖାଇ ନିଜର କରିନେବ । ତା’ପରେ ତରଣୀ ସହିତ ନିବିଡ଼ ବନ୍ଧୁତା ସ୍ଥାପନ କରି ତାକୁ ମଟରରେ ନେଇ ଚାଲିଯିବ ଅନେକ ଦୂର...ଗୋପାଳପୁର, କୋଣାର୍କ, ଚଣ୍ଡିଖୋଲର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖାଇବାକୁ କହି ନିରୋଳା, ନିଛାଟିଆ ସ୍ଥାନକୁ ନେଇଯାଇ ନିଜ କାମନା ଚରିତାର୍ଥ କରିବ–ଯୁଗଯୁଗର ଲାଳସା ପରିପୂର୍ଣ୍ଣ ହେବ । ଯଦି ତରଣୀ କୌଣସିଥିରେ ରାଜି ନ ହୁଏ ତେବେ ବିବାହର ଆଶା ଦେଖାଇ ତାକୁ ଉପଭୋଗ କରିବ । ଆଃ, କି ଚମତ୍କାର ପରିକଳ୍ପନା !

 

କାନ୍ଥ ଘଣ୍ଟାରେ ଚାରିଟା ବାଜିଲା ।

 

ସିଗାରେଟ୍‌ କ୍ୟାସରୁ ଖଣ୍ଡିଏ ସିଗାରେଟ୍‌ ବାହାର କରି ସେଥିରେ ନିଆଁ ଧରାଇଲା ସୁଖମୟ ।

 

କୋଠରୀ ଭିତରକୁ ତରଣୀ ପଶିଆସିଲା । ସୁଖମୟ ବାବୁଙ୍କ ଟେବୁଲ ଉପରେ ନିଜର ଅଙ୍ଗଲତିକାକୁ ସାମାନ୍ୟ ଢଳାଇ ଦେଇ କହିଲା–ଗୋଟିଏ ମଜାକଥା ଶୁଣିବେ ସାର୍‌ !

 

କୁହ ! ସୁଖମୟ ଅନୁମତି ଦେଲା ।

 

ଆପଣଙ୍କୁ ଆଉ ମୋତେ କେନ୍ଦ୍ରକରି ଏଇ ଅଫିସରେ ଅପପ୍ରଚାର ଆରମ୍ଭ କରିଦେଇଚି ରଞ୍ଜନା ଆଉ ବନବାସୀ । ଆପଣଙ୍କ ସହିତ କାରରେ ବସି ସିନେମା ଯାଇଥିଲି ବୋଲି ସେମାନେ ଅଭିଯୋଗ କରୁଛନ୍ତି । କିନ୍ତୁ ମୁଁ ସିଧା ମନାକରି ଦେଇଛି ।

 

ତା’ପରେ....ସୁଖମୟ ପଚାରି ଉଠିଲା ।

 

ତା’ପରେ ଆଉ ହେବ କଣ ? ରଞ୍ଜନା ମୋତେ କହିଲା–ତୋରି ବୟସରେ ମୁଁ ଇମିତି ଅନେକ ଥର ପରପୁରୁଷ ସହିତ ସିନେମା ଦେଖିଯାଇଛି । ଖଣ୍ଡଗିରି, ଉଦୟଗିରି, ନନ୍ଦନକାନନ ଯାଇଛି । ଆଉ ମୋର ଫେରିବାର ବିଳମ୍ବ ହେଲେ ଘରେ ଯଦି କିଏ କୈଫିୟତ୍‌ ମାଗେ ଠିକ୍‌ ତୋରି ଭଳି ମୁଁ ଫାଙ୍କି ଦେଉଥିଲି । କିନ୍ତୁ ଆଜି ତୁ ମୋତେ ଫାଙ୍କିବାକୁ ଚେଷ୍ଟାକଲେ ମୁଁ କଣ କେବେ ତୋ କଥାକୁ ସତ ମଣିବି । ମୁଁ ନିଜେ ତୋତେ ଦେଖିଛି । ତୋର ପଛପଟ ସିଟ୍‌ରେ ବସିଥିଲି ମୁଁ । ସୁଖମୟବାବୁ ତୋ କଡ଼ରେ ବସି ତୋ କାନରେ ଯେଉଁ ପ୍ରଣୟର ବାଣୀ ଶୁଣାଉଥିଲେ ତାହା ମଧ୍ୟ ମୁଁ ଶୁଣିଛି । କିନ୍ତୁ କେତେଦିନ ! ରୂପର ତେଜ ମଳିନ ପଡ଼ିଗଲେ ସୁଖମୟ ବାବୁଙ୍କ ସେଇ ମମତା, ସ୍ନେହ ଓ ଆନ୍ତରିକତା କୁଆଡ଼େ ଉଭେଇ ଯିବ । ଆଡ଼ ନୟନରେ ତୋତେ ଚାହିଁବାକୁ କୁଣ୍ଠାବୋଧ କରିବେ ସେ ।

 

କିନ୍ତୁ ମୁଁ ତାକୁ କଣ କହିଛି ଜାଣନ୍ତି ସାର୍‌ ! କହିଲି–ସୁଖମୟବାବୁ ମଣିଷ ନୁହଁନ୍ତି । ସାକ୍ଷାତ୍‌ଦେବତା । ଯିଏ ତାଙ୍କର ନିବିଡ଼ ସଂସ୍ପର୍ଶରେ ଆସିଛନ୍ତି ସେଇ କେବଳ ଜାଣିପାରିବେ । ତା’ ଛଡ଼ା ସୁଖମୟବାବୁଙ୍କ ସାଥୀରେ ଗୋଟିଏ ମଟରରେ ବସି ସିନେମା ଦେଖିଗଲେ ନାରୀ ଚରିତ୍ରହୀନା ହୋଇ ପାରେନା । ପୂବରୁ ମୁଁ ଯେମିତି ଥିଲି ବର୍ତ୍ତମାନ ସେମିତି ରହିଚି । କଳଙ୍କ ସ୍ପର୍ଶ କରିବ ନାହିଁ ମୋତେ । ଶୁଦ୍ଧ ସୁବର୍ଣ୍ଣ ପରି ମୁଁ ନିଷ୍କଳଙ୍କ ରହିଥିବି । ଆଲୋକର ତେଜରେ ମୁଁ ଜାଜ୍ଵଲ୍ୟମାନ ଦିଶୁଥିବି ।

 

ତରଣୀର ପିଠିରେ ହାତରଖି ସୁଖମୟ କହିଲା–ତମଠାରୁ ମୁଁ ଏଇୟା ଆଶା କରିଥିଲି ତରଣୀ । ତମେ ରଞ୍ଜନାକୁ ଠିକ୍‌ ଉତ୍ତର ଦେଇଛ । ମୁଁ ମଧ୍ୟ କାଲି ରଞ୍ଜନାକୁ ସତର୍କ କରାଇ ଦେଉଛି-। ଭବିଷ୍ୟତରେ ଆଉ ଯେମିତି କାହା ବିରୁଦ୍ଧରେ ଏପରି ଅପପ୍ରଚାର ନ କରେ ।

 

ତରଣୀ ବାଧା ଦେଲା । ନାଁ ସାର୍‌ ! ଆପଣ ରଞ୍ଜନାକୁ କିଛି ପଚାରିବେ ନାହିଁ । ଯାହାର ପ୍ରକୃତି ଯାହା ସେ କେବଳ ସେଇୟା ହିଁ କରିବ । ତା’ ଛଡ଼ା ମଣିଷ ତୁଣ୍ଡରେ ବାଡ଼ବତା ଦେଇ ବଦନାମ, ଅପପ୍ରଚାରକୁ ବନ୍ଦକରି ହୁଏନି !

 

ତେବେ ଉପାୟ ? ସୁଖମୟ ପଚାରି ଉଠିଲା ।

 

ସେ କଥା ମୁଁ ଚିନ୍ତା କରିବି । ଆପଣ ସେ ବିଷୟରେ କିଛି ଚିନ୍ତା କରନ୍ତୁ ନାହିଁ ।

 

ସୁଖମୟ ତରଣୀକୁ ଚାହିଁଲା । ଟେବୁଲ ଉପରେ ନଇଁପଡ଼ି ପକ୍‌କା ଚଟାଣ ଉପରେ ରେଖା ଟାଣୁଛି ତରଣୀ । ସୁଗଠିତ ଅଙ୍ଗର ଭରା-ଯୌବନ ପାତଳ ବ୍ଲାଉଜ ଭିତରୁ ସ୍ପଷ୍ଟ ଦେଖା ଯାଉଛି । ନଗ୍ନବାହୁର ସୌନ୍ଦର୍ଯ୍ୟ ଆଖିରେ କାମନାର ବହ୍ନି ଜାଳି ଦେଉଛି ।

 

ସୁଖମୟ ଦୀର୍ଘନିଶ୍ଵାସ ଛାଡ଼ିଲା ।

 

ତରଣୀ ମୁହଁଟେକି ଚାହିଁଲା ।

 

ସୁଖମୟ ପାଟିରୁ ଅଧାଜଳା ସିଗାରେଟ୍‌ଟିକୁ ଟାଣିଆଣି କହିଲା–ସେ ଦିନ ଏତେକରି କହିଥିଲି, ଅଥଚ ଆଜି ସବୁ ଭୁଲିଗଲେ ? ଦେଖନ୍ତୁ, ଆଜିଠାରୁ କୌଣସି ଦିନ ମୁଁ ଯଦି ସିଗାରେଟ ଖାଇବାର ଦେଖେ ତେବେ ମୁଁ ମୋଟେ ଆପଣଙ୍କ ପାଖକୁ ଆସିବି ନାହିଁ ।

 

ଅଧାଜଳା ସିଗାରେଟ୍‌ଟିକୁ ବାହାରକୁ ଫିଙ୍ଗି ଦେଲା ତରଣୀ ।

 

ସେ ଦିନର ଅନୁରୋଧ ମନେପକାଇ ଅନୁତାପ କରୁଥିଲା ସୁଖମୟ । –ମୋର ଭୁଲ ହୋଇଛି । ଆଜି ଶପଥ କରୁଛି ଆଉ ମୁଁ କେବେ ସିଗାରେଟ୍‌ ଖାଇବି ନାହିଁ ।

 

ସତେ ! ତରଣୀ ମିଚି ମିଚି ହସୁଥିଲା ।

 

ହଁ ତରଣୀ ! ତମ କଥା ଏଥର ମୁଁ ନିଶ୍ଚୟ ରଖିବି ।

 

ତରଣୀ ଯିବାପାଇଁ ପ୍ରସ୍ତୁତ ହେଲା ।

 

ଆରେ ! ତମେ ଯାଉଛ ଯେ ? ବସ ! ଅନେକ କଥା ଅଛି ।

 

ପାଞ୍ଚଟା ଯେ ଆସି ବାଜିବ ! ତା’ଛଡ଼ା ମୋତେ ଭୀଷଣ ଭୋକ ହେଲାଣି ।

 

ଓଃ, ଏଇଥିପାଇଁ ଯିବାକୁ ଏତେ ବ୍ୟସ୍ତ । ତେବେ ଆସ ! ତମକୁ ଘରେ ଛାଡ଼ିଦେଇ ଆସେ ।

 

କିନ୍ତୁ ବୁଲିଯିବେ ନାହିଁ ? ତରଣୀ କହି ଉଠିଲା !

 

ତେବେ ଚାଲ ! ପ୍ରଥମେ ଏସିଆନ୍‌ ହୋଟେଲକୁ ଯିବା । ତା’ପରେ ମହାନଦୀର ଉପାଞ୍ଚଳକୁ....

 

ତରଣୀ ମୃଦୁ ହସି କହିଲା ମୁଁ ତ ଠିକ୍‌ ସେଇକଥା ଭାବୁଥିଲି ସାର୍‌ ।

 

ଦୁହେଁ ବାହାରି ଆସିଲେ ପଦାକୁ !

 

ଜନଗହଳି ରାସ୍ତା ମଧ୍ୟରେ ଆମ୍ବାସଡ଼ର ଗାଡ଼ିଟି ଛୁଟି ଚାଲିଥିଲା ଆଗକୁ ଆହୁରି ଆଗକୁ-

 

।। ୧୨ ।।

 

ତରଣୀ ହସୁଥିଲା ।

 

ନିର୍ବୋଧ ! ବାଚାଳ !! କାମାତୁର ଯୁବକ !!! ତମେ ଦେଖ, ଦେଖ ସୁଖମୟ ! ନାରୀ କିମିତି ବହୁମୂଖୀ ଅଭିନୟ କରିପାରେ ? ଯେଉଁ ତରଣୀ ତୁମର ଛାୟା ସ୍ପର୍ଶ କରିବାକୁ କୁଣ୍ଠାବୋଧ କରୁଥିଲା, ସେ ଆଜି କାହିଁକି ତମ ସାଥିରେ ନିବିଡ଼ ମିଳାମିଶା କରିପାରୁଛି, ତୁମ ସାଥୀରେ ସାଥୀହୋଇ ମଟରରେ ବୁଲି ପାରୁଛି, ନିରୋଳା ସ୍ଥାନକୁ ଯାଇପାରୁଛି, ସିନେମା ଦେଖିପାରୁଛି ? ଏଇଥିରୁ ତମେ କଣ କିଛି ବୁଝିପାରୁନା ସୁଖମୟ !

 

ନାଁ, ତୁମେ ବୁଝିପାରିବ ନାହିଁ । ବୁଝିପାରିବାର ଅବସ୍ଥାରେ ତୁମେ ନାହଁ । ନାରୀର ରୂପ-ଯୌବନ ତୁମ ଆଖିରେ ମାୟାର ଅଞ୍ଜନ ଲେପି ଦେଇଛି । ସୁଗଠିତ ଅଙ୍ଗର ରୂପଲାବଣ୍ୟ ତମର ବିକ୍ଷିପ୍ତ ମନକୁ ବାଚାଳ କରନ୍ତି । ଆଉ କେତେପଦ ମନଛୁଆଁ କଥା ଶୁଣି ତମେ ଭାବିଛ ଯେ, ତରଣୀ ତମର ଶଯ୍ୟାସଙ୍ଗିନୀ ହେବାପାଇଁ ଲାଳାୟିତ ହୋଇ ଉଠିଛି ।

 

କିନ୍ତୁ ତରଣୀ ତମର ଅଙ୍କଶାୟିନୀ ହେବାପାଇଁ କେବେ ଆଶା କରି ନ ଥିଲା କି ଆଜି ବି କରିନାହିଁ । ଜୀବନରେ କେବଳ ଜଣକ ଚରଣ ତଳେ ନିଜକୁ ସମର୍ପଣ କରିସାରିବା ପରେ ସେ ଆଉ ଜଣକୁ କିମିତି ଭଲ ପାଇବ ? ଦେବକାନ୍ତର ବାକ୍‌ଦତ୍ତା ସିଏ ! ଦେବକାନ୍ତ ସହିତ ସେ କେବେ ପ୍ରତାରଣା କରିପାରିବ ନାହିଁ । ଦେବକାନ୍ତ ବଞ୍ଚି ଥାଉ ଥାଉ ତରଣୀ ଆଉଜଣକୁ ଭଲପାଇ ପାରିବ ନାହିଁ । ଏକନିଷ୍ଠ ମନ ନେଇ ସେ ଦେବକାନ୍ତକୁ ପ୍ରତୀକ୍ଷା କରିବ । ଆଉ ଦେବକାନ୍ତ ଫେରିଆସିଲେ ବିବାହ ପାଇଁ ଅନୁରୋଧ କରିବ ।

 

ଯଦି ଦେବକାନ୍ତ ତାକୁ ବିବାହ ନ କରେ ତେବେ ସେ ଅବିବାହିତ ରହିବ କିନ୍ତୁ ସୁଖମୟ ଭଳି କାମତୁର ଯୁବକକୁ ବିବାହ କରି ପାରିବ ନାହିଁ ।

 

ତରଣୀ ନିଜକୁ ଗର୍ବିତା ମନେ କରୁଥିଲା ।

 

ଯେଉଁ ହିଂସ୍ର ବ୍ୟାଘ୍ର ନାରୀ ମାଂସ ଖାଇବାକୁ ପ୍ରତି ମୁହୂର୍ତ୍ତରେ ଲାଳାୟିତ ହୋଇ ଉଠୁଛି, ସେ ଆଜି ତାକୁ ବେଶ ପୋଷା ମନାଇ ପାରିଛି । ପିଞ୍ଜରା ଭିତରେ ରଖି ଭଲଭାବରେ ଖେଳାଇ ପାରୁଛି । ଆଜି ସୁଖମୟର ଏପରି ଅବସ୍ଥା ହୋଇଛି ଯେ ତା’ର ପଦେ କଥାକୁ ଆଦେଶ ବୋଲି ମନେକରି ନିମକସଚ୍ଚା ଭୃତ୍ୟ ଭଳି ପାଳନ କରୁଛି ।

 

ତରଣୀ ଗଭୀର ଭାବରେ ଚିନ୍ତା କରୁଥିଲା । କିମିତି ସୁଖମୟର ଚରିତ୍ରକୁ ସେ ପବିତ୍ର କରି ଗଢ଼ିବ ! କୁମାରୀ କନ୍ୟାକୁ ଉପଭୋଗ କରିବା ଯାହାର ଜନ୍ମଗତ ଅଭ୍ୟାସ ହୋଇଉଠିଛି, ଯିଏ ଏକ ଦପ୍ତର ଖୋଲି କେବଳ ସୁନ୍ଦରୀ ତରୁଣୀମାନଙ୍କୁ ଚାକିରି ଦେଇ ତାଙ୍କୁ ଉପଭୋଗ କରୁଅଛି, ସେହି ମାଂସାସୀ ସୁଖମୟକୁ କିମିତି ସେ ଏକ ଆଦର୍ଶ ଓ ନିଷ୍କଳଙ୍କ ଯୁବକ କରି ଗଢ଼ି ପାରିବ ?

 

ଏଇ କେତେଦିନ ହେଲା ସେ ଲକ୍ଷ୍ୟ କରୁଛି, ସୁଖମୟ ଅନେକାଂଶରେ ପରିବର୍ତ୍ତନ ହୋଇଯାଇଛି । ସେଦିନ ପଦିଏ ଅନୁରୋଧରେ ଆଜି ସିଗାରେଟ୍‌ ଖାଇବା ଅଭ୍ୟାସ ଛାଡ଼ି ଦେଇଛି କିନ୍ତୁ ମନରେ ଲୁକ୍‌କାୟିତ ହୋଇ ରହିଥିବା ହିଂସ୍ର କାମନା ଏ ପର୍ଯ୍ୟନ୍ତ ମରିନାହିଁ ।

 

କାଲି ବି ସେମିତି ଦପ୍ତର ଭିତରକୁ ଡାକି ନେଇ କହିଥିଲେ–ଗୋଟିଏ ଅନୁରୋଧ କରିବି-! ରଖିବ ତ !

 

କଣ କୁହନ୍ତୁ ?

 

ଚଣ୍ଡିଖୋଲ ପରିଭ୍ରମଣରେ ଯିବାପାଇଁ କାଲି ମୁଁ ମନସ୍ଥ କରିଛି, ଭାବୁଛି ତମେ ଯଦି ଯାଆନ୍ତ.....

 

ତରଣୀ ଭାବିଲା–ସୁଖମୟର ବାଚାଳ ମନର ଏ ହେଉଛି ଏକ ଉତ୍ତମ ପ୍ରସ୍ତୁତି । ଯୋଜନା, କଳ୍ପନାକୁ ବାସ୍ତବରେ ପରିଣତ କରିବାପାଇଁ ଏ ପର୍ଯ୍ୟନ୍ତ ସୁଖମୟ ମନରୁ ଲାଳସାର ଗନ୍ଧ ମରିନି । ତେଣୁ ଚଣ୍ତିଖୋଲ ପରି ନିରୋଳା, ନିର୍ଜନ ସ୍ଥାନକୁ ନେଇଯାଇ ନିଜ ଦୈହିକ କାମନା ଚରିତାର୍ଥ କରିବା ପାଇଁ ତାକୁ ବୋଧେ ଅନୁରୋଧ କରୁଛି ।

 

ତରଣୀ ଭାବୁଥିଲା ମନା କରିଦେବାକୁ । କିନ୍ତୁ ମନା କରିଦେଲେ ସୁଖମୟର କାମନା ଅଧିକ ବଢ଼ି ଉଠିବ । ପାଖରେ ଅତି ପାଖରେ ପାଇବାକୁ ସେ ଲାଳାୟିତ ହେବ । ପଦାକୁ ଯେତେବେଳେ ସେ ଗୋଡ଼ କାଢ଼ିଛି...ସୁଖମୟ ସାଥୀରେ ଯେମିତି ନିବିଡ଼ ଭାବରେ ମିଳାମିଶା କରିଛି ଏବଂ ସୁଖମୟର ମନର ଗତିକୁ ପରିବର୍ତ୍ତନ କରିବାକୁ ଯେଉଁ ଦୃଢ଼ ଶପଥ କରିଛି, ତାହା ଅକାରଣ ହୋଇଯିବ । କିନ୍ତୁ ସୁଖମୟ ସାଥୀରେ ଯଦି ସେ ଚଣ୍ଡିଖୋଲ ଯାଏ ଏବଂ ସେଠାରେ ନିରୋଳା ସ୍ଥାନ ଦେଖି ସେ ଯଦି ତା’ ପ୍ରତି ପାଶବିକ ଅତ୍ୟାଚାର କରିବାକୁ ଉଦ୍ୟତ ହୁଏ ତେବେ କେମିତି ସେ ନିଜକୁ ରକ୍ଷାକରିବ ?

 

ତଥାପି ତାକୁ ଯିବାକୁ ହେବ । ତେଣୁ ତରଣୀ କହିଲା–ନିଶ୍ଚୟ ଯିବି ସାର୍‌ ! ଆପଣଙ୍କ ଅନୁରୋଧ ମୁଁ କେବେ ଭାଙ୍ଗି ପାରିବି ନାହିଁ । କିନ୍ତୁ କେତେଦିନ ସେଠାରେ ଆମେ ରହିବା ସାର୍‌ ?

 

ଦୁଇଦିନ, ଖୁବ୍‌ ବେଶୀ ହେଲେ ତିନିଦିନ ।

 

ତରଣୀ ଚିନ୍ତାକଲା ।

 

କଣ ଭାବୁଛ ତରଣୀ ? ସୁଖମୟ ପଚାରି ଉଠିଲା ।

 

ମୋର ପିତାମାତାଙ୍କ କଥା ଭାବୁଥିଲି ସାର ! ଅଫିସରୁ ଫେରିବା ସାମାନ୍ୟ ବିଳମ୍ବ ହେଲେ ଯେଉଁ ପିତାମାତା ଦୁଆର-ବନ୍ଧରେ ପ୍ରତୀକ୍ଷା କରି ବସିଥାଆନ୍ତି, ଆଉ ଆଜି ସେମାନେ ତିନିଦିନ ପାଇଁ ଛାଡ଼ି ଦେଇ କଣ ନିଶ୍ଚିନ୍ତରେ ବସିପାରିବେ ?

 

ତେବେ ଗୋଟିଏ ଦିନରେ ଫେରିଆସିବା ! ସୁଖମୟ ଉତ୍ତର ଦେଇଥିଲା ?

 

ତରଣୀ ସମ୍ମତି ପ୍ରଦାନ କରିଥିଲା ।

 

ଆଜି ଚଣ୍ଡିଖୋଲ ଯିବାର ଶୁଭଦିନ । ତରଣୀ ପ୍ରତୀକ୍ଷା କରିଥିଲା । ସୁଖମୟବାବୁ କଣ୍ଟ ଦେବାର ସମୟ ଗଡ଼ି ଯାଇଥିଲା ! ତଥାପି ସାକ୍ଷାତ୍‌ ନ ଥିଲା ତା’ର ।

 

ଅନେକ ସମୟ ପରେ ସୁଖମୟ ଆସିଲା ଗାଡ଼ିରେ । ମଟରକାର ଗଡ଼ି ଚାଲିଲା ଚଣ୍ଡିଖୋଲ ଅଭିମୁଖେ ।

 

କାର୍‌ ଭିତରେ ବସି ତରଣୀ ପ୍ରାର୍ଥନା କରୁଥିଲା । ଆଜି ହେବ ତା’ ଜୀବନର ଶେଷ ଅଗ୍ନି ପରକ୍ଷା l ଅଠରବର୍ଷର ସଞ୍ଚିତ ରୂପ-ଯୌବନ ଆଜି କିମିତି ଲାଞ୍ଛିତ, ପରାଜିତ ହେବ ସେଇୟା ଚିନ୍ତାକରି ଶିହରୀ ଉଠୁଥିଲା ତରଣୀ ।

 

ନିଜ ଉପରେ ଗଭୀର ଭରସା ରଖିଥିଲା ସେ । ଆଜି ହୁଏତ ସେ ଜୀବନର ପ୍ରଥମଥର ପାଇଁ ପରାଜିତ ହେବ ନଚେତ୍‌ ସୁଖମୟକୁ ପରାଜିତ କରିବ !

 

ଗାଡ଼ି ସାବଲୀଳ ଗତିରେ ଗଡ଼ି ଚାଲିଛି ।

 

ଚଣ୍ଡିଖୋଲର ଅପୂର୍ବ ପ୍ରାକୃତିକ ଦୃଶରାଶି ଦୂରକୁ ଚମତ୍କାର ଦିଶୁଛି । ନିକଟିକୁ ଗଲେ ଆହୁରି ସୁନ୍ଦର ଦିଶୁଛି, ଶାନ୍ତ ବାତାବରଣ ଭିତରେ ମନ୍ଦ୍ର ସମୀରଣ !

 

କାର୍‌ ରହିଲା ।

 

ତରଣୀ ବାହାରି ପଡ଼ିଲା କାର୍‌ ଭିତରୁ ।

 

ହାତରେ ହାତ ଛନ୍ଦି ଦୁହେଁ ମାଡ଼ି ଚାଲିଲେ ଆଗକୁ ।

 

ଗୋଟିଏ ଛୋଟ ଶିଳାଖଣ୍ଡ ଉ

ପରକୁ ଉଠୁ ଉଠୁ ଛିଡ଼ା ହୋଇଗଲା ତରଣୀ । ହଠାତ୍‌ ତା’ର ମନରେ ଅତୀତର ସ୍ମୃତି ବିଜଡ଼ିତ ଏକ ମୁହୂର୍ତ୍ତ ମନେପଡ଼ିଗଲା । ଅତୀତ ଆଜି ଝାପ୍‌ସା ପରି ମନେହେଉଛି । କିନ୍ତୁ ତା’ର ଠିକ୍‌ ମନେପଡ଼ୁଛି ଏଇ ପଥର ଉପରୁ ଖସି ପଡ଼ିବାବେଳେ ଦେବକାନ୍ତ ତାକୁ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ରକ୍ଷା କରିଥିଲା ।

କିନ୍ତୁ ଆଜି....

ସେଦିନ ଯଦି ଦେବକାନ୍ତ ନ ଥାଆନ୍ତା ତେବେ ସତେ କଣ ସେ ଜୀବନ ପାଇଥାଆନ୍ତା-?

ହଠାତ୍‌ ସୁଖମୟ କହି ଉଠିଲା–କଣ ଏତେ ଭାବୁଛ ତରଣୀ ? ଆସ ! ଆମକୁ ଆଜି ଫେରିଯିବାକୁ ହେବ ଯେ ?

ଶେଷଥର ପାଇଁ ସେଇ ଶିଳାଖଣ୍ଡକୁ ଚାହିଁ ତରଣୀ ଆଗକୁ ମାଡ଼ି ଚାଲିଲା ।

ଧୂସର ପରିବ୍ୟାପ୍ତ ସବୁଜ ଶ୍ୟାମଳ ପ୍ରାକୃତିକ ଦୃଶ୍ୟ ଦେଖି ତରଣୀ ବିମୃଗ୍‌ଧ ହୋଇପଡ଼ିଲା । ନୀଳ ପାହାଡ଼ର ଅପୂର୍ବ ଦୃଶ୍ୟ-ରାଶିରେ ତନ୍ମୟ ହୋଇ ସେ ସୁଖମୟକୁ ଚାହିଁଲା ।

କିଛି ଦୂର ଆଗେଇଯାଇ ସୁଖମୟ କହିଲା–ଏଇ ସ୍ଥାନ କେଡ଼େ ସୁନ୍ଦର ହୋଇଛି ତରଣୀ-! ଚାରିକଡ଼ରେ ବୁଦା ବୁଦା ଜଙ୍ଗଲ । ନିକଟରେ ବଣମଲ୍ଲୀର ମହକ ଭାସି ଆସୁଛି । ପବନ ବହୁଛି-। ଝରଣାର ସ୍ଵଚ୍ଛଜଳ କୁଳୁ କୁଳୁ ହୋଇ ବହି ଚାଲିଛି । କୋଇଲି ରାବୁଛି । ଆଉ....

 

ତରଣୀ ଚଟକରି କହି ଉଠିଲା–ହଁ, ଥଣ୍ଡା ପବନ ଦେହରେ ସିତ୍କାର ଆଣୁଛି...ମନ ଉଦାସ ଲାଗୁଛି....

 

ହଁ ତରଣୀ ! ଏଇ ନିରୋଳା ସ୍ଥାନ ମୋତେ ଖୁବ୍‌ ଭଲ ଲାଗୁଛି । ମନେହେଉଛି ଆଉ କେଉଁଆଡ଼େ ବୁଲି ନ ଯାଇ ଏଇଠି ଗପ କରି କରି ଆଜିର ଦିନକୁ ବିତାଇ ଦେବାକୁ ।

 

ତରଣୀ ସୁଖମୟକୁ ଚାହିଁଲା ।

 

ତରଣୀର ହାତ ଧରିପକାଇ ସୁଖମୟ କହିଲା–ତମେ ଏଇଠି ବସ ତରଣୀ ! ଜନକୋଳାହଳ ସ୍ଥାନ ଅପେକ୍ଷା ଏଇ ନିରୋଳା ସ୍ଥାନଟି ଖୁବ୍‌ ଭଲ । ଉପରେ ନୀଳ ଆକାଶ, ଆଉ ତଳେ ବିସ୍ତୀର୍ଣ୍ଣ ତୃଣଭୂମି । ଚମତ୍କାର ! ତମେ ବସ ତରଣୀ !

 

ତରଣୀର ହାତଧରି ବସାଇଦେଲା ସୁଖମୟ ।

 

ସବୁଜ ତୃଣଭୂମି ଉପରେ ବସିପଡ଼ିଲା ତରଣୀ ।

 

ବୁଦା ବୁଦା ଜଙ୍ଗଲ ଚାରିକଡ଼କୁ ପରିବ୍ୟାପ୍ତ କରି ଘେରି ରହିଛି । ସ୍ଥାନଟି ଏତେ ନିରୋଳା ହୋଇ ଉଠିଛି ଯେ, ବାହାର ଲୋକ ଚକ୍ଷୁରେ ଏଇ ସ୍ଥାନ ମୋଟେ ଆଖିରେ ପଡ଼ିବ ନାହିଁ-। ସୁଖମୟ ତରଣୀକୁ ଚାହିଁଲା । ବିଶ୍ଵର ସମସ୍ତ ରୂପ ଆଜି ସେମିତି ତରଣୀର ଅଙ୍ଗଲତିକାରେ ଠୁଳ ହୋଇରହିଛି । ସାଧାରଣ ଶାଢ଼ି ଖଣ୍ଡିଏ ପିନ୍ଧୁଥିଲେ ମଧ୍ୟ ତରଣୀ ଖୁବ୍‌ ଚମତ୍କାର ଦେଖାଯାଉଛି-। ବେକ ତଳର ଚୁନି ଚୁନି କେଶ ଧୀର ପବନରେ ଦୋଳାୟିତ ହେଉଛି । ନଗ୍ନବାହୁର ସୌନ୍ଦର୍ଯ୍ୟ ଆଖିରେ କାମନାର ବହ୍ନି ଜାଳି ଦେଉଛି ।

 

ସତରେ । କି ସୁନ୍ଦର ଦିଶୁଛି ତରଣୀ ! ସେ ତରଣୀ ସହିତ ଏତେଦିନ ମିଳିମିଶି ଚଳିଥିଲା କିନ୍ତୁ ଆଜି ପରି ଆଉ କୌଣସି ଦିନ ଏପରି ସୁନ୍ଦର ଦେଖାଯାଉ ନ ଥିଲା । ସତେ ଯେପରି ତରଣୀ ଆକାଶୀ-କନ୍ୟା ! ଅପରୂପ ସୌନ୍ଦର୍ଯ୍ୟରେ ବିଭୂଷିତ ହୋଇ ସେ ଯେମିତି ମର୍ତ୍ତ୍ୟକୁ ଓହ୍ଲାଇ ଆସିଛି ।

 

ସୁଖମୟ ଦୀର୍ଘନିଶ୍ୱାସ ଛାଡିଲା । ତରଣୀ ନିକଟକୁ ଲାଗିଆସି କହିଲା–ତମେ ଆଜି ଖୁବ୍‌ ସୁନ୍ଦର ଦେଖାଯାଉଛ ତରଣୀ ! ମନେହେଉଛି ସୃଷ୍ଟିର ଏକମାତ୍ର ରୂପସୀ କନ୍ୟା ତୁମେ !

 

ତରଣୀ ମୁହଁ ଟେକି ଚାହିଁଲା । ଏଥର ସୁଖମୟଙ୍କର ପ୍ରଳାପ ଆରମ୍ଭ ହୋଇଛି । ନିରୋଳା ସ୍ଥାନ ଦେଖି ଯୁବକ ମନର କାମନା ବଢ଼ି ଉଠିଛି । ଚିନ୍ତାଧାରା କୁତ୍ସିତ ହୋଇପଡ଼ିଛି । କିନ୍ତୁ ସୁଖମୟ ପ୍ରଶ୍ନର କଣ ବା ସେ ଉତ୍ତର ଦେବ ! ତଥାପି ତାକୁ କିଛି କହିବାକୁ ପଡ଼ିବ । ତେଣୁ ଟିକିଏ ରହିଯାଇ କହିଲା–ମୋତେ ସମସ୍ତେ ସୁନ୍ଦରୀ ବୋଲି କୁହନ୍ତି ସାର୍‌ ! କିନ୍ତୁ ଦର୍ପଣରେ ମୋ ନିଜ ରୂପ ଦେଖି ମୁଁ କେବେ ଆତ୍ମସନ୍ତୋଷ ଲାଭ କରେ ନାହିଁ ।

 

ନିଜ ରୂପ ନିଜକୁ ସୁନ୍ଦର ଦିଶେ ନାହିଁ ତରଣୀ । ନାରୀର ସୌନ୍ଦର୍ଯ୍ୟ କେବଳ ପୁରୁଷର ଆଖିରେ ସୁନ୍ଦର ଦେଖାଯାଏ ।

 

ମୁଁ କିନ୍ତୁ ଆପଣଙ୍କ କଥାରେ କେବେ ଏକମତ ହୋଇ ପାରିବିନି ସାର୍‌ ! ଯେଉଁ ରୂପ ମୋତେ ଭଲ ଦିଶେ ନାହିଁ ତାହା ପୁରୁଷର ଆଖିରେ କିମିତି ସୁନ୍ଦର ଦଶିବ ?

 

ସୁଖମୟ ପ୍ରସଙ୍ଗ ବଦଳାଇବାକୁ ଚେଷ୍ଟାକରି କହିଲା ତୁମକୁ ମୋର ଅନୁରୋଧ ତରଣୀ, ତୁମେ ମୋତେ ଆଉ କେବେ ‘ସାର’ ବୋଲି ସମ୍ବୋଧନ କରିବ ନାହିଁ । ମୁଁ ଅଫିସର୍‌ ଆଉ ତମେ ମୋର କର୍ମଚାରୀ । କିନ୍ତୁ ଅଫିସ ବାହାରେ ତମେ ମୋର ବନ୍ଧୁ । ଆଉ ସେଇ ବନ୍ଧୁତାକୁ ତମେ ଆଜି ଅଫିସ ସହ ସମ୍ପର୍କ ରଖି ତାକୁ ନଷ୍ଟ କରିଦିଅନି !

 

ତରଣୀ ମୃଦୁ ହସିଲା । ଆଲୋଚନାର ଗତିଧାରା ହଠାତ୍‌ ପରିବର୍ତ୍ତନ ହୋଇଯିବାର ଲକ୍ଷ୍ୟକରି ସେ କହିଲା–ତେବେ କୁହନ୍ତୁ, ମୁଁ କଣ ବୋଲି ଆପଣଙ୍କୁ ସମ୍ବୋଧନ କରିବି ?

 

କେବଳ ‘ସୁଖମୟବାବୁ’ ବୋଲି ଡାକିଲେ ଚଳିବ !

 

ତରଣୀ ଦୀର୍ଘନିଶ୍ଵାସ ଛାଡ଼ିଲା । କହିଲା–ଆଜିଠାରୁ ସେଇ ସମ୍ବୋଧନ କରିବ ସୁଖମୟବାବୁ ! ଆଉ କୌଣସିଦିନ ‘ସାର’ ସମ୍ବୋଧନ କରିବି ନାହିଁ ।

 

ସୁଖମୟ ମୃଦୁ ହସିଲା ।

 

ସବୁଜ ରଙ୍ଗର କମ୍ର ଆଉ ନମ୍ର ତୃଣଭୂମି ଉପରେ ନିଜର ଅଙ୍ଗଲତାକୁ ଲୋଟାଇ ଦେଇ ତରଣୀ ଚାହିଁଲା ନୀଳ ଆକାଶକୁ ।

 

ତରଣୀ ପାଖକୁ ଲାଗି ଆସିଲା ସୁଖମୟ । କହିଲା–ତମକୁ ଗୋଟାଏ କଥା କହିବାର ଅଛି ତରଣୀ ! ଯଦିଓ ଅନେକ ଦିନରୁ କହିବାକୁ ଭାବୁଥିଲି ତଥାପି ଆଜି ପର୍ଯ୍ୟନ୍ତ କହିପାରୁ ନଥିଲି-। ଆଜି ଭାବୁଛି ତୁମକୁ କହିବି ବୋଲି । ତମେ ଶପଥ କର ତରଣୀ, ମୋର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବ ନାହିଁ ତ ?

 

କଥାଟା କଣ କୁହନ୍ତୁ ? ତରଣୀ ଅନୁରୋଧ କଲା ।

 

ତରଣୀର ଆହୁରି ପାଖକୁ ଲାଗିଆସି ସୁଖମୟ କହିଲା–ମୁଁ ତମକୁ ବିବାହ କରିବାକୁ ଚାହେଁ ତରଣୀ !

 

ସୁଖମୟର କଥା ଶୁଣି ତରଣୀ ମୋଟେ ବିସ୍ମିତ ହେଲା ନାହିଁ । ଚଣ୍ଡିଖୋଲ ଆସିଲା ପୂର୍ବରୁ ସେ ଜାଣିଥିଲା ସୁଖମୟ ଅଭିଳାଷ ଜଣାଇବା ପାଇଁ ନିରୋଳା ସ୍ଥାନକୁ ଡାକି ନେଉଛି ।

 

ପୁଣି ସୁଖମୟ କହି ଉଠିଲା–ମୋ କଥାର ଉତ୍ତର ଦିଅ ତରଣୀ ! ମୋର ବିଶ୍ଵାସ, ତମେ ମୋତେ ନିରାଶ କରିବ ନାହିଁ ।

 

ତରଣୀ କିଛି ଉତ୍ତର ନ ଦେଇ ସୁଖମୟର ମୁହଁକୁ କେବଳ ଚାହିଁ ରହିଲା ।

 

ଭାବୁଛ କଣ ତରଣୀ ? ଏଇ କଥା କହିବାପାଇଁ ମୁଁ ଅନେକ ଦିନରୁ ଚିନ୍ତା କରିଥିଲି । ଆଉ ଆଜି ନିରୋଳା ସମୟ ଉପସ୍ଥିତ ହେବାରୁ ତୁମକୁ କହିବାକୁ ବାଧ୍ୟ ହେଉଛି !

 

ତରଣୀ ସ୍ମିତ ହସି କହିଲା–ମୁଁ ଜାଣେ ! ଆପଣ ଏଇ କଥା କହିବା ପାଇଁ ମୋତେ ଏଠାକୁ ନେଇ ଆସିଛନ୍ତି । କିନ୍ତୁ ଆପଣ ମଧ୍ୟ ଚିନ୍ତା କଲେ ପିଛିଲା ଅତୀତର ମୋର ସବୁ କଥା ମନେ ପଡ଼ିଯିବ । ଆପଣଙ୍କର ମନେଥିବ ସୁଖମୟ ବାବୁ, ସେଦିନ ପାର୍କରେ ମୁଁ କହିଥିଲି–ଦେବକାନ୍ତର ବାକଦତ୍ତା ମୁଁ । ଦେବକାନ୍ତ ଛଡ଼ା ଅନ୍ୟ କୌଣସି ପୁରୁଷକୁ ମୁଁ ବିବାହ କରିପାରିବି ନାହିଁ !

 

ସୁଖମୟ ହସିଲା । କହିଲା–ଦେବକାନ୍ତକୁ ଅପେକ୍ଷା କରି ରହିବା ତମର ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ ତରଣୀ । ଦେବକାନ୍ତ ଆମେରିକା ଯାଇଛି । କେବେ ଫେରିବ ତାହା ଠିକ୍‌ ନାହିଁ । କିନ୍ତୁ ଏତିକି ମନେରଖ, ଆମେରିକାରୁ ଦେବକାନ୍ତ କେବେ ଏକା ଫେରୁନି । ଆମେରିକାନ୍‌ ବୈଦେହୀକୁ କୁଳବଧୂ ରୂପେ ଗ୍ରହଣକରି ସେ ନିଶ୍ଚୟ ଫେରିବ ।

 

ଆପଣଙ୍କ କଥାକୁ ଅବିଶ୍ଵାସ କରୁନାହିଁ, ତଥାପି ମୋ ମନ କହୁଛି ଦେବକାନ୍ତ ମଣିଷ ନୁହେଁ, ସେ ଦେବତା । ଜାଣି ଜାଣି ଏପରି ଭୁଲ ସେ କେବେ କରିବନି ! କିନ୍ତୁ ଆପଣଙ୍କ କଥା ଯଦି ମିଛ ହୁଏ, ଆଉ ଦେବକାନ୍ତ ଏକୁଟିଆ ଫେରିଆସେ, ତେବେ ସିଏ କଣ ମୋତେ ଦୋଷୀ ବୋଲି ସାବ୍ୟସ୍ତ କରିବନି ? ମୁଁ ଦେବକାନ୍ତ ସହିତ ପ୍ରତାରଣା କରିପାରିବି ନାହିଁ ସୁଖମୟବାବୁ ! ଦେବକାନ୍ତର ଲେଉଟାଣି ପଥକୁ ମୁଁ ନିଶ୍ଚୟ ପ୍ରତୀକ୍ଷା କରି ରହିବି ।

 

ତମେ ଏଡ଼େ ନିଷ୍ଠୁର ତରଣୀ । ଦୀର୍ଘ ଅନେକଦିନ ଧରି ମୁଁ ତମକୁ ଭଲପାଇ ଆସୁଛି ! ଆଉ ସେଇ ଭଲ ପାଇବାର କଣ କିଛି ପ୍ରତିଦାନ ନାହିଁ ?

 

ନିଶ୍ଚୟ ଅଛି । ତରଣୀ ଉତ୍ତର ଦେଲା । କହିଲା–ମୁଁ ମଧ୍ୟ ଆପଣଙ୍କୁ ଭଲପାଏ ସୁଖମୟବାବୁ ! ଦୁଇଟି ଦେହର ମିଳନ ଓ ବିବାହିତ ଜୀବନର ବନ୍ଧନକୁ ବାଦ ଦେଲେ ପ୍ରତ୍ୟେକ ପ୍ରତ୍ୟେକକୁ ଭଲପାଆନ୍ତି । ଯେଉଁ ଭଲପାଇବା ଭିତରେ ଦୈହିକ କାମନାର ବାସନା ରହିଛି ସେ ଭଲପାଇବା ନିର୍ମଳ ନୁହେଁ–ପବିତ୍ର ନୁହେଁ । ଦୁଇଟି ମନର ଆନ୍ତରିକ ମିଳାମିଶା ହିଁ ହେଉଛି ଭଲପାଇବା ।

 

ତମ ଦର୍ଶନଶାସ୍ତ୍ରର ଅର୍ଥ ମୁଁ କିଛି ବୁଝେନାହିଁ ତରଣୀ !

 

ମୋ ମତରେ ଯୌବନ ହିଁ ହେଉଛି ଚିର ସତ୍ୟ । ସମଗ୍ର ଜୀବନରେ କେତୋଟି ମୁହୂର୍ତ୍ତ ପାଇଁ ଯୌବନ ଆସିଥାଏ । ଆଉ ତାକୁ ଉପଭୋଗ କରିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ । ଯିଏ ଯୌବନକୁ ଅବହେଳା କରି ନିର୍ମଳ, ପବିତ୍ର, ସ୍ଵଚ୍ଛ, ନିଷ୍କଳଙ୍କ ଇମିତି କେତୋଟି ଶବ୍ଦ ଉଚ୍ଚାରଣ କରି ଯୌବନର ଅପଚୟ କରନ୍ତି ତାଙ୍କଠାରୁ ନିର୍ବୋଧ ଏ ସଂସାରରେ ଆଉ ବୋଧେ କେହି ନାହିଁ ।

 

କିନ୍ତୁ ବିବାହକୁ ବାଦ ଦେଇ ମଣିଷ କଣ ବଞ୍ଚିପାରେନା ? ତରଣୀ କହିଉଠିଲା ।

 

ସୁଖମୟ ତରଣୀର ଦୁଇହାତକୁ ଧରି ନିଜଆଡ଼କୁ ଟାଣି ଆଣିଲା । କହିଲା–ସୃଷ୍ଟିର ନିରାଟ ସତ୍ୟକୁ ତମେ ଭାଙ୍ଗି ଦିଅନି ତରଣୀ ! ବିବାହକୁ ବାଦଦେଇ ମଣିଷ ବଞ୍ଚିପାରେ, କିନ୍ତୁ ସେ ବଞ୍ଚିବାର କିଛି ସ୍ଵାଦୁ ନ ଥାଏ ।

 

ସୁଖମୟ ହାତରୁ ନିଜକୁ ମୁକୁଳାଇ ଆଣି ତରଣୀ କହିଲା–ମୋର ଗୋଟିଏ ଅନୁରୋଧ ରଖିବେ ?

 

ହଁ, କଣ କୁହ ?

 

ପ୍ରଥମେ ଆପଣ ଶପଥ କରନ୍ତୁ ! ତା’ ପରେ ମୁଁ କହିବି !

 

ହଁ ତରଣୀ । ମୁଁ ଶପଥ କରୁଛି ! ତୁମ କଥା ମୁଁ ନିଶ୍ଚୟ ରଖିବି !

 

ତରଣୀ କହିଲା–ମୁଁ ଆପଣଙ୍କୁ ଗମ୍ଭୀର ଭାବରେ ଭଲପାଏ । ଆପଣଙ୍କ ସହିତ ପ୍ରଥମ ସାକ୍ଷାତ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଁ ଭଲପାଇ ଆସୁଛି ! ମୁହୂର୍ତ୍ତକ ପାଇଁ ଊଣା ହେଇନି ମୋର ଭଲପାଇବା । କିନ୍ତୁ ସେଇ ଭଲପାଇବା ଭିତରେ ଦୈହିକ କାମନାକୁ ମିଶାଇଲେ ତାହା ଅନ୍ୟାୟ ହେବ । ପିତାମାତାଙ୍କର ଜ୍ୟେଷ୍ଠା କନ୍ୟା ମୁଁ । ଭାଇ ବୋଲି ମୋର କେହି ନାହାନ୍ତି । ମୋ ଜନ୍ମର କେତେବର୍ଷ ପରେ ମଟର ଦୁର୍ଘଟଣାରେ ଭାଇ ମରିଯାଇଛନ୍ତି । ଆଉ ଆଜି ହୁଏତ ସେ ବଞ୍ଚିଥିଲେ ମୋର ଚାକିରି କରିବାକୁ ପଡ଼ି ନଥାନ୍ତା କିମ୍ବା ଏମିତି ନଗ୍ନ ଜୀବନ ନେଇ ବଞ୍ଚିବାକୁ ହୋଇ ନ ଥାଆନ୍ତା । ତେଣୁ ଯେଉଁ ସମ୍ବୋଧନ ମୋର ସ୍ଵପ୍ନ ହୋଇଯାଇଛି, ତାକୁ ଆଜି ଆପଣ ବାସ୍ତବରେ ରୂପ ଦିଅନ୍ତୁ !

 

ମାନେ ?? ସୁଖମୟ ବିସ୍ମିତ ହୋଇ ଉଠିଲା ।

 

ସୁଖମୟର ପାଦଧରି ତରଣୀ କାନ୍ଦିଉଠିଲା । –ମୋତେ ନିରାଶ କରନ୍ତୁ ନାହିଁ ସୁଖମୟବାବୁ ! ଆଜିଠାରୁ ଆପଣ ମୋର ବଡ଼ଭାଇ ! ଏତେବଡ଼ ଦୁନିଆରେ ମୋର ନିଜର ଲୋକ କେହି ନାହିଁ-ଯାହାପାଖରେ ମନମୁକାଳି ନିଜ ଦୁଃଖ ଦୁର୍ଦ୍ଦଶା ଜଣାଇବି !

 

ସୁଖମୟ ବିସ୍ମିତ ହୋଇ ତରଣୀକୁ ଚାହିଁଥିଲା ।

 

ପଦାଦୁଇଟିକୁ ଜାବୁଡ଼ିଧରି କାନ୍ଦୁଛି ତରଣୀ ! ଆଖି ଲୁହରେ ଭିଜିଗଲାଣି ପାଦ । ତଥାପି ଉଠୁନାହିଁ ସେ ।

 

ସୁଖମୟ ବିଚଳିତ ହୋଇପଡ଼ିଲା । କଣ କହିବ ସେ ? ଯେଉଁ ତରଣୀକୁ କେନ୍ଦ୍ରକରି ସେ କଳ୍ପନାର ଜାଲ ବୁଣିଥିଲା ତାହା ଆଜି ଧୂଳିସାତ୍‌ ହେବାକୁ ଯାଉଛି !

 

ତରଣି କାନ୍ଦି କାନ୍ଦି କହିଉଠିଲା-ମୋତେ କଥା କହିବ ସେ ? ସୁଖମୟବାବୁ ! ମୁଁ ଜାଣେ, ଗୋଟିଏ ଗରୀବ ଭଉଣୀର ଭାଇ ହେବାପାଇଁ ଆପଣ କୁଣ୍ଠାବୋଧ କରୁଛନ୍ତି ! କିନ୍ତୁ ପ୍ରକୃତରେ ମୁଁ ଯଦି ଆପଣଙ୍କ ଭଉଣୀ ଚମ୍ପାବତୀ ହୋଇଥାୟାନ୍ତି, ତେବେ କଣ ମୋତେ ପାଦରେ ଆଡ଼େଇ ଦିଅନ୍ତେ ?

 

ତରଣୀ ! ସୁଖମୟ ଡାକିଉଠିଲା ।

 

ତରଣୀ ସେମିତି ସୁଖମୟର ପାଦଉପରେ ଲୋଟିପଡ଼ି କହିଲା–ଚମ୍ପାବତୀକୁ ଯେଉଁ ସ୍ନେହଟିକକ ଦେଇଛନ୍ତି ମୋତେ ସେତିକି ଦେବାକୁ କୁଣ୍ଠାବୋଧ କରନ୍ତୁ ନାହିଁ । ମନେ କରିନିଅନ୍ତୁ, ଗୋଟିଏ ବୃନ୍ତରେ ତିନୋଟି ପୁଷ୍ପ । ଆପଣ, ଚମ୍ପାବତୀ ଓ ମୁଁ ! ମୁଁ କେବଳ ଚାହେଁ ସାନ ଭଉଣୀର ସ୍ନେହ ସେତିକି ପାଇଲେ ମୋ ଜନ୍ମର ସାର୍ଥକତା ମୁଁ ଉପଲବ୍ଧ କରିପାରିବି ଭାଇ !

 

ସୁଖମୟ ତୁଣ୍ଡରେ ଉତ୍ତର ଦେବାକୁ ଭାଷା ନ ଥିଲା । ଘରୁ ବାହାରିଲାବେଳେ ମନରେ କେତେ ଭାବନା, କଳ୍ପନାକୁ ଠୁଳକରି ଆସିଥିଲା । କିନ୍ତୁ ବର୍ତ୍ତମାନ ପଦିଏ କଥାରେ ତରଣୀ ତା’ର ଆଶାର ସୌଧକୁ ଭାଙ୍ଗିଦେଇ ପାରିଛି ।

 

ସୁଖମୟ ପାଦ ଉପରକୁ ଦୃଷ୍ଟି ପକାଇଲା ।

 

ତରଣୀ କାନ୍ଦୁଛି । ପାଦ ଦୁଇଟିକୁ ଜାବୁଡ଼ି ଧରି ଫୁଲି ଫୁଲି କାନ୍ଦୁଛି ସେ ।

 

ମୁହୁର୍ତ୍ତକ ମଧ୍ୟରେ ସୁଖମାୟ ମନରେ ଏକତ୍ରିତ ହୋଇଥିବା ସମସ୍ତ ଭାବନା କୁଆଡ଼େ ଉଭେଇଗଲା । ତରଣୀର ଦୁଇ ହାତକୁ ତୋଳିଧରି ବୁକୁ ଉପରକୁ ଉଠାଇଆଣି କହିଲା-ଆଜିଠାରୁ ତୁ ମୋ ଭଉଣୀ ତରଣୀ ! ଚମ୍ପାବତୀଠାରୁ ତୁ ଆହୁରି ଉଚ୍ଚରେ ।

 

ଥରେ ଡାକ ତ ମୋତେ ଭାଇ ବୋଲି !

 

କୋହଭରା କଣ୍ଠରେ ତରଣୀ ଡାକିଲା–ଭାଇ !

 

ସୁଖମୟର ମନେ ହେଉଥିଲା, କଳାବତୀ ବୋଲି ଯେଉଁ ସାନ ଭଉଣୀଟି ଦୀର୍ଘ ଅଠରବର୍ଷ ତଳେ ମରିଯାଇଥିଲା ସେ ଯେମିତି ଆଜି ତରଣୀ ରୂପରେ ଆର୍ବିଭାବ ହୋଇଛି ତା’ ପାଖରେ ।

 

ତରଣୀ ସୁଖମୟର ବାହୁଫାଶରୁ ମୁକୁଳି ଆସି ଲୁହ ପୋଛି କହିଲା-ଯେଉଁ ସାନ ଭଉଣୀକୁ ଏତେ ଆଦରରେ କୋଳକୁ ତୋଳି ନେଇଛ, ସେଇ ସାନଭଉଣୀର ପଦିଏ କଥା ତୁମେ ରଖିବ ନାହିଁ ଭାଇ ?

 

ହଁ, କଣ କହ ?

 

ତମ ଅଫିସରେ କାଲିଠାରୁ ଆଉ କେହି ନାରୀ କର୍ମଚାରୀ କାମ କରିବେ ନାହିଁ ।

 

ତରୀ ! ସୁଖମୟ ଚିତ୍କାର କରି ଉଠିଲା ।

 

ହଁ ଭାଇ, ଏହାହିଁ ମୋର ଶେଷ ଅନୁରୋଧ । ଜୀବନରେ କେବଳ ଏଇ ଶପଥ ନେଇ ମୁଁ ଆଜି ପର୍ଯ୍ୟନ୍ତ ବିପ୍ଳବିଣୀ ସାଜିଥିଲି । ମୋତେ ନିରାଶ କର ନାହିଁ ଭାଇ । ମୋତେ କଥାଦିଅ ତମେ ! ସାନ ଭଉଣୀର ଏଇ ସାମାନ୍ୟ ଅନୁରୋଧ ତମେ ଭାଙ୍ଗିଦିଅ ନାହିଁ ।

 

କିନ୍ତୁ.....

 

ମୁଁ ଆଉ କିଛି ଶୁଣିବି ନାହିଁ । ଭଉଣୀ ବୋଲି ଯାହାକୁ ବୁକୁ ଉପରକୁ ତୋଳି ନେଇଛ, ସେଇ ଭାଇ ଉପରେ ମୋର ଯଥେଷ୍ଟ ଅଧିକାର ରହିଛି । ତମେ ମୋତେ କଥାଦିଅ ଭାଇ ! ଜଣ ଜଣ କରି ନାରୀ କର୍ମଚାରୀଙ୍କୁ ବିଦାୟ ଦେଇ କେବଳ ପୁରୁଷ କର୍ମଚାରୀ ତାଙ୍କ ସ୍ଥାନରେ ନିଯୁକ୍ତ କରିବ ।

 

ଅନେକ ସମୟ ପରେ ତରଣୀ କଥାରେ ସମ୍ମତି ପ୍ରଦାନ କଲା ସୁଖମୟ ।

 

ତରଣୀ ହସି ଉଠିଲା । ମନଖୋଲା ହସ, ପ୍ରାଣଖୋଲା ହସ । ଯେଉଁ ନଷ୍ଟଚରିତ୍ର ସୁଖମୟର ଚରିତ୍ରକୁ ପବିତ୍ର, ନିଷ୍କଳଙ୍କ, ଆଦର୍ଶ କରି ଗଢ଼ିବାକୁ ପ୍ରତିଜ୍ଞାବଦ୍ଧା ହୋଇଥିଲା, ତାହା ଆଜି ସାର୍ଥକ ହୋଇପାରିଥିବାରୁ ସେ ହସୁଥିଲା.....ହସୁଥିଲା ଶାନ୍ତ ବାତାବରଣକୁ ଆନ୍ଦୋଳିତ କରି-

 

ସୁଖମୟ କହିଲା-ସନ୍ଧ୍ୟା ଆସିଗଲାଣି ତରୀ ! ଚାଲ ଫେରଯିବା ।

 

ତରଣୀ ସବୁଜ ତୃଣଭୂମି ଉପରୁ ଉଠିପଡ଼ିଲା ।

 

ତରଣୀ କାରରେ ବସିବାକ୍ଷଣି ସୁଖମୟ ଗାଡ଼ି ଛୁଟାଇଦେଲା ତୀର ବେଗରେ ।

 

କ୍ୟାଡ଼ିଲକ୍ କାରଟି ତୀର ବେଗରେ ଛୁଟିଥିଲା ଏରୋଡ୍ରମ ଅଭିମୂଖେ ।

 

ଉଡ଼ାଜାହାଜ ଛାଡ଼ିବାର ପ୍ରଥମ ଘଣ୍ଟା ବାଜିଲା ।

 

ବିଶ୍ରାମଗାର ଭିତରୁ ବାହାରି ଆସିଲେ ଜ୍ୟୋତ୍ସ୍ନା, ଦେବକାନ୍ତ, ମି: ଏବଂ ମିସେସ ଜର୍ଜ ।

 

ମୁହୂର୍ତ୍ତକ ଭିତରେ ନୀରବ ଜନଶୂନ୍ୟ ପଡ଼ିଆଟି ଜନ-ଗହଳିରେ ପୂରି ଉଠିଛି । ଧାଡ଼ି ଧାଡ଼ି ହୋଇ ମଟରକାର ରହିଛି । ପୁରୁଷ ସ୍ତ୍ରୀ, ଯୁବକ-ଯୁବତୀ, ପିଲାକବିଲାରେ ଏରୋଡ୍ରମ ପଡ଼ିଆଟି ଆନନ୍ଦ ମୁଖରୀତ ହୋଇ ଉଠିଛି ।

 

ଆମେରିକା ଛାଡ଼ିବା ପୂର୍ବରୁ ଏରୋଡ୍ରମ ପଡ଼ିଆ ଉପରେ ଆଖି ବୁଲାଇ ଆଣିଲେ ଦେବକାନ୍ତ ଆଉ ଜ୍ୟୋତ୍ସ୍ନା । ବିଦାୟ ଦେବାକୁ ଆସିଥିବା ଆତ୍ମୀୟ ସ୍ୱଜନମାନେ ବିଦାୟୀ ବନ୍ଧୁମାନଙ୍କ ସହିତ କଥାଭାଷା କରୁଛନ୍ତି । ପ୍ରେମିକ ଚାଲିଯାଉଥିବାରୁ ପ୍ରେମିକା ଆଖି ଲୁହରେ ଅଭିଯୋଗ କରୁଛି–‘କଥା ଦେଇଯାଅ, କେବେ ଆସିବ ସତକରି କୁହ ।’

 

ସ୍ଵାମୀ ଯାଉଛି ସୁଦୂର ବିଦେଶ । ସ୍ତ୍ରୀ ବିଦାୟ ଦେବାକୁ ଆସି କହୁଛି-‘ତମକୁ ଅପେକ୍ଷା କରିରହିଲି, ଶରୀର ପ୍ରତି ଯତ୍ନ ନେବ, ମୋତେ ଭୁଲିଯିବ ନାହିଁ, ଚିଠିଦେବ ।’ ଇତ୍ୟାଦି......

 

କିନ୍ତୁ ଏଇ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଫେସର ଜର୍ଜ ଆଉ ତାଙ୍କ ସହଧର୍ମିଣୀଙ୍କ ଛଡ଼ା ଆପଣାର ଲୋକ ଆଉ କିଏ ଅଛି ? ସତରେ ! ଭାରତୀୟମାନଙ୍କ ପ୍ରତି ସେମାନଙ୍କର କି ଗଭୀର ଆନ୍ତରିକତା !

 

ଦେବକାନ୍ତ ଏବଂ ଜ୍ୟୋସ୍ନା ଆମେରିକାରୁ ବିଦାୟ ନେଉଥିବାରୁ ଜର୍ଜ ଆଉ ତାଙ୍କ ସହଧର୍ମିଣୀ ବିଦାୟ ସମ୍ଭାଷଣ ଜଣାଇବାକୁ ଆସିଛନ୍ତି । ସତରେ ! ବିଶାଳ ଆମେରିକାରେ ଏଇ ଦୁଇଜଣ ତାଙ୍କର ତତ୍ତ୍ଵାବଧାରକ ଥିଲେ ବୋଲି କହିଲେ କିଛି ଭୁଲ ହେବ ନାହିଁ ।

 

ବିଦାୟ ନେବା ପୂର୍ବରୁ ଦେବକାନ୍ତ ମିସେସ୍ ଜର୍ଜ ଙ୍କୁ ପଚାରିଲା-କୁହନ୍ତୁ ? ଦୁଇଟି ଭାରତୀୟ ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ଆସି ଆପଣ କେଉଁ ତ୍ରୁଟି ଆମର ଲକ୍ଷ୍ୟ କରିଛନ୍ତି ?

 

ତ୍ରୁଟି ! ନାଁ, ନାଁ ଦେବକାନ୍ତ ! ଏଇ ଆମେରିକା ଭୁଇଁକୁ ପୃଥିବିର ସବୁପ୍ରାନ୍ତର ଲୋକେ ଆସିଛନ୍ତି । ମିଷ୍ଟର ଜର୍ଜଙ୍କ ସହିତ ପରିଚୟ ହେବାକ୍ଷଣି ସେ ଆମ ଘରକୁ ନିମନ୍ତ୍ରଣ କରି ଆଣିଛନ୍ତି । ସବୁ ଜାତି, ସବୁ ଭାଷା, ସବୁ ଦେଶର ଜୀବନଯାତ୍ରା ପ୍ରଣାଳୀ ସେମାନଙ୍କ ମୁହଁରୁ ଶୁଣିଛି । କିନ୍ତୁ ସେମାନଙ୍କ ମଧ୍ୟରୁ ଭାରତୀୟ-ମାନଙ୍କ ଜୀବନଯାତ୍ରା ପ୍ରଣାଳୀ ପୁରାପୁରି ସ୍ଵତନ୍ତ୍ର ! ଯୁଗ ଯୁଗ ଧରି ଗୋଟିଏ ନୀତି, ଗୋଟିଏ ସିଦ୍ଧାନ୍ତ, ଗୋଟିଏ ଆଦର୍ଶ କୁ ସେମାନେ ଅନୁକରଣ କରି ଚାଲିଛନ୍ତି । ସତରେ ଦେବକାନ୍ତ ! ଭାରତୀୟମାନଙ୍କ ଜୀବନଯାତ୍ରା ପ୍ରଣାଳୀରେ ମୁଁ ମୁଗ୍‌ଧ ହୋଇଛି । ଗୋଟିଏ ସ୍ଵାମୀ, ଗୋଟିଏ ସ୍ତ୍ରୀକୁ ନେଇ ଯେଉଁ ସଂସାର ହସି ଉଠେ, ସେ କଣ କେବେ ଆଦର୍ଶ ନ ହୋଇପାରେ ?

 

ପ୍ରଥମତଃ ତମ ଦୁହିଁଙ୍କ କଥା ଧରାଯାଉ । ଏଇ ଜେସ୍‌ମିନ୍ ! ତୁମ ସହିତ ତା’ର କୌଣସି ପାରିବାରିକ ସମ୍ପର୍କ ନାହିଁ । ଦୁଇଟି ଅପରିଚିତ ଛାତ୍ରଛାତ୍ରୀ ହିସାବରେ ଆସି ଏଠାରେ ପରିଚୟ ହୋଇଛ । ଏକ ସାଥୀରେ ପଢ଼ୁଛ, ସାଥୀ ହୋଇ ବୁଲିଛ, ଗୋଟିଏ କୋଠରୀରେ ଦୁହେଁ ରହିଛ । କିନ୍ତୁ ଆମ ଆମେରିକାନ୍ ତରୁଣୀ ହୋଇଥିଲେ ସେଇ ସମୟ ଭିତରେ ଦୁଇ ତିନିଥର ବିବାହ କରି ଛାଡ଼ପତ୍ର ଦେଇସାରିଥାନ୍ତେ ।

 

ଛାଡ଼ପତ୍ର କଥାଟା ଶୁଣି ମନେ ମନେ ହସିଲା ଜ୍ୟୋତ୍ସ୍ନା !

 

ମିସେସ୍ ଜର୍ଜ କହିଲେ–ସବୁଠାରୁ ଭାରତୀୟ ଛାତ୍ରଛାତ୍ରୀଙ୍କର ବ୍ୟବହାର, ସୌଜନ୍ୟତା ଆଉ ସଂଯମତାରେ ମୁଁ ବିଶେଷ ପ୍ରୀତ ହୋଇଛି ।

 

ସଂଯମ ! ଦେବକାନ୍ତ ପଚାରି ଉଠିଲା ।

 

ହଁ ସଂଯମ । ଗୋଟିଏ କୋଠରୀରେ ଦୁଇ ପ୍ରାପ୍ତବୟସ ଯୁବକଯୁବତୀ ରହି ପ୍ରଣୟ ସୂତ୍ରରେ ବାନ୍ଧି ହୋଇ ପଡ଼ିବାର ମୁଁ ଦେଖିପାରୁ ନାହିଁ । ସତରେ ଦେବକାନ୍ତ ! ଭାରତୀୟମାନଙ୍କର କେଉଁ ଆଦର୍ଶକୁ ମୁଁ ସର୍ବପ୍ରଥମ କରି ଅଗ୍ରାଧିକାର ଦେବି ତାହା ଠିକ୍ କରିପାରୁ ନାହିଁ ।

 

ଉଡ଼ାଜାହାଜ ଛାଡ଼ିବାର ଦ୍ଵିତୀୟ ଘଣ୍ଟା ବାଜିଲା ।

 

ମି: ଏବଂ ମିସେସ୍ ଜର୍ଜ ବିଦାୟ ସମ୍ଭାଷଣ ଜଣାଇଲେ ।

 

ମିସେସ୍ ଜର୍ଜ ଜ୍ୟୋସ୍ନାକୁ ନିଜ ବୁକୁ ଉପରକୁ ଟାଣିଆଣି ତାର ଅଧରରେ ଏକ ଗାଢ଼ ଚୁମ୍ବନ ଦେଇ କହିଲେ-ଆମକୁ ଭୁଲିଯିବ ନାହିଁ ଜେସ୍‌ମିନ୍ ! ଏଇ କେତେଦିନ ଭିତରେ ଯଦି ଆମର ତ୍ରୁଟି ପରିଲକ୍ଷିତ କରିଥାଅ, ତେବେ ଆମକୁ କ୍ଷମା ଦେବ ।

 

ଜ୍ୟୋତ୍ସ୍ନା ପାଟି କରି ଉଠିଲା । –ଏ କଣ ଆପଣ କହୁଛନ୍ତି ? ଆପଣଙ୍କର ତ୍ରୁଟି ! ବରଂ ଆପଣ କୁହନ୍ତୁ, ଆମର ଯଦି କେଉଁ ତ୍ରୁଟି ଦେଖିଥାଆନ୍ତି ତାକୁ କ୍ଷମା ଦେଇଛନ୍ତି କି ନାହିଁ ।

 

ପ୍ରଫେସର ଜର୍ଜ ଦେବକାନ୍ତକୁ ନିଜ ବୁକୁ ଉପରେ ଚାପିଧରି ଗଭୀର ସମ୍ଭାଷଣ ଜଣାଇ କହିଲେ-ପୁଣି ଭବିଷ୍ୟତରେ ସାକ୍ଷାତ୍ ହେବାର ବାସନା ରହିଲା ଦେବକାନ୍ତ ।

 

ଦେବକାନ୍ତ ଗଭୀର କୃତଜ୍ଞତା ଜଣାଇଲା । ମାର୍କିନ ଜାତିର ସୌଜନ୍ୟପୂର୍ଣ୍ଣ ବ୍ୟବହାର ପାଇଁ ସେ ଜାତି ପୃଥିବୀରେ ସମସ୍ତଙ୍କ ମନରେ ଗଭୀର ରେଖାପାତ କରିଛି । କୌଣସି ଅପରିଚିତ ସହିତ ପ୍ରଥମ ପରିଚୟ ହେଲେ ସେମାନେ କୁହନ୍ତି “ଆପଣଙ୍କୁ ସାକ୍ଷାତ କରି ମୁଁ ବିଶେଷ ପ୍ରୀତ ହୋଇଛି ।’’ ଆଉ ବିଦାୟ ଦେବାବେଳକୁ କୁହନ୍ତି-“ପୁଣି ସାକ୍ଷାତ୍ ହେବାର ବାସନା ରହିଲା ।” ଆଉ ଚିଠି ଶେଷରେ ଲେଖିଥାନ୍ତି-“ଯଦି ଆପଣଙ୍କର ଅଧିକ କିଛି ସେବା କରିପାରିବୁ, ତେବେ ନିଃସଂକୋଚରେ ପୁଣି ଆମ ପାଖକୁ ଚିଠି ଲେଖନ୍ତୁ ।’’ ଏହି ତିନୋଟି ବାକ୍ୟ ଆମେରିକାନ୍‌ମାନଙ୍କର ଚିରାଚରିତ ପ୍ରଥା ।

 

ଦେବକାନ୍ତ ହାତଘଡ଼ିକୁ ଚାହିଁଲା । ବିଦାୟ ନେବା ପୂର୍ବରୁ ଜର୍ଜ ଆଉ ତାଙ୍କ ସହଧର୍ମିଣୀକୁ ଚାହିଁ କହିଲା–ଆପଣଙ୍କ ଉପକାର ପାଇଁ ଆମେ ଆଜୀବନ କୃତଜ୍ଞ ।

 

ମିସେସ୍ ଜର୍ଜ ମୃଦୁ ହସି କହିଲେ-ସମୟ ହୋଇଗଲାଣି ଦେବକାନ୍ତ ! ଏଥର ତମେମନେ ଯାଅ, କିନ୍ତୁ ଜେସ୍‌ମିନକୁ ବିବାହ କଲେ ଆମକୁ ନିମନ୍ତ୍ରଣ କରିବାକୁ ଭୁଲିବ ନାହିଁ ! ଆଉ ଜେସ୍‌ମିନ୍ ପାଖକୁ ଲାଗିଆସି ତା କାନରେ କହିଲେ-ବିବାହ ପରେ ପ୍ରଥମ ସନ୍ତାନର ଶୁଭସମ୍ବାଦ ଜଣାଇବାକୁ କୁଣ୍ଠିତା ନାହିଁ ଜେସ୍‌ମିନ୍ !

 

ଜ୍ୟୋତ୍ସ୍ନା ମୃଦୁ ହସିଲା ।

 

ଆସ ଜ୍ୟୋତ୍ସ୍ନା ! ସମୟ ହୋଇଗଲା । ଦେବକାନ୍ତ କହିଲା । ପ୍ଲେନ୍ ନିକଟକୁ ସମସ୍ତେ ଆଗେଇଗଲେ ।

 

ଜାହାଜ ଛାଡ଼ିବାର ତୃତୀୟ ଘଣ୍ଟା ବାଜିଲା ।

 

ଜାହାଜ ଉପରୁ ଦୁହେଁ କୃତଜ୍ଞତାପୂର୍ଣ୍ଣ ନମସ୍କାର ଜଣାଇଲେ ଜର୍ଜ ଆଉ ତାଙ୍କ ସହଧର୍ମିଣୀଙ୍କୁ ।

 

ଜାହାଜ ଉପରକୁ ଉଠିଲା । ଚାହୁଁ ଚାହୁଁ ଅନେକ ଉପରକୁ ଉଠିଗଲା । ନୀଳ ଆକାଶ ବକ୍ଷରେ ଲୁଚିଗଲା ମାର୍କିନ୍‌ର ଯାତ୍ରୀବାହି ଜାହଜଟି ।

 

ସମ୍ବାଦପତ୍ରରେ ଦେବକାନ୍ତ ଫେରିବାର ଶୁଭ ସମ୍ବାଦ ପଢ଼ି ଭରାପୁଲକରେ ଷ୍ଟେସନକୁ ଛୁଟିଆସିଥିଲା ତରଣୀ । କୃତିତ୍ତ୍ଵ ସହିତ କୃତକାର୍ଯ୍ୟ ହୋଇ ଦେବକାନ୍ତ, ଆଜି ଆମେରିକାରୁ ଫେରିଆସୁଛି । ଏଇ ଶୁଭ ସମ୍ବାଦ ମନେପକାଇ ଆନନ୍ଦିତ ହୋଇ ଉଠୁଥିଲା ସେ । ଦୀର୍ଘ ଦୁଇବର୍ଷ ପରେ ଦେବକାନ୍ତ ଆଜି ଆସୁଛି । କେତେ ପରିବର୍ତ୍ତନ ହୋଇଯାଇ ନ ଥିବ ସତେ ! ତରଣୀ ପ୍ଲାଟଫର୍ମ ଘଣ୍ଡାକୁ ଚାହିଁଲା ।

 

ଗାଡ଼ି ଆସିବାକୁ ମୋଟେ ସାତ ମିନିଟ ବାକି ଅଛି । ତଥାପି ଏଇ ସାତ ମିନିଟ୍‌ତାଜୁ ସାତଦିନ ପରି ମନେ ହେଉଥିଲା ।

 

ଗାଡ଼ି ଆସିବାର ଦ୍ଵିତୀୟ ଘଣ୍ଟା ବାଜିଲା !

 

ଅଜଗର ସାପଭଳି ଲମ୍ବି ଯାଇଥିବା ରେଳଲାଇନ ଆଡ଼କୁ ଚାହିଁଲା ତରଣୀ । ନିଜର ବସନକୁ ଯଥା ସମ୍ଭବ ଆବୃତକରି ଠିଆହେଲା । କଟକ ଷ୍ଟେସନରେ ଗାଡ଼ି ରହିବା ମାତ୍ରେ ସେ ଦେବକାନ୍ତକୁ ଦେଖିବ । ଯେଉଁ ଦେବକାନ୍ତକୁ ସେ ଦୀର୍ଘଦିନ ଧରି ପ୍ରତୀକ୍ଷା କରିଥିଲା…..ଯେଉଁ ଦେବକାନ୍ତ ପାଇଁ ଅସହଣୀୟ ଦୁଃଖ, ଅବାଞ୍ଛିତ ଲାଞ୍ଚନା ସହ୍ୟ କରିଥିଲା, ସେଇ ଇପ୍‌ସିତ୍‌ ଦେବକାନ୍ତକୁ ଆଜି ପ୍ରଥମକରି ଦେଖିବ ।

 

ତରଣୀ ମନେ ମନେ ପୁଲକି ଉଠିଲା । ଦେବକାନ୍ତ ଆଜି ପ୍ରଥମେ କଟକ ଷ୍ଟେସନରେ ପାଦଦେଇ ତାକୁ ଦେଖି କହିବ–ମୁଁ ଜାଣିଥିଲି ତରୀ, ମୋତେ ପାଛୋଟି ନେବାପାଇଁ ତୁ ଟ୍ରେନପାଖକୁ ନିଶ୍ଚୟ ଆସିଥିବୁ !

 

ତରଣୀ କିଛି ଉତ୍ତର ନ ଦେଇ କେବଳ ହସିବ ।

 

ତା’ ପରେ....

 

ହଠାତ୍ ତରଣୀ ମନରେ ଅତୀତର କଥା ମନେ ପଡ଼ିଗଲା । ଦେବକାନ୍ତ ତାକୁ ଯଦି ଆଡ଼ନୟନରେ ନ ଚାହେଁ……ତେବେ ତେବେ କଣ ହେବ ତାର ଅବସ୍ଥା ?

 

ଅନେକଦୂରରୁ ଟ୍ରେନ ଆସିବାର ଧୁମ୍ରକୁଣ୍ଡଳୀ ଆକାଶ ବକ୍ଷରେ ଖେଳିବୁଲିଛି । ଗାଡ଼ିର ଘୁ ଘୁ ଶବ୍ଦ ମଧ୍ୟ କାନକୁ ସ୍ପଷ୍ଟ ଶୁଣାଯାଉଛି ।

 

ତରଣୀ ଗାଡ଼ିର ଆଗମନୀ ପଥକୁ ଚାହିଁରହିଲା ।

 

ପୁରୀ ଏକ୍ସପ୍ରେସ କଟକ ଷ୍ଟେସନରେ ରହିଲା ।

 

ତରଣୀର ଉତ୍ସୁକ ଆଖି ଦୁଇଟି ପ୍ରତ୍ୟେକ କମ୍ପାର୍ଟମେଣ୍ଟ ଉପରେ ଘୁରିଆସିଲା ।

 

ଫାଷ୍ଟ୍ରକ୍ଳାସ କମ୍ପାର୍ଟମେଣ୍ଟ୍ ଭିତରୁ ବାହାର ଆସୁଛି ଦେବକାନ୍ତ । ଦେହରେ ଦାମୀ ପ୍ୟାଣ୍ଟ-ଦାମୀ କୋଟ୍‌ । ହାତରେ ଦାମୀ ଘଣ୍ଟା, ବେକରେ ଟାଇ ଆଉ ମୁହଁରେ ସିଗାରେଟ୍ ।

 

ତରଣୀ ବିସ୍ମିତ ହୋଇ ଉଠିଲା । ଯେଉଁ ଦେବକାନ୍ତ ଏଠାରେ ମୋଟେ ସିଗାରେଟ୍ ଖାଉ ନ ଥିଲା, ସେ ବିଦେଶୀ ଭୁଇଁରେ ପାଦଦେଇ ସିଗାରେଟ୍ ଖାଇବା ଅଭ୍ୟାସ କରିନେଇଛି ।

 

ତରଣୀ ଦେବକାନ୍ତ ପାଖକୁ ଆଗେଇଗଲା ।

 

ଦେବକାନ୍ତ କମ୍ପାର୍ଟମେଣ୍ଟ୍ ଭିତରକୁ ଦୃଷ୍ଟିଦେଇ କହିଲା-ଆସ ଜ୍ୟୋତ୍ସ୍ନା ! କୁଲି ସବୁଜିନିଷ ନେଇ ଆସିବ । ଆଉ ସେ ଥରମସ୍ ପ୍ଳାସ ତମେ ଧରିଛ ଯେ ? ଦିଅ, କୁଲି ହାତକୁ ବତାଇ ଦିଅ !

 

ଦେବକାନ୍ତର କେତେପଦ କଥା ଶୁଣି ତରଣୀର ଚଳଚଞ୍ଚଳ ପାଦ ଦୁଇଟି ଆପେ ଆପେ ଥମିଗଲା । ଜ୍ୟୋତ୍ସ୍ନା ! ସେ ପୁଣି କିଏ ? ତେବେ ସୁଖମୟବାବୁଙ୍କ କଥା କଣ ସତ ! ସେ ଦିନ ସୁଖମୟ କହୁଥିଲା-ଦେବକାନ୍ତ ଆମେରିକାରୁ ଏକା ଫେରିବ ନାହିଁ । ସାଥୀରେ ଆମେରିକାନ୍ ଯୁବତୀ ସହିତ ସେ ଓଡ଼ିଶା ଫେରିବ ।

 

ତରଣୀ ଦେବକାନ୍ତ ସାମନାକୁ ଯିବାକୁ ସାହସ କରି ପାରିଲା ନାହିଁ । ଲୋକାରଣ୍ୟ ପ୍ଲାଟଫର୍ମ ଭିତରେ ଆତ୍ମଗୋପନ କରି ସେ କମ୍ପାର୍ଟମେଣ୍ଟ୍ ଭିତରକୁ ଚାହିଁଲା ।

 

ରୂପସୀ ତରୁଣୀଟିଏ । ବୟସ ଖୁବ୍ ବେଶୀ ହେଲେ ପଚିଶରୁ ଟପବନି । ମଖମଲି ଶାଢ଼ୀ, ନାଇଲନ ବ୍ଲାଉଜ, ଦାମୀ ଅଳଙ୍କାର ଦ୍ଵାରା ନିଜକୁ ନିଖୁଣଭାବରେ ସଜାଇଛି ଯୁବତୀଟି । ଅତ୍ୟାଧୁନିକ ଆବରଣ ଦ୍ଵାରା ଅତି ଚମତ୍କାର ଦେଖାଯାଉଥିଲା ସେ । କିନ୍ତୁ କିଏ ସେହି ଯୁବତୀ !

 

ସେହି ରୂପସୀ ତରୁଣୀଟିକୁ ସାଥୀରେ ଧରି ଦେବକାନ୍ତ ପ୍ଲାଟଫର୍ମ ବାହାରକୁ ବାହାରି ଆସିଲା ।

 

ତରଣୀ କେବଳ ଛିଡ଼ା ହୋଇ ଚାହିଁଥିଲା ଦେବକାନ୍ତକୁ । ଡାକିବାକୁ ସାହସ ହେଉ ନ ଥିଲା କି ଦେବକାନ୍ତର ପଥରୋଧ କରିପାରି ନ ଥିଲା ସେ । ଘରୁ ଆସିଲାବେଳେ କଳ୍ପନାରେ ଯେଉଁ ରଙ୍ଗ ଲେପିଥିଲା, ମନରେ ଯେଉଁ ଭରା ଉତ୍କଣ୍ଠାର ଜୁଆର ଥିଲା, ମୁହୁର୍ତ୍ତକ ଉପରେ ତାହା ଉଭେଇଗଲା । ଜନଗହଳି ପ୍ଳାଟଫର୍ମ ଭିତରେ ତରଣୀ କାନ୍ଦିବ ବୋଲି ଭାବିଥିଲା କିନ୍ତୁ ଲୋକେ ଦେଖିଲେ କଣ କହିବେ ? ପ୍ରେମିକ ଦୂରେଇ ଯାଇଛି ବୋଲି ପ୍ରିୟା କାନ୍ଦୁଛି ! ଛି !!

 

ଦେବକାନ୍ତ ଆଉ ଜ୍ୟୋତ୍ସ୍ନା ଜନଗହଳି ରାଜପଥ ମଧ୍ୟରେ କୁଆଡ଼େ ଲୁଚିଗଲେଣି ।

 

ଆଖିରୁ ଲୁହପୋଛି ତରଣୀ ଫେରିଲା ।

 

ମୁହଁ ମାଡ଼ି ଉଛୁଳ ଉଛୁଳ କାନ୍ଦୁଥିଲା ତରଣୀ ! ଦେବକାନ୍ତକୁ ପ୍ରତୀକ୍ଷା କରିଥିଲା କଣ ଏଇଥିପାଇଁ ? ଏଇ ପ୍ରତିଦାନ ପାଇବା ପାଇଁ ସେ କଣ ଆଶା କରିଥିଲା ?? ଶେଷକୁ ଏଇ ପ୍ରତିଦାନ ଦେଇ ପାରିଲା ଦେବକାନ୍ତ ???

 

ତରଣୀ ମୁହଁ ଟେକି ବାହାରକୁ ଚାହିଁଲା ।

ପିଣ୍ଡାତଳୁ ଛାଇ ଖସିଗଲାଣି ।

ଆଖିରୁ ଲୁହ ପୋଛି ତରଣୀ ଠିଆହେଲା । ବର୍ତ୍ତମାନ ସେ ଦେବକାନ୍ତ ପାଖକୁ ଯିବ । ନିରୋଳାରେ ସାକ୍ଷାତକରି ପଚାରିବ କୁହ, କୁହ ଦେବକାନ୍ତ । ମୁଁ ତମର କଣ ଅପରାଧ କରିଥିଲି । ମୋ ପ୍ରତି କାହିଁକି ତୁମର ଏତେ ଅବହେଳା । ଯେଉଁ ତରଣୀକୁ ଏତେ ଛୋଟ ସମୟରୁ ଭଲପାଇ ଆସିଥିଲ, ଶେଷରେ ତାକୁ ଚରିତ୍ରହୀନାର ଆଖ୍ୟାଦେଇ ଚାଲିଗଲ । ଚିଠିପାଇ ନୀରବ ରହିଲ । କିନ୍ତୁ କାହିଁକି ମୋ ପ୍ରତି ତୁମର ଏତେ ଅବହେଳା, ବିତୃଷ୍ଣା ?

ଦେବକାନ୍ତ ଘର ଅଭିମୁଖେ ବାହାରି ପଡ଼ିଲା ତରଣୀ ।

ମୁହୂର୍ତ୍ତକ ମଧ୍ୟରେ ‘ସ୍ଵପ୍ନପୁରୀ’ର ସଦର ଦରଜା ନିକଟରେ ପହଞ୍ଚିଗଲା ତରଣୀ ।

ଦରୱାନ କହିଲା-କାହାକୁ ଖୋଜୁଛନ୍ତି ଆପଣ ?

ଦେବକାନ୍ତବାବୁଙ୍କୁ । ତରଣୀ ନମ୍ର ସ୍ଵରରେ ଉତ୍ତର ଦେଲା ।

ଦରୱାନ ଖଣ୍ଡେ କାଗଜ ବଢ଼ାଇଦେଇ କହିଲା-ନାମଟା ଲେଖିଦିଅନ୍ତୁ ଆଜ୍ଞା !

ତରଣୀ ମୁହଁଟେକି ଚାହିଁଲା । ଦେବକାନ୍ତ ପାଖକୁ ଯିବ ସେ । ସେଥିପାଇଁ ପ୍ରବେଶପତ୍ର ଲେଖିବାକୁ ପଡ଼ିବ । ତରଣୀ କହିଲା-ଲେଖିବାର କୌଣସି ପ୍ରୟୋଜନ ନାହିଁ । ଦେବକାନ୍ତର ମୁଁ ବାଲ୍ୟବନ୍ଧୁ । ତା’ଙ୍କ ପାଖକୁ ଯିବାକୁ ହେଲେ ପ୍ରବେଶପତ୍ରର ପ୍ରୟୋଜନ ହୁଏନା ।

ବାବୁଙ୍କର ବନ୍ଧୁ ଆପଣ । ତେବେ ନାମଟା କଣ କୁହନ୍ତୁ ?

ଚରଣୀ ସାମନ୍ତରାୟ ।

ଦରୱାନ ଚାଲିଗଲା ।

ତରଣୀ ଦେବକାନ୍ତର କୋଠରୀକୁ ଚାହିଁଲା । କୋଠରୀ ଭିତରୁ ଦେବକାନ୍ତର କଣ୍ଠସ୍ଵର ଶୁଭୁଛି । ତା ସହିତ ନାରୀ କଣ୍ଠର କଳଗୁଞ୍ଜନ, ଖିଲି ଖିଲି ହସ, ଚୁପ୍ ଚୁପ୍ କଥା...

 

ତରଣୀ ଶିହରୀ ଉଠିଲା ।

 

ପୁଣି ଦେବକାନ୍ତର କଣ୍ଠସ୍ଵର ଶୁଭିଲା ।

 

କିଏ ? ତରଣୀ ! ନା, ନା ଦରୱାନ । ତାକୁ ଭିତରକୁ ଛାଡିଦିଅ ନାହିଁ । କହିଦିଅ-ଏଇଟା ସୁଖମୟର ଦପ୍ତର ନୁହେଁ, ଆଉ ମଧ୍ୟ କହିଦେବ ଯେ, ଗୋଟିଏ ଚରିତ୍ରହୀନ ନାରୀ ସହିତ ଆମେରିକା ଫେରନ୍ତା ଉଚ୍ଚ ଡିଗ୍ରୀଧାରୀ ଯୁବକ ଦେବକାନ୍ତ ପଟ୍ଟନାୟକ କଥାଭାଷା କରିପାରେନା; କଥାଭାଷା ନୁହେଁ–ତା’ସହିତ ସାକ୍ଷାତ ମଧ୍ୟ ହୋଇପାରେନା !

 

ତରଣୀ ଆଉ କିଛି ଶୁଣିପାରିଲା ନାହିଁ । ତା’ର ଯେପରି ମନେ ହେଉଥିଲା ଆକାଶଟା ତା’ର ମୁଣ୍ଡଉପରେ ଛିଡ଼ିପଡ଼ୁଛି । ଫେରିଯିବାପାଇଁ ଚେଷ୍ଟାକରି ଲେଉଟି ଯାଇପାରିଲା ନାହିଁ । ଭାବିଲା ଯିବାପୂର୍ବରୁ ଦେବକାନ୍ତ ସାଥୀରେ ଶେଷ ନିଷ୍ପତ୍ତି କରିଯିବ ।

 

ଦରୱାନ ଆସି କହିଲା-କ୍ୟା, ଆପ୍ ବାଈଜୀ ହୈ ?

 

କାନରେ ହାଇଦେଲା ତରଣୀ । ଦରୱାନର ଆଦେଶକୁ ଭୂକ୍ଷେପ ନକରି ଦେବକାନ୍ତ କୋଠରୀ ଅଭିମୁଖେ ଆଗେଇଗଲା ।

 

ଆଖି ବୁଜି ହୋଇଗଲା ତରଣୀର । କମ୍ପାର୍ଟମେଣ୍ଟ ଭିତରେ ଦେଖିଥିବା ସେଇ ଝିଅଟି ଦେବକାନ୍ତର ଛାତି ଉପରେ ଆଉଜି ପଡ଼ିଛି । ଆଉ ଦେବକାନ୍ତ ତା’ର କଟି ବେଷ୍ଟନକରି ଟାଣିନେଉଛି ନିଜଆଡ଼କୁ ।

 

ତରଣୀର ଚଳଚଞ୍ଚଳ ପାଦ ଦୁଇଟି ଅଟକିଗଲା ସେଇଠି ।

 

କିଏ ? ଦେବକାନ୍ତ କୋଠରୀ ଭିତରୁ ପାଟିକରି ଉଠିଲା ।

 

 

ତରଣୀ ଚାହିଁଲା କୋଠରୀ ଭିତରକୁ । ଇତ୍ୟବସଏରେ ଯୁବତୀଟି ଦେବକାନ୍ତ କୋଳରୁ ମୁକୁଳି ଆସି ନିଜର ଅନାବୃତ ଶରୀର ଉପରେ ବେହରଣକୁ ଆବୃତ କରି ଭିତରକୁ ଚାଲିଗଲା ।

 

କିଏ ? ପୁଣି ଦେବକାନ୍ତ ପାଟିକରି ଉଠିଲା ।

 

ତରଣୀ ଆଗେଇଗଲା । ମୁଁ ଦେବକାନ୍ତ ! ମୋତେ ଚିହ୍ନିପାରୁନା ! ଦରୱାନ ପାଖରୁ ନାମଟି ଜାଣି ମଧ୍ୟ ଆସିବାକୁ ଅନୁମତି ଦେଇନାହିଁ ମୋତେ ?

 

କିଏ ତରଣୀ । ତୁ ଫେରିଯା । ଏଇଟା ସୁଖମୟର ଦପ୍ତର ନୁହେଁ । କୋଣାର୍କ, ଚଣ୍ଡିଖୋଲ, ଉଦୟଗିରିର ରମଣୀୟ ସ୍ଥାନ ନୁହେଁ । ରାସତ୍ରୀଡ଼ା କରିବା ପାଇଁ ଏହା ପ୍ରଶସ୍ତ କ୍ଷେତ୍ର ନୁହେଁ ।

 

ଚିତ୍କାର କରି ଉଠିଲା ତରଣୀ । ଦେବକାନ୍ତ ! କଣ ସବୁ ତୁମେ କହୁଛ ? ମୋତେ ପଦେ କହିବାକୁ ସମୟ ଦିଅ ।

 

ଶୁଣିବାକୁ ସମୟ ନାହିଁ ମୋର । ତା’ଛଡ଼ା ଗୋଟିଏ ହୀନମତୀ ନଷ୍ଟଚରିତ୍ରା ଯୁବତୀର ମତବାଣୀ ଗ୍ରହଣ କରିବାକୁ ମୁଁ ଚାହେଁନା । ମୁଁ ଅନୁରୋଧ କରୁଛି, ମୁଁ ଚାଲିଯା । ଆଉ କୌଣସ ଦିନ ମୋ ସହିତ ସାକ୍ଷାତ୍ କରିବାର କଳ୍ପନା କରିବୁନି କିଏ ଘରର ଦରଜା ଟପି ଭିତରକୁ ଆସିବୁନି-?

 

ଦେବକାନ୍ତ !

 

ମୋର ସମ୍ମାନ ଅଛି । ପ୍ରତିଷ୍ଠା ରହିଛି । କିନ୍ତୁ ତୋ ଭଳି ଏକ ଚରିତ୍ରହୀନା, ଶଟଶଯ୍ୟାର ନାୟିକା ମୋ ପାଖକୁ ଆସିଲେ ଲୋକେ କଣ କହିବେ-ସମାଜ କଣ କହିବ ?

 

ଦେବକାନ୍ତ ! –ତୁମେ ପାଗଳ ହୋଇନାହିଁ ତ ?

 

ନାଁ, ମୁଁ ପାଗଳ ହୋଇନି, ପାଗଳ ହୋଇଛୁ ତୁ । ରୂପ, ଯୌବନ, ବୟସ ସବୁ ଠୁଳ ହୋଇ ରହିଛି ତୋ ପାଖରେ । ଆଖିଠାରରେ ଇଙ୍ଗିତ ହେଲେ କିଛି ଅଭାବ ରହିବ ନାହିଁ ତୋର । ଟିକିଏ ଇଙ୍ଗିତ, ସାମାନ୍ୟ ହସ, ଆଉ ଆଡ଼ଚାହାଣୀରେ ଚାହିଁ ପାରିଲେ ସୁଖମୟ ପରି କେତେ କାମାନ୍ଧ ଯୁବକ ତୋ ପାଖକୁ ଛୁଟି ଆସିବେ ।

 

ଦେବକାନ୍ତ ! ମୋର ପଦେ କଥା ଶୁଣ ?

 

ଶୁଣିବାକୁ ମୁଁ ପ୍ରସ୍ତୁତ ନୁହେଁ ? କଣ ମଧ୍ୟ ତୁ କହିବୁ, ସେଇ ମୂଲ୍ୟହୀନ, ମନଗଢ଼ା କାହାଣୀ ନ କହି ତୁ ଫେରିଯା ?

 

ଲାଗିପଡ଼ି ତଡ଼ିବାକୁ କାହିଁକି ଚେଷ୍ଟାକରୁଛ ଦେବକାନ୍ତ ! ସ୍ଵଇଚ୍ଛାରେ ମୁଁ ଆସିଛି, ସ୍ଵଇଚ୍ଛାରେ ଚାଲିଯିବି । କିନ୍ତୁ ମୋର ଅନୁରୋଧ...

 

ନା, ମୁଁ କିଛି ଶୁଣିବିନାହିଁ । ଯେଉଁ ତରଣୀ ଉପରେ ମୋର ବିଶ୍ଵାସ ଥିଲା, ଭରସା ଥିଲା ସେ ତରଣୀ ମରିଯାଇଛି । ଆଉ ଆଜି ଯେଉଁ କୁତ୍ରିମ ତରଣୀ ମୋ ଆଗରେ ଠିଆ ହୋଇଛି ସିଏ ହେଉଛି ବେଶ୍ୟା, ଚରିତ୍ରାହୀନା, ପିଶାଚୀ !

 

ଦେବକାନ୍ତ !

 

ମୋତେ ବିରକ୍ତ କର ନାହିଁ । ଦୟାକରି ତୁ ଚାଲିଯା । ନଚେତ୍ ମୁଁ ଚାଲିଯିବାକୁ ବାଧ୍ୟ ହେବ ।

 

ତମେ କାହିଁକି ଚାଲିଯିବ ଦେବକାନ୍ତ, ବରଂ ମୁଁ ଚାଲିଯାଉଛି । କିନ୍ତୁ ମୋର ଅଭିଯୋଗ ଶୁଣିବାକୁ ତମେ ପ୍ରସ୍ତୁତ ନ ଥିବାରୁ ମୁଁ ଦୁଃଖିତା ।

 

ଦେବକାନ୍ତ ବିଦ୍ରୂପର ହସ ହାସିଲା ।

 

ତରଣୀ ଆଉ ଠିଆହୋଇ ପାରିଲା ନାହିଁ । ଫେରିଲା ପୂର୍ବରୁ କହିଲା-ତମେ ଯାହାକୁ ବିଷକନ୍ୟା ବୋଲି ଦୂରେଇ ଦେଉଛ ସେ ପ୍ରକୃତରେ ବିଷକନ୍ୟା ନୁହେଁ ଦେବକାନ୍ତ । ସେ ହେଉଛି ଏହି ସୃଷ୍ଟିର ଅକ୍ଷତ, ଅନାଘ୍ରାତା, ଅଚୁମ୍ବିତା କନ୍ୟା ! ତମେ ନିଜେ ଦେଖିବ, ଟିରଣୀ ସତୀତ୍ଵର ଏକନିଷ୍ଠତା ଦ୍ୱାରା ସେ କଣ କରିପାରେ ?

 

ବିଂଶଶତାବ୍ଦୀ ନାରୀର ସତୀତ୍ଵର ଏକନିଷ୍ଠତା ?–ଦେବକାନ୍ତ ହୋ-ହୋ ହୋଇ ହସି ଉଠିଲା ।

 

ତରଣୀ ଆଉ କିଛି ନ କହି ଆଖିରେ ଆଖିଏ ଲୁହ ଧରି ଲେଉଟି ଆସିଲା ।

 

ଇଜିଚେୟାର ଉପରେ ବସି ସୁଖମୟ ଭାବୁଥିଲା ।

 

ଏତେ ସମ୍ମାନ ଆଉ ପ୍ରତିଷ୍ଠା ଥାଇ ଲାଭ କଣ ? ତରଣୀକୁ ଥରେ ଉପଭୋଗ କରିବା ପାଇଁ ସେ ସୁଚିନ୍ତିତ କଳ୍ପନା କରି ଚଣ୍ଡିଖୋଲ ଭ୍ରମଣରେ ନେଇ ଯାଇଥିଲା । ଭାବୁଥିଲା, ଛଳନାର ସାଗର ଭିତରେ ତରଣୀକୁ ଛନ୍ଦିଦେଇ ତାକୁ ଉପଭୋଗ କରିବ । ତାର ଗର୍ବିତା ମନ, ଅହଙ୍କାର ଆତ୍ମାକୁ ଧୂଳିସାତ୍‌କରିଦେବ କିନ୍ତୁ ସେ ନିଜେ ପରାଜୟ ସ୍ଵୀକାର କରିନେଲା ତରଣୀ ପାଖରେ ।

 

ସେ ପ୍ରଥମେ ଭାବୁଥିଲା, ତରଣୀ ନିଜ ସତୀତ୍ଵପାଇଁ ଅହଙ୍କାର କରୁଛି, ଗର୍ବ କରୁଛି । ତେଣୁ ଐଶ୍ଚର୍ଯ୍ୟର ଲୋଭ ଦେଖାଇ ତାକୁ ଆପଣାର କରିନେବା ପାଇଁ ଚେଷ୍ଟା କରିଥିଲା । ଭାବିଥିଲା, ତରଣୀ ଶରୀରରେ କଳଙ୍କର ଦାଗ ଟାଣିଦେଇ କହିବ-ମଣିହରା ଫଣୀ କେବଳ ଗର୍ଜନ କରି ଜାଣେ, କିନ୍ତୁ ଚୋଟ ଲଗାଇ ପାରେନା ।

 

ଅଥଚ ଆଜି ତରଣୀ ବିଜୟୀ ହୋଇଯାଇଛି । ଭାଇ-ଭଉଣୀର ପବିତ୍ର ସମ୍ପର୍କ ସ୍ଥାପନ କରି ନିଜକୁ ରକ୍ଷା କରିନେଇଛି । ସତରେ ! ତରଣୀର ଉପଦେଶଗୁଡ଼ିକ କି ଆଦର୍ଶଭରା ! ତରଣୀର ଉପଦେଶ ପାଳନ କରି ସେ ସିଗାରେଟ୍ ଖାଇବା ଛାଡ଼ିଦେଇଛି ! ଦପ୍ତର ଭିତରେ ନାରୀ କର୍ମଚାରିମାନଙ୍କୁ ବିଦାୟ ଦେଇ ପୁରୁଷ କର୍ମଚାରିଙ୍କୁ ନିଯୁକ୍ତ ଦେଇଛି; ଆଉ କଣ ବା କରିଥାଆନ୍ତା ସିଏ ?

 

ସୁଖମୟ ଭାବୁଥିଲା-ତରଣୀ ନାରୀ ନୁହେଁ-ଦେବୀ ! ମନରେ ତାର ଆବିଳତା ନାହିଁ, ଅଛି କେବଳ ପବିତ୍ର, ସ୍ଵଚ୍ଛ, ନିଷ୍କଳଙ୍କ ଚିନ୍ତାଧାରା । ସେ ଅନ୍ୟକୁ ଉପଦେଶ ଦେଇପାରେ, ଅନ୍ୟର ଉପକାର ପାଇଁ ଅକୁଣ୍ଠିତ ଚିତ୍ତରେ ସାହାଯ୍ୟ କରିପାରେ । ତଥାପି ଭଗବାନ ତା’ ପ୍ରତି କେବେ ସଦୟ ହୋଇନାହାଁନ୍ତି ।

 

ଜୀବନରେ ଥରକ ପାଇଁ କେବଳ ଗୋଟିଏ ପୁରୁଷକୁ ଭଲ ପାଇଥିଲା । କିନ୍ତୁ ସେଇ ନିର୍ଦ୍ଦୟ ପୁରୁଷ ଆଜି ଆଡ଼ନୟନରେ ଚାହୁଁ ନାହିଁ । ତଥାପି ତରଣୀ ତା’ ଉପରେ ଭରସା ରଖିଛି ।

 

ହଠାତ୍ କୋଠରୀ ଭିତରକୁ କାନ୍ଦି କାନ୍ଦି ପ୍ରବେଶ କଲା ତରଣୀ !

 

ଚମକି ଉଠିଲା ସୁଖମୟ ।

 

କିଏ ତରୀ ! କଣ ହେଲା ତୋର ? ସୁଖମୟବାବୁ କହି ଉଠିଲେ ।

 

ମୋ ଜୀବନର ସବୁ ସୁଖ ସରିଗଲା ଭାଇ ! ଏଥର ଜୀବନଟା ମୂଲ୍ୟହୀନ ହୋଇପଡ଼ିଲା । ମୋତେ ତମେ ଟିକେ ବିଷ ଦିଅ ଭାଇ, ତାକୁ ଖାଇ ମୁଁ ହୁଏତ ଚିରଶାନ୍ତିରେ ଶୋଇ ରହିବି ।

 

କଣ ହୋଇଛି ତୋର କହ ? ତରଣୀର କାନ୍ଧ ଉପରେ ହାତରଖି କହିଲେ ସୁଖମୟ ।

 

କଣ କହିବ ଆଉ ଭାଇ ! ମୋତେ ତୁମେ କିଛି ପଚାର ନାହିଁ । ଜୀବନର ଇପ୍‌ସିତ ଲକ୍ଷ୍ୟକୁ ବାସ୍ତବରେ କରିବାପାଇଁ ଯେଉଁ କଳ୍ପନା କରିଥିଲି, ତାହା ମୋର ଧୂଳିସାତ୍ ହୋଇଗଲା ।

 

ଆରେ ! କଥାଟା କଣ କହ ? ତାପରେ ମୁଁ ସବୁ ବୁଝିବି ।

 

ସୁଖମୟ ପାଖକୁ ଲାଗିଆସି ତରଣୀ କହିଲା-ଦେବକାନ୍ତ ଆସିଛନ୍ତି ଭାଇ !

 

ଦେବକାନ୍ତ ଆସିଛି ! କେବେ ? କେଉଁଦିନ ?

 

ଆଜି ସକାଳେ । ଦେବକାନ୍ତକୁ ପ୍ରଥମେ ସାକ୍ଷାତ୍‌କରିବାକୁ ମୁଁ ଷ୍ଟେସନ ଯାଇଥିଲି । କିନ୍ତୁ ସାକ୍ଷାତ୍‌ ଯଦିଓ ହେଲା–କଥାଭାଷା ହୋଇପାରିଲା ନାହିଁ ।

 

ତା’ପରେ......ସୁଖମୟ ପଚାରି ଉଠିଲା ।

 

ବର୍ତ୍ତମାନ ଦେବକାନ୍ତ ପାଖକୁ ଯାଇଥିଲି । କିନ୍ତୁ ସେଠାରୁ ମୁଁ ଯେମିତି ଲାଞ୍ଛିତା, ଅପମାନିତା ହୋଇ ଫେରିଛି, ଆଉ ହୁଏତ ଜୀବନରେ କେବେ ସେଠାକୁ ଯିବାକୁ ଚେଷ୍ଟା କରିବି ନାହିଁ । ଯେଉଁ ଦେବକାନ୍ତ ମୋତେ ଏତେ ଭଲପାଇଥିଲା, ସେ ପୁଣି କଥାଭାଷା କରିବାକୁ କୁଣ୍ଠାବୋଧ କଲା । ଚିହ୍ନିପାରିଲା ନାହିଁ ମଧ୍ୟ । ଆଉ ଯେତେବେଳେ ମୁଁ ପରିଚୟ ଦେଲି ସେ କହିଲେ-ତରଣୀ ବୋଲି ଯେଉଁ ଝିଅ ଥିଲା ସେ ମରିଯାଇଛି, ବର୍ତ୍ତମାନ ଯେଉଁ ତରଣୀ ଆସିଛି, ସେ ମୋର ମାନସୀ ନୁହେଁ ପ୍ରଣୟୀନି ନୁହେଁ ସେ ହେଉଛି ସୁଖମୟର ଶଯ୍ୟାସଙ୍ଗିନୀ ।

 

ତରଣୀ ! ସୁଖ ଡାକି ଉଠିଲା ।

 

ହଁ ଭାଇ ! ସେ ଠିକ୍ ଏଇୟା କହିଲେ । ଆଉ ଏହାକୁ ଶୁଣିସାରିଲା ପରେ ମୁଁ କଣ ଆଉ ସେଠାରେ ଛିଡ଼ାହୋଇ ଥାଆନ୍ତି ? ମୋର ପଦେ କଥା ନ ଶୁଣି ମୋତେ ବିଦାୟ କରିଦେଲେ । ଆଉ କହିଲେ-ଭବିଷ୍ୟତରେ ଗୋଟିଏ କଳଙ୍କିନୀର ପାଦ ଯେପରି ଏ ଘରେ ନ ପଡ଼େ ।

 

ସୁଖମୟ ହସିଉଠିଲା । –ଏଇଥିପାଇଁ ତୁ କାନ୍ଦୁଛୁ ? ତୁ ଏତିକି ଭୁଲିଯାଆନା ଯେ, ତୋର ସୁଖମୟ ଭାଇ ବଞ୍ଚିଛି । ସୁଖମୟ ବଞ୍ଚିଥିବା ପର୍ଯ୍ୟନ୍ତ ତୋ ଆଖିର ଲୁହ ସେ କେବେ ଦେଖି ପାରିବନି । ହଉ ! ମୁଁ ଏ ବିଷୟରେ ଦେବକାନ୍ତ ସହିତ ଆଲୋଚନା କରିବି ।

 

ତମେ ବି ସେମିତି ଅପମାନିତ ହେବ ଭାଇ ! ମୋର ଅନୁରୋଧ ତମେ ସେଠାକୁ ଯାଅ ନାହିଁ ।

 

ତୁ ବ୍ୟସ୍ତ ହେବୁନାହିଁ । ମୁଁ ସବୁ ବନ୍ଦୋବସ୍ତ କରିଦେବି । ତା’ହେଲେ ମୁଁ ଯାଉଛୁ ଭାଇ ।

 

ଅପେକ୍ଷା କର । ମୁଁ ମଧ୍ୟ ବର୍ତ୍ତମାନ ଦେବକାନ୍ତ ପାଖକୁ ଯିବ । ଆଉ ତୋତେ ଗାଡ଼ିରେ ନେଇ ତୋ ଘରେ ଛାଡ଼ିଦେବି ।

 

ସୁଖମୟ ଡ୍ରେସିଂ ସାରି ବାହାରି ପଡ଼ିଲା ।

 

ତରଣୀକୁ ଘରେ ଛାଡ଼ିଦେଇ ସୁଖମୟ କାରଟିକୁ ଛୁଟାଇ ଦେଇ ଦେବକାନ୍ତ ଘର ଅଭିମୁଖେ ।

 

‘ସ୍ଵପ୍ନପୁରୀ’ର ପ୍ରଧାନ ଫାଟକ ଅତିକ୍ରମ କରି ପୋର୍ଟିକୋ ଭିତରେ ଗାଡ଼ିରେ ବ୍ରେକ ବସିଲା ସୁଖମୟ ।

 

କୋଠରୀ ଭିତରକୁ ସୁଖମୟ ପଶିଯାଇ ଦେଖିଲା–ଦେବକାନ୍ତ ବସିଛି ।

 

ଆରେ ଦେବକାନ୍ତ ଯେ । ଆମେରିକାରୁ ଫେରିଲୁ ,ଅଥଚ ଖଣ୍ଡେ ଚିଠି ବି ଦେଇ ପାରିଲୁନି ।

 

ଚିଠି । ଦେବକାନ୍ତ କହି ଉଠିଲା ।

 

ହଉ ଛାଡ଼, ତୋ ଖବର କଣ । ସବୁ ଭଲ ତ ?

 

ଆରେ ବସ ପ୍ରଥମେ । ଇମିତି ଠିଆହୋଇ କହି ଯାଉଛୁ ଯେ ?

 

ସୁଖମୟ ବସିଲା ।

 

ଦେବକାନ୍ତ କହିଲା–ମୋ କଥା ଶୁଣିବା ପୂର୍ବରୁ ତୁ ପ୍ରଥମେ କହ, ତୋ ଅଫିସ୍ କଥା, ପରିଭ୍ରମଣର ଉପକଥା, ତୋ ନୂତନ ପ୍ରଣୟିନୀ କଥା...

 

ଯାହା ହେଉ, ଦୀର୍ଘ ଏତେଦିନ ପରେ ତୁ ମୋତେ ଭୁଲି ପାରିନୁ ଜାଣି ଖୁସିହେଲି ।

 

କି ଆଶ୍ଚର୍ଯ୍ୟ । ମୁଁ ତୋତେ ଭୁଲିଯିବି ! । ୟା’ କେବେ ସମ୍ଭବ ହୋଇପାରେ ? ଦେବକାନ୍ତ ଉତ୍ତର ଦେଲା ।

 

ସୁଖମୟ କହିଲା–ଅସମ୍ଭବ କିଛି ନୁହେଁ ଭାଇ । ଆମେରିକା ଭୂଇଁରେ ପାଦଦେଲେ ମଣିଷ ସବୁକିଛି ପାଶୋରି ଯାଏ । ପ୍ରେମିକାକୁ, ସ୍ତ୍ରୀକୁ......

 

ପୂଜାରୀ ଚା’ ନେଇ ଆସିଲା ।

 

ଚା ପର୍ବ ସରିଲା ।

 

ସୁଖମୟ ହାତକୁ ସିଗାରେଟ୍ ବଢ଼ାଇଦେଲା ଦେବକାନ୍ତ ।

 

ନାଁ ଭାଇ । ସେଇ ଧ୍ଵଂସମୁଖୀ ସିଗାରେଟ ଖାଇବା ଅଭ୍ୟାସ ଛାଡିଦେଇଛି ମୁଁ ।

 

ସତେ ନା କଣ ? ଯିଏ ଦିନକୁ ତିନି ପ୍ୟାକେଟ୍ ସିଗାରେଟ୍ ଖାଉଥିଲା ସେ ଆଜି ସିଗାରେଟ୍ ଖାଇବାର ଅଭ୍ୟାସ ପରିତ୍ୟାଗ କରିଛି ଜାଣି ହସ ଲାଗୁଛି ।

 

ହଁ, ଦେବକାନ୍ତ ! ମୁଁ ସତକହୁଛି । ମୋତେ ବିଶ୍ଵାସ କର !

 

ଦେବକାନ୍ତ ସିଗାରେଟ୍‌ରେ ନିଆଁ ଧରାଇ କହିଲା–ଆଚ୍ଛା । ତୋ ଉପଭୋଗର ଲଳସା ମରିଲାଣି ବନ୍ଧୁ । ବିବାହ ସରିଲାଣି ନା ? ବର୍ତ୍ତମାନ ହୁଏତ ତରଣୀ ପ୍ରଧାନ ଉପନାୟିକା ହୋଇଥିବ ।

 

ଦେବକାନ୍ତ ! ସୁଖମୟ ପାଟିକରି ଉଠିଲା । ତରଣୀ ନାମରେ ଏପରି କୁତ୍ସାରଟନା କଲେ…..ଓଃ, ତରଣୀ ପ୍ରତି ଦରଦ ତ କମ ନୁହେଁ ?

 

ଦରଦ ନୁହେଁ, ମୁଁ ତୋ କଥା କହୁଛି । ତୋର ବାଗ୍‌ଦତ୍ତା ପ୍ରତି ଇମିତି ଅବହେଳା କରିବା ମୋଟେ ଉଚିତ୍ ହୋଇନି ।

 

ବାଗ୍‌ଦତ୍ତା ! ବାଗ୍‌ଦତ୍ତା କିଏ ସୁଖମୟ ! ଚପଳ ବୟସରେ ତରଣୀକୁ ଭଲ ପାଉଥିଲି ବୋଲି ବିବାହ କରିବାକୁ ଶପଥ କରି ନ ଥିଲି ମୁଁ ।

 

ସୁଖମୟ ହସିଲା । କହିଲା, ତୋ ପାଖରୁ ମୁଁ କେବେ ଏଇୟା ଆଶାକରି ନଥିଲି ଦେବକାନ୍ତ ! ତୁ ମୋତେ ଉପଦେଶ ଦେଇଥିଲୁ, ଯାହାକୁ ଭଲପାଇବ ତାକୁଇ ବିବାହ କରିବ । କିନ୍ତୁ ଆଜି...

 

ତୁ ତାହାହେଲେ ତରଣୀର ସମର୍ଥନକାରୀ ହିସାବରେ ଆସିଛୁ । କିନ୍ତୁ ସୁଖମୟ ! ତରଣୀ ପ୍ରସଙ୍ଗ ବଦଳାଇ ଅନ୍ୟ ବିଷୟରେ କିଛି କହିଲେ ମୁଁ ଖୁସି ହେବି ।

 

ନାଁ, ମୁଁ କେବଳ ତରଣୀ କଥା କହିବାକୁ ଆସିଛି । ତରଣୀ ତୁଣ୍ଡରୁ ତୋର ଅବିଚାର, ଅବହେଳା ଶୁଣି ତୋ ପାଖକୁ ଆସିବାକୁ ବାଧ୍ୟ ହେଲି ।

 

ବେଶ୍ କଣ ତେବେ କହ ? ଦେବକାନ୍ତ କହି ଉଠିଲା ।

 

ତରଣୀର ବିବାହ କେବେ ହେଉଛି ?

 

ସେ କଥା ତୁ ଜାଣିଥିବୁ । ତୁ ପ୍ରଥମେ କହିଲୁ, ତରଣୀକୁ ତୋ କାରରେ ବସାଇ କେତେଥର କୋଣାର୍କ, ଚଣ୍ଡିଖୋଲ, ଉଦୟଗିରି, ଖଣ୍ଡଗିରି ନେଇଯାଇଛୁ ?

 

ସୁଖମୟ କହିଲା–ଯଦି ବିଶ୍ଵାସ କରିବୁ ମୋତେ, ତେବେ ମୁଁ ସବୁ କହିବି ।

 

ତେବେ କହି ! ତୋ କଥାକୁ ମୁଁ କେବେ ତ ଅବିଶ୍ଵାସ କରିନାହିଁ ।

 

ସୁଖମୟ କହିଲା–ଜୀବନରେ ଯେଉଁ ଲକ୍ଷ୍ୟ ନେଇ ମୁଁ ଏତେଦୂର ମାଡ଼ିଆସିଥିଲି, ପରେ ଦେଖିଲି ମୁଁ ଭୁଲ ପଥରେ ଅଗ୍ରସର ହୋଇଛି । ପ୍ରଥମେ ମୁଁ ମଧ୍ୟ ତରଣୀର ରୂପ ଯୌବନରେ ମୁଗ୍‌ଧ ହୋଇ ତାକୁ ମୋ ଦପ୍ତରରେ ଚାକିରି ଦେଇଥିଲି, ବନ୍ଧୁତା ବାନ୍ଧିଥିଲି, ଭଲ ପାଇଥିଲି; କିନ୍ତୁ ତରଣୀ ମୋତେ ଭଲ ପାଉ ନ ଥିଲା । ସେ ମୋ ପାଖରୁ ଯେତିକି ଦୂରେଇ ଯାଉଥିଲା ମୁଁ ସେତିକି ତା’ ପାଖକୁ ଲାଗି ଆସୁଥିଲି । ସୁଚିନ୍ତିତ ପରିକଳ୍ପନା କରି ତାକୁ ଚଣ୍ତିଖୋଲ ନେଇ ଯାଇଥିଲି । ଭାବିଥିଲି ଚଣ୍ଡିଖୋଲର ପ୍ରାକୃତିକ ସୌନ୍ଦର୍ଯ୍ୟରେ ମୋହିତ କରି ତରଣୀକୁ ମନଭରି ଉପଭୋଗ କରିବି ।

 

କିନ୍ତୁ ଜୀବନର ସର୍ବପ୍ରଥମ ଆଉ ଶେଷଥର ପାଇଁ ମୁଁ ପରାସ୍ତ ହୋଇଗଲି ତରଣୀ ପାଖରେ । ଉନ୍ନତ ମଥା ମୋର ନଇଁଗଲା ତରଣୀର ପଦତଳେ । ବଡ଼ଭାଇର ସମ୍ମାନ ଦେଇ ମୋ ପାଖକୁ ଲାଗିଆସିଲା ସେ ।

 

ତେବେ ତ ଖୁବ୍ ଭଲ ହୋଇଛି । ଭାଇ ଭଉଣୀର ଦ୍ଵାହି ଦେଇ ପ୍ରେମକଲେ ଦୁନିଆର କୌଣସି ମଣିଷ ମଧ୍ୟ ବିଶ୍ଵାସ କରିବ ନାହିଁ । ପ୍ରେମ କରିବାକୁ ହେଲେ ପ୍ରଥମେ ଏଇ ସମ୍ପର୍କ ରଖିବାହିଁ ସର୍ବଶ୍ରେଷ୍ଠ ପନ୍ଥା ।

 

ମୋ କଥା ଥରେ ଶୁଣ୍ ଦେବକାନ୍ତ ! ତା’ପରେ ତୁ ଉତ୍ତର ଦେବୁ ।

 

ପୁଣି ସୁଖମୟ କହିଲା–ତରଣୀର ଆଖି ଲୁହରେ ମୁଁ ତରଳି ଯାଇଥିଲି । ତରଣୀର ସାଧନା, ଅଧ୍ୟବସାୟ, ଏକନିଷ୍ଠତା ଦେଖି ମୁଁ ଅବାକ୍ ହୋଇଥିଲି । ସାମାନ୍ୟ ଝିଅଟିଏ । ରୂପ ଅଛି, ବୟସ ଅଛି, ଆସକ୍ତି ରହିଛି । ତଥାପି ତାର ମନ ଅଟଳ, ପିଛିଳ ପଥରେ ପାଦପକାଇ ପାଇଲା ନାହିଁ କିମ୍ବା ଜୀବନ-ସାଥୀ ରୂପେ କାହାକୁ ଗ୍ରହଣ କରିପାରିଲା ନାହିଁ । ଏକନିଷ୍ଠ ମନ ନେଇ ସେ କେବଳ ତୋତେ ପ୍ରତୀକ୍ଷା କରି ରହିଲା ।

 

ତା’ପରେ...ଦେବକାନ୍ତ ପରିହାସରେ କହିଉଠିଲା ।

 

ତା’ପରେ ଆଉ କଣ ହେବ ? ଚଣ୍ଡିଖୋଲ ନେଇଯାଇ ଭାବିଥିଲି ସେହିଠାରେ ତାକୁ ତିଳି ତିଳି କରି ଉପଭୋଗ କରିବି । ତରଣୀର ଦମ୍ଭ, ଗର୍ବ, ସତୀତ୍ଵ, ଅହଙ୍କାର ନଷ୍ଟ କରିଦେବି ତାକୁ ପରାଜିତ କରିବି ।

 

କିନ୍ତୁ ମୁଁ ପରାଜିତ ହୋଇଗଲି । ଜୀବନରେ ହୁଏତ ଅନ୍ୟ କାହା ନିକଟରେ ମୁଁ ଏଭଳି ପରାଜିତ ହୋଇ ନ ଥିଲି । କାନ୍ଦି କାନ୍ଦି ମୋ ପାଦତଳେ ଲୋଟିଯାଇ ସେ କହିଲା–ଦେବକାନ୍ତର ବାକଦତ୍ତା ମୁଁ । ମୋତେ କ୍ଷମାକର । ମୋର ଭାଇ ନାହାନ୍ତି ଆଜିଠାରୁ ଆପଣ ମୋର ବଡ଼ଭାଇ ।

 

ଦେବକାନ୍ତ ଚିତ୍କାର କରିଉଠିଲା, ଭୁଲ । ମିଛ କହୁଛୁ ତୁ ! ଶହ ଶହ ତରୁଣୀ ମନକୁ ଯିଏ ଜୟ କରି ଆସିଛି ସିଏ ପୁଣି ତରଣି ପାଖରେ ନତମସ୍ତକ ହେବ ? ଅସମ୍ଭବ ! ତୁ କଣ ଭାବିଛୁ ସୁଖମୟ, ତୋ ମନଗଢ଼ା କଥାରେ ମୁଁ ଭୁଲିଯିବି । ମୋଟେ ନୁହଁ ! ତୁ ଯାହା କହିଲେ ମଧ୍ୟ ମୁଁ ବିଶ୍ଵାସ କରିବି ନାହିଁ । ତରଣୀ ଦେହରେ ଯୌବନ ଲହଡ଼ି ଖେଳୁଛି । ବୟସର ଉଦ୍ଧାମ ଚପଳତା ନେଇ ଯିଏ ତୋ ସାଥୀରେ ନିବିଡ଼ ଭାବରେ ମିଳାମିଶା କରିଛି, ପରିଭ୍ରମଣର ପ୍ରଧାନ ସାଥୀ ହୋଇ ଯିଏ ନିରୋଳା ସ୍ଥାନକୁ ଯାଇଛି ସେ ପୁଣି ଆଜିପର୍ଯ୍ୟନ୍ତ ସତୀକନ୍ୟା ହୋଇ ରହିଥିବ, ଏହା ମୋର କଳ୍ପନାର ବାହାରେ ।

 

ସୁଖମୟ କହିଲା–ତୁ ମୋତେ ବିଶ୍ଵାସ କରି ଦେବକାନ୍ତ, ମୁଁ ଯାହା କହୁଛି ତାହା ନିରାଟ ସତ୍ୟ । ଯେତେ ଝିଅଙ୍କ ସଂସ୍ପର୍ଶରେ ମୁଁ ଆସିଛି, ତାହା ଭିତରେ ତରଣୀ ଏକ ବ୍ୟତିକ୍ରମ । ସତୀତ୍ଵ ତାର ବଜ୍ରପରି ବଳିଷ୍ଠ । ମନ ତାର ହିମାଳୟ ପରି ଅଟଳ । ମୁହୂର୍ତ୍ତକ ପାଇଁ ତା’ ମନରେ ପରପୁରୁଷକୁ ଭଲପାଇବାର ଜୁଆର ଉଠିନି । ପ୍ରାପ୍ତବୟସରେ ପଦାର୍ପଣ କରି ଯୌନକ୍ଷୁଧା ମନରେ ମରିଛି; ତଥାପି ବିଚଳିତା ହୋଇନି ସେ । ମୁଁ ଭାବେ ଏତେବଡ଼ ସୃଷ୍ଟିରେ ତରଣୀ କେବଳ ଅକ୍ଷତ କନ୍ୟା, ସତୀ ନାରୀ ! ସିତା, ସାବତ୍ରୀ, ଦମୟନ୍ତୀଠାରୁ ସେ ଆହୁରି ଉଚ୍ଚରେ ।

 

ଦେବକାନ୍ତ ଛଡ଼ା ହେଲା । କହିଲା ମନଗଢ଼ା କଥା ଶୁଣି ଖୁସି ହେଲି । ହଉ, ବାହାରେ ମୋର କାମ ଅଛି । ମୁଁ ଯାଉଛି । ପରେ ସାକ୍ଷାତ ହେଲେ ପୁଣି କଥାବାର୍ତ୍ତା ହେବା ।

 

ଦେବକାନ୍ତର ହାତକୁ ଧରି ବସାଇ ଦେଲା ସୁଖମୟ । ତେବେ ତୁ ମୋ କଥା ଶୁଣିବୁ ନାହିଁ ?

 

କଣ ଶୁଣିବ ସୁଖମୟ ! ସତକଥା କହିଲେ ହୁଏତ ଶୁଣିବା ପାଇଁ ଆଗ୍ରହ ଥାଆନ୍ତା, କିନ୍ତୁ ମିଛକଥା ଶୁଣି ଲାଭ କଣ ? ମୋତେ କ୍ଷମା କରିବୁ ସୁଖମୟ । ବାହାରେ ମୋର ଜରୁରୀ କାମ ଅଛି । ମୁଁ ଯାଉଛି ।

 

ଦେବକାନ୍ତର ହାତ ଧରିପକାଇ ସୁଖମୟ କହିଲା-ତୋତେ ମୋ କଥା ଶୁଣିବାକୁ ହେବ ଦେବକାନ୍ତ !

 

ଇମିତି ବାଧ୍ୟକରି ଜଣକୁ ଶୁଣେଇବା କିଛି ଲାଭ ହୁଏନା ସୁଖମୟ ! ଉପକଥାର କାହାଣୀ ହୋଇଥିଲେ ଅନ୍ୟ ପ୍ରକାର । କିନ୍ତୁ....

 

କୋଠରୀ ଭିତରକୁ ପଶିଆସିଲା ଯୁବତୀଟିଏ । ଦେବକାନ୍ତକୁ ଲକ୍ଷ୍ୟ କରି କହିଲା-ଶୀଘ୍ର ଆସନ୍ତୁ ଦେବକାନ୍ତବାବୁ ! ସମୟ ଗଡ଼ିଯାଉଛି ଯେ ?

 

ସୁଖମୟ ପଚାରିଲା, ତୁ କୁଆଡ଼େ ଯାଉଛୁ ଦେବକାନ୍ତ ?

 

ପିକଚର ! –ଦେବକାନ୍ତ ଆଉ କିଛି କହିପାରିଲା ନାହିଁ । ହଠାତ୍ ଚେୟାରରୁ ଉଠିପଡ଼ି କହିଲା–ଆସ ଜ୍ୟୋତ୍ସ୍ନା !

 

ହାତରେ ହାତ ଛନ୍ଦି ଦେବକାନ୍ତ ଆଉ ଜ୍ୟୋସ୍ନା ବାହାରିଗଲେ ।

 

ସୁଖମୟ ଉଠିଲା । ହଠାତ୍ ତାର ଦୃଷ୍ଟି ପଡ଼ିଲା ଆମେରିକାନ୍ ଏଲବମ ଉପରେ । ଟେବୁଲ ଉପରେ ଏଲବମ ଖୋଲା ହୋଇ ରହିଛି ଆଉ ଯେଉଁ ଝିଅଟି ଦେବକାନ୍ତ ସହିତ ଚାଲିଗଲା ସେହି ଝିଅର ବିଭିନ୍ନ ଅଙ୍ଗଭଙ୍ଗୀର ଛବି ପ୍ରକାଶ ପାଇଛି ସେଥିରେ ।

 

ନିଜର ମନମୁତାବକ ଦୁଇଖଣ୍ଡ ଛବି ଧରି ଘର ଭିତରୁ ବାହାରି ଆସିଲା ସୁଖମୟ ।

 

ତରଣୀ ପ୍ରତୀକ୍ଷା କରିଥିଲା ।

 

ସୁଖମୟ ପହଞ୍ଚିବାକ୍ଷଣି ହଠାତ୍ ସେ କହି ଉଠିଲା-କଣ ହେଲା ଭାଇ !

 

ଅନେକ ସମୟ ପରେ ସୁଖମୟ ସଂକ୍ଷେପରେ କହିଲା-ତୋରି ଭଳ ମୁଁ ମଧ୍ୟ ପରାଜୟ ସ୍ଵୀକାର କରିଛି ଦେବକାନ୍ତ ନିକଟରେ । କିନ୍ତୁ ମୋ ଉପରେ ତୁ ଭରସା ରଖ ତରୀ ! ଦେବକାନ୍ତ ସହିତ ତୋର ବିବାହ ନିଶ୍ଚୟ ହେବ । ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଦେବକାନ୍ତ ଆଉ କେଉଁଠି ବିବାହ କରିପାରିବନି !

 

ଭାଇ !

 

ମୋତେ ଚିନ୍ତା କରିବାକୁ ସମୟ ଦେ ! ଦୁଇଦିନ ଗଭୀର ଭାବେ ଚିନ୍ତାକରି ତୃତୀୟ ଦିନ ତା’ପାଖରେ ପହଞ୍ଚିବ ଏବଂ ବିବାହଲଗ୍ନ ନିଶ୍ଚୟ ଧାର୍ଯ୍ୟ କରିବ ।

 

ତମେ ପାରିବନି ଭାଇ ! ସେଠାରେ ଜ୍ୟୋତ୍ସ୍ନା ଥିବା ପର୍ଯ୍ୟନ୍ତ ତମେ କିଛି କରିପାରିବ ନାହିଁ ।

 

ହଉ, ମୁଁ ଯାଉଛି ତରୀ ! ପରେ ପୁଣି ଦେଖା ହେବ । ସୁଖମୟ ଚାଲିଗଲା !

 

ଦୁଇଟି ଦିନ ଗଭୀର ଭାବରେ ଚିନ୍ତାକରି ତୃତୀୟ ଦିନ ଦେବକାନ୍ତ ନିକଟରେ ପହଞ୍ଚିଲା ସୁଖମୟ ।

 

ଚେୟାରଟା ବଢ଼ାଇଦେଇ ଦେବକାନ୍ତ କହିଲା-ବସ !

 

ସୁଖମୟ ବସିଲା । କହିଲା–ଜ୍ୟୋତ୍ସ୍ନା କାହିଁ ଦେବକାନ୍ତ ?

 

ତାକୁ ଥରେ ଡାକିଲୁ !

 

ଅବାକ୍ ହୋଇ ଚାହିଁଲା ଦେବକାନ୍ତ । କହିଲା–ତୁ ଜ୍ୟୋତ୍ସ୍ନାକୁ କିମିତି ଜାଣିଲୁ ?

 

ସେ ଗୋଟାଏ ଇତିହାସ ! ମୁଁ ତୋତେ ସବୁ କହିବି ଯେ ! ତୁ ପ୍ରଥମେ ତାକୁ ଆସିବାକୁ ସମ୍ବାଦ ଦେଲୁ ?

 

ଦେବକାନ୍ତ କହିଲା–ଜ୍ୟୋତ୍ସ୍ନା ନାହିଁ ସୁଖମୟ ! କାଲି ରାତିରେ ସେ ପୁରୀ ଯାଇଛି । ଆଠଦିନ ପରେ ଫେରିବ ।

 

ସୁଖମୟ ଟିକିଏ ରହିଯାଇ କହିଲା-ହଉ, ତରଣୀ ପ୍ରତି କଣ ନିଷ୍ପତ୍ତି କଲୁ କହିଲୁ ?

 

ନିଷ୍ପତ୍ତି ! ମୁଁ ତରଣୀ ସହିତ ସେଦିନ ନିଷ୍ପତ୍ତି ସାରିଦେଇଛି । ପୁଣି ଆଜି କାହାସହିତ ନିଷ୍ପତ୍ତି କରିବି ?

 

କଥାଟାକୁ ତୁ ସାମାନ୍ୟ ବୋଲି ମନେକରନା ଭାଇ ! ଯେଉଁ ତରଣୀକୁ ତୁ ଗଭୀର ଭାବରେ ଭଲ ପାଉଥିଲୁ, ଆଜି କାହିଁକି ତା’ ପ୍ରତି ନିଷ୍ଠୁର ହେଉଛୁ । ଜୀବନରେ ଗୋଟିଏ ବ୍ରତ ନେଇ ସେ ତୋତେ ଅପେକ୍ଷା କରିଛି । ଆଉ ତୁ ଯଦି ତା’ ସହିତ ପ୍ରତାରଣା କରିବୁ, ତେବେ ତରଣୀ କିମିତି ବଞ୍ଚିବ କହିଲୁ ?

 

ସାମାନ୍ୟ ଗୋଟାଏ ବେଶ୍ୟା ପାଇଁ ତୁ କାହିଁକି ତୋର ସମଯର ଅପଚୟ କରୁଛୁ ମୁଁ ବୁଝିପାରୁ ନାହିଁ ।

 

ଦେବକାନ୍ତ ! ତୋର ପ୍ରେମିକାକୁ ତୁ ବେଶ୍ୟା ବୋଲି କହିପାରୁଛୁ ?

 

ନିରାଟ ସତ କହିବାକୁ ମୁଁ ଘୃଣା କରେନାହିଁ ସୁଖମୟ ।

 

ଭୁଲ୍‌ ! ତୋର ଭାବନା ଭୁଲ୍‌, କଳ୍ପନା ଭୁଲ୍, ତୁ ନିଜେ ମଧ୍ୟ ଗୋଟାଏ ଭୁଲ୍‌ । ତରଣୀକୁ ଜାରଜ, ବେଶ୍ୟା କହିବା ପୂର୍ବରୁ ତୋର ଏତିକି ଭାବିବା ଉଚିତ ଥିଲା ଯେ, ଯେଉଁ ତରଣୀ ଦୀର୍ଘ ଦିନଧରି କେବଳ ତୋତେ ହିଁ ପ୍ରତୀକ୍ଷା କରି ରହିଛି ସେ କଣ କେବେ ବେଶ୍ୟା, ଚରିତ୍ରହୀନା ହୋଇପାରେ ?

 

କାହିଁକି ନ ହେବ ତୁ କହିଲୁ ? ତରଣୀ ଭଳି ଗରୀବ ଝିଅମାନେ ଚରିତ୍ରହୀନା ହୁଅନ୍ତି । ସାମାନ୍ୟ ଅର୍ଥ ପାଇଁ ସେମାନେ ନିଜ ସତୀତ୍ଵକୁ ବଳି ଦିଅନ୍ତୁ ।

 

ଆଉ ବଡ଼ଲୋକର ଝିଅମାନେ ? ସୁଖମୟ କହିଉଠିଲା ସେମାନେ କାହିଁକି ଚରିତ୍ରହୀନା ହେବେ ? ବଡ଼ଲୋକ ଝିଅଙ୍କର ଚରିତ୍ର ଝରଣାର ଜଳ ଭଳି ସ୍ଵଚ୍ଛ, ଗଙ୍ଗାଜଳ ପରି ପବିତ୍ର ।

 

ସୁଖମୟ ହୋ-ହୋ ହୋଇ ହସିଉଠିଲେ ।

 

ଆରେ ! ଇମିତି ହସିଲୁ ଯେ ?

 

ନାଁ, ତେବେ ତୁ ତରଣୀକୁ ବିବାହ କରିବୁ ନାହିଁ !

 

ନାଁ ।

 

ଆଉ ତେବେ କାହାକୁ ବିବାହ କରୁଛୁ ?

 

ଜ୍ୟୋତ୍ସ୍ନାକୁ ।

 

ଓଃ, ସେଇଥିପାଇଁ ତରଣୀ ପ୍ରତି ଏତେ ଅବହେଳା ! କିନ୍ତୁ ଜ୍ୟୋସ୍ନା ସତୀକନ୍ୟା ବୋଲି ତୁ ଜୋର ଦେଇ କହିପାରିବୁ ?

 

ଏଥିରେ ଆଉ ସନ୍ଦେହ ଅଛି ନା କଣ ?

 

ଭୁଲ୍‌ ! ଜ୍ୟୋତ୍ସ୍ନା ସତୀ କନ୍ୟା ନୁହେଁ, ଜ୍ୟୋତ୍ସ୍ନା ଚରିତ୍ରହୀନା ! କଲେଜରେ ପାଠ ପଢ଼ିଲାବେଳେ କେତେ ପୁରୁଷକୁ ସେ ଭଲ ପାଇଛି ତାହା କଳନା କରି ହେବନାହିଁ । ଅନେକ ପୁରୁଷ ସହିତ ସେ ପିକ୍‌ନିକ୍‌ରେ ଯୋଗ ଦେଇଛି । ନନ୍ଦନକାନନ, ଗୋପାଳପୁର, ଏମିତି ଅନେକସ୍ଥାନକୁ ଯାଇଛି । ଜ୍ୟୋସ୍ନାକୁ ଯେଉଁମାନେ ଭଲ ପାଉଥିଲେ ସେମାନଙ୍କ ଭିତରୁ ଦୁଇ ଜଣ ବିବାହ କରି ନ ପାରି । ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରବଳ ଜନରବ ପ୍ରକାଶ ପାଇଛି ।

 

ଦେବକାନ୍ତ ବାଧାଦେଲା ! ଜଣେ ସମ୍ଭ୍ରାନ୍ତ ବଂଶର ଶିକ୍ଷିତା କନ୍ୟା ନାମରେ ଏପରି ଅପପ୍ରଚାର କରିବା ଆଦୌ ଠିକ୍ ହେଉନି । ହାତରେ ପ୍ରମାଣ ନ ରଖି ପରକଥାରେ ଅନ୍ୟକୁ ସମାଲେଚନା କରିବା ଉଚିତ ମଧ୍ୟ ନୁହେଁ ।

 

ତୁ କଣ ଭାବିଛୁ ଦେବକାନ୍ତ, ହାତରେ ପ୍ରମାଣ ନ ରଖି ମୁଁ ଜ୍ୟୋତ୍ସ୍ନା ନାମରେ ମିଛରେ ଅପପ୍ରଚାର କରୁଛି ?

 

କଣ ପ୍ରମାଣ ରଖିଛୁ କହିଲୁ ?

 

ଦେଖିବୁ ତେବେ ନିଶ୍ଚୟ ।

 

ହଁ, ଦୃଢ଼ କଣ୍ଠରେ ଜବାବ ଦେଲା ଦେବକାନ୍ତ ।

 

ସୁଖମୟ ପକେଟରୁ କେତେଗୁଡ଼ିଏ ଫଟୋ ବାହାରକରି ଦେବକାନ୍ତ ସାମନାରେ ପକାଇଦେଲା । କହିଲା-ତୁ ଏଇଥିରୁ ଅନୁମାନ କରିପାରିବୁ, ତରଣୀ ଆଉ ଜ୍ୟୋତ୍ସ୍ନା ମଧ୍ୟରେ ସତୀକନ୍ୟା କିଏ ?

 

ଫଟୋଗୁଡିକ ଦେଖି ଚମକି ଉଠିଲା ଦେବକାନ୍ତ । ଇସ୍ ! କି ଅଶ୍ଳୀଳ, ନଗ୍ନ ଫଟୋସବୁ ଉଠାଇଛି ଜ୍ୟୋତ୍ସ୍ନା । ଗୋଟାଏ ଛବି ଉପରେ ଅଟକିଗଲା ତାର ଆଖି । ସୁଖମୟର କୋଳରେ ମୁଣ୍ଡରଖି ଶୋଇଛି ଜ୍ୟୋତ୍ସ୍ନା ।

 

ହଠାତ୍ ଦେବକାନ୍ତ କହିଲା ତୁ ପ୍ରଥମରୁ କଣ ଜ୍ୟୋତ୍ସ୍ନାକୁ ଜାଣିଥିଲୁ ?

 

କେବଳ ଜାଣି ନ ଥିଲି । ମୁଁ ତାକୁ ଭଲ ପାଉଥିଲି । ଆମେ ଦୁହେଁ ଶପଥ କରିଥିଲୁ ବିବାହ କରିବୁ ବୋଲି ।

 

କିନ୍ତୁ ହଠାତ୍ ଦିନେ ମୋର ଜଣେ ସାଥୀ ଆସି କହିଲା ଗୋଟାଏ ବିପଦରେ ପଡ଼ିଛି ଭାଇ ! ମୋତେ ରକ୍ଷାକର !

 

ମୁଁ ଉତ୍ତର ଦେବା ପୂର୍ବରୁ ସେ ପକେଟରୁ କେତେଗୁଡ଼ିଏ ନଗ୍ନଛବି ବାହାରକରି କହିଲା-ଏ ହେଉଛି ମୋର କ୍ଳାସମେଟ୍‌ ଜ୍ୟୋତ୍ସ୍ନା । କଲେଜରେ ଏକ ସାଂସ୍କୃତିକ ଉତ୍ସବରେ ତା’ ସହିତ ମୋର ପ୍ରଥମ ସାକ୍ଷାତ ହୋଇଥିଲା । ତା’ପରେ ଆମେ ପ୍ରଣୟ ସୂତ୍ରରେ ବାନ୍ଧି ହୋଇ ପଡ଼ିଲୁ । ବିବାହ କରିବୁ ବୋଲି ଦୁହେଁ ଶପଥ କଲୁ !

 

ଦିନ ପରେ ଦିନ ଗଡ଼ି ଚାଲିଲା ।

 

ଦିନେ ଖରାବେଳେ ସେ ଆସି କହିଲା ତୁମର ସନ୍ତାନ ମୋ ଗର୍ଭକୋଷରେ ! ବର୍ତ୍ତମାନ ମୁଁ କଣ କରିବି କୁହ ? ତା’ କଥା ଶୁଣି ମୁଁ ବିସ୍ମିତ ହୋଇ ଉଠିଥିଲି ।

 

ତା’ପରେ ଜ୍ୟୋତ୍ସ୍ନା ଅବସ୍ଥା କ’ଣ ହୋଇଛି ମୁଁ ଜାଣେନା; କିନ୍ତୁ ସେହିଦିନଠାରୁ ଜ୍ୟୋସ୍ନାର ଚରିତ୍ର ପ୍ରତି ମୋର ସନ୍ଦେହ ହେବାରୁ ମୁଁ ତା ପାଖରୁ ଦୂରେଇ ଆସିଲି ।

 

ଦେବକାନ୍ତକୁ ଜଣାଯାଉଥିଲା-ସତେ ଯେମିତି ସେ ବୁଢ଼ୀ ଅସୁରୁଣୀ କାହାଣୀ ଶୁଣୁଛି । ରାଜକୁମାରୀର ରୋମାଞ୍ଚକର ଉପକଥା ଶୁଣୁଛି ।

 

ସୁଖମୟର କଥାକୁ ବିଶ୍ଵାସ କରୁ ନ ଥିଲା ଦେବକାନ୍ତ ! ଅଥର ନିଦର୍ଶନ ସ୍ଵରୂପ ଛବିଗୁଡ଼ିକୁ ଆଖି ଆଗରେ ଦେଖି ବିଶ୍ଵାସ କରିବାକୁ ବାଧ୍ୟ ହେଲା ସୁଖମୟ କହିଲା, ମୁଁ ଯାଉଛି ଦେବକାନ୍ତ । ବାହାରେ ମୋର ବହୁତ କାମ ଅଛି ।

 

ସୁଖମୟ ଚାଲିଯିବା ପରେ ଦେବକାନ୍ତ ନିରୋଳାରେ ଚିନ୍ତାକଲା । ଅମୃତ ଦେଇ ପଛରେ ବିଷ ଦେବାପାଇଁ ପ୍ରସ୍ତୁତ । ହେଉଥିଲା ଜ୍ୟୋସ୍ନା । ...କିନ୍ତୁ ଆଜି ତାର ଅସଲ ସ୍ଵରୂପ ଧରାପଡ଼ି ଯାଇଛି ।

 

ଦେବକାନ୍ତ ଠିକ୍‌କଲା, ଆଜିଠାରୁ ସେ ଜ୍ୟୋତ୍ସ୍ନା ନିକଟରୁ ଦୂରେଇ ଯିବ । ଚିଠି ଦ୍ଵାରା ଜଣାଇ ଦେବ-ଗରୀବ ଝିଅମାନେ ଅର୍ଥଭାବରୁ ନିଜସତୀତ୍ଵକୁ ପଣ୍ୟଦ୍ରବ୍ୟ ଭଳି ବ୍ୟବହାର କରି ପାରନ୍ତି । କିନ୍ତୁ ତମର ଅର୍ଥାଭାବ ନ ଥାଇ ସୁଦ୍ଧା ନିଜ ଯୌନଲାଳସା ଚରିତାର୍ଥ କରିବାକୁ ପରପୁରୁଷକୁ ଆଖିଠାରରେ ବେଶ ଇଙ୍ଗିତ ଦେଇପାର ।

 

ବ୍ୟଥାଭରା ଦୀର୍ଘନିଶ୍ୱାସ ଛାଡ଼ି ଚେୟାର ଉପରୁ ଉଠିଲା ଦେବକାନ୍ତ ।

 

ଫୁଲ ଫୁଲ କାନ୍ଦୁଥିଲା ତରଣୀ । ସୁଖମାୟ ଭାଇ ଭରସା ଦେଇ କହିଥିଲେ-ଜ୍ୟୋସ୍ନା ନାମରେ ମୁଁ ଅପପ୍ରଚାର କରି ଆସିଛି ତରଣୀ । ମୁଁ ଭାବୁଛି ଆଜଠୁ ସେ ଠିକ୍ ବାଟକୁ ଆସିବ ।

 

ଅପପ୍ରଚାର ! ତରଣୀ ବିସ୍ମିତ ହୋଇ ଚାହିଁଲା ।

 

ହଁ; ଦେବକାନ୍ତ ଏଲବମରୁ ଜ୍ୟୋତ୍ସ୍ନାର ଦୁଇ ତିନୋଟି ଛବି ଆଣିଥିଲି । ଜ୍ୟୋସ୍ନା ଛବି ସହିତ ମୋ ନିଜ ଛବିକୁ ବୈଜ୍ଞାନିକ ପଦ୍ଧତିରେ ଏକତ୍ରିତ ଓ ଅଶ୍ଳୀଳ ଭଙ୍ଗଭଙ୍ଗୀ ସହିତ ସଜ୍ଜିକରଣ କରି ଦେବକାନ୍ତକୁ ଦେଖାଇ କହିଲି-ଜ୍ୟୋତ୍ସ୍ନା ତୋର ବନ୍ଧ, ହୋଇପାରେ କିନ୍ତୁ ସେ ଥିଲା ମୋ ପ୍ରଣୟିନୀ ।

 

ତା’ପରେ କଣ ହେଲା ଭାଇ ?

 

ଦେବକାନ୍ତ ଟିକେ ଦୂରଦୃଷ୍ଟି ଦେଇ ସେ ଫଟୋକୁ ନୀରକ୍ଷଣ କରି ଦେଖିଥିଲେ ସବୁ ବିଷୟ ଜାଣିପାରି ଥାଆନ୍ତା କିନ୍ତୁ ଉଲଗ୍ନ ଅଙ୍ଗଭଙ୍ଗୀର ଆକର୍ଷଣରେ ସେ କ୍ଷୁବ୍ଧ ହୋଇ ଉଠିଥିଲା ।

 

ମନେ ମନେ ପୁଲକି ଉଠୁଥିଲା ତରଣୀ । ସରେ ଯଦି ସୁଖମୟର କଥା ସତହୁଏ ତେବେ ସ୍ଵର୍ଣ୍ଣତରୀର କଳ୍ପନା ବାସ୍ତବରେ ରୂପ ପାଇବ ।

 

ଦୁଇଟି ଦିନ ବିତିଯିବା ପରେ ମଧ୍ୟ ଦେବକାନ୍ତ ନ ଆସିବାରୁ ତରଣୀ ମନରେ କେତେ ପାପଚିନ୍ତା ଖେଳିଗଲା । ସତେ କଣ ଦେବକାନ୍ତ ଆଉ ଆସିବ ନାହିଁ । ସ୍ଵର୍ଣ୍ଣତରୀର କଳ୍ପନା କଣ କଳ୍ପନାରେ ରହିଯିବ ।

 

ଦେବକାନ୍ତର କଥା କେତେପଦ ମନେ ପଡ଼ିଗଲା ତାର । ସେଦିନ ଦେବକାନ୍ତ ହାତଯୋଡ଼ି ଅନୁରୋଧ କରିଥିଲା–ତୁ ଫେରିଯା ତରଣୀ । ଆଉ କୌଣସି ଦିନ ସାକ୍ଷାତ୍‌ କରିବାର ବାସନା ନେଇ ସ୍ଵପ୍ନପୁରୀର ଦରଜା ଟପି ଭିତରକୁ ଆସିବୁନି । ଗୋଟାଏ ନଷ୍ଟଚରିତ୍ରା, ବେଶ୍ୟା ହୋଇ ଏ ଘରକୁ ଆସିଲେ ସମାଜ କଣ କହିବ ? ମୁଁ ଏତିକି ଭୁଲିଯାଆନା ଯେ, ଏ ଘରର ସମ୍ମାନ ଅଛି ଆଭିଜାତ୍ୟ ଅଛି, ପ୍ରଟିପତ୍ତି ରହିଛି, ଆଉ ସେଥିରେ ତୁ କଳଙ୍କ ଲଗାଇବାକୁ ଚେଷ୍ଟାକଲେ କେବଳ ଅନୁତାପ କରିବା ସାର ହୋଇ ଉଠିବ ତୋର !

 

ତରଣୀ ଶୁଣିପାରି ନଥିଲା ଦେବକାନ୍ତର ଅଭିଯୋଗ । ଆଖି ଲୁହକୁ ସମ୍ବଳ କରି ଲେଉଟି ଆସିଥିଲା ସେ ।

 

ସେଇ ତରଣୀଦେବକାନ୍ତର ନିଷ୍ଠୁର ଅବହେଳାରେ ଫୁଲି ଫୁଲି କାନ୍ଦୁଥିଲା । କୋହର ଭରା ଜୁଆରରେ ତା’ କୁସୁମ କୋମଳ ଅଙ୍ଗଲତା ବତୁରି ଉଠିଥିଲା । ତଥାପି, ତା କାନ୍ଦଣାର ରୋଳ କମିଲାନି କି ଭାବନାର ଧୂମାଳ ମରିଲାନି ।

 

ସତରେ ! କଣ ହେଲା ତା’ ଜୀବନର ଗତିଧାରା ? ଯେଉଁ ଦେବକାନ୍ତକୁ ତା ଜୀବନର ଏକମାସ ପାଥେୟ କରି ବଞ୍ଚି ରହିଥିଲା ସେଇ ଦେବକାନ୍ତ ନିଷ୍ଠୁର ପଦାଘାତ କରି ଆଡ଼େଇ ଦେଇଛି । ସ୍ଵର୍ଣ୍ଣତରୀର କଳ୍ପନା କେବଳ କଳ୍ପନାରେ ହିଁ ରହିଯାଇଛି ।

 

ମୁହଁମାଡ଼ି ଉଛୁଳି ଉଛୁଳି କାନ୍ଦୁଥିଲା ତରଣୀ ।

 

ତେବେ କାହାକୁ ପାଥେୟ କରି ସେ ବଞ୍ଚିରହିବ ?

 

….ପୁରୁଷ ହାତର ସ୍ପର୍ଶ ଅନୁଭବ କରି ଚଟକରି ଲେଉଟି ଚାହିଁଲା ତରଣୀ ।

 

ଆଖି ଆଗରେ ଦେବକାନ୍ତ ଠିଆ ହୋଇଛି ।

 

ବିଶ୍ଵାସ କରିପାରୁ ନ ଥିଲା ସେ, ତଥାପି ଅବିଶ୍ଵାସ କରୁ ନ ଥିଲା ମଧ୍ୟ ।

 

ତରୀ ! ଦେବକାନ୍ତ କରୁଣ କଣ୍ଠରେ ଡାକିଉଠିଲା ।

 

କିଏ ? କିଏ ତମେ ?

 

ମୋତେ ଚିହ୍ନିପାରୁନୁ ତରୀ ! ମୁଁ ଦେବକାନ୍ତ ।

 

ଦେବକାନ୍ତ ! ପଟ୍ଟନାୟକ ବଂଶର ଉଜ୍ଜ୍ୱଳ ଦୀପଶିଖା ।

 

ଆମେରିକା ଫେରନ୍ତା ଉଚ୍ଚ ଡିଗ୍ରୀଧାରୀ ସମ୍ଭ୍ରାନ୍ତ ବଂଶର ଯୁବକ ହୋଇ ଗୋଟିଏ ହୀନମନ୍ତ୍ରୀ ନଷ୍ଟଚରିତ୍ରା, ବେଶ୍ୟା ଘରକୁ ଆସିବାକୁ କୁଣ୍ଠାବୋଧ କରୁନାହଁ ? ତମେ ଫେରିଯାଅ ଦେବକାନ୍ତ ! ଲୋକେ ଦେଖିଲେ କଣ କହିବେ ତୁମକୁ ?

 

ତରୀ ! ମୋର ପଦେ କଥା ଶୁଣ !

 

ସମୟ ନାହିଁ ମୋର ଶୁଣିବାକୁ । ସେ ଦିନ ମୋର ପଦେ କଥା ଶୁଣିବାକୁ ତମର ବି ସମୟ ନଥିଲା । ଯେଉଁ ଦୁଃଖ, ହତାଶା, ବ୍ୟର୍ଥତାର ନିରାଶ ଭିତରେ ମୋତେ ଲେଉଟାଇ ଦେଇଛ, ତାହା ସବୁଦିନ ପାଇଁ ମୋର ମନେରହିବ । ତମ ପାଦ ଧରୁଛି ଦେବକାନ୍ତ ! ତମେ ଚାଲିଯାଅ । ମୋତେ ଟିକେ ଶାନ୍ତିରେ ରହିବାକୁ ଦିଅ ।

 

ତରୀ ! ଶୁଣିବୁନି ମୋର ପଦେ କଥା ?

 

ନାଁ, ମୁଁ କିଛି ଶୁଣିବି ନାହିଁ । ମୋର ଅନୁରୋଧ, ତମେ ଚାଲିଯାଅ, ଶୀଘ୍ର...

 

ଲାଗିପଡ଼ି ତଡ଼ି ଦେଉଛୁ ? କାହିଁକି ? ତୋର ସ୍ନେହର ଦେବକାନ୍ତ ପ୍ରତି ଏ ପାଷାଣୀ ହୋଇ ପାରୁଛୁ ତୁ ?

 

ମୁଁ ପାଷାଣୀ ନୁହେଁ ଦେବକାନ୍ତ, ପାଷାଣ ତମେ, ପଥର ତମେ !! ମୂକ ତମେ !!! ଦୀର୍ଘ ଦୁଇବର୍ଷ ଧରି ଆଖି ଲୁହ ଆଖିରେ ଭିଜାଇ, ପ୍ରତୀକ୍ଷା କରି ରହିବାର ପ୍ରତିଦାନ ମୁଁ ବେଶ୍ ପାଇ ସାରିଛି । ଆଉ କିଛି କହିପାରିଲାନି ତରଣୀ ! କଇଁ କଇଁ ହୋଇ କାନ୍ଦି ତକିଆରେ ମୁହଁ ଲୁଚାଇଲା ।

 

ଏତେଦିନ ପରେ ମୁଁ ଆଜି ସବୁ ଭୁଲ ବୁଝିପାରିଛି । ସୁଖମୟ ମୋର ଆଖି ଖୋଲି ଦେଇଛି । ଯେଉଁ ସୁଖମୟକୁ ମୁଁ ଭୁଲ୍‌ବୁଝି ତୋତେ ଉପେକ୍ଷା କରିଥିଲି, ଆଉ ଜ୍ୟୋତ୍ସ୍ନାକୁ ବିବାହ କରିବି ବୋଲି ପ୍ରତିଜ୍ଞା କରିଥିଲି-ଆଜି ତା’ର ମୀମାଂସା ହୋଇଯାଇଛି । ସୁଖମୟ ହୁଏତ ମୋ ଜୀବନରେ ଦେଖା ନ ହୋଇଥିଲେ, ମୋ ଜୀବନଟା ହା ହୃତ ଶମୟ ହୋଇଉଠିଥାଆନ୍ତା ? ତୋତେ ହରାଇ ଚିରଦିନ ପାଇଁ ମୁଁ ଅନୁତାପ କରୁଥାଆନ୍ତି । ଆଜି ମୁଁ ଭାବୁଛି, ଯେଉଁ ନଷ୍ଟଚରିତ୍ର ସୁଖମୟକୁ ମୁଁ ଘୃଣାକରି ଆସୁଥିଲି ନ ସେ ଆଜି କିମିତି ଏତେ ଆଦର୍ଶ ମଣିଷ ହୋଇ ପାରିଲା ? ହଉ; ଛାଡି ସେ କଥା, ମୋର ଅକ୍ଷମଣୀୟ ଅପରାଧ ପାଇଁ ତୁ କ୍ଷମା ଦେଇଛୁ କି ନ ହିଁ କହିଲୁ ?

 

ତରଣୀ କିଛି ଉତ୍ତର ଦେଇପାରିଲା ନାହିଁ । କେବଳ କଇଁ କଇଁ ହୋଇ କାନ୍ଦିବାରେ ଲାଗିଲା ।

 

ଦୁଇ ପାହୁଣ୍ଡ ଆଗେଇଯାଇଁ ତରଣୀର ଦେହରେ ହାତ ରଖିଲା ଦେବକାନ୍ତ !

 

ସାମନ୍ୟ ଆଗକୁ ଘୁଞ୍ଚିଗଲା ତରଣୀ ! ମୋତେ ଛୁଆଁ ନାହିଁ ଦେବକାନ୍ତ ! ଯେଉଁ ତୁଣ୍ଡରେ ମୋତେ ବେଶ୍ୟା ବୋଲି ସମ୍ବୋଧନ କରିଛ ସେଇ ବେଶ୍ୟକୁ ଛୁଇଁଲେ ପାପ ହେବ ବୋଲି କ’ଣ ଜାଣିନ ? ମୋର ଅନୁରୋଧ ତୁମେ ଫେରିଯାଅ ।

 

ତରୀ ! ମୋତେ କ୍ଷମା ଦେବୁନି ତୁ ! ମୁଁ ଆଜି ସ୍ଵୀକାର କରୁଛି, ତୋ ପ୍ରତି ମୁଁ ଅକ୍ଷମଣୀୟ ଅପରାଧ କରିଛି । ସେଥିପାଇଁ ମୁଁ ଯଥେଷ୍ଟ ଅନୁତାପ କଲିଣି । ତଥାପି ତୋ ! ହୃଦୟରେ କଣ ଟିକେ ଦୟା ଆସୁନି ?

 

ତରଣୀ ମୁହଁଟେକ ଚାହିଁଲା ।

 

ଦେବକାନ୍ତ ତରଣୀର ହାତଧରି ପକାଇ କହିଲା–ମୋତେ କ୍ଷମା ଦେ ତରଣୀ । ମୁଁ ତୋ ପ୍ରତି ଅନ୍ୟାୟ କରିଛି, ଅବିଚାର କରିଛି । ସେଥିପାଇଁ ତୁ ଯାହା ଦଣ୍ଡଦେବୁ ମୁଁ ସହ୍ୟ କରିବି ।

 

ଦେବକାନ୍ତ ! ତରଣୀ ବାଷ୍ପ ଗଦ୍‌ଗଦ୍‌କଣ୍ଠରେ ଡାକିଲା ।

 

ଦେବକାନ୍ତ ତରଣୀ ନିକଟକୁ ଲାଗି ଆସିଲା ।

 

ଦେବକାନ୍ତର ଛାତି ଉପରେ ଲେଖିପଡ଼ି ତରଣୀ କାନ୍ଦି ଉଠିଲା ବୁଢ଼ୀ ଅସୁରୁଣୀ ନଦୀ ପରି ଫୁଲି ଫୁଲି….

 

କୋଠରୀ ଭିତରକୁ ପଶି ଆସୁ ଆସୁ ସୁଖମୟ ଅଟକିଗଲା । ଦେବକାନ୍ତର ଛାତି ଉପରେ ତରଣୀ ଢଳି ପଡ଼ିଛି ଆଉ ଦେବକାନ୍ତ ତାକୁ ବକ୍ଷ ଉପରେ ଚାପିଧରିଛି ନିବିଡ଼ ଭାବରେ ।

 

ଅନେକ ସମୟପରେ ସୁଖମୟ ଡାକିଲା–ଦେବକାନ୍ତ !

 

କୋଠରୀ ଭିତରୁ ବାହାରି ଆସିଲେ ତରଣୀ ଆଉ ଦେବକାନ୍ତ ।

 

ସୁଖମୟ କହିଲା–ମୁଁ ଜାଣିଥିଲି ଦେବକାନ୍ତ, ତୁ ନିଶ୍ଚୟ ଆସିବୁ ! ତରଣୀକୁ ଉପେକ୍ଷା କରି ତୁ କେବେ ରହିପାରିବୁନି ।

 

ହଁ, ତୋ କଥା ସତ ହୋଇଛି ସୁଖମୟ ବୁଝିପାରିଛି, ରୁ ମୋତେ ଯେଉଁ ପଥରେ ଯିବାପାଇଁ ନିର୍ଦ୍ଦେଶ ଦେଇଛୁ, ତାହାହିଁ ହେଉଛି ଦୁନିଆର ଏକମାତ୍ର ଆଲୋକର ପଥ, ପବିତ୍ରର ପଥ-। –ଦେବକାନ୍ତ ଉତ୍ତର ଦେଲା !

 

ସୁଖମୟର ପାଦତଳେ ଲୋଟିଯାଇ ତରଣୀ କହିଲା ତମେ ମଧ୍ୟ ମୋର ଯେଉଁ ଉପକାର କରିଛ, ବସ୍ତୁବାଦୀ ଦୁନିଆ ଅସ୍ଵୀକାର କଲେ ମଧ୍ୟ ମୁଁ କେବେ ଅସ୍ଵୀକାର କରିପାରିବି ନାହିଁ ତୁମେ ମଣିଷ ନୁହଁ ଭାଇ, ତୁମେ ଦେବତା !

 

ସୁଖମୟ ହସିଲା । କହିଲା–ମୁଁ ମଣିଷ କି ଦେବତା କିଛି ହୋଇ ପାରିଲିନି ତରୀ ! ଦେବକାନ୍ତ ଭାଷାରେ, ମୁଁ ଗୋଟାଏ ଅପଦାର୍ଥ-ଅମଣିଷ-ନଷ୍ଟଚରିତ୍ର ।

 

ଦେବକାନ୍ତକୁ ଚାହିଁ ମୃଦୁ ହସୁଥିଲା ତରଣୀ ।

Image